ଚାଇନା ଜିନିଷରେ ନିଆଁ ଲାଗିଲା

ଚନ୍ଦ୍ରଶେଖରପୁର: ଛଳନା କରି ଗଲୱାନ୍‌ ଘାଟିରେ ଭାରତୀୟ ଯବା‌ନଙ୍କୁ ମରଣ ମୁହଁକୁ ଠେଲି ଦେଇଥିବା ଚୀନ୍‌ ସେନା ଉପରେ ଭାରତୀୟମାନଙ୍କ ରାଗ ପଞ୍ଚମରେ ପହଞ୍ଚିଛି। ସୀମା ବିବାଦ ବଢ଼ାଇ ଚାଲିଥିବା ଚୀନ୍‌ ଉପରେ ପ୍ରତିଶୋଧ ନେବା ପାଇଁ ସମସ୍ତେ ବିଭିନ୍ନ ରାସ୍ତା ଆପଣେଇବାରେ ଲାଗିଛନ୍ତି। କିଏ ମୋବାଇଲ୍‌ ଫୋନ୍‌ରୁ ଚୀନ୍ ଆପ୍‌ କାଟି ପକାଇଲାଣି ତ କିଏ ଚୀନ୍‌ ସାମଗ୍ରୀ ବର୍ଜନ କରିବାକୁ ଆହ୍ବାନ ଦେଇ ରାସ୍ତାରେ ଟିଭି, ମୋବାଇଲ୍‌ ଫୋନ୍ ପୋଡ଼ି ପକାଇଲେଣି। ଏହା ଏକ ପ୍ରକାର ଆନ୍ଦୋଳନର ରୂପ ନେଲାଣି। ଭାରତର ବିଭିନ୍ନ ପ୍ରାନ୍ତରରେ ଲୋକେ ଟିଭି, ମୋବାଇଲ୍‌ ଆଦି ବିଭିନ୍ନ ପ୍ରକାର ଦାମୀ ଚୀନ୍‌ ଜିନିଷ ପୋଡ଼ି ପକାଉଛନ୍ତି। ଆଜି ରାଜଧାନୀ ଭୁବନେଶ୍ବରରେ ମଧ୍ୟ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି।

ଆଜି ରାଜଧାନୀର ମଞ୍ଚେଶ୍ବର, ଚନ୍ଦ୍ରଶେଖରପୁର ଓ ପଟିଆ ଅଞ୍ଚଳରେ ଲୋକେ ଚୀନ୍ ଜିନିଷ ପୋଡ଼ିବା ଦୃଶ୍ୟ ଦେଖିବାକୁ ମିଳିଛି। ମଞ୍ଚେଶ୍ବରର ବିକାଶ ସାହୁ, ଚନ୍ଦ୍ରଶେଖରପୁରର ଦିଲ୍ଲୀପ ମହନ୍ତ ଓ ପଟିଆ ଅଞ୍ଚଳର ପ୍ରଶାନ୍ତ ମହାରଣା ନିଜ ଘରେ ଥିବା ଚାଇନା ଉତ୍ପାଦ ଜାଳି ଦେଇଛନ୍ତି। ପିଲାଙ୍କ ଖେଳଣା, ଚାର୍ଜ ଲାଇଟ୍, ପ୍ଲାଷ୍ଟିକ ସାମଗ୍ରୀ, ଘଣ୍ଟା, କାଲ୍‌କୁଲେଟର୍ ଓ ମୋବାଇଲ୍ ସରଞ୍ଜାମରେ ନିଆଁ ଲଗାଇ ଦେଇଛନ୍ତି। ବିକାଶଙ୍କ କହିବା କଥା, କରୋନା ମହାମାରୀ ସମୟରେ ଚୀନ୍‌ ପାଇଁ ଭାରତୀୟ ଯବାନ ସହିଦ୍ ହୋଇଛନ୍ତି। ତେଣୁ ସେ ଦେଶର ସାମଗ୍ରୀ ବର୍ଜନ କରି ତାର ଅର୍ଥନୀତିକୁ ଦୁର୍ବଳ କରିବାକୁ ପଡ଼ିବ। ସେହିଭଳି ଦିଲ୍ଲୀପଙ୍କ କହିବା କଥା ଟିକ୍‌ଟକ୍‌ ଭଳି ଚୀନ୍‌ ପ୍ରସ୍ତୁତ ସମସ୍ତ ଆପ୍‌କୁ ମୋବାଇଲ୍‌ ଫୋନ୍‌ରୁ କାଟିବାକୁ ପଡ଼ିବ। ଏହି ସବୁ ଆପ୍‌ କରୋନା ଭୂତାଣୁଠାରୁ ମଧ୍ୟ ଏକ ବଡ଼ ଭୟଙ୍କର। ଏମିତି ଏକ ସମୟରେ ଏସ୍.ଏସ୍.ଭି.ଏମ୍ ଶିକ୍ଷା ଚନ୍ଦ୍ରଶେଖରପୁର ମଣ୍ଡଳ ଅଧିକାରୀ ପ୍ରଫେସର୍‌ ଡ. ସୁଶାନ୍ତ ଦାସ ବିଦେଶୀ ଉତ୍ପାଦ ବର୍ଜନ କରିବା ପାଇଁ ସଂଗ୍ରାମ ଆରମ୍ଭ କରିଛନ୍ତି। ସ୍ବଦେଶୀ ଜାଗରଣ ମଞ୍ଚ ନାଁରେ ଗଢ଼ି ଉଠିଥିବା ତାଙ୍କ ଅନୁଷ୍ଠାନ ଏବେ ବୁଲି ବୁଲି ଯୁବପିଢ଼ି ଓ ସାଧାରଣ ଜନତାଙ୍କୁ ଦେଶୀୟ ସାମଗ୍ରୀ ବ୍ୟବହାର କରିବାକୁ ସଚେତନ କରୁଛନ୍ତି।

ସମ୍ବନ୍ଧିତ ଖବର