ଦାରୁଠେଙ୍ଗ ଡମ୍ପିଂୟାର୍ଡ ବିବାଦ: ନିଆଁ ଲିଭୁନି, ବିଏମ୍‌ସି ନୟାନ୍ତ

ବାରଙ୍ଗ: ଭୁବନେଶ୍ବର ଉପକଣ୍ଠ ଦାରୁଠେଙ୍ଗସ୍ଥିତ ଭୁଆଶୁଣୀ ଡମ୍ପିଂୟାର୍ଡରେ ସପ୍ତାହେ ହେଲା ଲାଗିଥିବା ନିଆଁ ଥମିବାର ନାଁ ଧରୁନି। ଦାରୁଠେଙ୍ଗ ଜନସାଧାରଣ ନିଆଁରୁ ନିର୍ଗତ ହେଉଥିବା ଧୂଆଁ ଓ ତତଲା ପବନ ମାଡ଼ରେ ଅଣାୟତ୍ତ ହୋଇଗଲେଣି। ଅପରପକ୍ଷେ ନିଆଁ ବ୍ୟାପୁଥିବାରୁ ଦାରୁଠେଙ୍ଗ ପଞ୍ଚାୟତ, ନନ୍ଦନକାନନ ପ୍ରାଣୀଉଦ୍ୟାନ ଓ ଚନ୍ଦକା ଅଭୟାରଣ୍ୟ ସମେତ ଆଖପାଖ ପରିବେଶକୁ ନିଆଁ ଭୟ ରହିଛି। ୪ଦିନ ହେଲା ଦମକଳ ଦ୍ବାରା ନିଆଁ ଲିଭାଇବାକୁ ଉଦ୍ୟମ କରାଯାଉଥି‌ଲେ ହେଁ ନିଆଁ ଲିଭୁ ନଥିବାରୁ ବିଏମ୍‌ସି ନୟାନ୍ତ ହେଲାଣି। ୬୨ ଏକର ପରିମିତ ଏହି ଡମ୍ପିଂୟାର୍ଡରେ ନିଆଁ ଏବେ ୩୫ ଏକରକୁ ବ୍ୟାପି ଯାଇଛି। ନିଆଁ ନ ଲିଭିବା ପର୍ଯ୍ୟନ୍ତ ବିଏମ୍‌ସିର ଆବର୍ଜନା ଗାଡ଼ିକୁ ପୂରାଇ ଦିଆଯିବ ନାହିଁ ବୋଲି ଦାରୁଠେଙ୍ଗବାସୀ ଚେତାବନୀ ଦେଇଥିବାରୁ ୪ ଦିନ ହେଲା ଏଠାରେ ରାଜଧାନୀର ଆବର୍ଜନା ପଡ଼ି ପାରୁନାହିଁ। ଆବର୍ଜନା ନେଇ ଆସୁଥିବା ଗାଡିକୁ ପ୍ରବେଶ କରାଇ ନ ଦେବା ଲାଗି ଦରୁଠେଙ୍ଗବାସୀ ଗାଁରେ ଜଗି ରହୁଛନ୍ତି। ଫଳରେ ଏବେ ବିଏମ୍‌ସି ସୈନିକ ସ୍କୁଲ୍‌ ନିକଟ ଅସ୍ଥାୟୀ ଡମ୍ପିଂୟାର୍ଡରେ ଅଳିଆ ଗଦାଉଛି।

ସମ୍ବନ୍ଧିତ ଖବର