ରସୁଲଗଡ଼ ବନଦୁର୍ଗା ବସ୍ତିରେ ଭୟାବହ ଅଗ୍ନିକାଣ୍ଡ : ୩୦ ଘର ପାଉଁଶ

ଲକ୍ଷ ଲକ୍ଷ ଟଙ୍କାର ସମ୍ପତ୍ତି ନଷ୍ଟ

ଭୁବନେଶ୍ୱର : ସୋମବାର ଅପରାହ୍ଣ ପ୍ରାୟ ୩ଟାବେଳେ ମଞ୍ଚେଶ୍ୱର ଥାନା ଅଧୀନ ରସୁଲଗଡ଼ର ଜାତୀୟ ରାଜପଥ କଡ଼ରେ ଥିବା ମା’ ବନଦୁର୍ଗା ବସ୍ତିରେ ଭୟାବହ ଅଗ୍ନିକାଣ୍ଡ ଘଟି ପ୍ରାୟ ୩୦ ବଖରା ଘର ଜଳି ଯାଇଛି। ଖବର ପାଇ ଅଗ୍ନିଶମ ବିଭାଗର ୫ଟି ଗାଡ଼ି ଓ ୩୦ ଜଣ କର୍ମଚାରୀ ଦୀର୍ଘ ଦୁଇ ଘଣ୍ଟାର ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିଥିଲେ ହେଁ ଅଗ୍ନିକାଣ୍ଡରେ ଲକ୍ଷ ଲକ୍ଷ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ ହୋଇଯାଇଛି। ଅଗ୍ନିକାଣ୍ଡର କାରଣ ଏଯାଏ ସ୍ପଷ୍ଟ ହୋଇ ନାହିଁ। ତେବେ ବସ୍ତିର ଜଣେ ଉଦ୍‌ଭ୍ରାନ୍ତ ଯୁବକ ଘରେ ଝଗଡ଼ା କରି ନିଜ ଘରକୁ ନିଆଁ ଲଗାଇ ଦେବା ପରେ ଏହା ବ୍ୟାପି ଯାଇଥିଲା ବୋଲି ବସ୍ତିବାସିନ୍ଦା କହିଛନ୍ତି। ତେବେ ଏ ନେଇ ଥାନାରେ କୌଣସି ଅଭିଯୋଗ ହୋଇ ନାହିଁ।

ବସ୍ତିରେ ପ୍ରାୟତଃ ବେଲୁନ ଓ ଖେଳନା ବିକ୍ରି କରୁଥିବା ଅଣ ଓଡ଼ିଆମାନେ ରହୁଛନ୍ତି। ଅଗ୍ନିକାଣ୍ଡ ସମୟରେ ଅଧିକାଂଶଙ୍କ ଘରେ କେହି ନ ଥିଲେ। ଘରଗୁଡ଼ିକ ଜରିପାଲରେ ତିଆରି ହୋଇଥିବାରୁ ଗୋଟିଏ ଘରେ ନିଆଁ ଲାଗିବା ମାତ୍ରେ ଦ୍ରୁତ ବେଗରେ ଅନ୍ୟ ଘରକୁ ମାଡ଼ି ଯାଇଥିଲା। ପାଖରେ ଟ୍ରକ ଟର୍ମିନାଲ ଥିବାରୁ ଟ୍ରକଗୁଡ଼ିକରେ ନିଆଁ ଲାଗିଯିବାର ଆଶଙ୍କା ଥିଲା। ଏ ନେଇ ସ୍ଥାନୀୟ ବାସିନ୍ଦା ଅଗ୍ନିଶମ କେନ୍ଦ୍ରକୁ ଖବର ଦେଇଥିଲେ। ଖବର ପାଇ ତୁରନ୍ତ କଳ୍ପନା, ସଚିବାଳୟ, ବାଲିପାଟଣା କେନ୍ଦ୍ରର ୫ଟି ଦମକଳ ଆସି ଘଟଣାସ୍ଥଳରେ ପହଞ୍ଚିଥିଲା ଏବଂ ୩୦ ଜଣ କର୍ମଚାରୀ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇଥିଲେ ବୋଲି କଳ୍ପନା ଅଗ୍ନିଶମ କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀ ବାବାଜୀ ଲେଙ୍କା କହିଛନ୍ତି। ସହିଦନଗର ଓ ମଞ୍ଚେଶ୍ୱର ଥାନା ପୁଲିସ ମଧ୍ୟ ନିଆଁ ଲିଭାରେ ସହଯୋଗ କରିଥିଲେ। ପ୍ରାୟ ୨ ଘଣ୍ଟାର ପରିଶ୍ରମ ପରେ ନିଆଁକୁ ଆୟତ୍ତ କରାଯାଇଥିଲେ ମଧ୍ୟ ସେତେବେଳକୁ ବସ୍ତିର ସମସ୍ତ ୩୦ ବଖରା ଘର ପୋଡ଼ି ଛାରଖାର ହୋଇ ଯାଇଥିଲା। ଅଗ୍ନିକାଣ୍ଡ ସମୟରେ ଜାତୀୟ ରାଜପଥରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା।

ନିଜ ଘରେ ନିଆଁ ଲଗାଇଛି ଉଦ୍‌ଭ୍ରାନ୍ତ ଯୁବକ!

ବସ୍ତିବାସନ୍ଦାଙ୍କ କହିବା ଅନୁଯାୟୀ ସେହି ବସ୍ତିରେ ରହୁଥିବା ଜଣେ ଉଦ୍‌ଭ୍ରାନ୍ତ ଯୁବକ ବିଭିନ୍ନ ସମୟରେ ତାଙ୍କ ପତ୍ନୀଙ୍କ ସହିତ ଝଗଡ଼ା କରେ। ଆଉ ଝଗଡ଼ାବେଳେ ସେ ପାଗଳ ପ୍ରାୟ ହୋଇ ନିଜ ଘରକୁ ମଧ୍ୟ ନିଆଁ ଲଗାଇ ଦେବାକୁ ଉଦ୍ୟମ କରିଥାଏ। ପୂର୍ବରୁ ବିଭିନ୍ନ ସମୟରେ ସେ ଏଭଳି ଉଦ୍ୟମ କରିଥିବା ବସ୍ତିବାସିନ୍ଦା କହିଛନ୍ତି। ଆଜି ମଧ୍ୟ ସେହି ଯୁବକ ଜଣକ ତାଙ୍କ ପତ୍ନୀଙ୍କ ସହିତ ଝଗଡ଼ା କରି ଘରେ ନିଆଁ ଲଗାଇ ଦେଇଥିଲା। ସେହି ନିଆଁ ସାରା ବସ୍ତିକୁ ମାଡ଼ି ଯାଇଥିଲା। ତେବେ ଏ ନେଇ ଥାନାରେ କୌଣସି ଅଭିଯୋଗ ହୋଇ ନାହିଁ ବୋଲି ମଞ୍ଚେଶ୍ୱର ଥାନା ଇନ୍ସପେକ୍ଟର କୃଷ୍ଣ ପ୍ରସାଦ ମିଶ୍ର ସୂଚନା ଦେଇଛନ୍ତି।

ସର୍ବସ୍ୱ ହରାଇଲେ ୨୨ଟି ପରିବାର

ଆଜିର ଅଗ୍ନିକାଣ୍ଡ ପୂରା ବସ୍ତିକୁ ଛାରଖାର କରି ଦେଇଛନ୍ତି। ବସ୍ତିର ୨୨ଟି ପରିବାରର ସର୍ବସ୍ୱାନ୍ତ ହୋଇ ଯାଇଛନ୍ତି। ଏହି ପରିବାରର ସମସ୍ତ ସଦସ୍ୟ ରାଜଧାନୀର ବିଭିନ୍ନ ଛକରେ ବେଲୁନ୍‌, ପ୍ଲାଷ୍ଟିକ୍‌ ଖେଳନା ଆଦି ବିକ୍ରି କରିଥାନ୍ତି। ଏଥିପାଇଁ ସେମାନେ ପିଲା ଛୁଆ ଧରି ସକାଳୁ ସକାଳୁ ବାହାରକୁ ପଳାଇଥାନ୍ତି। ଆଜି ଅଗ୍ନିକାଣ୍ଡ ଘଟିଲାବେଳେ ଅଧିକାଂଶଙ୍କ ଘରେ ତାଲା ପଡ଼ିଥିଲା। ଫଳରେ ଘର ଭିତରେ ଯାହା ଥିଲା ସବୁ ଜଳି ଯାଇଥିଲା। ନିଆଁ ଲିଭିବା ପରେ ସେମାନେ ଘରକୁ ଫେରି ଭାରି ବିକଳରେ ପାଉଁଶ ତଳୁ ନିଜ ସମ୍ପତ୍ତି ଅଣ୍ଡାଳୁଥିଲେ। କନ୍ଦାକଟାରେ ପୂରା ଇଲାକା ଫାଟି ପଡ଼ିଥିଲା। କିନ୍ତୁ ନିଆଁ ତାଙ୍କ ବାସନକୁସନଠାରୁ ଆରମ୍ଭ କରି ଆସବାବପତ୍ରକୁ ଜାଳି ପୋଡ଼ି ପାଉଁଶ କରି ଦେଇଥିଲା। ଅଗ୍ନିକାଣ୍ଡ ପରେ ପ୍ରଶାସନ ସେମାନଙ୍କ ନିକଟରେ ପହଞ୍ଚିଥିଲେ ମଧ୍ୟ ପିନ୍ଧିବାକୁ ଆଉ ବସ୍ତ୍ର ନାହିଁ। ପ୍ରଶାସନ ପକ୍ଷରୁ ସେମାନଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଛି। ତେବେ ଖୋଲା ଆକାଶ ତଳେ ବସ୍ତିବାସିନ୍ଦା ପିଲା ଛୁଆଙ୍କୁ ଧରି ରାତି କଟାଇଛନ୍ତି। ଅନେକ ରସୁଲଗଡ଼ ଓଭରବ୍ରିଜ ତଳକୁ ପରିବାର ସହିତ ଚାଲି ଆସିଛନ୍ତି।

ତିନି ଦିନ ମଧ୍ୟରେ ବସ୍ତିବାସିନ୍ଦାଙ୍କୁ ମିଳିବ ଜରିପାଲ

ଅଗ୍ନିକାଣ୍ଡ ଖବର ପାଇ ଭୁବନେଶ୍ୱର ଉତ୍ତର ବିଧାୟକ ପ୍ରିୟଦର୍ଶୀ ମିଶ୍ର, ମେୟର ଅନନ୍ତ ନାରାୟଣ ଜେନା, ସ୍ଥାନୀୟ କର୍ପୋରେଟର ପ୍ରଣତି ନାୟକ ପ୍ରମୁଖ ବସ୍ତିରେ ପହଞ୍ଚି ସେମାନଙ୍କୁ ଶୁଖିଲା ଖାଦ୍ୟ ପ୍ରଦାନ କରିଛନ୍ତି। ରାତିରେ ବସ୍ତି ବାସିନ୍ଦାଙ୍କ ପାଇଁ ରନ୍ଧା ଖାଦ୍ୟ ଓ କପଡ଼ା ଆଦିର ବ୍ୟବସ୍ଥା କରାଯିବ। ତିନି ଦିନ ମଧ୍ୟରେ ବସ୍ତିବାସିନ୍ଦାଙ୍କୁ ଘର ତିଆରି ପାଇଁ ଜରିପାଲ ମଧ୍ୟ ଯୋଗାଇ ଦିଆଯିବ ବୋଲି ମେୟର ଶ୍ରୀ ଜେନା ପ୍ରତିଶ୍ରୁତି ଦେଇଛନ୍ତି।

ରୋଶଣି ବାଣରୁ ଘରେ ଅଗ୍ନିକାଣ୍ଡ

ଚନ୍ଦ୍ରଶେଖରପୁର : ରବିବାର ରାତିରେ ଚନ୍ଦକା ଥାନା ଅଧୀନ ଦାରୁଠେଙ୍ଗ ଗ୍ରାମର ନୂଆଗଡ଼ ସାହିର ପବନ ବଳିଆରସିଂଙ୍କ ୩ ବଖରା ଚାଳ ଘର ପୋଡ଼ି ଯାଇଛି। ରୋଶଣି ବାଣରୁ ନିଆଁ ଲାଗି ଏଭଳି ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି। ଏଥିରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳିଯାଇଛି। କାଲି ରାତିରେ ପବନଙ୍କ ସାନଭାଇଙ୍କ ବିବାହ ଥିବାରୁ ବର ବାହାରିଲା ବେଳେ ବାଣ ଫୁଟିଥିଲା। ଏଥିରୁ ଗୋଟିଏ ବାଣ ତାଙ୍କ ଘର ଚାଳରେ ପଶିଯିବାରୁ ନିଆଁ ଲାଗି ଯାଇଥିଲା। ତୁରନ୍ତ ସୂଚନା ପାଇ ଚନ୍ଦକା ଦଳମକଳ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ପରେ ବର ବିବାହ ପାଇଁ ବାହାରିଥିଲା।

ସମ୍ବନ୍ଧିତ ଖବର