ହିଞ୍ଜିଡ଼ା ହାଟରେ ନିଅାଁ

ଟଙ୍କା ଛଡ଼ାଇବାରୁ ମାର୍‌ପିଟ୍‌, ୪ ହିଞ୍ଜିଡ଼ା ଅଟକ

ଖଣ୍ଡଗିରି: ରବିବାର ସନ୍ଧ୍ୟାରେ ସ୍ଥାନୀୟ ଜୟଦେବ ବାଟିକା ରାସ୍ତାସ୍ଥିତ ହିଞ୍ଜିଡ଼ା ହାଟରେ ନିଅାଁ ଜଳିଛି। ହିଞ୍ଜିଡ଼ାମାନଙ୍କ ଦାଦାଗିରିରେ ଅତିଷ୍ଠ ଲୋକେ ଏକଜୁଟ୍‌ ହୋଇ ଏକ ଗାଡ଼ି ପୋଡ଼ି ଦେବା ସହ ସେମାନଙ୍କୁ ବହେ ଛେଚିଛନ୍ତି। ହିଞ୍ଜିଡ଼ାମାନେ ଜଣେ ଯୁବକଙ୍କୁ ରାସ୍ତାରେ ଜୋର୍‌ ଜବରଦସ୍ତ ଅଟକାଇ ଟଙ୍କା ଛଡ଼ାଇବା ଓ ପ୍ରତିରୋଧ କରିବାରୁ ତାଙ୍କୁ ମାଡ଼ ମାରି ଆହତ କରିବା କାରଣରୁ ସ୍ଥାନୀୟ ଲୋକେ ଏଭଳି ଲଙ୍କାକାଣ୍ଡ କରିଛନ୍ତି। ପୁଲିସ ଘଟଣାସ୍ଥଳରୁ ୪ ଜଣ ହିଞ୍ଜିଡ଼ାଙ୍କୁ ଧରି ଆଣି ଥାନାରେ ଅଟକ ରଖିଛି। ସ୍ଥାନୀୟ ଲୋକେ ଥାନାରେ ପହଞ୍ଚି ହିଞ୍ଜିଡ଼ାମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ସୂଚନାନୁସାରେ ରବିବାର ସନ୍ଧ୍ୟା ପ୍ରାୟ ସାଢ଼େ ଆଠଟାରେ ଜଣେ ଯୁବକ ଜୟଦେବ ବାଟିକା ରାସ୍ତାରେ ବାଇକ୍‌ ନେଇ ଯାଉଥିଲେ। ତାରିଣୀ ମନ୍ଦିର ନିକଟରେ ଠିଆ ହୋଇଥିବା ୪ ଜଣ ହିଞ୍ଜିଡ଼ା ହଠାତ୍‌ ରାସ୍ତା ମଝିକୁ ଚାଲି ଆସି ତାଙ୍କୁ ଅଟକାଇବାକୁ ଉଦ୍ୟମ କରିଥିଲେ। ଫଳରେ ଯୁବକଜଣଙ୍କ ଭାରସାମ୍ୟ ହରାଇଥିଲେ ଓ ବାଇକ୍‌ଟି ଜଣେ ହିଞ୍ଜିଡ଼ାଙ୍କ ଦେହରେ ବାଜି ଯାଇଥିଲା। ପରେ ହିଞ୍ଜିଡ଼ାମାନେ ତାଙ୍କୁ ବ୍ଲାକ୍‌ମେଲ୍‌ କରିବା ସହ ତାଙ୍କ ପକେଟ୍‌ରୁ ଜୋର ଜବରଦସ୍ତ ଟଙ୍କା ଓ ମୋବାଇଲ୍‌ ଛଡ଼ାଇ ନେଇଥିଲେ। ଯୁବକଙ୍କ ଚିତ୍କାର ଶୁଣି ରାସ୍ତାରେ ଯାଉଥିବା କିଛି ସ୍ଥାନୀୟ ଲୋକେ ଅଟକି ଯିବା ସହ ହିଞ୍ଜିଡ଼ାମାନଙ୍କୁ ବିରୋଧ କରିଥିଲେ। ଫଳରେ ଦୁଇ ଗୋଷ୍ଠୀ ମଧ୍ୟରେ ହାତାହାତି ହୋଇଥିିଲା। ହିଞ୍ଜିଡ଼ାମାନେ ଉକ୍ତ ଯୁବକଙ୍କୁ ଟାଣି ନେଇ ପିଟି ପକାଇବାରୁ ତାଙ୍କ ମୁଣ୍ଡ ଫାଟି ଯାଇଥିଲା। ସେହିଭଳି ଲୋକମାନେ ମଧ୍ୟ ୪ ଜଣ ହିଞ୍ଜିଡ଼ାଙ୍କୁ କାବୁ କରି ନେଇଥିଲେ। ଗଣ୍ଡଗୋଳ ଶୁଣି ଆହୁରି କିଛି ସ୍ଥାନୀୟ ଲୋକ ଘଟଣାସ୍ଥଳକୁ ଛୁଟି ଆସିଥିଲେ। ଉତ୍ତ୍ୟକ୍ତ ଲୋକଙ୍କୁ ଦେଖି ହିଞ୍ଜିଡ଼ାମାନେ ଛତ୍ରଭଙ୍ଗ ଦେଇ ଉଦୟଗିରି ବଣ ପାହାଡ଼ ଭିତରେ ଛପିବାକୁ ଚେଷ୍ଟା କରିଥିଲେ। ଉତ୍ତ୍ୟକ୍ତ ଲୋକେ ସେଠାରେ ଥିବା ଏକ ସ୍କୁଟିରେ ନିଅାଁ ଲଗାଇ ଦେଇଥିଲେ। ସ୍କୁଟିଟି ଜଣେ ହିଞ୍ଜିଡ଼ାଙ୍କର ବୋଲି ଜଣାପଡ଼ିଛି। ଖବର ପାଇ ଖଣ୍ଡଗିରି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କ କବଳରୁ ଉକ୍ତ ୪ ହିଞ୍ଜିଡ଼ାଙ୍କୁ ଉଦ୍ଧାର କରିଥିଲା। ହିଞ୍ଜିଡ଼ାମାନଙ୍କ ଆକ୍ରମଣରେ ଆହତ ଯୁବକ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତି ହୋଇଥିବା ବେଳେ ତାଙ୍କ ପରିଚୟ ମିଳି ପାରିନାହିଁ। ଥାନାରେ ଅଟକ ଥିବା ୪ ଜଣଙ୍କ ମଧ୍ୟରୁ ୩ ଜଣ ଅଣଓଡ଼ିଆ ହିଞ୍ଜିଡ଼ା ବୋଲି ଜଣାପଡ଼ିଛି। ଉଲ୍ଲେଖଯୋଗ୍ୟ ଯେ ଗତ ଜୁନ୍‌ ୬ ତାରିଖରେ ଭୁବନେଶ୍ୱର ଡିସିପିଙ୍କ ନିର୍ଦେଶକ୍ରମେ ଏଠାରୁ ହିଞ୍ଜିଡ଼ାମାନଙ୍କୁ ହଟାଇବା ପାଇଁ ଉଦ୍ୟମ କରାଯାଇଥିଲା। ପୁଲିସର ଏହି କାର୍ଯ୍ୟାନୁଷ୍ଠାନ କାରଣରୁ ହିଞ୍ଜିଡ଼ାମାନଙ୍କ ବେପାର ବନ୍ଦ ହୋଇ ଯାଇଥିଲା।

ସମ୍ବନ୍ଧିତ ଖବର