ରାଜଧାନୀରେ ଅଗ୍ନି ବର୍ଷା

ଭୁବନେଶ୍ୱର: ଗତ କିଛି ଦିନ ହେଲା ରାଜଧାନୀରେ ଅସହ୍ୟ ତାତି ଅନୁଭୂତ ହେଉଥିବା ବେଳେ ଆଜି ପାରଦ ୪୨.୩ ଡିଗ୍ରି ଛୁଇଁଛି। ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଥିବା ଭୁବନେଶ୍ୱରରେ ଆଜି ମଧ୍ୟାହ୍ନରେ ଅଗ୍ନି ବର୍ଷା ହେଲା ଭଳି ଅନୁଭବ ହୋଇଥିଲା। ଟାଣ ଖରାକୁ ରାସ୍ତାରୁ ତତଲା ଧାଁସ ମୁହଁ, ଦେହ ସିଝେଇ ଦେଉଥିଲା। ଆଜିର ଖରାରେ ରାଜଧାନୀବାସୀ ପୂରା କିଲବିଲ୍‌ ହୋଇଯାଇଛନ୍ତି। ଯେଉଁ ସମୟରେ ତୁହାକୁ ତୁହା ବର୍ଷା ହେବା କଥା, ସେହି ସମୟରେ ତତଲା ପବନକୁ ଟାଣ ଖରା ଅସ୍ତବ୍ୟସ୍ତ କରି ପକାଉଛି। ସକାଳ ୮ଟାରୁ ଘରୁ ବାହାରିବା କଷ୍ଟକର ହୋଇଯାଉଛି। ପୂର୍ବାହ୍ନ ୧୦ଟା ପରେ ତ ସ୍ଥିତି ଅସମ୍ଭାଳ ହେଉଛି। ବ୍ୟସ୍ତବହୁଳ ରାଜଧାନୀ ରାସ୍ତା ବି ଖାଁ ଖାଁ ହୋଇଯାଉଛି। ଦୋକାନ ବଜାର ମଧ୍ୟାହ୍ନରେ ବନ୍ଦ ହୋଇଯାଉଛି। ବାୟୁମଣ୍ଡଳରେ ଜଳୀୟବାଷ୍ପ ବେଶି ନଥିଲେ ହେଁ ଯେତିକି ଅଛି ତାହା ଖରା ତାତିକୁ ବହୁଗୁଣା କରିଦେଉଛି। ପାରଦ ସିନା ୪୦ରୁ ୪୨ଡିଗ୍ରି ମଧ୍ୟରେ ରହୁଛି, ହେଲେ ୫୦ଡିଗ୍ରି ତାତି ଅନୁଭୂତ ହେଉଛି।

ଆଜି ମଧ୍ୟାହ୍ନରେ ପାରଦ ୪୨.୩ ଡିଗ୍ରି ଛୁଇଁବା ପରେ ରାଜଧାନୀର ଅଧିକାଂଶ ରାସ୍ତାରେ ଏକରକମ କର୍ଫ୍ୟୁ ଜାରି ହୋଇଯାଇଥିଲା। ଘରୁ ବାହାରୁଥିବା ଲୋକ ଛତା ଧରି ଯାଉଥିଲେ ନଚେତ୍‌ ମୁହଁରେ ଓଢ଼ଣୀ, ରୁମାଲ୍‌, ଗାମୁଛା ବାନ୍ଧି ଯାଉଥିଲେ। ଖରା ଯୋଗୁଁ ଆଜି ମଧ୍ୟାହ୍ନରେ ରାଜଧାନୀ ରାସ୍ତାରେ ଯେତିକି ଗାଡ଼ି ଯାତାୟାତ କରୁଥିଲା ସେଥିରେ କାଁ ଭାଁ ବାଇକ୍‌ ଥିଲା। ଅଧିକାଂଶ ଲୋକ ଅଟୋ, କାର୍‌ରେ ଯାତାୟାତ କରୁଥିବା ଦେଖିବାକୁ ମିଳୁଥିଲା। ପାଣିପାଗ କେନ୍ଦ୍ର ଆକଳନ କହୁଛି ଆହୁରି ଦୁଇରୁ ତିନି ଦିନ ଏପରି ପାଗ ରହିବ। ମାନେ ରାଜଧାନୀବାସୀଙ୍କୁ ସହଜରେ ଆଶ୍ୱସ୍ତି ମିଳିବାର ନାହିଁ। ପ୍ରବଳ ଗ୍ରୀଷ୍ମ ପ୍ରବାହର ସାମ୍ନା କରିବାକୁ ପାଣିପାଗ ବିଭାଗ ସତର୍କ କରାଇ ଦେଇଛି।

ସମ୍ବନ୍ଧିତ ଖବର