ଭୁବନେଶ୍ବର: ପାଠ ପଢ଼ିବା ଓ ଚାକିରି ଅନ୍ବେଷଣରେ ଶହ ଶହ ଛାତ୍ରଛାତ୍ରୀ, ଯୁବକ ଯୁବତୀ ଭୁବନେଶ୍ବରରେ ପହଞ୍ଚୁଛନ୍ତି। ଏମାନଙ୍କୁ ଟାର୍ଗେଟ କରି ମନଇଚ୍ଛା ଖୋଲୁଛି ହଷ୍ଟେଲ। ଯେଉଁ ରୁମ୍ର କ୍ଷମତା ଦୁଇଜଣ ସେଠାରେ ରହୁଛନ୍ତି ୫ରୁ ୬ଜଣ। ହଷ୍ଟେଲକୁ ସ୍ବୀକୃତି ପ୍ରଦାନ କରିବା ପାଇଁ କମିସନରେଟ୍ ପୁଲିସକୁ କ୍ଷମତା ଦିଆଯାଇଛି। ହେଲେ ଅଦ୍ୟାବଧି ଗୋଟିଏ ହେଲେ ହଷ୍ଟେଲ ପଞ୍ଜୀକୃତ ହୋଇନାହିଁ। କୌଣସି ହଷ୍ଟେଲ ମଧ୍ୟ ଅଗ୍ନି ନିର୍ବାପକ ପ୍ରମାଣପତ୍ର ହାସଲ କରିନାହିଁ। ୧୫ ମିଟରରୁ କମ୍ ଉଚ୍ଚତାର କୋଠା ହେଲେ ଅଗ୍ନି ନିରାପତ୍ତା ପ୍ରମାଣପତ୍ର ହାସଲ କରିବା ଜରୁରୀ ନୁହେଁ, ତଥାପି କ୍ଷମତାଠାରୁ ଅଧିକ ସଂଖ୍ୟାରେ ରହୁଥିବାରୁ ପ୍ରମାଣପତ୍ର ହାସଲ କରିବା ଜରୁରୀ। କିନ୍ତୁ ଏଥିପ୍ରତି କାହାରି ନିଘା ନାହିଁ। ଯେଉଁମାନେ ଏଭଳି ହଷ୍ଟେଲ ତିଆରି କରୁଛନ୍ତି ସେମାନେ ପୁଲିସ ଠାରୁ ସ୍ବୀକୃତି ନେବାକୁ କମିସନରେଟ୍ ପୁଲିସ ସ୍ବତନ୍ତ୍ର ବିଜ୍ଞପ୍ତି ପ୍ରକାଶ କରିଛି। ଅଗ୍ନିଶମ ସେବା ସଂସ୍ଥା ବିଭିନ୍ନ ସମୟରେ ଚଢ଼ଉ କରୁଥିବା କହୁଛି। ହେଲେ ନିଆଁ ଲାଗିବା ପରେ ଅସଲ କଥା ପଦାକୁ ଆସୁଛି। ହଜାର ହଜାର ଛାତ୍ରଛାତ୍ରୀଙ୍କ ଜୀବନ ବାଜିରେ ଲାଗିଛି। ଗତକାଲି ନୂଆପଲ୍ଲୀରେ ଏକ ହଷ୍ଟେଲରେ ନିଆଁ ଲାଗିବା ପରେ ମଧ୍ୟ କୌଣସି ସ୍ତରରେ ଏ ନେଇ ତତ୍ପରତା ପ୍ରକାଶ ପାଇନାହିଁ।
ପରିବାରକୁ ଭଡ଼ା ନ ଦେଇ ଲୋକ ଏବେ ହଷ୍ଟେଲ ତିଆରି କରିବାପାଇଁ ମନ ବଳାଉଛନ୍ତି। କାରଣ ପରିବାର ପିଛା ୧୦ ହଜାର ଟଙ୍କା ମିଳୁଥିବା ଘରକୁ ହଷ୍ଟେଲ କରିଦେଲେ ୩ଗୁଣ ମିଳୁଛି। ନିୟମ କାନୁନ୍କୁ ଜଳାଞ୍ଜଳି ଦେଇ ଲୋକେ ଘରର କିଛି ଅଂଶରେ ରହି ବାକି ଅଂଶକୁ ମଧ୍ୟ ହଷ୍ଟେଲ କରିଥିବା ଦେଖାଯାଇଛି। ଗୋଟିଏ ରୁମ୍ରେ ୪ଟି ବେଡ୍ ପଡ଼ିଥିବା ବେଳେ ଗୋଟିଏ ଗୋଟିଏ କୋଠାରେ ୪୦ରୁ ୫୦ ଛାତ୍ରୀ ରହୁଥିଲେ ମଧ୍ୟ ନା ଅଗ୍ନି ନିର୍ବାପକ ବ୍ୟବସ୍ଥା ଅଛି, ନା ସୁରକ୍ଷା କର୍ମୀ ଅଛନ୍ତି ନା ସିସିଟିଭି କ୍ୟାମେରା ଅଛି। ଅର୍ଦ୍ଧାଧିକ ହଷ୍ଟେଲରେ ମାଲିକ ରହୁନାହାନ୍ତି। ୨୦୧୬ ଜୁଲାଇ ୨୭ରେ ରାଜ୍ୟ ସରକାରଙ୍କ ଗେଜେଟ୍ ନୋଟିଫିକେସନ ଅନୁଯାୟୀ ଶିକ୍ଷାନୁଷ୍ଠାନ ଅନ୍ତର୍ଭୁକ୍ତ ଘରୋଇ ପରିଚାଳିତ ଛାତ୍ରାବାସରେ ରହୁଥିବା ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ଭୁବନେଶ୍ବର-କଟକ କମିସନରେଟ୍ ରେଗୁଲେସନ-୨୦୧୭ ପ୍ରକାଶିତ ହୋଇଛି। ସେହି ଅନୁଯାୟୀ ପୁଲିସ କମିସନରଙ୍କୁ ଲାଇସେନ୍ସିଂ ଅଥରିଟି ଘୋଷଣା କରାଯାଇଛି। କଟକ-ଭୁବନେଶ୍ବରରେ ହଜାର ହଜାର ଲଜିଂ ରହିଛି। ହେଲେ ମାତ୍ର ୨୫୭ଟି ଲଜ୍ ଏହି କ୍ଷମତା ବଳରେ ପୁଲିସ ନିକଟରେ ପଞ୍ଜୀକୃତ ହୋଇଛି। ସେହିଭଳି ଉଭୟ ସହରରେ ହଜାର ହଜାର ହଷ୍ଟେଲ ରହିଥିଲେ ମଧ୍ୟ ଗୋଟିଏ ହେଲେ ପଞ୍ଜୀକୃତ ହୋଇନାହିଁ। ଗତବର୍ଷ ୧୦ଟି ଘରୋଇ ଛାତ୍ରୀନିବାସର ମାଲିକ ହଷ୍ଟେଲର ପଞ୍ଜୀକରଣ କରିବା ପାଇଁ ଆବେଦନ କରିଥିଲେ। କିନ୍ତୁ ଏହି ନିୟମ ଅନୁଯାୟୀ କାଗଜପତ୍ର ଦାଖଲ କରିପାରିନଥିବାରୁ ପଞ୍ଜୀକରଣ ହୋଇପାରିନଥିବା କମିସନରେଟ୍ ପୁଲିସ ପକ୍ଷରୁ ସୂଚନା ମିଳିଛି।
ଏ ନେଇ କେନ୍ଦ୍ରାଞ୍ଚଳ ରେଞ୍ଜ୍ର ଅଗ୍ନିଶମ ଅଧିକାରୀ ଭାବଗ୍ରାହୀ ଘଡ଼େଇ କହିଛନ୍ତି, ୧୫ ମିଟରରୁ କମ୍ ଉଚ୍ଚାର କୋଠା ହେଲେ ଅଗ୍ନି ନିରାପତ୍ତା ପ୍ରମାଣପତ୍ର ଆବଶ୍ୟକତା ନାହିଁ। କିନ୍ତୁ ଯେଉଁଗୁଡ଼ିକ ୧୫ ମିଟର ଠାରୁ ଉଚ୍ଚା କୋଠା ରହିଛି ସେଗୁଡ଼ିକୁ ଆମେ ସମୟ ସମୟରେ ଯାଞ୍ଚ କରୁଛୁ। କେତେକ ହଷ୍ଟେଲ ଆମକୁ ଅଗ୍ନି ନିରାପତ୍ତା ପ୍ରମାଣପତ୍ର ପାଇଁ ଆବେଦନ କରୁଛନ୍ତି। ସେଗୁଡ଼ିକୁ ଆମେ ଯାଞ୍ଚ କରି କ’ଣ କ’ଣ ଅଭାବ ରହିଛି ତାହା ପୂରଣ କରିବା ପାଇଁ କହୁଛୁ। କିନ୍ତୁ ଯେତିକି ପରିମାଣରେ ହଷ୍ଟେଲ ତିଆରି ହେଉଛି ତାହାର ଅତି ନଗଣ୍ୟ ଅଂଶ ଆମ ପାଖକୁ ସ୍ବତଃପ୍ରବୃତ୍ତ ଭାବରେ ପ୍ରମାଣପତ୍ର ନେବାକୁ ଆସୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/12/firesafetyplan_large-1.jpg)