୩୦୦ରୁ ୨୮ ହସ୍ପିଟାଲ ନେଇଛନ୍ତି ଅଗ୍ନି ନିରାପତ୍ତା ସାର୍ଟିଫିକେଟ୍

ବେଆଇନ ଭାବେ ଚାଲିଛି ଶହ ଶହ ହସ୍ପିଟାଲ

ଭୁବନେଶ୍ବର : ଖୋର୍ଧା ଜିଲ୍ଲାରେ ସମୁଦାୟ ୩ଶହ ହସ୍ପିଟାଲ କ୍ଲିନିକାଲ ଏଷ୍ଟାବ୍ଲିସମେଣ୍ଟ ଆଇନରେ ପଞ୍ଜୀକୃତ ହୋଇଛନ୍ତି। ସେଥିରୁ ୯୦ ପ୍ରତିଶତ ହେଉଛନ୍ତି କେବଳ ରାଜଧାନୀରେ। ତେବେ ପଞ୍ଜୀକୃତ ହସ୍ପିଟାଲଙ୍କ ମଧ୍ୟରୁ କେବଳ ୨୮ ହସ୍ପିଟାଲ ନିକଟରେ ଅଗ୍ନି ନିରାପତ୍ତା ସାର୍ଟିଫିକେଟ୍‌ ରହିଛି। ଅନ୍ୟ ହସ୍ପିଟାଲଗୁଡ଼ିକ ‌ବିନା ଅଗ୍ନି ନିରାପତ୍ତା ସାର୍ଟିଫିକେଟ୍‌ରେ ବର୍ଷ ବର୍ଷ ଧରି ବ୍ୟବସାୟ ଚଳାଇଛନ୍ତି। ଗତ ୨/୩ବର୍ଷ ଭିତରେ ରାଜଧାନୀରେ ଏକାଧିକ ହସ୍ପିଟାଲରେ ନିଆଁ ଲାଗି ରୋଗୀ ପ୍ରାଣ ହରାଇଥିଲେ ହେଁ, ହସ୍ପିଟାଲଗୁଡ଼ିକ ଅଗ୍ନି ନିରାପତ୍ତା ସାର୍ଟିଫିକେଟ୍ ନେବାକୁ ଉଚିତ୍ ମଣୁ ନାହାନ୍ତି କି ଜିଲ୍ଲା ପ୍ରଶାସନ ଏହାକୁ ଗୁରୁତ୍ବ ଦେଉନାହିଁ। ଅପରପକ୍ଷରେ ରାଜଧାନୀ ସମେତ ଖୋର୍ଧା ଜିଲ୍ଲାରେ ଯେତିକି ସଂଖ୍ୟକ ହସ୍ପିଟାଲ ପଞ୍ଜୀକୃତ ହୋଇଛନ୍ତି ତାଠାରୁ ଯଥେଷ୍ଟ ଅଧିକ ସଂଖ୍ୟକ ହସ୍ପିଟାଲ ବିନା ପଞ୍ଜୀକରଣରେ ବ୍ୟବସାୟ କରୁଛନ୍ତି। ଏମାନଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନୋଟିସ୍ ଜାରି କରାଯାଉ ନାହିଁ କି ଯାଞ୍ଚ ମଧ୍ୟ ହେଉନାହିଁ।

ସ୍ବାସ୍ଥ୍ୟ ବିଭାଗରୁ ମିଳିଥିବା ସୂଚନା ଅନୁସାରେ, ଖୋର୍ଧା ଅଞ୍ଚଳରେ ୨୦ଟି ହସ୍ପିଟାଲକୁ ବାଦ୍ ଦେଲେ ବାକି ୨୮୦ ପଞ୍ଜୀକୃତ ହସ୍ପିଟାଲ ରହିଛନ୍ତି ରାଜଧାନୀରେ। ସେମାନଙ୍କ ମଧ୍ୟରୁ ୩୨ଜଣଙ୍କର ପଞ୍ଜୀକରଣର ବୈଧତା ରହିଛି। ମାତ୍ର ଖୋର୍ଧା ଅଞ୍ଚଳର କୌଣସି ହସ୍ପିଟାଲ ଅଗ୍ନି ନିରାପତ୍ତା ସାର୍ଟିଫିକେଟ୍ ନେଇ ନାହାନ୍ତି। ଯେଉଁ ହସ୍ପିଟାଲ ନେଇଛନ୍ତି ସେମାନଙ୍କର ବୈଧତା ଶେଷ ହୋଇଯାଇଛି। ଯେଉଁ ‌୨୮ଟି ହସ୍ପିଟାଲ ଅଗ୍ନି ନିରାପତ୍ତା ସାର୍ଟିଫିକେଟ୍ ନେଇଛନ୍ତି ତାହା କେବଳ ରାଜଧାନୀରେ। ପଞ୍ଜୀକୃତ ୨୮୦ ହସ୍ପିଟାଲ ମଧ୍ୟରୁ ୨୮ଜଣଙ୍କ ନିକଟରେ ଅଗ୍ନି ନିରାପତ୍ତା ସାର୍ଟିଫିକେଟ୍‌ ଅଛି ଯାହା ମାତ୍ର ୧୦ ପ୍ରତିଶତ। ୩୦ଟି ଶଯ୍ୟା ଥିବା ହସ୍ପିଟାଲଗୁଡ଼ିକ ପାଇଁ ଅଗ୍ନି ନିରାପତ୍ତା ସାର୍ଟିଫିକେଟ୍‌ର ଆବଶ୍ୟକତା ପଡ଼ିଥାଏ। ତଥାପି କିଛି ଛୋଟ ହସ୍ପିଟାଲ ମଧ୍ୟ ଏହି ସାର୍ଟିଫିକେଟ୍ ନେଇଥିବା ଜଣାପଡ଼ିଛି। ‌ଏତେ ସଂଖ୍ୟକ ହସ୍ପିଟାଲ ବିନା ଅଗ୍ନି ନରାପତ୍ତା ସାର୍ଟିଫିକେଟ୍‌ରେ ବ୍ୟବସାୟ କରୁଥିଲେ ହେଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଗୁଡ଼ିକୁ ନିୟମିତ ଯାଞ୍ଚ କରାଯାଉ ନାହିଁ। କୌଣସି ଅଘଟଣ ଘଟିଲେ କିଛି ସମୟ ପାଇଁ ପ୍ରଶାସନ ତତ୍ପର ହୋଇଉଠୁଛି, ନ ହେଲେ ବର୍ଷସାରା ଏସବୁ ହସ୍ପିଟାଲଗୁଡ଼ିକ ଉପରେ ଯାଞ୍ଚ ନେଉ ନାହାନ୍ତି କି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ।

ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁସାରେ, ରାଜଧାନୀରେ ‌ବେଆଇନ ଭାବେ ଶହ ଶହ ହସ୍ପିଟାଲ ବ୍ୟବସାୟ କରୁଛନ୍ତି। ସେମାନେ ପଞ୍ଜୀକୃତ ହୋଇ ନାହାନ୍ତି କି ସେମାନଙ୍କ ନିକଟରେ ଅଗ୍ନି ନିରାପତ୍ତା ସାର୍ଟିଫିକେଟ୍‌ ମଧ୍ୟ ନାହିଁ। ଜିଲ୍ଲାପାଳଙ୍କ ପକ୍ଷରୁ ଯଦି ସମସ୍ତ କ୍ଲିନିକାଲ ଏଷ୍ଟାବ୍ଲିସମେଣ୍ଟକୁ ଯାଞ୍ଚ କରିବାର ନିର୍ଦେଶ ଦିଆଯାଏ ତେବେ ବେଆଇନ ଭାବେ ବ୍ୟବସାୟ କରୁଥବା ହସ୍ପିଟାଲ ସଂପର୍କରେ ତଥ୍ୟ ସାମ୍ନାକୁ ଆସିପାରିବ। ଏସବୁ ହସ୍ପିଟାଲଗୁଡ଼ିକର ନିୟମିତ ଯାଞ୍ଚ କରିବାର ଆବଶ୍ୟକତା ରହିଛି ବୋଲି ଅଧିକାରୀ ସୂଚନା ଦେଇଛନ୍ତି।

ଉଲ୍ଲେଖ ଯେ, କ୍ଲିନିକାଲ ଏଷ୍ଟାବ୍ଲିସମେଣ୍ଟ ଆଇନରେ ହସ୍ପିଟାଲଗୁଡ଼ିକର ପଞ୍ଜୀକରଣ ପୂର୍ବରୁ ଡିଏମ୍‌ଇଟିଙ୍କ ନିକଟରେ କରାଯାଉଥିଲା। ମାତ୍ର ବିଭିନ୍ନ କାରଣ ପାଇଁ ବର୍ଷ ବର୍ଷ ଧରି ହସ୍ପିଟାଲଗୁଡ଼ିକର ପଞ୍ଜୀକରଣ ହୋଇ ନ ପାରି ଡିଏମ୍‌ଇଟିଙ୍କ କାର୍ଯ୍ୟାଳୟରେ ପଡ଼ି ରହିଥିଲା। ତେବେ ୩ବର୍ଷ ତଳେ ହସ୍ପିଟାଲଗୁଡ଼ିକର ପଞ୍ଜୀକରଣ/ନବୀକରଣ ଦାୟିତ୍ବ ଜିଲ୍ଲା ପ୍ରଶାସନକୁ ହସ୍ତାନ୍ତର କରାଯାଇଛି। ଫଳରେ ଜିଲ୍ଲାୱାରି ହସ୍ପିଟାଲଗୁଡ଼ିକ ନିଜ ନିଜ ଜିଲ୍ଲାରେ ପଞ୍ଜୀକରଣ/ନବୀକରଣ କରିବାକୁ ପଡ଼ୁଛି। ଏହାସତ୍ବେ ଶହ ଶହ ହସ୍ପିଟାଲ ପଞ୍ଜୀକରଣ କରୁ ନାହାନ୍ତି କି ନବୀକରଣ କରିବାକୁ ଇଚ୍ଛା ପ୍ରକାଶ କରୁ ନାହାନ୍ତି।

ସମ୍ବନ୍ଧିତ ଖବର