ଭୁବନେଶ୍ବର : ସାମୁଦ୍ରିକ ବାତ୍ୟା ୟାସ୍ ସ୍ଥଳଭାଗ ଛଇଁବାକୁ ଆହୁରି ଦୁଇ ଦିନ ଅଛି। କିନ୍ତୁ ତା’ର ପ୍ରଭାବରେ ସୋମବାର ରାଜଧାନୀର ପରିବା ହାଟରେ ସୃଷ୍ଟି ହୋଇଥିଲା ଝଡ଼। କରୋନା କଟକଣାକୁ ଆଦୌ ଖାତିର୍ କରିନଥିଲେ ରାଜଧାନୀବାସୀ। ପରିବା ବଜାରରେ ହୋଇଥିଲା ଅସମ୍ଭବ ଭିଡ଼। ଦର ପଚାରିବାକୁ ସମୟ ନଥିଲା। ବ୍ୟାଗ୍ ଭର୍ତ୍ତି କରିବା ଥିଲା ମୁଖ୍ୟ ଲକ୍ଷ୍ୟ। ଏଥିରୁ କିଲେ, ସେଥିରୁ ଦୁଇ କିଲୋ ଏମିତି ପୂରାଇ ପକାଇଥିଲେ ବ୍ୟାଗ୍ରେ। ବଛାବଛି ବି କରିବାକୁ ଫୁରସତ୍ ନଥିଲା। ବ୍ୟାଗ୍ ଭର୍ତ୍ତି ହେଲା ପରେ ଏକ ଆଶ୍ବସ୍ତିଭରା ଦୀର୍ଘଶ୍ବାସ ଛାଡ଼ି ବେପାରୀର ହିସାବ ମୁତାବକ ଟଙ୍କା ଗଣି ବାବୁମାନେ ନିଜ ଗାଡ଼ି ପାଖକୁ ଆସୁଥିଲେ ଓ ଗଡ଼ବିଜୟର ହସ ହସି ଘରକୁ ଫେରୁଥିଲେ। ଏମିତି ଥିଲା ଆଜି ରାଜଧାନୀର ବିଭିନ୍ନ ହାଟରେ ଗରାଖମାନଙ୍କ ଆଚରଣ।
ଗତ ଦୁଇ ଦିନ ହେଲା ସପ୍ତାହନ୍ତ ଲକ୍ଡାଉନ୍ ଯୋଗୁଁ ବଜାର ହାଟ ସବୁ ବନ୍ଦ ଥିଲା। ତେଣୁ ସ୍ବାଭାବିକଭାବେ ଲୋକଙ୍କ ଘରେ ପରିବା ପତ୍ର ସରି ଯାଇଥିଲା। ତେଣୁ ଆଜି ବଜାର ଭିଡ଼ ହେବା କିଛି ଆଶ୍ଚର୍ଯ୍ୟର କଥାନଥିଲା। କିନ୍ତୁ ବାତ୍ୟା ଆସିବ ବୋଲି ଲୋକେ ଆଜି ବଜାରକୁ ମାଡ଼ି ଆସିଥିଲେ। ଫଳରେ ଅଧିକ ଭିଡ଼ ହୋଇଥିଲା। ବାତ୍ୟା ପାଇଁ ଆଜି ବଜାର ହାଟ ଅଧିକ ଦୁଇ ଘଣ୍ଟା ଖୋଲା ରହିବ ବୋଲି ପ୍ରଶାସନ ଘୋଷଣା କରିବା ପରେ ମଧ୍ୟ ଅସମ୍ଭାଳ ଭିଡ଼ ହୋଇଥିଲା। ତେବେ ବଡ଼ କଥା ଥିଲା ଗରାଖମାନେ କୌଣସି ପରିବା ଦର ପଚାରୁନଥିଲେ। ଆଳୁ, ପିଆଜ, ଅଦା, ରସୁଣ, ବାଇଗଣ, ଟମାଟୋ, ପୋଟଳ ଭଳି କିଛି ସାଧାରଣ ପରିବା ଦର କେତେ ବଢ଼ିଛି ବୋଲି ପଚାରିବାକୁ କାହା ପାଖରେ ସମୟ ନଥିଲା। ୭୫ ଟଙ୍କା ଦରରେ ବି ସକାଳ ୯ଟା ସୁଦ୍ଧା ହାଟରୁ ପୋଟଳ ସରିଯାଇଥିଲା। ବାଇଗଣ ୩୫ ଟଙ୍କା, ଭେଣ୍ଡି ୫୦ ଟଙ୍କା, ଟମାଟୋ ୨୫ ଟଙ୍କାରେ ଲୋକେ ବ୍ୟାଗ୍ ଭର୍ତ୍ତି କରିବାକୁ କୁଣ୍ଠା କରୁନଥିଲେ। ପରିସ୍ଥିତି ଏମିତି ଥିଲା ସେ ସକାଳ ପ୍ରାୟ ୧୦ଟା ବେଳକୁ ପରିବା ବେପାରୀଙ୍କ ଥଳି ଖାଲି ହୋଇଯାଇଥିଲା। କିଛି ବେପାରୀଙ୍କ ନିକଟରେ ଅଳ୍ପ ପୋକା ବଳକା ପରିବା ପଡ଼ିଥିଲା। ବିଏମ୍ସି ପକ୍ଷରୁ ଡାକବାଜି ଯନ୍ତ୍ର ଦ୍ବାରା ସଚେତନ କରାଯାଉଥିଲେ ମଧ୍ୟ କେହି କରୋନା କଟକଣା ଶୁଣିନଥିଲେ।
ଗରାଖମାନଙ୍କ ଏଭଳି ଆଚରଣ ପାଇଁ ଆଜି ରାଜଧାନୀର ଗରିବ ଶ୍ରେଣୀୟ ଲୋକେ ହନ୍ତସନ୍ତ ହୋଇଛନ୍ତି। ପଇସାବାଲା ଗ୍ରାହକମାନେ ବ୍ୟାଗ୍ ଭର୍ତ୍ତି କରି ବୋହିନେଲେ ସିନା ଗରିବ ଲୋକେ ପରିବା କିଣି ପାରିଲେ ନାହିଁ। ପ୍ରଥମତଃ ପଇସାବାଲା ମନଇଚ୍ଛା କିଲେ ସ୍ଥାନରେ ପାଞ୍ଚ କିଲୋ କିଣିନେଲେ। ଫଳରେ ବଜାରକୁ ଯଥେଷ୍ଟ ପରିବା ଆସିଥିଲେ ମଧ୍ୟ ନିଅଣ୍ଟ ହୋଇଥିଲା। ଦ୍ବିତୀୟତଃ ଗ୍ରାହକଙ୍କ ଚାହିଦାକୁ ଦେଖି ବେପାରୀମାନେ ଦର ବଢ଼ାଇଦେଲେ। ସବୁଜ ପରିବା ଦର ପ୍ରାୟ ୨/୩ ଗୁଣ ବଢ଼ିଗଲା। ୧୫ ଟଙ୍କାରେ ବିକ୍ରି ହେଉଥିବା ବାଇଗଣ ଦର ୩୫ ଟଙ୍କା, ୧୫ ଟଙ୍କାରେ ବିକ୍ରି ହେଉଥିବା ଟମାଟୋ ୪୦ ଟଙ୍କା ହୋଇଗଲା। କେବଳ ଆଳୁକୁ ବାଦ୍ ଦେଲେ ଅନ୍ୟ ସବୁ ସବୁଜ ପରିବା ଦର ୩୫ ଓ ୪୦ ଟଙ୍କା ହୋଇଗଲା। ଫଳରେ ଏବେ କରୋନା କଟକଣା ପାଇଁ ରୋଜଗାର ହରାଇଥିବା ଗରିବ ବସ୍ତି ଲୋକମାନେ ଆଜି ପରିବା କିଣି ପାରିନଥିଲେ।