୧ ନମ୍ବର ହାଟରେ ଅଗ୍ନି ନିରାପତ୍ତା ପ୍ରସଙ୍ଗ: ଓସ୍‌ଡମା, ବିଏମ୍‌ସିକୁ ଏସ୍‌ଆର୍‌ସିଙ୍କ ଚିଠି

ଭୁବନେଶ୍ବର: ଏକ ନମ୍ବର ହାଟକୁ ଅତ୍ୟାଧୁନିକ ମାର୍କେଟ୍‌ କମ୍ପ୍ଲେକ୍ସ କରିବା ପାଇଁ ବିଏମ୍‌ସି ଖାଲି ଯୋଜନା କରୁଛି। କିନ୍ତୁ କାମ ହେଉନି। ହଜାର ହଜାର ବ୍ୟବସାୟୀ ବାରୁଦ ଗଦାରେ ବସିଛନ୍ତି। ପ୍ରତ୍ୟେକ ଦିନ ହାଟକୁ ଆସୁଥିବା ହଜାର ହଜାର ଗ୍ରାହକଙ୍କ ଜୀବନ ମଧ୍ୟ ବାଜିରେ ଲାଗୁଛି। ବେଆଇନ ଗ୍ୟାସ୍‌ ରିଫିଲ୍‌, କର୍ପୂର, କିରାସିନି, ଗନ୍ଧକ, ଘିଅ ପ୍ରଭୃତି ଦୋକାନ ରହିଛି। ନିଆଁ ଲାଗିଲେ ନିମିଷକେ ପୂରା ହାଟ ଜଳିଯିବ। ଏ ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ରାଜ୍ୟ ସରକାରଙ୍କ ନିଦ ଭାଙ୍ଗିଛି। ଆଜି ସ୍ବତନ୍ତ୍ର ରିଲିଫ୍‌ କମିସନର(ଏସ୍‌ଆର୍‌ସି) ବିଏମ୍‌ସି କମିସନର, ଓସ୍‌ଡ୍‌ମା ଓ ମୁଖ୍ୟ ଅଗ୍ନିଶମ ଅଧିକାରୀ(ସିଏଫ୍‌ଓ)ଙ୍କୁ ଚିଠି ଲେଖି ଅଗ୍ନି ସୁରକ୍ଷାକୁ ନେଇ ବିଭିନ୍ନ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଏସ୍‌ଆର୍‌ସିଙ୍କ ଚିଠି ମୁତାବକ, ପ୍ରତ୍ୟେକ ଦୋକାନୀ ଅଗ୍ନି ନିରାପତ୍ତା ପ୍ରମାଣପତ୍ର ସଂଗ୍ରହ କରିବେ। ଏହାକୁ ଉଭୟ ବିଏମ୍‌ସି ଓ ସିଏଫ୍‌ଓ ନିଶ୍ଚିତ କରିବେ। ଜଣେ ହେଲେ ବ୍ୟବସାୟୀ ବିନା ଅଗ୍ନି ନିରାପତ୍ତା ପ୍ରମାଣପତ୍ରରେ ବ୍ୟବସାୟ କରିପାରିବ ନାହିଁ। ଏହି ମାର୍କେଟ୍‌କୁ ପ୍ରବେଶ ଓ ପ୍ରସ୍ଥାନ ରାସ୍ତା ଜବରଦଖଲ ମୁକ୍ତ କରାଯିବ। ଏହି ମାର୍କେଟ୍‌ ଭିତରକୁ ଯେଭଳି ଅନାୟାସରେ ଦମ୍‌କଳ ଗାଡ଼ି ପ୍ରବେଶ କରିପାରିବ ସେ ନେଇ ବିଏମ୍‌ସି ନିଶ୍ଚିତ କରିବ। ତା’ ଛଡ଼ା କୌଣସି ଅଘଟଣ ଘଟିଲେ ସେଠାରୁ ବାହାରିବା ପାଇଁ ସାଧାରଣ ଗ୍ରାହକ ଯେଭଳି ସମସ୍ୟାର ସମ୍ମୁଖୀନ ହେବେ ନାହିଁ ତାହାର ବ୍ୟବସ୍ଥା କରାଯିବ। ଏହା ଭିତରେ ଯେଉଁ ଦୋକାନରେ ଜ୍ବଳନଶୀଳ ପଦାର୍ଥ ବିକ୍ରି ହେଉଛି, ଯଥା ରନ୍ଧନ ଗ୍ୟାସ୍‌, ରନ୍ଧନଗ୍ୟାସ୍‌ ରିଫିଲିଂ, ଘିଅ, କର୍ପୂର, ଗନ୍ଧକ, କିରାସିନି, ଖଲି, କାଗଜ ପ୍ଲେଟ୍‌, ଝାଡ଼ୁ, କପଡ଼ା, ଜୋତା ଭଳି ଦୋକାନକୁ ଉଠାଇ ଖୋଲା ଜାଗାରେ କରିବାକୁ କୁହାଯାଇଛି।

ଦୋକାନ ମଧ୍ୟରେ ଯଥେଷ୍ଟ ବ୍ୟବଧାନ ରଖିବାକୁ କୁହାଯାଇଛି। ସେହିଭଳି ଏହି ମାର୍କେଟ୍‌ ଭିତରେ ୨ଶହରୁ ଅଧିକ ଅଣ୍ଡରଗ୍ରାଉଣ୍ଡ ଗୋଦାମ ରହିଛି। ଉପରେ ଦୋକାନ ରହିଥିବା ବେଳେ ତଳେ ଗୋଦାମ ହୋଇଛି। ଏ ବାବଦରେ ବିଏମ୍‌ସି ପାଖରେ ଖବର ନାହିଁ କିମ୍ବା ବିଏମ୍‌ସି ବିନା ସ୍ବୀକୃତିରେ ଏଭଳି କରାଯାଇଛି। ଏଣୁ ଏହାକୁ ଯାଞ୍ଚ କରି ତୁରନ୍ତ ବନ୍ଦ କରିବାକୁ କୁହାଯାଇଛି। ବଡ଼କଥା ହେଉଛି ହାଇକୋର୍ଟଙ୍କ ନିର୍ଦ୍ଦେଶ ଉଲ୍ଲଂଘନ କରି କେତେକ ବ୍ୟବସାୟୀଙ୍କୁ ଦୋକାନ ଓ ଜାଗା ବିଏମ୍‌ସି ଆବଣ୍ଟନ କରିଛି। ଏହାକୁ ତୁରନ୍ତ ସମୀକ୍ଷା କରି ଆଦେଶକୁ କଡ଼ାକଡ଼ି ପାଳନ କରିବାକୁ କୁହାଯାଇଛି। ବେଆଇନ ଭାବେ ଦିଆଯାଇଥିବା ଦୋକାନକୁ ବନ୍ଦ କରିବାକୁ କୁହାଯାଇଛି।

ଦୋକାନକୁ ଅଲଗା କର, ଅଣ୍ଡରଗ୍ରାଉଣ୍ଡ ଗୋଦାମ ବନ୍ଦ କର

ଉଲ୍ଲେଖଯୋଗ୍ୟ, ଏଠାରେ ଯେତିକି ଜାଗା ରହିଛି ସେଠାରେ ସର୍ବାଧିକ ୧୦୪୦ ଦୋକାନ କରାଯାଇ ପାରିବ। କିନ୍ତୁ ଏଠାରେ ବିଏମ୍‌ସି ବେଆଇନ ଭାବରେ ପାଖାପାଖି ୧୫୦୦ ଦୋକାନକୁ ସ୍ବୀକୃତି ଦେଇଦେଇଛି। ଏହା ବାଦ୍‌ କଞ୍ଚା ପରିବା ଓ ହୋଲ୍‌ ସେଲ୍‌ ପରିବା ବ୍ୟବସାୟୀ ଅଛନ୍ତି। କିନ୍ତୁ ଅଗ୍ନି ନିରାପତ୍ତା ପାଇଁ କୌଣସି ଚିନ୍ତା କରି ନାହିଁ। ଏଣୁ ନା‌ ବ୍ୟବସାୟୀ ନା‌ ଗ୍ରାହକ, ଏଠାରେ କେହି ସୁରକ୍ଷିତ ନୁହନ୍ତି।

୧ ନମ୍ବର ହାଟରେ ଜମି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ(ଜିଏ ଆଣ୍ଡ ପିଜି) ବିଭାଗର ହୋଇଥିବା ବେଳେ ବିଏମ୍‌ସି ଏହାକୁ ପରିଚାଳନା କରୁଛି। ଏଠାରେ ୫୦୭ ଜଣଙ୍କ ନାମରେ ବେଆଇନ ଭାବରେ ବିଏମ୍‌ସି ମ୍ୟୁଟେସନ କରିଥିବା ଅଭିଯୋଗ ରହିଛି। ୨୦୧୪ ମସିହାରେ ଏକ ଅତ୍ୟାଧୁନିକ ମାର୍କେଟ୍‌ କମ୍ପ୍ଲେକ୍ସରେ ଥଇଥାନ କରିବାକୁ ଯୋଜନା ହୋଇଥିଲ‌ା। ୯ ବର୍ଷ ବିତିଥିଲେ ମଧ୍ୟ ଏବେ ବି ଚୂଡ଼ାନ୍ତ ରୂପ ନେଇ ପାରୁ ନାହିଁ। ଅନ୍ତତଃ ମାର୍କେଟ୍‌ କମ୍ପ୍ଲେକ୍ସ ନିର୍ମାଣ ପର୍ଯ୍ୟନ୍ତ ଅଗ୍ନି ନିରାପତ୍ତା ବ୍ୟବସ୍ଥା କରାଯାଉ ବୋଲି ବିଭିନ୍ନ ସମୟରେ ଦାବି ହେଉଥିଲା। ଗତ ଫେବ୍ରୁଆରି ୧୪ ତାରିଖରେ ଏଠାରେ ଏକ ଦୋକାନରେ ଛାତ ଉପରେ ନିଆଁ ଲାଗିବାରୁ ହାଟକୁ ଭଗବାନ ଭରସା ହୋଇଥି‌ଲେ। କୌଣସି ଧନଜୀବନ ହାନୀ ହୋଇନଥିଲା। ଏ ନେଇ ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ସରକାର ଅଗ୍ନି ନିରାପତ୍ତାକୁ ନେଇ ତତ୍ପର ହେବା ସହ ବିଏମ୍‌ସି, ଓସ୍‌ଡ୍‌ମା ଓ ସିଏଫ୍‌ଓଙ୍କୁ ଚିଠି ଲେଖିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର