ରଣପୁର ଗ୍ରାମ୍ୟ ଜଙ୍ଗଲରେ ନିଆଁ, ପୋଡ଼ିଗଲା ୫୦୦ରୁ ଊର୍ଧ୍ବ ମୂଲ୍ୟବାନ ଗଛ

ରାସ୍ତା ନଥିବାରୁ ଫେରିଗଲା ଦମକଳ

ବାଲିଅନ୍ତା : ରଣପୁର ଗ୍ରାମ୍ୟ ଜଙ୍ଗଲରେ ଆଜି ପୂର୍ବାହ୍ନରେ ନିଆଁ ଲାଗି ବିଭିନ୍ନ କିସମର ୫୦୦ରୁ ଊର୍ଧ୍ବ ମୂଲ୍ୟବାନ୍‌ ଗଛ ଜଳି ଯାଇଛି। ଜଳି ଯାଇଥିବା ଗଛ ମଧ୍ୟରେ ଚାଖୁଣ୍ଡା, ଆକାଶିଆ, ଖେରଞ୍ଚ, ୟୁକାଲିପଟାସ, କଦମ୍ବ, କୃଷ୍ଣଚୂଡ଼ା ଓ ଶିଶୁ ଆଦି ଗଛ ରହିଛି। ତେବ‌େ ବଡ଼ କଥା ହେଉଛି, ଖବର ପାଇ ଅଗ୍ନିଶମ ସେବା କେନ୍ଦ୍ର କର୍ମଚାରୀ ଗ୍ରାମରେ ପହଞ୍ଚିଥିଲେ ହେଁ ଜଙ୍ଗଲ ନିକଟକୁ ଯିବା ପାଇଁ ରାସ୍ତା ନଥିବାରୁ ଅଗ୍ନିଶମ ସେବାକେନ୍ଦ୍ର ଗାଡ଼ି ଅଧା ବାଟରୁ ଫେରି ଯାଇଥିଲା।

ତେବେ ଗ୍ରାମର ମଦନମୋହନ ସେନାପତି ଓ ବାଟୁଆ ପରିଡ଼ାଙ୍କ ସମେତ କାଜିପୁର ଗ୍ରାମର କିଛି ଲୋକ ଠେଙ୍ଗାରେ ବାଡ଼େଇ ବାଡ଼େଇ ନିଆଁକୁ ଆୟତ୍ତ କରିଥିଲେ। ଅଗ୍ନିଶମ ସେବା କେନ୍ଦ୍ରର କର୍ମଚାରୀ ମଧ୍ୟ ନିଆଁ ଲିଭାଇବାରେ ସହାୟତା କରିଥିଲେ। ସୂଚନାଯୋଗ୍ୟ, ଗତ ମାସରେ ଜଙ୍ଗଲରେ ଅନୁରୂପ ଭାବେ ନିଆଁ ଲାଗି ୪୦୦ରୁ ଊର୍ଧ୍ବ ଗଛ ଜଳି ଯାଇଥିଲା। ଅସାମାଜିକ ବ୍ୟକ୍ତିମାନେ ଅଧାପୋଡ଼ା ବିଡ଼ି, ସିଗାରେଟ୍‌ ପକାଇଦେବା ଫଳରେ ବାରମ୍ବାର ଏପରି ଅଗ୍ନିକାଣ୍ଡ ଘଟୁଥିବା କୁହାଯାଉଛି। ଅପରପକ୍ଷେ ଏହି ଗ୍ରାମ୍ୟ ଜଙ୍ଗଲକୁ ରାସ୍ତା ନିର୍ମାଣ ଦିଗରେ ସରପଞ୍ଚ ଦୃଷ୍ଟି ଦେବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର