ଭୁବନେଶ୍ବର: ଭୁଆସୁଣୀ ଡମ୍ପିଂୟାର୍ଡରେ ନିଆଁ। ଦୁଇ ଦିନ ହେଲା ଆବର୍ଜନା ପାହାଡ଼ ଜଳୁଛି। ନିଆଁ ପ୍ରଭାବରେ ଦାରୁଠେଙ୍ଗ, କୃଷ୍ଣନଗର, କଲ୍ୟାଣ ନଗର, ଚନ୍ଦକା, ରଘୁନାଥପୁର, ବାରଙ୍ଗ ଗ୍ରାମର ହଜାର ହଜାର ଲୋକ, ଜୀବଜନ୍ତୁ ବିଷାକ୍ତ ଧୂଆଁରେ ପ୍ରଭାବିତ ହେଲେଣି। ଚନ୍ଦକା ଜଙ୍ଗଲରେ ଗଛ ବି ଝାଉଁଳିଗଲାଣି। ପ୍ରବଳ ତାତି ସାଙ୍ଗକୁ ନିଆଁ ସମସ୍ତଙ୍କୁ ପୂରା କିଲବିଲ୍‌ କରିଦେ‌ଲାଣି। ହେଲେ ବିଏମ୍‌ସି କି ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କାହାର ଏଥିପ୍ରତି ନିଘା ନାହିଁ।

Advertisment

ଏବେ ଦକ୍ଷିଣା ପବନ ବହୁଥିବାରୁ ନିଆଁ ଉଡ଼ି ପାଖ ଗାଁକୁ ବ୍ୟାପିବାର ଆଶଙ୍କା ସୃଷ୍ଟି ହେଲାଣି। ଯେଉଁଥିପାଇଁ ଡମ୍ପିଂୟାର୍ଡ ଆଖପାଖରେ ବସବାସ କରୁଥିବା ୬ଟି ଗାଁର ୨୦ ହଜାର ଲୋକ ଭୟଭୀତ ହୋଇଗଲେଣି। ୩୬ ଘଣ୍ଟା ମଧ୍ୟରେ ନିଆଁ କୁହୁଳି କୁହୁଳି ଡମ୍ପିଂୟାର୍ଡର ୬୦ ପ୍ରତିଶତ ଅଞ୍ଚଳକୁ ବ୍ୟାପିଗଲାଣି। ଧୂଆଁର ପ୍ରଭାବ ଏତେ ହୋଇଯାଇଛି ଯେ ଏବେ ନନ୍ଦନକାନନ ଆଡ଼କୁ ମାଡ଼ିଲାଣି। ଯେଉଁଥିପାଇଁ ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଜୀବଜନ୍ତୁ ପ୍ରଭାବିତ ହେବା ଆଶଙ୍କା ସୃଷ୍ଟି ହୋଇଛି। ନନ୍ଦନକାନନରେ ବହୁ ବିରଳ ପ୍ରଜାତିର ପଶୁପକ୍ଷୀ ରହୁଥିବାରୁ ଏହି ବିଷାକ୍ତ ଧୂଆଁ ଦ୍ୱାରା ପ୍ରଭାବିତ ହୋଇପାରନ୍ତି ବୋଲି ପ୍ରାଣୀବିଜ୍ଞାନୀମାନେ ଆଶଙ୍କା ପ୍ରକାଶ କଲେଣି। ବିଚିତ୍ର କଥା ହେଉଛି ଯେ ପ୍ରତିବର୍ଷ ଖରା ଦିନେ ଏଠାରେ ନିଆଁ ଲାଗୁଛି। କିଏ ଲଗାଉଛି? କାହିଁକି ଆବର୍ଜନା ପାହାଡ଼ ଜଳୁଛି ତାହାର ଖବର କାହାକୁ ଜଣାନାହିଁ? ବିଏମ୍‌ସି କର୍ତ୍ତୃପକ୍ଷ ଏବିଷୟରେ ଜାଣି ନଥିବା କହୁଥିବା ବେଳେ ଗ୍ରାମବାସୀମାନେ ସିଧାସଳଖ ବିଏମ୍‌ସି ଉପରେ ଦୋଷ ଲଦିଛନ୍ତି। ସେମାନଙ୍କ କହିବା କଥା ହେଉଛି ଯେ ବିଏମ୍‌ସି କର୍ତୃପକ୍ଷ ପ୍ରତିବର୍ଷ ନିଆଁ ଲଗାଉଛନ୍ତି। ଅଧାରୁ ଅଧିକ ଆବର୍ଜନା ପୋଡ଼ିଯିବା ପରେ ଲିଭାଇବାକୁ ପ୍ରୟାସ କରୁଛନ୍ତି। ଦମକଳ ବଦଳରେ ସେସପୁଲ୍ ଗାଡ଼ି ଯୋଗେ ନିଆଁ ଲିଭାଇବାକୁ ଉଦ୍ୟମ ହେଉଛି। ସେସ୍‌ପୁଲ୍‌ ଗାଡ଼ିଗୁଡ଼ିକ ଆବର୍ଜନା ଭିତରେ ଅଧିକ ବାଟ ଯାଉ ନଥିବାରୁ ଯେଉଁଠି ନିଆଁ ଲାଗିଛି ସେଠାରେ ପାଣି ପଡ଼ୁନି। ଫଳରେ ଅଳ୍ପ କିଛି ଅଞ୍ଚଳରେ ନିଆଁ ଲିଭୁଛି। ବାକି ଅଞ୍ଚଳ ସେମିତି କୁହୁଳି କୁହୁଳି ଜଳୁଛି। ୭ ଦିନ ତଳେ ମଧ୍ୟ ନିଆଁ ଲାଗିଥିଲା। ସେତେବେଳେ ପ୍ରାୟ ୩୦ ପ୍ରତିଶତ ଅଂଶ ଜଳିଯାଇଥିଲା। ସୋମବାରରୁ ଡମ୍ପିଂୟାର୍ଡରେ ନିଆଁ ଲାଗିଥିଲେ ମଧ୍ୟ ତାହା ନିୟନ୍ତ୍ରଣକୁ ଆସିପାରି ନାହିଁ। ମଙ୍ଗଳବାର ସନ୍ଧ୍ୟା ପର୍ଯ୍ୟନ୍ତ ଡମ୍ପିଂୟାର୍ଡରେ ନିଆଁ କୁହୁଳୁଛି। ନିଆଁ ଅପେକ୍ଷା ଧୂଆଁର ପ୍ରଭାବ ଅଧିକ ରହିଥିବାରୁ ୪ରୁ ୫ କିମି ପର୍ଯ୍ୟନ୍ତ ଅଞ୍ଚଳ ଧୂଆଁମୟ ହୋଇଯାଇଛି। ଲୋକ ବି ଅସ୍ତବ୍ୟସ୍ତ ହୋଇପଡ଼ିଲେଣି। ଡମ୍ପିଂୟାର୍ଡରୁ ପ୍ଲାଷ୍ଟିକ୍‌ ବୋତଲ ଗୋଟାଉଥିବା ଗୌରୀଙ୍କ କହିବାନୁଯାୟୀ ଗତକାଲି ମଧ୍ୟାହ୍ନ ପର୍ଯ୍ୟନ୍ତ ଏଠାରେ ନିଆଁ ନଥିଲା। ଅପରାହ୍‌ଣରେ ଲାଗିଥିବା ଅନୁମାନ କରାଯାଉଛି। ରାତି ସମୟରେ ନିଆଁର ପ୍ରକୋପ ଏତେ ଥିଲା ଯେ ସମ୍ପୂର୍ଣ୍ଣ ଅଞ୍ଚଳ ନାଲି ରଙ୍ଗ ହୋଇଯାଇଥିଲା। ସକାଳୁ ଧୂଆଁ ହୋଇ ଚାରିଆ‌େଡ଼ ବ୍ୟାପୀ ଯାଇଥିଲା। ବିଏମ୍‌ସି ପକ୍ଷରୁ କୁହାଯାଇଛି ଯେ, ଡମ୍ପିଂୟାର୍ଡରେ ନିଆଁ ଲିଭାଇବା ପାଇଁ ସମସ୍ତ ଉଦ୍ୟମ ହୋଇଛି। ୪ଟି ସେସ୍‌ପୁଲ୍‌ ଗାଡ଼ି ସେଠାକୁ ପଠାଯାଇଛି। ଯେଉଁଠାରେ ନିଆଁ ଲାଗିଛି ତାହା ଉପରେ ପାଣି ପକାଯାଉଛି।publive-image

ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ତତ୍ପରତା ନାହିଁ

୨୫ହଜାର ଜରିମାନା ଦେବା ପରେ ବି ବିଏମ୍‌ସି ଚେତୁନି
ପ୍ରାୟ ୨୦ ଏକର ପରିମିତ ଡମ୍ପିଂୟାର୍ଡରେ ନିଆଁ ଲାଗିବା ଦ୍ବାରା ସ୍ଥାନୀୟ ଗ୍ରାମବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପରିବେଶ ପ୍ରଦୂଷିତ ହେବା ସହ ବାୟୁବାହକ ରୋଗ ମାଡ଼ିଚାଲିଥିଲେ ମଧ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଏଥିପାଇଁ ତତ୍ପରତା ନାହିଁ। କେଉଁଠି ଛୋଟିଆ କାରଖାନାରେ ବାୟୁ ପ୍ରଦୂଷଣ ରୋକିବାକୁ ପଦକ୍ଷେପ ନିଆଯାଇନଥିଲେ ସେଠାରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅଧିକାରୀମାନେ ଡେରା ପକାଇ ବସୁଛନ୍ତି। ଅଥଚ ଡମ୍ପିଂୟାର୍ଡର ନିଆଁ ପ୍ରଭାବରେ ୨୦ହଜାର ଲୋକ, ହଜାର ହଜାର ଗଛ, ଜୀବଜନ୍ତୁ ପ୍ରଭାବିତ ହେଉଥିଲେ ବି ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ବିଏମ୍‌ସି ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଡରୁଛି। ୨୦୧୮ ଫେବ୍ରୁଆରି ମାସରେ ଅନୁରୂପ ଭାବେ ନିଆଁ ଲାଗିଥିଲା। ନିଆଁ ଲିଭାଇବା ନେଇ ବିଏମ୍‌ସି ଆବଶ୍ୟକ ପଦକ୍ଷେପ ନ ନେବାରୁ ଓ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ତାଗିଦ୍‌ ସତ୍ତ୍ୱେ ବିଏମ୍‌ସି ନିଆଁ ଲିଭାଇବାରେ ବିଫଳ ହେବାରୁ ବିଏମ୍‌ସିକୁ ୨୫ହଜାର ଟଙ୍କା ଜରିମାନା ହୋଇଥିଲା। ସେତେବେଳେର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀ ହାଡ଼ିବନ୍ଧୁ ପାଣିଗ୍ରାହୀ ବିଏମ୍‌ସି କମିସନରଙ୍କୁ ଚିଠି ଲେଖି ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଅନୁଧ୍ୟାନ କରାଯାଇଥିବା କଥା ଉଲ୍ଲେଖ କରିଥିଲେ। ତେବେ ଏଥର ବୋର୍ଡ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ବି ପଦକ୍ଷେପ ନିଆଯାଇ ନାହିଁ। ଆଞ୍ଚଳିକ ଅଧିକାରୀ ବି.ବି ଦାଶଙ୍କୁ ଏନେଇ ଯୋଗାଯୋଗ କରାଯାଇଥିଲେ ମଧ୍ୟ କିଛି ବି ଉତ୍ତର ମିଳିପାରିନି। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଜଣେ ସଦସ୍ୟ କହିଛନ୍ତି ଯେ ଏକ୍ଷେତ୍ରରେ ଆଞ୍ଚଳିକ ଅଧିକାରୀ କାର୍ଯ୍ୟାନୁଷ୍ଠାନ ନେଇପାରିବେ। ଜରିମାନା ଆଦାୟ କରିବାର କ୍ଷମତା ତାଙ୍କର ରହିଛି। ଯଦି ସ୍ଥିତି ଅଧିକ ହେବ ତେବେ ସେମାନଙ୍କ ରିପୋର୍ଟ ଆଧାରରେ ଆମେ ପଦକ୍ଷେପ ନେବୁ।

ରୋଗ ବ୍ୟାପିବା ଆଶଙ୍କା
ଆବର୍ଜନା ପାହାଡ଼ରେ ନିଆଁ ଲାଗିବା ପରେ ଏଥିରୁ ବାହାରୁଥିବା ଧୂଆଁ ପ୍ରଭାବରେ ସ୍ଥାନୀୟ ଅଞ୍ଚଳରେ ବିଭିନ୍ନ ରୋଗ ବ୍ୟାପିବାର ଆଶଙ୍କା ସୃଷ୍ଟି ହୋଇଛି। ଧୂଆଁ ପ୍ରଭାବରେ ଚର୍ମ ରୋଗ, ଆଖି ପୋଡ଼ିବା, ମୁହଁ କୁଣ୍ଡାଇ ହେବା ପରି ସମସ୍ୟା ସୃଷ୍ଟି ହେଲାଣି। ଦାରୁଠେଙ୍ଗ ଗ୍ରାମଠାରୁ ଡମ୍ପିଂୟାର୍ଡର ଦୂରତା ମାତ୍ର ଦୁଇ କିମି ହୋଇଥିବାରୁ ଲୋକେ ପ୍ରଭାବିତ ହେଉଛନ୍ତି। ଲୋକଙ୍କ ଦେହ କୁଣ୍ଡାଇ ହେଉଛି ବୋଲି ଅଭିଯୋଗ ହୋଇଛି। ଯଦି ତୁରନ୍ତ ପଦକ୍ଷେପ ନିଆ ନଯାଏ ରୋଗ ଅଧିକ ବ୍ୟାପିବାର ଆଶଙ୍କା ସୃଷ୍ଟି ହୋଇଛି।

ଗ୍ରାମବାସୀଙ୍କ ମନର ବେଦନା, ଆଖି ପୋଡ଼ୁଛି, ଦେହ କୁଣ୍ଡାଇ ହେଉଛି
ଅଳିଆ ପୋଡ଼ିବା ଦ୍ବାରା ସେଥିରୁ ବାହାରୁଥିବା ଜୀବାଣୁ ନାକ ଓ ଆଖିରେ ପଶୁଛନ୍ତି। ଯେଉଁଥିପାଇଁ ଆଖି ପୋଡ଼ୁଛି। ଦେହ କୁଣ୍ତାଇ ହେଉଛି। ନାକରେ ଫଳିଯାଉଛି। ଚର୍ମ ରୋଗ, କ୍ୟାନସର ଜନିତ ରୋଗ ବ୍ୟାପୁଛି। ମଶାଙ୍କ ପ୍ରାଦୁର୍ଭାବ ବଢ଼ୁଛି। ଘର ଭିତରକୁ ବିଛା ପଶି ଆସୁଛନ୍ତି। ଉତ୍ତାପରେ ରହିହେଉନି। ଯେଉଁ ଅଳିଆ ପଡ଼ୁଛି ତାହାକୁ ଠିକ୍‌ ଭାବେ ତଦାରଖ କରାଯାଉ ନାହିଁ। ବିଏମ୍‌ସି ଆମ ପ୍ରତି ଅବହେଳା ପ୍ରଦର୍ଶନ କରୁଛି। ଯେଉଁଠି ଅଳିଆ ପଡ଼ୁଛି ସେଠାରେ ବ୍ଲିଚି˚ ପାଉଡର କିମ୍ବା କେମିକାଲ ପକାଯାଉ ନାହିଁ।
ଟୁକୁନା ମଙ୍ଗରାଜ, ଦାରୁଠେଙ୍ଗ
ଗାଁରେ ପିଲାଙ୍କୁ ରଖି ହେବନି
ପିଲାଙ୍କଠାରେ ବିଭିନ୍ନ ରୋଗ ଦେଖାଯାଉଛି। ଚିକିତ୍ସା ପାଇଁ ଇତି ମଧ୍ୟରେ କେତେଜଣ ପିଲାଙ୍କୁ ମେଡିକାଲରେ ଭର୍ତ୍ତି କରାଗଲାଣି। ନିଆଁ ଓ ଧୂଆଁ ପ୍ରଭାବରେ ଡମ୍ପିଂୟାର୍ଡକୁ ଲାଗି ରହିଥିବା ରାସ୍ତାରେ ଯିବା କଷ୍ଟକର ହୋଇପଡ଼ୁଛି। ଏବେ ଚିନ୍ତା କରୁଛୁ ପିଲାମାନଙ୍କୁ ବାହାରକୁ ପଠାଇ ଦେ‌ବୁ। ବିଏମ୍‌ସି ତୁରନ୍ତ ଏହାର ସମାଧାନ ନେଇ ପଦକ୍ଷେପ ନେଉ। ଗ୍ରାମଠାରୁ ମାତ୍ର ୨ କିମି ଦୂରରେ ଅଳିଆ ପଡ଼ୁଥିବାରୁ ବର୍ଷ ସାରା ବହୁ କଷ୍ଟରେ ଜୀବନ ଅତିବାହିତ କରୁଛୁ।
ପ୍ରଶାନ୍ତ ସାମନ୍ତରାୟ, ଦାରୁଠେଙ୍ଗ
ମାଟି, ପାଣି ସବୁ ପ୍ରଦୂଷିତ ହୋଇଗଲାଣି
ଡମ୍ପିଂୟାର୍ଡ ଯୋଗୁଁ ଆମ ଗ୍ରାମର ମାଟି ଦୂଷିତ ହୋଇଗଲାଣି। ଏହା ପ୍ରଭାବରେ ଭୂତଳ ଜଳ ବି ପ୍ରଦୂଷିତ ହୋଇଗଲାଣି। କିଛି ଦିନ ତଳେ ଗାଁର ପାଣି ପରୀକ୍ଷା ହୋଇଥିଲା। ପାଣି ଏମିତି ସ୍ତରରେ ଅଛି ଯେ, ଫିଲଟରରେ ପାଣି ରଖିଲେ ବି ତାହା ପିଇବା ସମ୍ଭବପର ହେଉନାହିଁ। ୧୦ ବର୍ଷ ହେଲା ଅଳିଆ ପଡ଼ୁଥିବାରୁ ସେ ସ୍ଥାନ ବତୁରି ଜଳସ୍ତର ନଷ୍ଟ କରି ସାରିଲାଣି। କୂଅ କିମ୍ବା ନଳକୂପରୁ ସ˚ଗ୍ରହ କରାଯାଉଥିବା ପାଣି ଅବସ୍ଥା ଖରାପ ହୋଇଛି। ଚର୍ମ ରୋଗ ବ୍ୟାପୁଛି। ସକାଳୁ ଏମିତି ଧୂଆଁ ହେଉଛି ଯେ ରହିହେଉନି। ଗଛରେ ଫୁଲ ବି ଫୁଟୁନି।
ଶିଶିର ପାହାଡ଼ସି˚ହ, ଦାରୁଠେଙ୍ଗ
ଆମେ ଏଠି ଧୂଆଁରେ ମରୁଛୁ
ସହରବାସୀ ଭଲରେ ରହୁଛନ୍ତି। ଆମେ ଏଠି ଅଳିଆ ଧୂଆଁରେ ମରୁଛୁ। ଏହାକୁ ବନ୍ଦ କରାଯାଉ। ଅଳିଆ ଦୁର୍ଗନ୍ଧ ସାଙ୍ଗକୁ ଏବେ ନିଆଁ ଧୂଆଁ ପ୍ରଭାବରେ ଜ୍ବର ହେଉଛି। ମୁଣ୍ତ ବିନ୍ଧୁଛି। ଧୂଆଁ ନାକରେ ପଶିବା ଦ୍ବାରା ଅଣନିଃଶ୍ବାସୀ ହେଲା ଭଳି ଲାଗୁଛି। ଦୁର୍ଗନ୍ଧ ଏମିତି ହେଉଛି ଯେ ଘରୁ ବାହାରି ପାରୁନୁ।
ମୀନା ବେହେରା
ଅଳିଆ ଖାଇ ଗାଈ କ୍ଷୀର ଦେଉନାହାନ୍ତି
ନିଆଁ ଲାଗିବା ଦ୍ବାରା ଲୋକେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଯେତେଶୀଘ୍ର ସମ୍ଭବ ଏହାକୁ ବନ୍ଦ କରାଯାଉ। ନିଆଁ ଲାଗିବା ଦ୍ବାରା ଗରମ ହେଉଛି। ଗାଈ, ବାଛୁରି, ପିଲାମାନେ ରୋଗରେ ପଡ଼ୁଛନ୍ତି। ଗାଈଗୁଡ଼ିକ ଅଳିଆ ଖାଇବା ଦ୍ବାରା ଭଲ କ୍ଷୀର ହେଉନାହାନ୍ତି। କ୍ଷୀର ନଷ୍ଟ ହୋଇଯାଉଛି।
ପ୍ରତିମା
ଗାଁରେ କ୍ୟାନସର ରୋଗୀଙ୍କ ସଂଖ୍ୟା ବଢ଼ିଲାଣି
କଲେଜ ଓ ସ୍କୁଲ ଛାତ୍ରଛାତ୍ରୀ ଉକ୍ତ ରାସ୍ତାରେ ଯିବା ସମୟରେ ଅସୁବିଧାରେ ପଡ଼ୁଛନ୍ତି। ଧୂଆଁ ଯୋଗୁଁ ଗାଁରେ କ୍ୟାନସର ରୋଗୀଙ୍କ ସ˚ଖ୍ୟା ବଢ଼ୁଛି। ଏହା ସ୍ବାସ୍ଥ୍ୟ ପକ୍ଷେ କ୍ଷତିକାରକ। ଧୂଆଁର ପ୍ରଭାବ ଏତେ ରହୁଛି ଯେ ପ୍ରାୟ ପିଲା ଆଉ କଲେଜ ଯାଉ ନାହାନ୍ତି। ଅଳିଆ ଆଣି ଆସୁଥିବା ଗାଡ଼ି ଉପରେ କିଛି ‌କଭର୍‌ ପଡ଼ୁନି। ଯେଉଁଥିପାଇଁ ରାସ୍ତାରେ ଅଳିଆ ପଡ଼ୁଛି। ରାସ୍ତା ପଲିଥିନ୍‌ମୟ ହୋଇଯାଉଛି।
ଅନିତା ବେହେରା