ରାଜଧାନୀର ୨୬ ସ୍ଥାନରେ ଅଗ୍ନିଶମ ବିଭାଗର ଚଢ଼ଉ

ହୋଟେଲ, ସୋ’ରୁମ୍‌ ଓ ସପିଂ ମଲ୍‌ରେ ଅଗ୍ନି ନିରାପତ୍ତା ହୁଗୁଳା

ହୋଟେଲ ନ୍ୟୁ ମାରିୟନ୍‌ର ଦୁଇଟି କକ୍ଷ ସିଲ୍‌

ଭୁବନେଶ୍ୱର : କଟକର ଲାଗ୍‌ ଲାଗ୍‌ ଦୁଇ ଦୁଇଟି ସପିଂ ମଲ୍‌ରେ ନିଆଁ ଲାଗିବା ପରେ ସତର୍କ ହୋଇ ଉଠିଛି ଅଗ୍ନିଶମ ବିଭାଗ। ରାଜଧାନୀର ବିଭିନ୍ନ ବଡ଼ ବଡ଼ ହୋଟେଲ୍‌, ଗହଣା ଦୋକାନ ଓ ସପିଂ ମଲ୍‌ଗୁଡ଼ିକରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାର ଯାଞ୍ଚ ପାଇଁ ଆଜି ଅଗ୍ନିଶମ ବିଭାଗ ପକ୍ଷରୁ ୨୬ଟି ସ୍ଥାନରେ ଚଢ଼ଉ କରାଯାଇଛି। ଏହା ଫଳରେ କେତେକ ହୋଟେଲ, ମଲ୍‌ ଓ ସୋ’ରୁମ୍‌ରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାର ବିକଳ ଚିତ୍ର ପଦାକୁ ଆସିଛି। ନିରାପତ୍ତାକୁ ଦୃଷ୍ଟିରେ ରଖି ହୋଟେଲ୍‌ ନ୍ୟୁ ମାରିୟନର ବେସ୍‌ମେଣ୍ଟରେ ଥିବା ୨ଟି ହଲ୍‌କୁ ବିଭାଗ ବିଭାଗ ପକ୍ଷରୁ ସିଲ୍‌ କରି ଦିଆଯାଇଛି। ବାହାଘର, ବ୍ରତଘର ଏବଂ ବିଭିନ୍ନ ଉତ୍ସବ ପାଇଁ ବ୍ୟବହାର କରାଯାଉଥିବା ‘ମିନ୍ତ୍ରା ନିର୍ବାଣ’ ଓ ‘ଦ ସାପାୟାର’ ନାମକ ଦୁଇଟି ହଲ୍‌ରେ ବିଭାଗ ତାଲା ମାରିଛି।

ଆଜିର ଚଢ଼ଉ ବେଳେ ଜଣାପଡ଼ିଛି ଯେ, ରାଜଧାନୀର କୌଣସି ଗୋଟିଏ ବି ମଲ୍‌, ହୋଟେଲ୍‌ କିମ୍ବା ଗହଣା ଦୋକାନ ଜରୁରୀକାଳୀନ ପରିସ୍ଥିତିକୁ ମୁକାବିଲା କରିବାରେ ସମର୍ଥ ନୁହନ୍ତି। ମଲ୍‌ଗୁଡ଼ିକରେ ପର୍ଯ୍ୟାପ୍ତ ପରିମାଣର ଅଗ୍ନି ନର୍ବାପକ ଯନ୍ତ୍ର ନାହିଁ। ଯେଉଁ ଯନ୍ତ୍ରଗୁଡ଼ିକ ଅଛି ତାହା ଠିକଣା ସମୟରେ କାମରେ ଆସିବା ନେଇ ସନ୍ଦେହ ରହିଛି। ଏପରିକି କେତେକ ସ୍ଥାନରେ ଫାୟାର ଆଲାରାମ୍‌ ମଧ୍ୟ ନାହିଁ। ସେହିପରି କାହାର ସ୍ପ୍ରିଙ୍କଲର ନାହିଁ ତ ଆଉ କେଉଁଠି ତାହା ଅଚଳ ହୋଇପଡ଼ିଛି। ଯେଉଁ ସବୁ ଅଗ୍ନି ନିରାପତ୍ତା ଯନ୍ତ୍ରଗୁଡ଼ିକୁ ବ୍ୟବହାର କରାଯାଉଛି ତାହା ଅତି ନିମ୍ନମାନର ବୋଲି ଅଗ୍ନିଶମ ବିଭାଗ ଜାଣିବାକୁ ପାଇଛି।

ଅନ୍ୟପକ୍ଷରେ ଜରୁରୀକାଳୀନ ସିଡ଼ିଗୁଡ଼ିକ କାମକୁ ଆସୁନି। କେଉଁଠି ଜରୁରୀକାଳୀନ ଦ୍ୱାର ନାହିଁ ତ କେଉଁଠି ଏହାକୁ ଷ୍ଟୋର ଭାବେ ବ୍ୟବହାର କରାଯାଇଛି। କେତେକ ସ୍ଥାନରେ ଜରୁରୀକାଳୀନ ଦ୍ୱାରକୁ ବାଟ ପାଇଁ ସୂଚନା ଫଳକ ମଧ୍ୟ ଲଗାଯାଇ ନାହିଁ। ନିରପତ୍ତା ପାଇଁ ୨୦ ହଜାର ଲିଟର ପାଣି ଟାଙ୍କି ରଖିବା ପାଇଁ ନିୟମ ରିହିଥିଲାବେଳେ ଗୋଟିଏ ବିି ସଂସ୍ଥା ଏହି ନିୟମ ଅନୁଯାୟୀ ଟାଙ୍କି ତିଆରି କରିନାହାନ୍ତି। ଯେଉଁଠି ପାଣି ଟାଙ୍କି ରହିଛି ସେଗୁଡ଼ିକ ଅତି କ୍ଷୁଦ୍ର ଯାହାକି ଜରୁରୀକାଳୀନ ପରିସ୍ଥିତ ମୁକାବିଲା ପାଇଁ ପର୍ଯ୍ୟାପ୍ତ ନୁହେଁ। ବିଲ୍ଡିଂ ଚାରି ପଟେ ରାସ୍ତାକୁ ୯ମିଟର ଚଉଡ଼ା ଛଡ଼ା ଯିବା ନିୟମ ରହିଛି। ଫଳରେ ଅଗ୍ନିଶମ ଗାଡ଼ିଗୁଡ଼ି ସହଜରେ ଘର ଚାରିପଟେ ବୁଲି ପାରିବ। ହେଲେ ଯାଞ୍ଚ ବେଳେ ବିଲ୍ଡିଂ ଚାରିପଟ ରାସ୍ତାଗୁଡ଼ିକ ୫ ମିଟର ଚଉଡ଼ା ମଧ୍ୟ ନଥିବା ଦେଖିବାକୁ ମିଳିଛି। ସେହିପରି ବିଲ୍ଡିଂ ମୁଖ୍ୟ ଦ୍ୱାରକୁ ୫ମିଟର ଚଉଡ଼ା ରଖିବା ପାଇଁ ନିୟମ ରହିଛି। ହେଲେ ବିଭିନ୍ନ ମଲ୍‌ ଓ ହୋଟେଲରେ ମୁଖ୍ୟ ଦ୍ୱାରକୁ ବନ୍ଦ କରି ଭାଗ ଭାଗ କରିଦିଆଯାଇଛି। ସିଡ଼ିଗୁଡ଼କୁ ଅତିକମ୍‌ରେ ଦେଢ଼ ମିଟର ଚଉଡ଼ା ରଖିବା ଦରକାର ଥିବା ବେଳେ କେତେକ ବିଲ୍ଡିଂ ଏହି ନିୟମକୁ ଉଲ୍ଲଙ୍ଘନ କରିଛନ୍ତି। ସେହିପରି ବେସ୍‌ମେଣ୍ଟ ଚାରିପଟେ ବଡ଼ ଦ୍ୱାର ରଖିବା ପାଇଁ ନିୟମ ଥିଲେ ମଧ୍ୟ ତାହା କାରାଯାଇ ନାହିଁ। ହୋଟେଲ ଓ ମଲ୍‌ରେ ଲାଗିଥିବା ସେଣ୍ଟ୍ରାଲ୍‌ ଏସିଗୁଡ଼କୁ ଅଟୋ ବନ୍ଦ ରଖାଯିବା ପାଇଁ ନିୟମ ରହିଛି। ଏହାଫଳରେ ନିଆଁ ଲାଗିବା କ୍ଷଣି ଏସି ବନ୍ଦ ହୋଇଯିବ। ହେଲେ କେତୋଟି ସଂସ୍ଥା ଏହି ନିୟମକୁ ଖୋଲାଖୋଲି ଉଲ୍ଲଙ୍ଘନ କରିଛନ୍ତି।

ସଂସ୍ଥାଗୁଡ଼ିକ ଖୋଲାଖୋଲି ଏସବୁ ନିୟମ ଯେ ଫାଙ୍କି ଚାଲିଛନ୍ତି ତାହା ନୁହେଁ, ଜରୁରୀକାଳୀନ ପରିସ୍ଥିତ ପାଇଁ ଯେଉଁସବୁ ଅଗ୍ନି ନିରାପତ୍ତା ଯନ୍ତ୍ର ରହିଛି ତାହାର ବ୍ୟବହାର କର୍ମଚାରୀମାନଙ୍କୁ ଜଣା ନାହିଁ କି ଏ ନେଇ ସେମାନଙ୍କୁ ତାଲିମ୍‌ ଦିଆଯାଉ ନାହିଁ। ତେଣୁ କର୍ମଚାରୀମାନଙ୍କୁ ଅତିକମ୍‌ରେ ବର୍ଷରେ ୨ଥର ତାଲିମ୍‌ ଦେବାକୁ ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଛି। ଏହାଛଡ଼ା ମଝିରେ ମଝିରେ ମକ୍‌ ଡ୍ରିଲ୍‌ ଭଳି କାର୍ଯ୍ୟକ୍ରମ କରିବାକୁ ମଧ୍ୟ କୁହାଯାଇଛି। ମାତ୍ର ଏହା କେହି କରୁନାହାନ୍ତି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ପୂର୍ବରୁ ରାଜଧାନୀର ୧୦ଟି ସପିଂ ମଲ ଉପରେ ଚଢ଼ଉ ପରେ ସେମାନଙ୍କୁ ୨ ମାସ ମଧ୍ୟରେ ମଲ୍‌ଗୁଡ଼ିକ ଅଗ୍ନି ନିରାପତ୍ତା ନେଇ ସମସ୍ତ ପ୍ରକାର ବ୍ୟବସ୍ଥା କାର୍ଯ୍ୟକ୍ଷମ କରିବାକୁ ଅଗ୍ନିଶମ ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଥିଲା। ଯଦି ୨ମାସ ମଧ୍ୟରେ ମଲ୍‌ଗୁଡ଼ିକ ଏ ନିୟମକୁ କାର୍ଯ୍ୟକାରୀ ନ କରନ୍ତି ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ମଧ୍ୟ ଦିଆସାରିଛି। ତେଣୁ ଆସନ୍ତା କିଛିଦିନ ମଧ୍ୟରେ ନିରାପତ୍ତା ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ଅଗ୍ନିଶମ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କାରାଯିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର