ସତ୍ୟନଗରରେ ସ୍ୱର୍ଗଦ୍ୱାର ସ୍ଥିତି : ମଶାଣିରୁ ନିଆଁ ଲିଭୁନି

ଦିନକୁ ହାରାହାରି ୨୦ ଶବସତ୍କାର ହେଉଛି, ୯୦୦ରୁ ଅଧିକ କରୋନା ଆକ୍ରାନ୍ତ/ସନ୍ଦିଗ୍ଧଙ୍କର ଶବଦାହ ହେଲାଣି

ଭୁବନେଶ୍ୱର : ପୁରୀ ସ୍ୱର୍ଗଦ୍ୱାରରେ କେବେ ନିଆଁ ଲିଭେନି ବୋଲି କୁହାଯାଏ। ଏହି ଉକ୍ତି ପଛର କାରଣ ହେଲା ଏଠାକୁ ରାଜ୍ୟର ବିଭିନ୍ନ ସ୍ଥାନରୁ ଶବ ଦାହ ପାଇଁ ଆସେ। ରାତି ଦିନ ଶବଦାହ ଚାଲିଥାଏ। ଦିନକୁ ହାରାହାରି ୫୦ରୁ ଅଧିକ ଶବସତ୍କାର ଏଠାରେ ହୋଇଥାଏ। ଏହି ପରିସ୍ଥିତି ଏବେ ସତ୍ୟନଗର ଶ୍ମଶାନରେ ସୃଷ୍ଟି ହୋଇଛି। କରୋନା ମହାମାରୀରେ ପୁରୀ ସ୍ବର୍ଗଦ୍ବାରରେ ଶବଦାହ କମିଯାଇଛି। କିନ୍ତୁ ସତ୍ୟନଗର ଶ୍ମଶାନରେ ବଢ଼ିଛି। ଦିନକୁ ହାରହାରି ୪/୫ ଶବଦାହ ହେଉଥିବା ଏହି ଶ୍ମଶାନରେ ଏବେ ୨୦ରୁ ଅଧିକ ହେଉଛି। ଏଥିରୁ ୯୦%ରୁ ଅଧିକ କରୋନା ଆକ୍ରାନ୍ତ ଓ ସନ୍ଦିଗ୍ଧ। ସ୍ଥିତି ଏପରି ହୋଇଛି ଯେ ସତ୍ୟନଗର ଶ୍ମଶାନରେ ନିଆଁ ଲିଭୁନି।

ପୁରୀ ସ୍ବର୍ଗଦ୍ବାରରେ କେବଳ ପୁରୀ ଜିଲ୍ଲାବାସୀଙ୍କର ଶବ ସତ୍କାର ହୋଇପାରିବ ବୋଲି ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶନାମା ଜାରି କରିଥିବାରୁ ସତ୍ୟନଗର ଶ୍ମଶାନରେ ଅଧିକ ଶବଦାହ ହେଉଛି। ଖାସ୍‌କରି କରୋନାରେ ଯେଉଁମାନଙ୍କର ମୃତ୍ୟୁ ହୋଇଛି ସେମାନଙ୍କ ଶବଦାହ ପାଇଁ ଏହି ଶ୍ମଶାନ ଏବେ ସାରା ରାଜ୍ୟରେ ପରିଚିତ ହୋଇଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ଏପ୍ରିଲ ମାସରୁ କରୋନା ଆକ୍ରାନ୍ତ ଓ ସନ୍ଦିଗ୍ଧଙ୍କୁ ମିଶାଇ ଏଠାରେ ୯୦୦ରୁ ଅଧିକ ଲୋକଙ୍କର ଶବଦାହ ହେଲାଣି। ରାଜ୍ୟରେ ୬୩୭ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ଏହାର ଦେଢ଼ଗୁଣା ଆକ୍ରାନ୍ତ/ସନ୍ଦିଗ୍ଧଙ୍କର ଶବ ସତ୍କାର ସରିଲାଣି। ଏପରିକି ଅଧିକାଂଶ ସମୟରେ ଦିନକୁ ୨୦ରୁ ୨୨ଜଣଙ୍କର ଶବ ସତ୍କାର ହେଉଥିବାବେଳେ ରାତି ୨ଟା ପର୍ଯ୍ୟନ୍ତ ଗୋଟିଏ ପରେ ଗୋଟିଏ ଶବଦାହ ହେଉଛି। ଜୁଇ ନଲିଭୁଣୁ ଆଉ ଏକ ଶବ ଲଦି ଦାହ କରିବା ପରିସ୍ଥିତି ବେଳେବେଳେ ଉପୁଜୁଛି। ବିଦ୍ୟୁତ ଚୁଲା ଖରାପ ହୋଇଯାଇଥିବାରୁ ସବୁ ଶବ କାଠରେ ପୋଡ଼ାଯାଉଛି। କିନ୍ତୁ କୌଣସି ଶବକୁ ଯେପରି ଅସମ୍ମାନ ନହେବ ଏବଂ ଆବଶ୍ୟକୀୟ ବିଧି ଅନୁସାରେ ଦାହ ହେବ ସେନେଇ ବିଏମ୍‌ସି ପକ୍ଷରୁ ସବୁ ପ୍ରକାରର ବନ୍ଦୋବସ୍ତ କରାଯାଇଛି।

ରାଜଧାନୀର ୫ଟି କୋଭିଡ୍‌ ହସ୍ପିଟାଲ ସମେତ ଏମ୍‌ସ କୋଭିଡ୍‌ ହସ୍ପିଟାଲ, କ୍ୟାପିଟାଲ ହସ୍ପିଟାଲରେ ମୃତ୍ୟୁବରଣ କରୁଥିବା କରୋନା ଆକ୍ରାନ୍ତଙ୍କର ଶବ ସତ୍କାର ଏଠାରେ କରାଯାଉଛି। ଏହି ସବୁ ହସ୍ପିଟାଲକୁ ବିଭିନ୍ନ ଜିଲ୍ଲାର ଗୁରୁତର ରୋଗୀ ଆସୁଥିବାବେଳେ ସେମାନଙ୍କର ଏଠାରେ ମୃତ୍ୟୁ ହେଲେ ସତ୍ୟନଗର ଶ୍ମଶାନରେ ହିଁ ଶବସତ୍କାର ହେଉଛି। ତେଣୁ ବିଏମ୍‌ସି ପକ୍ଷରୁ ଏନେଇ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ରାଜଧାନୀରେ କରୋନା ପରିଚାଳନା ନେଇ ବିଏମ୍‌ସି ଯେଉଁଭଳି ପ୍ରଶଂସନୀୟ କାମ କରୁଛି ଶବ ସତ୍କାରରେ ବି ସେମିତି କାମ କରୁଛି। ବିଏମ୍‌ସି ପାଇଁ ଏହି କାମ ସଂପୂର୍ଣ୍ଣ ନୂଆ ହୋଇଥିଲେ ବି ଯେପରି ଶବ ସତ୍କାରରେ କୌଣସି ପ୍ରକାରର ସମସ୍ୟା ନଉପୁଜେ ଏବଂ ଏହିଭଳି ଦୁଃଖଦ ପରିସ୍ଥିତିରେ ମୃତକଙ୍କ ଆତ୍ମୀୟ ସ୍ବଜନଙ୍କୁ କୌଣସି ପ୍ରକାର ଆଘାତ ନପହଞ୍ଚେ ସେନେଇ ବିଏମ୍‌ସିର ତିନିଟି ଟିମ୍‌ କାମ କରୁଛି। ରାଜଧାନୀରେ ମୃତ୍ୟୁବରଣ କରୁଥିବା କରୋନା ଆକ୍ରାନ୍ତ/ସନ୍ଦିଗ୍ଧଙ୍କ ଶବଦାହ କରିବା ଦାୟିତ୍ବ ବିଏମ୍‌ସିର ଡେପୁଟି କମିସନର ଶ୍ରୀମନ୍ତ ମିଶ୍ର ଓ ତାଙ୍କ ଟିମ୍‌କୁ ଦିଆଯାଇଛି। ତାଙ୍କ ନେତୃତ୍ବରେ ତିନିଟି ଟିମ୍‌ ଗଠନ ହୋଇଛି। ଯେଉଁମାନେ କୋଭିଡ୍ ହସ୍ପିଟାଲ ଓ ଅନ୍ୟ ହସ୍ପିଟାଲରେ ମୃତ୍ୟୁବରଣ କରୁଥିବା କରୋନା ଆକ୍ରାନ୍ତଙ୍କ ମୃତଦେହ ହସ୍ପିଟାଲରୁ ଗ୍ରହଣ କରି ଆମ୍ବୁଲାନ୍ସରେ ସତ୍ୟନଗର ଶ୍ମଶାନକୁ ଆଣୁଛନ୍ତି। ସେଠାରେ ମଶାଣି କର୍ମଚାରୀମାନେ ଶବଦାହ କରୁଛନ୍ତି। ଏହିପରି ୨୫ରୁ ଅଧିକ କର୍ମଚାରୀ ଶବଦାହ ପ୍ରକ୍ରିୟାରେ ନିୟୋଜିତ ହୋଇଛନ୍ତି। ମାର୍ଚ୍ଚରୁ ଜୁଲାଇ ମାସ ପର୍ଯ୍ୟନ୍ତ ଗୋଟିଏ ଟିମ୍‌ରେ ୫ଜଣ ଶବ ସତ୍କାର କାର୍ଯ୍ୟ କରୁଥିବାବେଳେ ଅଗଷ୍ଟରୁ ତିନିଟି ଟିମ୍‌ ଏଥିପାଇଁ ନିୟୋଜିତ ହୋଇଛନ୍ତି। ବିଏମ୍‌ସି ପକ୍ଷରୁ ଶବ ସତ୍କାରକୁ ଗୁରୁତ୍ବ ଦିଆଯାଉଥିବାରୁ ଏଥିପାଇଁ ୪ଜଣ ଓଆରଏସ୍‌ ଅଧିକାରୀ, ୩ଜଣ ଏଏସ୍‌ଓ, ଡାକ୍ତରୀ ଟିମ୍‌, ପୁଲିସ କର୍ମଚାରୀଙ୍କୁ ମିଶାଇ ୧୫ଜଣ ମଶାଣି ବାହାରେ କାମ କରୁଛନ୍ତି। ସେମାନଙ୍କୁ ତିନିଟି ଟିମ୍‌ରେ ବିଭକ୍ତ କରାଯାଇଛି। ମଶାଣି ଭିତରେ ସମସ୍ତ କାର୍ଯ୍ୟ କରିବା ପାଇଁ ପ୍ରାୟ ୧୦ଜଣ ରହିଛନ୍ତି। ଶବଦାହ ଭଳି ଗୁରୁତ୍ବପୂର୍ଣ୍ଣ ଦାୟିତ୍ବରେ ଥିବା ଡେପୁଟି କମିସନର ଶ୍ରୀମନ୍ତ ମିଶ୍ର କହିଛନ୍ତି ଯେ, କରୋନାରେ ଯିଏ ଆକ୍ରାନ୍ତ ହେଉଛନ୍ତି ସେମାନଙ୍କ ଶବକୁ ପରିବାର ଲୋକ ବି ଛୁଉଁନାହାନ୍ତି। ବାହାର ଲୋକ ଛୁଇଁବା ଦୂର କଥା। ତେଣୁ ପ୍ରତିଦିନ କରୋନା ଆକ୍ରାନ୍ତଙ୍କ ଶବଦାହ କରିବା ପୂରା ଚାଲେଞ୍ଜପୂର୍ଣ୍ଣ। ଆମର ଅଧିକାରୀ, ଡାକ୍ତରୀ ଟିମ୍‌, ପୁଲିସ କର୍ମଚାରୀ ଯେଉଁମାନେ ଶବସତ୍କାର ପ୍ରକ୍ରିୟାରେ ସାମିଲ୍‌ ହୋଇଛନ୍ତି ସେମାନଙ୍କ ପାଇଁ ପ୍ରତିଦିନ କଷ୍ଟକର ପରିସ୍ଥିତି ସୃଷ୍ଟି ହେଉଛି। କେତେବେଳେ ମୃତକଙ୍କ ପରିବାର ଲୋକ ଶବକୁ ଛୁଇଁବାକୁ ଜିଦ୍‌ କରୁଛନ୍ତି ତ କେତେବେଳେ ମୁହଁ ଖୋଲିବାକୁ କୁହନ୍ତି। କେବଳ ଏତିକି ନୁହେଁ କିଏ ଘର ଆଡ଼େ ଗାଡ଼ି ବୁଲାଇ ଆଣିବାକୁ କୁହନ୍ତି। ସେମାନଙ୍କୁ ବୁଝାଇ ସୁଝାଇ ମଶାଣିକୁ ଆଣୁ। ଏଠାରେ ଯେପରି ଯିଏ ଯେଝା ଧର୍ମ ଅନୁଯାୟୀ ପୂଜା, କ୍ରିୟା, କର୍ମ ଆଦି କରିବେ ସେଥିପାଇଁ ଆବଶ୍ୟକୀୟ ସହଯୋଗ ଯୋଗାଇ ଦେଉଛୁ। ଏହାବାଦ୍‌ ମୁଖାଗ୍ନି ଦେବା ବ୍ୟବସ୍ଥା କି କରିଛୁ। ପ୍ରଥମେ ପ୍ରଥମେ ଏନେଇ ଅନୁମତି ଦିଆଯାଉନଥିଲା। କିନ୍ତୁ ଲୋକଙ୍କ ଭାବାବେଗ ଏବଂ ଆମ ପରମ୍ପରାକୁ ସମ୍ମାନ ଜଣାଇ ଅନୁମତି ଦେଲୁ। ଯିଏ ଅସ୍ଥି ନେବାକୁ ଚାହାନ୍ତି ତାଙ୍କୁ ଅସ୍ଥି ଦେବା ବ୍ୟବସ୍ଥା ଅଛି। କିନ୍ତୁ ସବୁ କରୋନା କଟକଣା ନିୟମ ଭିତରେ କରାଯାଉଛି। ଶ୍ରୀ ମିଶ୍ରଙ୍କ କହିବାନୁଯାୟୀ, ସକାଳ ୧୦ଟାରୁ ରାତି ୨ଟା ପର୍ଯ୍ୟନ୍ତ ଶବଦାହ ହେଉଛି। କର୍ମଚାରୀମାନେ ବହୁ ପରିଶ୍ରମ କରି କାମ କରୁଛନ୍ତି। କିଛି କର୍ମଚାରୀ ଏବେ କରୋନା ଆକ୍ରାନ୍ତ ହୋଇଯାଇଛନ୍ତି। କିନ୍ତୁ ଆଶ୍ଚର୍ଯ୍ୟର ବିଷୟ ଶ୍ମଶାନରେ ଯେଉଁମାନେ ଶବସତ୍କାର କରୁଛନ୍ତି ସେମାନେ କରୋନା ଆକ୍ରାନ୍ତ ହୋଇନାହାନ୍ତି। ଯେଉଁଥିପାଇଁ ଶବଦାହରେ କୌଣସି ସମସ୍ୟା ହୋଇନି।

ଏବେ ୮ ଚୁଲାରେ ହେଉଛି ଶବଦାହ
ପୂର୍ବରୁ ସତ୍ୟନଗର ଶ୍ମଶାନ ପରିସରରେ ଥିବା ୪ଟି କାଠ ଚୁଲାରେ କରୋନା ଆକ୍ରାନ୍ତଙ୍କ ଶବଦାହ ହେଉଥିଲା। ଯେତେବେଳେ ଦିନକୁ ୮ରୁ ୧୦ଜଣଙ୍କର ଶବଦାହ ହେଉଥିଲା ସେତବେଳେ ଏହି ଚୁଲା ଯଥେଷ୍ଟ ଥିଲା। ଏପରିକି ଏଥିରେ ୧୫ଟି ପର୍ଯ୍ୟନ୍ତ ଶବ ସତ୍କାର କରାଯାଉଥିଲା। କିନ୍ତୁ ମୃତକଙ୍କ ସଂଖ୍ୟା ବଢ଼ିବା ଏବଂ ବାହାର ଜିଲ୍ଲାରୁ ଏଠାକୁ ମୃତଦେହ ଆସିବାରୁ ବିଏମ୍‌ସି କର୍ତ୍ତୃପକ୍ଷ ଆଉ ୪ଟି ଚୁଲା ଖୋଳିଛନ୍ତି। ମୋଟ୍‌ ୮ଟି ଚୁଲାରେ ଶବଦାହ ହେଉଛି। ଗୋଟିଏ ଶବଦାହ ପାଇଁ ପ୍ରାୟ ୨ଘଣ୍ଟା ଲାଗୁଥିବାରୁ ୮ଟି ଚୁଲା ନଲଗାଇଲେ ଶବ ସତ୍କାର କରିବା ସମ୍ଭବ ହେଉନି। ଏପରିକି ହସ୍ପିଟାଲରୁ ଶ୍ମଶାନକୁ ଶବ ଆସିବାକୁ ପ୍ରାୟ ୧ଘଣ୍ଟା ଲାଗିଯାଉଥିବାରୁ ଶବସତ୍କାର ପ୍ରକ୍ରିୟା ଯାହା ବିଳମ୍ବ ହେଉଛି। ଅପରପକ୍ଷେ ବିଏମ୍‌ସି ନିକଟ ଭବିଷ୍ୟତରେ ଆଉ କୌଣସି ଶ୍ମଶାନରେ କୋଭିଡ୍‌ ମୃତଦେହ ସତ୍କାର କରିବାର ଯୋଜନା ନାହିଁ ବୋଲି କୁହାଯାଇଛି।

ବିଦ୍ୟୁତ ଚୁଲା ଖରାପ, ଖୁବ୍‌ ଶୀଘ୍ର ଗ୍ୟାସ୍‌ ଚୁଲା
ସତ୍ୟନଗର ଶ୍ମଶାନରେ ଲାଗିଥିବା ବିଦ୍ୟୁତ ଚୁଲା ପୂର୍ବରୁ ଯେଉଁଭଳି ଧୋକ୍କା ଦେଉଥିଲା ଏବେବି ସେମିତି ଦେଉଛି। ଥରେ ସଜଡ଼ା ହେଲେ ଅତିବେଶୀରେ ୧୨ରୁ ୧୫ଦିନ ଚାଲୁଛି। ପୁଣି ଖରାପ। ଏହିଭଳି ଚୁଲା କରୋନା ସମୟରେ ଅତି ଗୁରୁତ୍ବପୂର୍ଣ୍ଣ ହୋଇଥିବାବେଳେ ଏହା ଏବେ କାମ କରୁନି। ଯେଉଁଥିପାଇଁ ବିଏମ୍‌ସି କର୍ତ୍ତୃପକ୍ଷଙ୍କୁ ସଂପୂର୍ଣ୍ଣ ଭାବେ କାଠ ଚୁଲା ଉପରେ ନିର୍ଭର କରିବାକୁ ପଡ଼ୁଛି। ବିଏମ୍‌ସି କମିସନର ପ୍ରେମଚନ୍ଦ୍ର ଚୌଧରୀଙ୍କୁ ଏନେଇ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ, ଖୁବ୍‌ ଶୀଘ୍ର ଗ୍ୟାସ୍‌ ଚୁଲା ଲାଗିବ। ଏନେଇ ଟେଣ୍ଡର ଡକାସରିଛି। ଗ୍ୟାସ୍‌ ଚୁଲା ଆସିଗଲେ ଆଉ ବିଶେଷ ଅସୁବିଧା ହେବନି।

ସମ୍ବନ୍ଧିତ ଖବର