ଭୁବନେଶ୍ବର: ଅଗ୍ନିଶମ ବିଭାଗ ପକ୍ଷରୁ ଆଜି କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଫାୟାର୍ ମକ୍‌ଡ୍ରିଲ୍ କରାଯାଇଛି। ବ୍ରଣ୍ଟୋ ଓ ରୋବୋଟିକ୍ ମେସିନ୍ ଦ୍ବାରା କିଭଳି ଅଗ୍ନିକୁ ଆୟତ୍ତ କରାଯାଇ ପାରିବ ସେ ନେଇ ଟ୍ରେନିଂ ଦିଆଯାଇଥିଲା। ଆଜି ଅପରାହ୍ନରେ କ୍ୟାପିଟାଲ୍‌ ହସ୍ପିଟାଲ୍‌ର ସ୍ତ୍ରୀ ଓ ପ୍ରସୂତି ବିଭାଗ ନିକଟରେ ଆଜି ଫାୟାର୍ ମକ୍‌ଡ୍ରିଲ୍ କରାଯାଇଥିଲା। ଯଦି ଅକସ୍ମାତ୍ ନିଆଁ ଲାଗେ, ତେବେ କିପରି ଆୟତ୍ତ କରିବେ? କିପରି ସହଜରେ ସୁରକ୍ଷିତ ଭାବେ ନିଆଁ କବଳରୁ ରକ୍ଷା ପାଇବେ? କେମିକାଲ ଗ୍ୟାସ୍‌ରୁ ଅଗ୍ନିଶମ ବାହିନୀ କିପରି ଉଦ୍ଧାର କରିବ? ଏନେଇ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଟ୍ରେନିଂ ଦିଆଯାଇଥିଲା।

Advertisment

ଓଡ଼ିଶା ଅଗ୍ନିଶମ ବାହିନୀ ପକ୍ଷରୁ ଏହି ମକ୍ ଡ୍ରିଲ୍‌ରେ ହାଇଡ୍ରୋଲୋକ ପ୍ଲାଟ୍‌ଫର୍ମ, ରୋବଟିକ୍‌ ଫାୟାର ଫାଇଟିଂ ମେସିନ, ଆସେଣ୍ଡର, ଡିସେଣ୍ଡର ଆଦି ଉପକରଣ ଗୁଡିକର ବ୍ୟବହାର କରି ବିଭିନ୍ନ କୌଶଳ ପ୍ରଦର୍ଶନ କରାଯାଇଥିଲା। ବଡ଼ ବଡ଼ ହସ୍ପିଟାଲ ଗୁଡିକରେ ନିଆଁ ଲାଗିଲେ  ବିଲ୍ଡିଂ ଉପରୁ ଏଭଳି ଅଘଟଣ ସମୟରେ ଲୋକଙ୍କୁ ବଞ୍ଚାଇବା ଏକ ବଡ଼ ଚ୍ୟାଲେଞ୍ଜ ହୋଇଥିବା ବେଳେ ଉପରେ ଫସିଥିବା ଲୋକଙ୍କ ପାଇଁ ସ୍କାଇ ଲିଫ୍‌ଟିଂର ସହାୟତା ନିଆଯାଉଛି ତାହା ଅଗ୍ନିଶମ ବିହାନୀର କର୍ମଚାରୀମାନେ ଦେଖାଇଥିଲେ। ଏହା ସହ ଫାୟାର ଫାଇଟିଂ, ଏମରଜେନ୍ସି ମ୍ୟାନେଜ୍‌ମେଣ୍ଟ, ଫାୟାର ସେଫଟି ଆୱାରନେସ ବାବଦରେ ସଚେତନ କରାଯାଇଥିଲା।ଗତବର୍ଷ ରାଜ୍ୟରେ ୩,୮୦୦ ମକ୍ ଡ୍ରିଲ୍ ହୋଇଥିଲା ଆଗକୁ ଏହାକୁ ବଢ଼ାଇବା ଲକ୍ଷ୍ୟ ରଖାଯାଇଛି ବୋଲି ଚିଫ୍‌ ଫାୟାର୍‌ ଅଫିସର୍‌ ପିକେ ଦାଶ କହିଛନ୍ତି।