ଚନ୍ଦ୍ରଶେଖରପୁର: ଗତକାଲି ବିଳମ୍ବିତ ରାତିରେ ପଟିଆସ୍ଥିତ ସାଇ ଆନନ୍ଦ କମ୍ପ୍ଲେକ୍ସସ୍ଥିତ ଏକ ଘରୋଇ କମ୍ପାନି କାର୍ଯ୍ୟାଳୟରେ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା। ଏହି ଦୁର୍ଘଟଣାରେ କାର୍ଯ୍ୟାଳୟର ବହୁ ଦାମୀ ଆସବାବପତ୍ର ଓ ରେକର୍ଡପତ୍ର ଜଳିପୋଡ଼ି ପାଉଁଶ ହୋଇଯାଇଛି। କିନ୍ତୁ ସୌଭାଗ୍ୟକୁ ଏହି ଅଘଟଣରୁ ୬ ଜଣ କର୍ମଚାରୀ ବର୍ତ୍ତିଯାଇଛନ୍ତି। ଅଗ୍ନିଶମ ବାହିନୀ ସେମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି। ଅଗ୍ନିକାଣ୍ଡର କାରଣ ସର୍ଟସର୍କିଟ୍ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା ଅଗ୍ନିଶମ ବିଭାଗ ପକ୍ଷରୁ କୁହାଯାଇଛି।
ଗତକାଲି ରାତି ପ୍ରାୟ ସାଢ଼େ ୨ଟା ବେଳେ ପଟିଆ ସାଇ ଆନନ୍ଦ କମ୍ପ୍ଲେକ୍ସସ୍ଥିତ ଶ୍ରୀରାଘମ୍ ଏକ୍ସପୋର୍ଟ ପ୍ରାଇଭେଟ୍ ଲିମିଟେଡ୍ କାର୍ଯ୍ୟାଳୟର ଗ୍ରାଉଣ୍ଡ ଫ୍ଲୋର୍ରେ ନିଆଁ ଲାଗିଥିଲା। ଏକ ଏସିରେ ସର୍ଟସର୍କିଟ୍ ହେବା କାରଣରୁ ନିଆଁ ଲାଗିଥିଲା। ଚାହୁଁଚାହୁଁ ନିଆଁ ପ୍ରଥମ ଓ ଦ୍ବିତୀୟ ଫ୍ଲୋର୍କୁ ବ୍ୟାପିଯାଇଥିଲା। ଖବର ପାଇ ଇନ୍ଫୋସିଟି ଥାନା ପୁଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲା। କିନ୍ତୁ ସେତେବେଳକୁ ନିଆଁର ପ୍ରକୋପ ଅଣାୟତ୍ତ ସ୍ଥିତିରେ ପହଞ୍ଚିସାରିଥିଲା। ସେତେବେଳକୁ ୨ ମହଲାରେ ୬ ଜଣ କର୍ମଚାରୀ ଫସିରହିଥିଲେ ଏବଂ ସେମାନେ ବିକଳ ହୋଇ ବଞ୍ଚାଅ ବଞ୍ଚାଅ ବୋଲି ପାଟି କରୁଥିଲେ। ତେଣୁ ଫସି ରହିଥିବା କର୍ମଚାରୀଙ୍କୁ ପ୍ରଥମେ ଉଦ୍ଧାର କରିବାକୁ ଅଗ୍ନିଶମ ବାହିନୀ ଲାଗିପଡ଼ିଥିଲା। ବଡ଼ ନିଶୁଣି ଓ ବିଏ ମେସିନ୍ ସାହାଯ୍ୟରେ ସେମାନଙ୍କୁ ଉଦ୍ଧାର କରାଯାଇଥିଲା। ଏହାପରେ ପ୍ରଥମ ଓ ଦ୍ବିତୀୟ ମହଲାରେ ପାଣି ପକାଇ ନିଆଁକୁ ଆୟତ୍ତ କରାଯାଇଥିଲା। କାର୍ଯ୍ୟାଳୟର ୬ଟି ଏସି ସମେତ ବହୁ ଆସବାବପତ୍ର ଜଳିଯାଇଛି।