ଜଳୁଛି ଶିଖରଚଣ୍ଡୀ ହନୁମାନ ପାହାଡ଼, ଅଗ୍ନିଶମ ବିଭାଗ ନାକେଦମ୍‌

ଚନ୍ଦ୍ରଶେଖରପୁର : ପର୍ଯ୍ୟଟନସ୍ଥଳୀ ଶିଖରଚଣ୍ଡୀ ବି ଜଳୁଛି। ନିଆଁ ଲିଭିବାରେ ନାଁ ନେଉନାହିଁ। ଶିଖରଚଣ୍ଡୀ ହନୁମାନ ପାହାଡ଼ ଉପରକୁ ଦମକଳ ଗାଡ଼ି ଯିବାପାଇଁ କୌଣସି ସୁବିଧା ନ ଥିବାରୁ ସୁଲୁସୁଲିଆ ପବନରେ ପାହାଡ଼ ଭିତରେ ଥିବା ଜଙ୍ଗଲର ଲଟା ଓ ଶୁଖିଲା ପତ୍ରରେ ନିଆଁ କୁହୁଳି କୁହୁଳି ଜଳି ଚାଲିଛି।

ଆଜି ମଧ୍ୟାହ୍ନରେ ନିଆଁ ଜଳି ଧୂଆଁ ବାହାରିବାରୁ କିଛି ସ୍ଥାନୀୟ ଲୋକ ସ୍ଥାନୀୟ ଇନ୍‌ଫୋସିଟି ଥାନାକୁ ସୂଚନା ଦେଇଥିଲେ। ଖବର ପାଇ ପୁଲିସ୍ ଘଟଣାସ୍ଥଳ ବୁଲି ଦେଖିବା ସହ ନିଆଁକୁ ଆୟତ୍ତ କରିବା ପାଇଁ ଚନ୍ଦ୍ରଶେଖରପୁର ଦମକଳ କେନ୍ଦ୍ରକୁ ଜଣାଇଥିଲା। ଦମକଳ ବାହିନୀ ପ୍ରାୟ ୪ଘଣ୍ଟାରୁ ଅଧିକ ସମୟ ପରିଶ୍ରମ କରି ନିଆଁ ଲିଭାଇ ଥିବାବେଳେ ପାହାଡ଼ର ବିଭିନ୍ନ ଦିଗକୁ ନିଆଁ ବ୍ୟାପିଯାଇଥିବାରୁ ଗହଳିଆ ଲଟା ଓ ଜଙ୍ଗଲ ଭିତରେ ରହିଥିବା ଶୁଖିଲା ପତ୍ରରୁ ନିଆଁ ଲିଭିନଥିଲା। ପାଖାପାଖି ଏକ ଏକରରୁ ଅଧିକ ଜଙ୍ଗଲରେ ନିଆଁ ଲାଗିଥିଲେ ହେଁ ସେମିତି କିଛି ବଡ଼ଧରଣର କ୍ଷୟକ୍ଷତି ହୋଇନାହିଁ। ପାହାଡ଼ ଉପରକୁ ଦମକଳ ପାଣି ପାଇପ୍ ଯିବାପାଇଁ ସୁବିଧା ନଥିବାରୁ କର୍ମଚାରୀମାନେ ବାଲ୍‌ତିରେ ପାଣି ଢାଳି ନିଆଁ ଲିଭାଇଥିଲେ।

ସେହିଭଳି ଗତକାଲି ଲିଙ୍ଗରାଜ କମ୍ପାନି ପଛପାଖରେ ଥିବା ଜଙ୍ଗଲିଆ ସ୍ଥାନରେ ମଧ୍ୟ ନିଆଁ ଲାଗିଥିଲା। ଯାହାକୁ ଲିଭାଇବାପାଇଁ ଦମକଳ ବିଭାଗ କର୍ମଚାରୀଙ୍କୁ ନାକେଦମ ହେବାକୁ ପଡ଼ିଥିଲା।

ସମ୍ବନ୍ଧିତ ଖବର