ଅଗ୍ନିଶମ, ଓଡ୍ରାଫ୍, ପୁଲିସ ପ୍ରସ୍ତୁତ: ‘ଜଳବନ୍ଦୀ’ ସମାଧାନ ପାଇଁ ୧୬ ଟିମ୍

ଭୁବନେଶ୍ବର: ବାତ୍ୟା ‘ୟାସ’ର ମୁକାବିଲା ପାଇଁ ରାଜଧାନୀ ଭୁବନେଶ୍ବରରେ ଅଗ୍ନିଶମ ବାହିନୀ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି। ପବନ ଓ ବର୍ଷାକୁ ଆଖି ଆଗରେ ରଖି ଅଗ୍ନିଶମ ବାହିନୀ ପକ୍ଷରୁ ପ୍ରସ୍ତୁତି କରାଯାଇଛି। ଗଛ ଭାଙ୍ଗିଲେ ଏହାକୁ ସଫା କରିବା ପାଇଁ ୧୦ଟି ଟିମ୍ ପ୍ରସ୍ତୁତ ହୋଇ ରହିଛି।

କଳ୍ପନା, ସେକ୍ରେଟାରିଏଟ୍, ଚନ୍ଦ୍ରଶେଖରପୁର, ଜଟଣୀ, ବାଲିପାଟଣା ଓ ବାଲିଅନ୍ତାର ୬ଟି ଦମକଳ କେନ୍ଦ୍ରରେ ୬ଟି ଟିମ୍ ଓ ଏହାବାଦ୍ ୪ଟି ଟିମ୍ ରହିବ। ପ୍ରତି ଟିମରେ ୬ ଜଣ ଲେଖାଏଁ କର୍ମଚାରୀ ରହିବେ। ସେମାନଙ୍କ ପାଖରେ ପାଵାର କଟର, କଂକ୍ରିଟ କଟର, ଆସ୍କା ଲାଇଟ୍, ବୋଲ୍ଟ କଟର ଆଦି ସାମଗ୍ରୀ ରହିବ। ପ୍ରତି ଟିମ୍ ପାଖରେ ଗୋଟିଏ ଲେଖାଏଁ ଗାଡ଼ି ରହିବ। ଆବଶ୍ୟକ ସ୍ଥଳେ ଅଧିକ କର୍ମଚାରୀ ସହ ଗାଡ଼ି ପହଞ୍ଚିବ।
ସେହିପରି ରାଜଧାନୀରେ ଜଳବନ୍ଦୀ ସମସ୍ୟାର ସମାଧାନ ପାଇଁ ୧୬ଟି ଟିମ୍ ପ୍ରସ୍ତୁତ ହୋଇ ରହିଛି। ନୂଆପଲ୍ଲୀର ବେହେରା ସାହି, ଇସ୍କନ ମନ୍ଦିର ନିକଟ, ଶାସ୍ତ୍ରୀନଗର, ଜୟଦେବ ବିହାର, ପୁରୁଣା ଭୁବନେଶ୍ବର, କେଦାରଗୌରୀ ବିହାର, ବମିଖାଲ ସମେତ ୧୫ଟି ସ୍ଥାନ ପାଇଁ ୧୬ଟି ପମ୍ପ ମଧ୍ୟ ପ୍ରସ୍ତୁତ ରଖ‌ାଯାଇଛି। ଏହି ପମ୍ପ୍ ଜରିଆରେ ଜଳ ନିଷ୍କାସନ କରାଯିବ ବୋଲି ଜଣେ ଅଧିକାରୀ କହିଛନ୍ତି।

ଅନ୍ୟପକ୍ଷରେ ସପ୍ତମ ବାଟାଲିଅନରେ ଓଡ୍ରାଫ୍ ଟିମ୍ ମଧ୍ୟ ପ୍ରସ୍ତୁତ ହୋଇ ରହିଛି। ଯଦି କେଉଁଠି ଗଛ କିମ୍ବା ଘର ଭାଙ୍ଗି ପଡ଼େ ତୁରନ୍ତ ଉଦ୍ଧାର କାର୍ଯ୍ୟରେ ସାମିଲ ରହିବେ। ସେହିପରି ପୁଲିସ ପକ୍ଷରୁ ମଧ୍ୟ ପ୍ରସ୍ତୁତି କରାଯାଇଛି। ଥାନାରେ ସମସ୍ତ କର୍ମଚାରୀ ଉପସ୍ଥିତ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ବିଦ୍ୟୁତ ସରବରାହ ପାଇଁ ଜେନେରେଟର ରଖାଯାଇଛି। ସାଧାରଣ ଲୋକ ଯେମିତି ସୁରକ୍ଷିତ ରୁହନ୍ତି ତାହା ଉପରେ ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।

ସମ୍ବନ୍ଧିତ ଖବର