ଦେହରେ ନିଆଁ ଲଗାଇଦେଲେ ଦମ୍ପତି, ସ୍ତ୍ରୀ ମୃତ, ବାପ-ଝିଅ ଗୁରୁତର

ପୁରୁଣା ଭୁବନେଶ୍ୱର: ପାରିବାରିକ କଳହକୁ କେନ୍ଦ୍ର କରି ଶ୍ରୀଲିଙ୍ଗରାଜ ଥାନା ଅନ୍ତର୍ଗତ କପିଳେଶ୍ୱର କେନାଲ ବନ୍ଧ ବସ୍ତିରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ଦେହରେ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଦମ୍ପତିଙ୍କ ମଧ୍ୟରୁ ମହିଳାଙ୍କର ମୃତ୍ୟୁ ଘଟିଛି। ମୃତ ମହିଳାଜଣଙ୍କ ହେଲେ, ଜାନକୀ ଦାସ(୩୨)। ତାଙ୍କ ସ୍ୱାମୀ ଅଜୟ ଦାସ(୪୦) ଓ ଝିଅ ରୁନୁ ଦାସ(୩)ଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ଉଭୟଙ୍କୁ କଟକ ବଡ଼ ମେଡିକାଲରେ ଚିକିତ୍ସା କରାଯାଉଛି।

ସୂଚନା ଅନୁଯାୟୀ, ଜାନକୀ ପରଘରେ କାମ କରି ପରିବାରର ଗୁଜୁରାଣ ମେଣ୍ଟାଉଥିବା ବେଳେ ଅଜୟ ନିଶା ଖାଇବା ପାଇଁ ତାଙ୍କୁ ଧମକ ଚମକ ଦେଇ ଟଙ୍କା ଛଡ଼ାଇ ନେଇଥାଏ। କିନ୍ତୁ ୪ଦିନ ହେଲା ଅଜୟ ବାରମ୍ବାର ଟଙ୍କା ମାଗିଥିଲେ ହେଁ ଜାନକୀ ନ ଦେବାରୁ ଉଭୟଙ୍କ ମଧ୍ୟରେ ଝଗଡ଼ାର ସୂତ୍ରପାତ ହୋଇଥିଲା। ଏହାକୁ କେନ୍ଦ୍ର କରି ଗତକାଲି ଉଭୟଙ୍କ ମଧ୍ୟରେ ଭୀଷଣ ପାଟିତୁଣ୍ଡ ହୋଇଥିଲା। ପରେ ଜାନକୀ ତାଙ୍କ ହାତ କାଟି ଦେଇଥିବା ନେଇ ନିଶାସକ୍ତ ଅବସ୍ଥାରେ ଅଜୟ ଶ୍ରୀଲିଙ୍ଗରାଜ ଥାନାରେ ଅଭିଯୋଗ କରିଥିଲେ। ଘଟଣାର ଛାନ୍‌ଭିନ୍‌ କରିବା ପାଇଁ ପୁଲିସ କେନାଲବନ୍ଧ ବସ୍ତିକୁ ଯାଇ ଉଭୟଙ୍କୁ ବୁଝାସୁଝା କରିଥିଲା। କିନ୍ତୁ ଆଜି ସକାଳେ ଏପରି ଅଭାବନୀୟ କାଣ୍ଡ ଘଟିଥିଲା। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଜାନକୀଙ୍କ ଶାଶୂ ପ୍ରମିଳା ଦାସ ଘର ବାହାରକୁ ଯାଇଥିବା ବେଳେ ଦମ୍ପତିଙ୍କ ମଧ୍ୟରେ ପୁଣିଥରେ ଝଗଡ଼ା ଲାଗିଥିଲା। ଏହାକୁ କେନ୍ଦ୍ର କରି ଉଭୟ କିରାସିନି ଢାଳି ହୋଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଏଥିରେ ତାଙ୍କ ୩ ବର୍ଷର ଝିଅ ଦେହରେ ମଧ୍ୟ ନିଆଁ ଲାଗି ଯାଇଥିଲା। ସେମାନଙ୍କ ଚିତ୍କାର ଶୁଣି ପାଖ ପଡ଼ୋଶୀ ସେମାନଙ୍କୁ ଉଦ୍ଧାର କରିଥିଲେ। ସେମାନଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଅବସ୍ଥା ସଂକଟାପନ୍ନ ହେବାରୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସଂଧ୍ୟା ପ୍ରାୟ ୬ଟା‌ରେ ଜାନକୀଙ୍କ ମୃତ୍ୟୁ ହୋଇଯାଇଥିଲା। ଏନେଇ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧିତ ଖବର