ଏକାମ୍ର କାନନ ଫାର୍ମରେ ନିଆଁ

ପୋଡ଼ିଗଲା ପଲି ହାଉସ୍‌, ମୂଲ୍ୟବାନ ଗଛ

ଭୁବନେଶ୍ବର : ନନ୍ଦନକ‌ାନନ ବଟାନିକାଲ ଗାର୍ଡେନ୍‌ରେ ନିଆଁ ଲାଗିବାର ଦିନକ ପରେ ମଙ୍ଗଳବାର ସିଆରପି ଛକ ନିକଟସ୍ଥ ଏକାମ୍ର କାନନ ଫାର୍ମରେ ନିଆଁ ଲାଗିଛି। ମଙ୍ଗଳବାର ଦ୍ବିପ୍ରହରରେ ଏକାମ୍ର କାନନ ଫାର୍ମରେ ଅଗ୍ନିକାଣ୍ଡ ଯୋଗୁଁ ପଲି ହାଉସ୍‌ ସମେତ ବହୁ ମୂଲ୍ୟବାନ ଗଛ, ପାଣି ପାଇପ୍ ଆଦି ପୋଡ଼ି ଯାଇଛି। ତେବେ ଦମ୍‌କଳ ଗାଡ଼ି ଆସି ନିଆଁକୁ ଆୟତ୍ତ କରିନେବାରୁ ପୂରା ଫାର୍ମ ଛାରଖାର ହେବାରୁ ରକ୍ଷା ପାଇଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ଆଜି ସରସ୍ବତୀ ପୂଜା ପାଇଁ ଫାର୍ମ ଛୁଟି ଥିଲା। କୌଣସି ଅଧିକାରୀ ଆସି ନ ଥିଲେ। ଅଳ୍ପ କିଛି ଶ୍ରମିକ ଆସି କାମ କରୁଥିଲେ। କିନ୍ତୁ ମଧ୍ୟାହ୍ନରେ ସେମାନେ ଖାଇବାକୁ ଚାଲିଯିବା ପରେ ହଠାତ୍‌ ଫାର୍ମର ରେଣ୍ଟାଲ କଲୋନି ପାର୍ଶ୍ବରେ ନିଆଁ ଲାଗି ଯାଇଥିଲା। କ୍ଷଣିକ ମଧ୍ୟରେ ନିଆଁ ପଲି ହାଉସ୍‌କୁ ପାଉଁଶ କରି ଦେଇଥିଲା। ଏହି ପଲି ହାଉସ୍‌ ଭିତରେ ଏବଂ ବାହାରରେ ଥିବା ବିଭିନ୍ନ ପ୍ରଜାତିର ଲିଚୁ ଗଛ, ଔଷଧୀୟ ଗଛ, ଫୁଲ ଗଛ, ଚାରା ପୋଡ଼ି ନଷ୍ଟ ହୋଇ ଯାଇଥିଲା।

ଏ ନେଇ ଏକାମ୍ର କାନନ ଫାର୍ମର କର୍ତ୍ତୃପକ୍ଷଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ରେଣ୍ଟାଲ କଲୋନି ମାର୍କେଟ କମ୍ପ୍ଲେକ୍ସ ପାର୍ଶ୍ବରେ ଫାର୍ମର ପାଚେରି କମ୍‌ ଉଚ୍ଚତାର ଅଛି। ମାର୍କେଟ୍‌ କମ୍ପ୍ଲେକ୍ସର ଛାତ ଉପରେ ଦୁର୍ବୃତ୍ତମାନେ ବସି ସିଗା‌େରଟ୍‌ ଟାଣି, ମଦ ପିଇ ଫୋପାଡ଼ୁଛନ୍ତି। ସିଗାରେଟ୍‌ରୁ ନିଆଁ ଲାଗିଥିବା ନେଇ ସନ୍ଦେହ କରୁଛୁ। ପୂର୍ବରୁ ଦୁଇବର୍ଷ ତଳେ ଏମିତି ନିଆଁ ଲାଗିଥିଲା। କିନ୍ତୁ କର୍ମଚାରୀମାନେ ଉପସ୍ଥିତ ଥିବାରୁ ନିଆଁ ତୁରନ୍ତ ଆୟତ୍ତକୁ ଆସି ଯାଇଥିଲା। ଫନିରେ ଭାଙ୍ଗି ଯାଇଥିବା ପଲି ହାଉସ୍‌ଟି ପୋଡ଼ି ଯାଇଛି। ବିଶେଷ କ୍ଷତି ହୋଇନି।

ଅପରପକ୍ଷରେ ନିଆଁ ଲାଗିଥିବା ଖବର ପାଇବା ପରେ ସଚିବାଳୟ ଅଗ୍ନିଶମ କେନ୍ଦ୍ରର ଗୋଟିଏ ଗାଡ଼ି ଏଠାକୁ ଆସି ତୁରନ୍ତ ନିଆଁ ଆୟତ୍ତକୁ ଆଣିଥିଲା। ଅଗ୍ନିଶମ ବିଭାଗ କର୍ମଚାରୀଙ୍କ କହିବାନୁଯାୟୀ ଫାର୍ମର କର୍ମଚାରୀମାନେ ଶୁଖିଲା ଡାଳ, ପତ୍ର ଓଳାଇ ବିଭିନ୍ନ ସ୍ଥାନରେ ଗଦାଇଥିଲେ। ଗୋଟିଏ ଗଦାରେ ନିଆଁ ଲଗାଇବାବେଳେ ଏହା ଅନ୍ୟ ଅଞ୍ଚଳକୁ ବ୍ୟାପି ଯାଇଥିଲା। ଅଳ୍ପ କିଛି ସମୟରେ ନିଆଁ ଆୟତ୍ତକୁ ଆସି ଯାଇଥିଲା।

ସୂଚନାଯୋଗ୍ୟ ଯେ, ଏକାମ୍ରକାନନ ଫାର୍ମର ୨୫ଏକର ଜମି ନେବା ପାଇଁ କିଛି ମାସ ତଳେ ସାଧାରଣ ପ୍ରଶାସନ ବିଭାଗ ଏକାମ୍ରକାନନ ଫାର୍ମ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଥିଲେ। ଏହାପରେ ବିଭିନ୍ନ ଦିଗରୁ ବିରୋଧ ହେବା ପରେ ଏହି ଜମି ହସ୍ତାନ୍ତର ପ୍ରକ୍ରିୟା ସ୍ଥଗିତ ରହିଥିଲା। ଏକାମ୍ର କାନନ ଫାର୍ମରେ ନିଆଁ ଲଗାଇବା ପ‌ଛରେ ଏହି କାରଣ ନାହିଁ ତ? ଏ ନେଇ ଏବେ ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର