ସୀମା ଟପିଲା ନିଆଁବର୍ଷା: ଭୁବନେଶ୍ବରରେ ଚଳିତ ଋତୁର ସର୍ବାଧିକ ତାପମାତ୍ରା

୪ଘଣ୍ଟା ଧରି ଟ୍ରାଫିକ ଜାମ୍‌ ଓ ଖରାରେ କଲବଲ

ଭୁବନେଶ୍ୱର: ଆଜି ସକାଳୁ ସକାଳୁ ରାଜଧାନୀ ଆକାଶରୁ ନିଆଁ ବର୍ଷିଥିଲା। ଅଧିକାଂଶ ଲୋକ କାମକୁ ବାହାରିବାବେଳକୁ ଡହ ଡହ ଖରାରେ ଆଉଟୁପାଉଟୁ ହେବା ଆରମ୍ଭ କରିଥିଲା ଟୁଇନ୍‌ ସିଟିର ପରିବେଶ। ସକାଳ ସାଢ଼େ ୮ଟା ବେଳକୁ ଭୁବନେଶ୍ବର ସହରର ତାପମାତ୍ରା ୩୩.୪ ଡିଗ୍ରିରେ ପହଞ୍ଚିଥିଲା। ଏହାର ଠିକ୍‌ ୩ ଘଣ୍ଟା ପରେ, ଅର୍ଥାତ୍‌ ସାଢ଼େ ୧୧ଟା ବେଳକୁ ପାରା ୪୧.୨ ଡିଗ୍ରିରେ। ୩ ଘଣ୍ଟାରେ ହୁହୁ ହୋଇ ବଢ଼ିଗଲା ୭.୮ ଡିଗ୍ରି। ଅପରାହ୍ଣ ସାଢ଼େ ଗୋଟାଏ ବେଳକୁ ଚଳିତ ଋତୁର ରେକର୍ଡ ଭାଙ୍ଗି ତାପମାତ୍ରା ୪୪.୬ ଡିଗ୍ରିରେ ପହଞ୍ଚିଥିଲା। ସେତିକିବେଳେ ଦେହରେ ଖରା ବାଜିଲେ ତତଲା ଚେଙ୍କ ଭଳି ଅନୁଭବ ହେଉଥିଲା। ସକାଳ ୯ଟାରୁ ହିଁ ଛାତ ଉପରେ ଥିବା ପାଣିଟାଙ୍କିରୁ ତତଲା ପାଣି ବାହାରିବା ଆରମ୍ଭ ‌ହୋଇଯାଇଥିଲା। ଖରାର ପ୍ରକୋପ ଏତେ ଥିଲା ଯେ ଗୋଟିଏ ମିନିଟ୍‌ ବି ଠିଆ ହେଲେ ମୁଣ୍ଡ ବୁଲାଇ ଦେଉଥିଲା।

କଟକରେ ମଧ୍ୟ ଅନୁରୂପ ଅବସ୍ଥା। ସାଢ଼େ ୮ଟା ବେଳକୁ ୩୩ ଡିଗ୍ରି ଥିବା କଟକ ସହର ତାପମାତ୍ରା ଅପରାହ୍ଣ ସାଢ଼େ ୨ଟା ବେଳକୁ ୪୩ ଡିଗ୍ରି ପାର୍‌ହୋଇ ଚଳିତ ଋତୁର ସର୍ବୋଚ୍ଚ ତାପମାତ୍ରା ୪୩.୪ ଡିଗ୍ରିରେ ପହଞ୍ଚିଥିଲା। ଏହି ସମୟରେ ଉଭୟ ସହରର ତାପମାତ୍ରା ଯେତିକି ରହିବା କଥା ତା’ଠାରୁ ୬ ଡିଗ୍ରି ଅଧିକ ରେକର୍ଡ ହୋଇଛି। ଭୁବନେଶ୍ବର ତାପମାତ୍ରା ସ୍ବାଭାବିକଠାରୁ ୬.୮ ଡିଗ୍ରି ଉପରେ ରହିଥିବାବେଳେ କଟକରେ ୬.୩ ଡିଗ୍ରି ବେଶି ଥିଲା। ଚଳିତ ଋତୁରେ ପ୍ରଥମ ଥର ପାଇଁ ଗୋଟିଏ ଦିନରେ ଟ୍ବିନ୍‌ ସିଟିର ତାପମାତ୍ରା ୪୩ ଡିଗ୍ରି ଅତିକ୍ରମ କରିଛି। ଆହୁରି ଭୟଙ୍କର କଥା ହେଉଛି, ଏପ୍ରିଲ ୨୩ରେ ୩୮.୨ ଡିଗ୍ରିରେ ଥିବା କଟକର ତାପମାତ୍ରା ୪ ଦିନରେ ୫.୨ ଡିଗ୍ରି ବଢ଼ିବା ଅନେକଙ୍କୁ ଚିନ୍ତାରେ ପକାଇଛି। ଭୁବନେଶ୍ବରରେ ୧୨ ଦିନ ହେଲା ଦିନର ପାରା ୪୦ ଡିଗ୍ରି ଉପରେ ରହୁଛି। ତତଲା ତାୱାରେ ଭାଜି ‌ହେଉଛନ୍ତି ସହରବାସୀ। ତେବେ ଆଜିର କଷ୍ଟ ସୀମା ଟପିଯାଇଥିଲା। ହୁହୁ ହୋଇ ତାପମାତ୍ରା ବୃଦ୍ଧିରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ସାଧାରଣ ଲୋକେ ଘରୁ ବାହାରିବା ମୁସ୍କିଲ ହୋଇପଡ଼ୁଛି। ରାସ୍ତା ଶୂନ୍‌ଶାନ୍ ଥିଲା, କିନ୍ତୁ ଯେଉଁକିଛି ଲୋକ ବାଇକ୍‌ ଓ ପାଦରେ ଚାଲିଚାଲି ଯାଉଥିଲେ, ସେମାନଙ୍କ କଷ୍ଟ ଦେଖି ହେଉନଥିଲା। ଘରେ ଥିବା ଲୋକ ବି ଝର୍କା ଖୋଲିଲେ ଝାଞ୍ଜି ମାଡ଼ରେ ଅସ୍ତବ୍ୟସ୍ତ ହେଉଥିଲେ। ଯାତ୍ରୀବାହୀ ବସ୍‌ରେ ଯାତ୍ରୀଙ୍କ ସଂଖ୍ୟା ବହୁତ ହ୍ରାସ ପାଇଥିଲା। ଏସି ମୋ ବସ୍‌ରେ ଯିବାଲାଗି ପ୍ରବଳ ପ୍ରତିଯୋଗିତା ହେଉଥିଲା।

ଆହୁରି ସାଂଘାତିକ କଥା ହେଉଛି, ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ଯେ ଏବେ ଏହି ତାତିରୁ ତ୍ରାହି ମିଳିବାର ଆଶା ନାହିଁ। ମେ’ ଦ୍ବିତୀୟ ସପ୍ତାହ ଯାଏ ଭୁବନେଶ୍ବର, କଟକ ସମେତ ସାରା ରାଜ୍ୟରେ ଏହିଭଳି ନିଆଁବର୍ଷା ଜାରି ରହିବ। ରବିବାର ଦିନ ଭୁବନେଶ୍ବର ତାପମାତ୍ରା ୪୩ ଡିଗ୍ରି ଓ କଟକ ତାପମାତ୍ରା ୪୨ ଡିଗ୍ରି ରହିପାରେ। ୨୯ ତାରିଖରେ ପୁଣିଥରେ ତାପମାତ୍ରା ବୃଦ୍ଧି ପାଇ ଯଥାକ୍ରମେ ୪୪ ଡିଗ୍ରି ଓ ୪୩ ଡିଗ୍ରି ରହିବାର ସମ୍ଭାବନା ରହିଛି। ଏପ୍ରିଲ ୩୦ ଓ ମେ’ ୧ରେ ଉଭୟ ସମୟର ତାପମାତ୍ରା ଯଥା‌କ୍ରମେ ୪୨ ଓ ୪୧ ଡିଗ୍ରି ରହିବ। ତେବେ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ରବିବାରରେ ଭୁବନେଶ୍ବର ତାପମାତ୍ରା ୪୬ ଡିଗ୍ରି ହୋଇପାରେ! ୨୮ ଓ ୨୯ ତାରିଖରେ କଟକ ଓ ଭୁବନେଶ୍ବରରେ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ପବନ ଶାନ୍ତ ରହିବା ସହ ତାତି ବିଶେଷ ଖସିବ ନାହିଁ। ସନ୍ଧ୍ୟା ବେଳକୁ ଦକ୍ଷିଣା-ପୂର୍ବା ସାମୁଦ୍ରିକ ପବନ ରହିବ।

ଭୁବନେଶ୍ବରରେ ଚଳିତ ଋତୁର ସର୍ବାଧିକ ତାପମାତ୍ରା
କଟକର ସ୍ଥିତି ବି ବେହାଲ
ଆଜି ପାରଦ ଛୁଇଁବ ୪୬ ଡିଗ୍ରି!

୪ଘଣ୍ଟା ଧରି ଟ୍ରାଫିକ ଜାମ୍‌ ଓ ଖରାରେ କଲବଲ

ଭୁବନେଶ୍ବର: ଆଜି ଦିନ ୧ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ୫ ଘଣ୍ଟା ଧରି ଜାତୀୟ ରାଜପଥରେ ଗାଡ଼ି ଚଳାଚଳ ଅଟକି ଯାଇଥିଲା। ପ୍ରବଳ ଖରା ସାଙ୍ଗକୁ ଟ୍ରାଫିକ୍‌ ଜାମ୍‌ରେ ପ୍ରାୟ ୬ଘଣ୍ଟା ଫସି ବିକଟାଳ ହର୍ନ, ଧୂଳି ଓ ଧୂଆଁରେ ଅଣନିଶ୍ବାସୀ ହୋଇଗଲେ ବିଭିନ୍ନ ଗାଡ଼ି ଭିତରେ ଥିବା ହଜାର ହଜାର ଲୋକ। ଆଜିର ସ୍ଥିତି ଆଖିରେ ନଦେଖିଲେ ବିଶ୍ବାସ କରିବା କଷ୍ଟ। ବିଶେଷକରି ଫରେଷ୍ଟ ବିଭାଗର ପରୀକ୍ଷା ଥିବାରୁ ପରୀକ୍ଷାର୍ଥୀମାନେ ଦଳଦଳ ହୋଇ ପ୍ରବଳ ଖରାରେ ‌ବସ୍‌ରୁ ଓହ୍ଲାଇ ପଳାସୁଣି ଛକରୁ ହଂସପାଳ ପର୍ଯ୍ୟନ୍ତ ଚାଲି ଚାଲି ଯାଇଥିଲେ। ଏହାକୁ ନେଇ ସବୁ ବର୍ଗର ଲୋକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ସୂଚନାନୁସାରେ ହଂସପାଳ ଓଭରବ୍ରିଜ୍ କାମ ଚାଲୁଥିବାରୁ ସର୍ଭିସ ରୋଡ୍‌ ଦେଇ ଆଜି ଗାଡ଼ି ଛଡ଼ା ଯାଇଥିଲା। ଫଳରେ ହଂସପାଳ ଠାରୁ ବାଣୀବିହାର ପର୍ଯ୍ୟନ୍ତ ଗାଡ଼ି ଅଟକି ଯାଇଥିଲା। ଏହାସହ ହଂସପାଳଠାରୁ ବାଣୀବିହାର ପର୍ଯ୍ୟନ୍ତ ଉଭୟ ପାଖ ରାସ୍ତାରେ ଗାଡ଼ି ଜାମ୍‌ ହୋଇ ଯାଇଥିଲା। ଏହାପରେ ରସୁଲଗଡ଼ ସର୍ଭିସରୋଡ୍‌, କଟକରୋଡ୍‌ ଓ ହଂସପାଳରୁ ବାଣୀବିହାର ପର୍ଯ୍ୟନ୍ତ ୧୬ ନମ୍ବର ଜାତୀୟ ରାଜପଥକୁ ସଂଯୋଗ କରୁଥିବା ସମସ୍ତ ରାସ୍ତା ଜାମ୍‌ ହୋଇଯାଇଥିଲା। ଏମିତିକି ଗୁରୁତର ରୋଗୀଙ୍କୁ ନେଇ ଯାଉଥିବା ଏକାଧିକ ଆମ୍ବୁଲାନ୍ସ ଭିଡ଼ ଭିତରେ ଫସି ରହିଥିଲା।

ସମ୍ବନ୍ଧିତ ଖବର