ରାଜେନ୍ଦ୍ର ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ ପ୍ରସଙ୍ଗ : କେତେ ସୁରକ୍ଷିତ ଆପାର୍ଟମେଣ୍ଟ

୯ ହସ୍ପିଟାଲରେ ଭର୍ତ୍ତି
ଆପାର୍ଟମେଣ୍ଟ ଇଲେକ୍ଟ୍ରିସିଆନ ମିଳିଲେନି
ସେସୁ କର୍ମଚାରୀ ପହଞ୍ଚି ବନ୍ଦ କଲେ ବିଦ୍ୟୁତ ସଂଯୋଗ

ଭୁବନେଶ୍ବର : ଫରେଷ୍ଟ ପାର୍କ ନିକଟ ରାଜେନ୍ଦ୍ର ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ ପରେ ଆପାର୍ଟମେଣ୍ଟର ସୁରକ୍ଷା ନେଇ ବହୁ ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସିଛି। ଏହି ଆପାର୍ଟମେଣ୍ଟ କେତେ ସୁରକ୍ଷିତ, ତାହା ଏହି ଅଗ୍ନିକାଣ୍ଡ ପରେ ଜଣାପଡ଼ିଛି। ସର୍ଟସର୍କିଟ୍ ଯୋଗୁଁ ଏହି ଅଘଟଣ ଘଟିଥିଲା। କିନ୍ତୁ ଅଘଟଣ ବେଳେ ଆପାର୍ଟମେଣ୍ଟ ମେନ୍‌ ସୁଇଚ୍ ବନ୍ଦ କରିବା ପାଇଁ ଇଲେକ୍ଟ୍ରିସିଆନଙ୍କ ଦେଖା ମିଳି ନଥିଲା। ଏପରିକି ବିଦ୍ୟୁତ୍‌ ସରବରାହ ବନ୍ଦ ପାଇଁ ଇଲେକ୍ଟ୍ରିସିଆନ ତ ଉପସ୍ଥିତ ନଥିଲେ, ତାଙ୍କ ଫୋନ୍‌ ନମ୍ବର ବି ମିଳି ନଥିଲା। ଖବର ପାଇ ଅଗ୍ନିଶମ କର୍ମଚାରୀ ସେଠାରେ ପହଞ୍ଚି ଆପାର୍ଟମେଣ୍ଟ ଫାଟକ ନିକଟରେ କାର୍ଯ୍ୟରତ ସୁରକ୍ଷାକର୍ମୀଙ୍କୁ ଇଲେକ୍ଟ୍ରିସିଆନଙ୍କ ସମ୍ପର୍କରେ ପଚାରିଥିଲେ ମଧ୍ୟ ତାଙ୍କ ସମ୍ପର୍କରେ ସେ ସୂଚନା ଦେଇ ପାରି ନ ଥିଲେ କି ତାଙ୍କ ପାଖ‌ରେ ଇଲେକ୍ଟ୍ରିସିଆନଙ୍କ ସହ ଯୋଗାଯୋଗ ପାଇଁ ଫୋନ୍‌ ନମ୍ବର ନ ଥିଲା। ଫଳରେ ପ୍ରାଥମିକ ପର୍ଯ୍ୟାୟରେ ଯେଉଁ ନିଆଁ ଆୟତ୍ତ ହୋଇ ପାରିଥାଆନ୍ତା, ତାହା ହୋଇ ପାରିଲା ନାହିଁ।

ପ୍ରତ୍ୟକ୍ଷଦର୍ଶୀ ହରିହର ମିଶ୍ରଙ୍କ କହିବା ଅନୁସାରେ, ଆପାର୍ଟମେଣ୍ଟର ସି-ବ୍ଲକ୍‌ର ତଳ ମହଲାରେ ଥିବା ଇଲେକ୍ଟ୍ରି ପ୍ୟାନେଲ୍ ବୋର୍ଡରେ ପ୍ରଥମେ ସର୍ଟ ସର୍କିଟ୍ ହୋଇଥିଲା। ସେଠାରୁ ଧୀରେ ଧୀରେ କେବୁଲ ୱେୟାରିଂରେ ନିଆଁ ଉପର ମହଲାକୁ ବ୍ୟାପୀ ଯାଇଥିଲା। ପ୍ରବଳ ଧୂଆଁ ଉଠୁଥିବାରୁ ଲୋକେ ପୁଲିସ ଓ ଅଗ୍ନିଶମ କେନ୍ଦ୍ରକୁ ଫୋନ୍‌ କରି ଜଣାଇଥିଲେ। ଖବର ପାଇ କଳ୍ପନା ଅଗ୍ନିଶମ କେନ୍ଦ୍ରର ଦୁଇଟି ଗାଡ଼ି ଓ ପିସିଆର୍ ଭ୍ୟାନ୍ ଘଟଣାସ୍ଥଳରେ ପହଞ୍ଚିଥିଲେ। ମେନ ସୁଇଚକୁ ବନ୍ଦ କରିବା ପାଇଁ ଇଲେକ୍ଟ୍ରିସିଆନକୁ ଖୋଜା ଯାଇଥିଲେ ବି ତାଙ୍କର ଦେଖା ମିଳି ନ ଥିଲା। ହରିହର ନିଜେ ମେନ୍ ସୁଇଚ୍ ବନ୍ଦ କରିଦେବେ ବୋଲି କହି ଗ୍ଲୋବସ୍ ମାଗିଥିଲେ ବି ତାହା ନାହିଁ ବୋଲି କହି ମନା କରିଦେଇଥିଲେ ସୁରକ୍ଷାକର୍ମୀ। ଫଳରେ ଆପାର୍ଟମେଣ୍ଟର ୬ ଓ ୭ ମହଲାରେ ଥିବା ବାସିନ୍ଦା ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଥିଲେ। ପ୍ରବଳ ଧୂଆଁରେ ଅନ୍ତେବାସୀ ଅଣଃନିଶ୍ବାସୀ ହୋଇ ପଡ଼ିଥିଲେ। ଖବର ପାଇ ବିଦ୍ୟୁତ ବିଭାଗର କର୍ମଚାରୀ ପହଞ୍ଚି ମେନ୍ ସୁଇଚ୍ ବନ୍ଦ କରିଥିଲେ।

ରାଜ୍ୟ ସମବାୟ ୟୁନିଅନ୍‌ର ସଭାପତି ହେମନ୍ତ ନାୟକ, ତାଙ୍କ ଭାଇ ତଥା ‘ପଞ୍ଚବଟୀ’ର ସଂପାଦକ କବି ସୁଶାନ୍ତ ନାୟକ, ଉଭୟଙ୍କ ପତ୍ନୀ, ସୁଶାନ୍ତଙ୍କ ପୁଅ ଅଭିନେତା ଶ୍ରେୟାନ୍‌ଙ୍କ ସମେତ ପରିବାରର ୫ଜଣ ସଦସ୍ୟ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି। ଆଉ ୪ ଜଣଙ୍କୁ କ୍ୟାପିଟାଲ ହସ୍ପିଟାଲରେ ପ୍ରାଥମିକ ଚିକିତ୍ସା ପରେ ଛାଡ଼ି ଦିଆଯାଇଛି।

ଏହି ଘଟଣା ପରେ ଆମ ଆପାର୍ଟମେଣ୍ଟ ସୁରକ୍ଷା ଭଗବାନଙ୍କ ଭରସାରେ ରହିଛି ବୋଲି ଜଣେ ଅନ୍ତେବାସୀ ନିଜ ନାମ ଗୋପନ ରଖି କହିଛନ୍ତି। ଏ ନେଇ ଇଲେକ୍ଟ୍ରିସିଆନ୍ କହିଛନ୍ତି, ବିଦ୍ୟୁତ ସରବରାହ ବନ୍ଦ କରିବା ବିଦ୍ୟୁତ ବିଭାଗ କର୍ମଚାରୀଙ୍କ କାମ ଥିଲା। ତେଣୁ ଏ ବିଷୟରେ ସେ କିଛି କହିପାରିବେ ନାହିଁ। ଆପାର୍ଟମେଣ୍ଟ ସୋସାଇଟି କର୍ମଚାରୀଙ୍କ ସହ ଯୋଗାଯୋଗ କରିବା ପାଇଁ ଚେଷ୍ଟା କରାଯାଇଥିଲେ ବି କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ। ସୋସାଇଟି ଅଫିସକୁ ଯିବା ଲାଗି ସୁରକ୍ଷା କର୍ମୀ ବାରଣ କରିବା ସହ କୌଣସି କର୍ମଚାରୀଙ୍କ ନମ୍ବର ତାଙ୍କ ନିକଟରେ ନାହିଁ ବୋଲି କହିଥିଲେ।

ଦୁର୍ବଳ କେବୁଲ ଯୋଗୁଁ ସର୍ଟସର୍କିଟ୍‌
ଆପାର୍ଟମେଣ୍ଟ ତିଆରି ହେବା ଦିନଠାରୁ କେବୁଲ ୱେୟାରିଂ ରହିଛି। ସବୁ ଫ୍ଲାଟରେ ଏସି ସହ ଅନ୍ୟାନ୍ୟ ଲୋଡ଼୍‌ ଥିବ‌ାରୁ କେବୁଲ ଉପରେ ପ୍ରବଳ ମାତ୍ରାରେ ଚା‌ପ ବି ପଡ଼ୁଥିଲା। ଅତ୍ୟଧିକ ଲୋଡ୍ ଯୋଗୁ ସର୍ଟସର୍କିଟ ହୋଇଥିବା ଅଗ୍ନିଶମ ବିଭାଗର ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି। କେବୁଲ ପୁରୁଣା ହୋଇଥିବାରୁ ଦୁର୍ବଳ ହୋଇ ପଡ଼ିଲାଣି। ଏହି କେବୁଲକୁ ବଦଳା ଯିବା କଥା। କିନ୍ତୁ ବଦଳା ଯାଇ ନ ଥିବାରୁ ନିଆଁ ଲାଗି ଯାଇଥିବା ଜଣାପଡ଼ିଛି। ସେହିପରି ରାଜଧାନୀରେ ଅନ୍ୟ ପୁରୁଣା ଆପାର୍ଟମେଣ୍ଟ ସ୍ଥିତି କ’ଣ ତାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି।

ନିଦରେ ଶୋଇଛି ଅଗ୍ନିଶମ ବିଭାଗ, ଗାଇଡ୍‌ଲାଇନକୁ ଫୁ
ରାଜଧାନୀ ଓ ଏହାର ଉପକଣ୍ଠ ଅଞ୍ଚଳରେ ଛତୁ ଫୁଟିଲା ଭଳି ଆପାର୍ଟମେଣ୍ଟ ନିର୍ମାଣ ଚାଲିଛି। କିନ୍ତୁ ଆପାର୍ଟମେଣ୍ଟରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଯାଞ୍ଚ ଏକପ୍ରକାର ବନ୍ଦ ହୋଇଯାଇଛି। ବହୁତଳ ଆପାର୍ଟମେଣ୍ଟରେ ଅଗ୍ନି ନିରାପତ୍ତା ଏନ୍ଓସି ନିହାତି ଜରୁରି। କିନ୍ତୁ ଅଧିକାଂଶ ଆପାର୍ଟମେଣ୍ଟରେ ଏହି ନିୟମ ପାଳନ କରା ଯାଉ ନଥିବା ଦେଖିବାକୁ ମିଳିଛି। ରାଜେନ୍ଦ୍ର ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ ଘଟଣାରେ ଅଗ୍ନିଶମ ବାହିନୀର ପ୍ରାଥମିକ ତଦନ୍ତରେ ବହୁ ଅବହେଳା ପଦାକୁ ଆସିଛି। ଆପାର୍ଟମେଣ୍ଟ ଅଗ୍ନି ନିରାପତ୍ତା ବ୍ୟବସ୍ଥା ରହିଥିଲେ ବି ସୁରକ୍ଷା କର୍ମୀଙ୍କୁ ବ୍ୟବହାର ସମ୍ପର୍କରେ ଜଣାନାହିଁ। ସେହିପରି କେଉଁ ପ୍ରକାର ନିଆଁ ଲାଗିଲେ, କେମିତି ରୋକାଯାଇ ପାରିବ, ସେ ବିଷୟରେ ମଧ୍ୟ କେହି ଅବଗତ ନ ଥିଲେ। ଅଗ୍ନି ନିର୍ବାପକ ଯନ୍ତ୍ର ଥିଲେ ବି ତାହାର ଭାଲଭ୍ ବନ୍ଦ ରହିଥିଲା। ସର୍ଟସର୍କିଟ ଭଳି ଅଗ୍ନିକାଣ୍ଡକୁ ରୋକିବା ଲାଗି ଅଙ୍ଗାରକାମ୍ଳଯୁକ୍ତ ଫୋମ୍ ବ୍ୟବହାର କରାଯାଇଥାଏ। କିନ୍ତୁ ସେଠାରେ ଥିବା କର୍ମଚାରୀ ସେ ସମ୍ପର୍କରେ ଅବଗତ ନାହାନ୍ତି। ସେହିପରି ପୂରା ଆପାର୍ଟମେଣ୍ଟର ଯେଉଁଠି ମୁଖ୍ୟ ଇଲେକ୍ଟ୍ରି ସୁଇଚ୍‌ ରହିଛି, ତାହାକୁ ପ୍ରାଥମିକ ପର୍ଯ୍ୟାୟରେ ବନ୍ଦ କରାଯାଇଥିଲେ ବି ଅଘଟଣକୁ ରୋକା ଯାଇ ପାରିଥାନ୍ତା। କିନ୍ତୁ ସେଭଳି ପଦକ୍ଷେପ ନିଆଯାଇ ନ ଥିଲା ବୋଲି ଜଣେ ଅଗ୍ନିଶମ ଅଧିକାରୀ ନିଜ ନାମ ଗୋପନ ରଖି କହିଛନ୍ତି। ରାଜଧାନୀରେ ଯେତେ ସବୁ ଆପାର୍ଟମେଣ୍ଟ ରହିଛି, ତାହାର ଅଗ୍ନି ନିରାପତ୍ତା ସୁରକ୍ଷା ବ୍ୟବସ୍ଥା କେମିତି ରହିଛି, ତାହାକୁ ଯାଞ୍ଚ କରିବା ପାଇଁ ଅଗ୍ନିଶମ ବିଭାଗ କୌଣସି ପଦକ୍ଷେପ ଗ୍ରହଣ କରିନାହିଁ। ଗାଇଡ୍‌ଲାଇନ୍‌କୁ ବି ଫୁ’ କରି ଆପାର୍ଟମେଣ୍ଟ ତିଆରି ଚାଲିଛି। ଅଗ୍ନିଶମ ବିଭାଗ କେବେ ସଚେତନ ହେବ, ସେ ନେଇ ସାଧାରଣରେ ପ୍ରଶ୍ନ ଉଠିଛି।

ଆପାର୍ଟମେଣ୍ଟ ଛାଡ଼ିଲେ ଅନ୍ତେବାସୀ, କେବେ ହେବ ସ୍ବାଭାବିକ?
ରାଜେନ୍ଦ୍ର ଆପାର୍ଟମେଣ୍ଟ ସି-ବ୍ଲକରେ ଅଗ୍ନିକାଣ୍ଡ ପରେ ଠପ୍ ହୋଇଯାଇଛି ବିଦ୍ୟୁତ ସରବରାହ। ଇଲେକ୍ଟ୍ରି ୱେୟାରିଂ ପୋଡ଼ି ଯାଇଛି। ଲାଇଟ୍ ଜଳୁନି କି ଫ୍ୟାନ୍‌ ବି ବୁଲୁନି। ଅଚଳ ହୋଇଯାଇଛି ଲିଫ୍ଟ। କଷ୍ଟେମଷ୍ଟେ ଟାଙ୍କିରେ ସଞ୍ଚିତ ଥିବା ପାଣି ଆଜି ଗୋଟିଏ ଦିନ କାମ ଚଳିଗଲା। ସି-ବ୍ଲକରେ ଅଧିକାଂଶ ବରିଷ୍ଠ ନାଗରିକ ରହୁଥିବାରୁ ସେମାନେ ଆପାର୍ଟମେଣ୍ଟ ଛାଡ଼ିଛନ୍ତି। ଯେଉଁମାନଙ୍କର ଅନ୍ୟ ସ୍ଥାନ‌ରେ ଘର ଅଛି, ସେମାନେ ସେଠି ଆଶ୍ରୟ ନେଇଛନ୍ତି। ଯେଉଁମାନଙ୍କ ସମ୍ପର୍କୀୟ ରହିଛନ୍ତି, ସେମାନେ ତାଙ୍କ ପାଖକୁ ଚାଲି ଯାଇଛନ୍ତି। କେତେଜଣ ନିଜ ଗାଁକୁ ମଧ୍ୟ ଚାଲି ଯାଇଥିବା ଜଣାପଡ଼ିଛି। ସ୍ଥିତି କେବେ ସ୍ବାଭାବିକ ହେବ, ସେନେଇ ସୋସାଇଟି ପକ୍ଷରୁ କିଛି ସୂଚନା ଦିଆ ଯାଇନାହିଁ। ବହୁତଗୁଡ଼ିଏ ଫ୍ଲାଟ ଥିବାରୁ ବେଶ୍‌ କିଛି ଦିନ ଧରି ମରାମତି କାମ ଚାଲିବ। ଏପରିକି ନୂଆ କେବୁଲ ୱେୟାରିଂ ନିଶ୍ଚିତ ଭାବେ ସମୟ ସାପେକ୍ଷ। ତଥାପି ଖୁବ୍‌ଶୀଘ୍ର ବିଦ୍ୟୁତ ସଂଯୋଗ ହେବ ବୋଲି କହିଛନ୍ତି ଆପାର୍ଟମେଣ୍ଟ ଇଲେକ୍ଟ୍ରିସିଆନ୍।

ସମ୍ବନ୍ଧିତ ଖବର