ଅଗ୍ନି ନିରାପତ୍ତା ସାର୍ଟିଫିକେଟ୍‌: ନିଜର ନାହିଁ, ଅନ୍ୟକୁ ତାଗିଦ୍ କରୁଛନ୍ତି

କୃଷି ଭବନକୁ ଛାଡ଼ି କୌଣସି ସରକାରୀ କାର୍ଯ୍ୟାଳୟର ଅଗ୍ନି ନିରାପତ୍ତା ସାର୍ଟିଫିକେଟ୍‌ ନାହିଁ

ଭୁବନେଶ୍ବର(ବିଶ୍ବଜିତ ଦାଶ): କେଉଁ ଭଳି କୋଠା, ପ୍ରତିଷ୍ଠାନ ପାଇଁ ଅଗ୍ନି ନିରାପତ୍ତା ସାର୍ଟିଫିକେଟ୍‌ ଦରକାର ସେନେଇ ଓଡ଼ିଶା ଅଗ୍ନିଶମ ସେବା ଆଇନ,୧୯୯୩ ଏବଂ ଓଡ଼ିଶା ଅଗ୍ନି ନିବାରଣ ଏବଂ ଅଗ୍ନି ସୁରକ୍ଷା(ସଂଶୋଧିତ) ନିୟମ, ୨୦୧୯ରେ ସ୍ପଷ୍ଟ ଉଲ୍ଲେଖ କରାଯାଇଛି। ଏହି ଆଇନ୍ ଓ ନିୟମ ଲୋକସେବା ଭବନରେ (ସେତେବେ‌ଳର ସଚିବାଳୟ) ଥିବା ଗୃହ ବିଭାଗ ପକ୍ଷରୁ କରାଯାଇଥିଲା। ଏହା ଉପରେ ରାଜ୍ୟ ବିଧାନସଭାରେ ଚୂଡ଼ାନ୍ତ ମୋହର ବାଜିଥିଲା। ଯାହାକୁ ଆଧାର କରି ଅଗ୍ନିଶମ ବିଭାଗ ସାରା ରାଜ୍ୟରେ ଅଗ୍ନି ନିରାପତ୍ତା ସାର୍ଟିଫିକେଟ୍‌ ନେଇ ତନାଘନା କରୁଛି। ଆଶ୍ଚର୍ଯ୍ୟର ବିଷୟ ଯେଉଁ ‌େଲାକସେବା ଭବନ ଓ ବିଧାନସଭାରେ ଏହି ନିୟମ ହୋଇଥିଲା ସେହି ଦୁଇଟି କୋଠାର ଅଗ୍ନି ନିରାପତ୍ତା ସାର୍ଟିଫିକେଟ୍ ନାହିଁ।

କେବଳ ଏତିକି ନୁହେଁ ଯେଉଁ କମିସନରେଟ୍‌ ପୁଲିସ ‌ବିଲଡିଂରେ ପୁଲିସ ଡିଜି ଏବଂ ଅଗ୍ନିଶମ ବିଭାଗ ଡିଜି ବସୁଛନ୍ତି ତାହାର ବି ଅଗ୍ନି ନିରାପତ୍ତା ସାର୍ଟିଫିକେଟ୍‌ ନାହିଁ। ଯେଉଁ ବିଡିଏ ଓ ବିଏମ୍‌ସି ଲୋକ/ସଂସ୍ଥାଙ୍କ ଘର/ବ୍ୟବସାୟିକ ପ୍ରତିଷ୍ଠାନର ପ୍ଲାନ୍ ଅନୁମୋଦନ କରିବା ପୂର୍ବରୁ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଦେଖୁଛନ୍ତି, ବିନା ଅଗ୍ନି ନିରାପତ୍ତା ସାର୍ଟିଫିକେଟ୍‌ରେ ଅକୁପାନ୍ସି ସାର୍ଟିଫିକେଟ୍‌ ଦେଉନାହାନ୍ତି ସେହି ଦୁଇଟି ସଂସ୍ଥାର ବି ଅଗ୍ନି ନିରାପତ୍ତା ସାର୍ଟିଫିକେଟ୍‌ ନାହିଁ। ରାଜଧାନୀରେ କୃଷି ଭବନକୁ ଛାଡ଼ି ଦେଲେ ରାଜ୍ୟ ସରକାରଙ୍କର କୌଣସି କୋଠାରେ ଅଗ୍ନି ନିରାପତ୍ତା ସାର୍ଟିଫିକେଟ୍‌ ନାହିଁ। ରାଜ୍ୟ ସରକାର ନିଜ କୋଠାରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନକରି ଅନ୍ୟକୁ ତାଗିଦ୍ କରୁଛନ୍ତି ବୋଲି କୁହାଯାଉଛି। ଏପରିକି ଅଗ୍ନିଶମ ଡିଜି ଘରୋଇ ସଂସ୍ଥା ଉପରେ ଯେଉଁ ତନାଘନା କରୁଛନ୍ତି ସେ ସରକାରୀ କାର୍ଯ୍ୟାଳୟରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା କରିବା ପାଇଁ କାହିଁକି ତତ୍ପରତା ଦେଖାଉନାହାନ୍ତି ବୋଲି ବି ପ୍ରଶ୍ନ ଉଠିଲାଣି।

ଅଗ୍ନିଶମ ବିଭାଗ କେଉଁ ଆପାର୍ଟମେଣ୍ଟ, ସପିଂ ମଲ୍‌, ହସ୍ପିଟାଲ, ହୋଟେଲ, ବ୍ୟାଙ୍କ, ସିନେମା ହଲ୍‌ରେ ଅଗ୍ନି ନିରାପତ୍ତା ସାର୍ଟିଫିକେଟ୍‌ ଅଛି କି ନାହିଁ ତାକୁ ଯାଞ୍ଚ କରିବାକୁ, ସିଲ୍‌ କରିବାକୁ ତନାଘନା କରୁଛି। ହେଲେ ରାଜ୍ୟ ବିଧାନସଭାରୁ ଆରମ୍ଭ ସଚିବାଳୟ, ଖାରବେଳ ଭବନ, କମିସନରେଟ୍ ପୁଲିସ ମୁଖ୍ୟାଳୟ, ତୋଷାଳି ଭବନ, ବିଡିଏ ଅଫିସ, ବିଏମ୍‌ସି ଅଫିସ, ନ’ତାଲା, ରାଜୀବ ଭବନ, ଉନ୍ନତି ଭବନ ଭଳି ରାଜ୍ୟ ସରକାରଙ୍କ ପ୍ରମୁଖ ସରକାରୀ କୋଠାରେ ଅଗ୍ନି ନିରାପତ୍ତା ସାର୍ଟିଫିକେଟ୍ ନଥିଲେ ହେଁ ଏହାକୁ ଯାଞ୍ଚ କରିବାକୁ କାହିଁକି ବାବୁଙ୍କ ପାଦ ପଡ଼ୁନି ବୋଲି ପ୍ରଶ୍ନ ଉଠିଲାଣି।କେବଳ ରାଜ୍ୟ ସରକାରଙ୍କ ଅଧୀନସ୍ଥ ସଂସ୍ଥା ନୁହେଁ ବିମାନବନ୍ଦର ବିଲଡିଂ, ରେଳ ଷ୍ଟେସନ ସମେତ କେନ୍ଦ୍ର ସରକାରଙ୍କ ବହୁ କାର୍ଯ୍ୟାଳୟରେ ବି ଅଗ୍ନି ନିରାପତ୍ତା ବ୍ୟବସ୍ଥା ନାହିଁ। ଯେଉଁମାନେ ନିୟମ କରିଛନ୍ତି ସେମାନେ ନିୟମ ମାନିବାକୁ ନାରାଜ। ଅଗ୍ନି ନିରାପତ୍ତା ବ୍ୟବସ୍ଥା ନଥିବା ସପିଂ ମଲ୍‌, ଆପାର୍ଟମେଣ୍ଟ, ହୋଟେଲ, ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଲେ ଲୋକଙ୍କ ଜୀବନ ପ୍ରତି ବିପଦ ରହିଛି ଏବଂ ଭୟାବହ ଅଘଟଣ ଘଟିବାର ଆଶଙ୍କା ରହିଛି। ତେଣୁ ଅଗ୍ନି ନିରାପତ୍ତା ବ୍ୟବସ୍ଥା କଡ଼ାକଡ଼ି କରାଯାଉଛି ବୋଲି ଅଗ୍ନିଶମ ବିଭାଗ କହୁଛି। ହେଲେ ଲୋକସେବା ଭବନ, ବିଧାନସଭା, ଉନ୍ନତି ଭବନ, ଖାରବେଳ ଭବନ, ନ’ତାଲା, ରାଜୀବ ଭବନ ଭଳି କୋଠାରେ ଯେଉଁଠାରେ ‌ ଶହଶହ ଲୋକ କାମ କରୁଛନ୍ତି, ବିଭିନ୍ନ କାମରେ ଶହଶହ ଲୋକ ଆସୁଛନ୍ତି ସେଠାରେ କ’ଣ ନିଆଁ ଲାଗିଲେ ଲୋକଙ୍କ ଜୀବନ ପ୍ରତି ବିପଦ ନାହିଁ ବୋଲି ପ୍ରଶ୍ନର ଜବାବ୍ କିନ୍ତୁ ଅଗ୍ନିଶମ ବିଭାଗ ପାଖରେ ନାହିଁ।

ଏପରିକି ବାରମ୍ବାର ଲୋକସେବା ଭବନରେ ଅଗ୍ନିକାଣ୍ଡ ଘଟିଥିଲେ ହେଁ ସବୁ ଜଳି ପୋଡ଼ି ପାଉଁଶ ହେଲା ପରେ ଅଗ୍ନିଶମ ବିଭାଗ ଗାଡ଼ି ପହଞ୍ଚିଛି। ଏଠାରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ହୋଇନଥିଲେ ହେଁ ଅଗ୍ନିଶମ ବିଭାଗ ଆଜି ପର୍ଯ୍ୟନ୍ତ କାହାକୁ ନୋଟିସ୍ କରିନି। ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନଥିବାରୁ ବିଭିନ୍ନ ସମୟରେ ଅଗ୍ନିକାଣ୍ତ ଘଟି ସବୁ ଜଳି ପୋଡ଼ି ପାଉଁଶ ହୋଇଯାଇଛି। ସେ କ୍ଷେତ୍ରରେ ବି କାହାକୁ ନୋଟିସ୍ କରାଯାଇନି। ଏସବୁ ବାଦ୍ ଖାରବେଳ ଭବନ, ଉନ୍ନତି ଭବନ ଏବେ ନୂଆ କରି ନିର୍ମାଣ ହୋଇଥିଲେ ହେଁ ଏହି ଦୁଇଟି କୋଠାର ଅଗ୍ନି ନିରାପତ୍ତା ସାର୍ଟିଫିକେଟ୍‌ ନାହିଁ। ତୋଷାଳି ଭବନକୁ ବହୁ ଅଫିସ୍ ସ୍ଥାନାନ୍ତର ହେଉଥିଲେ ହେଁ ଏଠାରେ ବି ଅଗ୍ନି ନିରାପତ୍ତା ବ୍ୟବସ୍ଥା ନାହିଁ। ବିନା ଅଗ୍ନି ନିରାପତ୍ତା ବ୍ୟବସ୍ଥାରେ ସବୁ କାର୍ଯ୍ୟାଳୟ ଚାଲିଛି, ଶହଶହ ଲୋକଙ୍କ ଜୀବନକୁ ବାଜି ଲଗାଇ ବିଭାଗୀୟ ଅଧିକାରୀମାନେ ଚୁପ୍ ବସିପଡ଼ିଛନ୍ତି। ସେହିପରି ରେଳ ଷ୍ଟେସନ ଓ ବିମାନବନ୍ଦରକୁ ପ୍ରତ୍ୟହ ହଜାର ହଜାର ଲୋକ ଯାତାୟାତ କରୁଥିଲେ ହେଁ ଏଠାରେ ଅଗ୍ନି ନିରାପତ୍ତା ସାର୍ଟିଫିକେଟ୍‌ ନାହିଁ। ବିମାନବନ୍ଦର ବିଲଡିଂ ପାଇଁ ଯଦିଓ କର୍ତ୍ତୃପକ୍ଷ ଏହି ସାର୍ଟିଫିକେଟ୍‌ ନେଇଥିଲେ ଦୁଇବର୍ଷ ପରେ ଏହାର ଅବଧି ସରି ଯାଇଛି। ପ୍ରାୟ ବର୍ଷକ ତଳୁ ଅବଧି ସରିଥିଲେ ହେଁ ଆଜି ପର୍ଯ୍ୟନ୍ତ ନୂଆ ସାର୍ଟିଫିକେଟ୍ ନେଇନାହାନ୍ତି।

କାହା ପାଇଁ ଦରକାର ଅଗ୍ନି ନିରାପତ୍ତା ସାର୍ଟିଫିକେଟ୍‌
୧. ୫୦୦ ବର୍ଗମିଟର ଏବଂ ଏହାଠାରୁ ଅଧିକ ନିର୍ମିତ ସମସ୍ତ କୋଠା, କାର୍ଯ୍ୟାଳୟ ପାଇଁ ଅଗ୍ନି ନିରାପତ୍ତା ସାର୍ଟିଫିକେଟ୍‌ ଦରକାର
୨. ବିମାନବନ୍ଦର, ଏୟାରଷ୍ଟ୍ରିପ୍, ସ‌ିନେମା ହଲ୍‌, ମଲ୍ଟିପ୍ଲେକ୍ସ, ଗୋଦାମ ଘର, ପରିବହନ ଯାନ, କାରଖାନା, ପେଟ୍ରୋଲିୟମ ଡିପୋ, ପେଟ୍ରୋଲ ପମ୍ପ
୩. ଅଣ୍ଡରଗ୍ରାଉଣ୍ଡ, ଆଂଶିକ ଅଣ୍ଡରଗ୍ରାଉଣ୍ଡ ଘର
୪. ଅଡିଟୋରିୟମ, କନଭେନସନ୍ ହଲ୍‌
୫. ବାଣିଜ୍ୟିକ ପ୍ରତିଷ୍ଠାନ, କାର୍ଯ୍ୟାଳୟ। ୧୨ମିଟର ବା ଏହାଠାରୁ ଅଧିକ ଉଚ୍ଚତାର କୋଠା
୬. ୧୨ମିଟରରୁ ଅଧିକ କ୍ଲିନିକାଲ ଏଷ୍ଟାବ୍ଲିସମେଣ୍ଟ, ୩୦ ଶଯ୍ୟାରୁ ଅଧିକ, କ୍ରିଟିକାଲ କେୟାର ୟୁନିଟ ଥିବ
୭. ୧୨ମିଟର ବା ଏହାଠାରୁ ଅଧିକ ଉଚ୍ଚତା ବିଶିଷ୍ଟ ଶିକ୍ଷାନୁଷ୍ଠାନ, ୧ହଜାର ବର୍ଗମିଟରରୁ ଅଧିକ ଅଞ୍ଚଳରେ ନିର୍ମାଣ ହୋଇଥିବା ଶିକ୍ଷାନୁଷ୍ଠାନ, ତିନି ମହଲା ବିଶିଷ୍ଟ କୋଠା ହୋଇଥିଲେ
୮. ୧୨ମିଟର ବା ଏହାଠାରୁ ଅଧିକ ଉଚ୍ଚତାର ହୋଟେଲ, ଲଜିଂ, ଗେଷ୍ଟ ହାଉସ୍, ୫୦୦ ବର୍ଗମିଟରରୁ ଅଧିକ, ଥ୍ରିଷ୍ଟାର ଏବଂ ଏହାଠାରୁ ଅଧିକ କ୍ୟାଟେଗୋରି, ଯେଉଁ ହୋଟେଲରେ ଅଡିଟୋରିୟମ, କନଭେନସନ୍ ହଲ୍‌, ସମ୍ମିଳନୀ ଗୃହ, ରିକ୍ରିଏସନ୍ ହଲ୍ ଥିବ
୯. ୯ମିଟର ବା ଏହାଠାରୁ ଅଧିକ ଉଚ୍ଚତାର ମଲ୍‌, ସପିଂ କମ୍ପ୍ଲେକ୍ସ, , ୫୦୦ ବର୍ଗମିଟରରୁ ଅଧିକ
୧୦. ଯେଉଁ ଆବାସିକ ଗୃହ ୧୫ମିଟର ବା ଏହାଠାରୁ ଅଧିକ ଉଚ୍ଚତାର ହୋଇଥିବ
୧୧. ୧୦୦୦ ବର୍ଗମିଟରର ଅସ୍ଥାୟୀ ନିର୍ମାଣ ହୋଇଥିବ ଏବଂ ଏଠାରେ ୨୦୦୦ ବା ଏହାଠାରୁ ଅଧିକ ଲୋକ ଏକଜୁଟ୍‌ ହେଉଥିବେ

ସମ୍ବନ୍ଧିତ ଖବର