ଗୁଜରାଟ କୋଭିଡ୍‌ ହସ୍ପିଟାଲରେ ନିଆଁ ଲାଗିବା ପରେ… ରାଜଧାନୀରେ ଯାଞ୍ଚ ଆରମ୍ଭ

ଭୁବନେଶ୍ୱର : ଗୁଜରାଟ ଅହମ୍ମଦାବାଦରେ କୋଭିଡ୍‌ ହସ୍ପିଟାଲରେ ନିଆଁ ଲାଗି ୮ଜଣ ରୋଗୀଙ୍କ ମୃତ୍ୟୁ ପରେ ଏବେ ଓଡ଼ିଶାରେ କୋଭିଡ୍ ହସ୍ପିଟାଲ୍ ଓ କୋଭିଡ୍ କେୟାର ସେଣ୍ଟର ଅଗ୍ନି ନିରାପତ୍ତା ନେଇ ପ୍ରଶ୍ନ ଉଠିଛି। ଅଗ୍ନିଶମ ଡିଜି ସତ୍ୟଜିତ ମହାନ୍ତିଙ୍କ ନିର୍ଦ୍ଦେଶ ପରେ ଆରମ୍ଭ ହୋଇଛି ତନାଘନା। ଆଜି ଭୁବନେଶ୍ବର ଅଗ୍ନିଶମ କେନ୍ଦ୍ରର ୫ ଜଣିଆ ଟିମ୍ ସମ୍ ଓ କିମସ୍ କୋଭିଡ୍ ହସ୍ପିଟାଲରେ ଯାଞ୍ଚ କରିଛନ୍ତି। ଯଦି କୌଣସି ଅଘଟଣ ଘଟେ, ତାହାଲେ ଏହାକୁ କିପରି ମୁକାବିଲା କରାଯାଇପାରିବ, ରୋଗୀମାନଙ୍କୁ କିପରି ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇ ପାରିବ, ସେ ସମ୍ପର୍କରେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି। ଯାଞ୍ଚ ସମୟରେ ସ୍ବାସ୍ଥ୍ୟ ବିଭାଗ ଟିମ୍ ମଧ୍ୟ ଉପସ୍ଥିତ ରହି ଅନୁଧ୍ୟାନ କରିଛି। କୋଭିଡ୍ ମୁକାବିଲା ସମୟରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଏକ ବଡ଼ ଚାଲେଞ୍ଜ। ସେହିପରି ଏହି ଯାଞ୍ଚ ପ୍ରକ୍ରିୟା ସମୟ ସାପେକ୍ଷ ହୋଇଥିବାରୁ ସବୁ ହସ୍ପିଟାଲ ଓ କୋଭିଡ୍ କେୟାର ସେଣ୍ଟର ଯାଞ୍ଚ କରିବାକୁ ଦୁଇରୁ ତିନି ତିନ ଲାଗିବ ବୋଲି ଅନୁମାନ କରାଯାଉଛି। ଅଧିକାଂଶ କୋଭିଡ୍ କେୟାର ସେଣ୍ଟର୍‌ରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନଥିବା ଜଣାପଡ଼ିଛି, ଯାହା ଏବେ ଚିନ୍ତାର ବିଷୟ ପାଲଟିଛି। ହସ୍ପିଟାଲ କିମ୍ବା କୋଭିଡ୍ କେୟାର ସେଣ୍ଟର ଆରମ୍ଭ ସମୟରେ କାହିଁକି ଏହି ଗୁରୁତ୍ବପୂର୍ଣ୍ଣ ଦିଗ ପ୍ରତି ଧ୍ୟାନ ଦିଆଯାଇ ନଥିଲା, ତାହାକୁ ନେଇ ପ୍ରଶ୍ନ ଉଠିଛି। ରାଜଧାନୀ ଓ ଏହାର ଉପକଣ୍ଠ ଅଞ୍ଚଳରେ କୋଭିଡ୍ ହସ୍ପିଟାଲ ଓ କୋଭିଡ୍ କେୟାର ସେଣ୍ଟର ସଂଖ୍ୟା ୧୦ରୁ ଅଧିକ ହେବ। ୨୪ ଘଣ୍ଟା ଭିତରେ ଯାଞ୍ଚ ଶେଷ କରି ରିପୋର୍ଟ ଦାଖଲ କରିବା ପାଇଁ ଅଗ୍ନିଶମ ଡିଜି ସତ୍ୟଜିତ ମହାନ୍ତି ସମସ୍ତ ଡେପୁଟି ଫାୟାର ଅଫିସର ଓ ଆସିଷ୍ଟାଣ୍ଟ ଫାୟାର ଅଫିସରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏ ସମ୍ପର୍କରେ ହସ୍ପିଟାଲ ଓ କୋଭିଡ୍ କେୟାର ସେଣ୍ଟର ଦାୟିତ୍ବରେ ଥିବା ଅଧିକାରୀଙ୍କୁ ଅବଗତ କରାଯିବ।

ସମ୍ବନ୍ଧିତ ଖବର