ମେଘାଳୟରୁ ଫେରିଲେ ଅଗ୍ନିଶମ କର୍ମଚାରୀ

ଭୁବନେଶ୍ୱର: ମେଘାଳୟର କୋଇଲା ଖଣି (ଇଷ୍ଟଜୟନ୍ତିଆ ହିଲ୍‌)ଭିତରେ ଫସି ରହିଥିବା ନାବାଳକଙ୍କୁ ଉଦ୍ଧାର କରିବାକୁ ଯାଇଥିବା ଭୁବନେଶ୍ୱର ଅଗ୍ନିଶମ ସେବା ସଂସ୍ଥାର କର୍ମଚାରୀମାନେ ଭୁବନେଶ୍ବର ଫେରିଛନ୍ତି। ଆଜି ଅପରାହ୍‌ଣ ସାଢ଼େ ତିନିଟାରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବା ପରେ ଅଗ୍ନିଶମ ବିଭାଗ ପକ୍ଷରୁ ସେମାନଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଦୀର୍ଘ ଦିନ ଧରି ସେମାନେ ଜିରୋ ଡିଗ୍ରି ତାପମାତ୍ରାରେ ଗଭୀର ପାଣି ଭିତରେ ପଶି ଉଦ୍ଧାର କାର୍ଯ୍ୟରେ ସହାୟତା କରିଥିବାରୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି। ଭାରତୀୟ ନୌସେନା, ଆଇଏଫ୍‌, ଏନ୍‌ଡିଆରଏଫ୍‌, ଓଏଫ୍‌ଏସ୍‌, ସିଆଇଏଲ୍‌, ଏନ୍‌ଡିଏଏମ୍‌, କିର୍ଲୋସ୍କର ବ୍ରଦର ଲିମିଟେଡ୍‌ ପ୍ରମୁଖଙ୍କୁ ଉଦ୍ଧାର କାର୍ଯ୍ୟରେ ସଫଳତାର ସହ ରାଜ୍ୟ ଅଗ୍ନିଶମ ବିଭାଗ ସାହାଯ୍ୟ କରିଛି। ୪୦ ଦିନ ଧରି ଏଭଳି ଏକ ପ୍ରତିକୂଳ ପରିବେଶରେ କାମ କରିବା ବିଭାଗ ପାଇଁ ଏକ ନୂଆ ଅନୁଭୂତି ଥିଲା ବୋଲି କହିଛନ୍ତି ଟିମ୍‌ ଲିଡର ସହକାରୀ ଅଗ୍ନିଶମ ଅଧିକାରୀ ସତ୍ୟଜିତ ବେହେରା।
ସେ କହିଛନ୍ତି, ସର୍ବାଧିକ ୨୦ଫୁଟ ପାଣି ଭିତରକୁ ଯିବା ପାଇଁ ଆଗ୍ନିକମାନେ ଅଭ୍ୟସ୍ତ ଥିଲେ। କିନ୍ତୁ ଜିରୋ ଡିଗ୍ରି ତାପମାତ୍ରା‌ରେ ଏତେ ତଳକୁ ଯାଇ କାମ କରିବା ବଡ଼ ଅନୁଭୂତି। ୧୫ଜଣ ରୢାଟ୍‌ ହୋଲ୍‌ ଭିତରେ ଫସି ରହିଥିବା ବେଳେ ମାତ୍ର ଜଣଙ୍କ ଶବ ଉଦ୍ଧାର କରିବା ସମ୍ଭବ ହୋଇଛି। ଆଉ ୧୪ଜଣଙ୍କୁ ଅଦ୍ୟାବଧି ଉଦ୍ଧାର କରାଯାଇପାରିନାହିଁ। ଏହି ଖଣିର ମ୍ୟାପ୍‌ ନ ଥିବାରୁ କେଉଁଠି ହୋଲ୍‌ ରହିଛି, କେଉଁଠି ନାବାଳକମାନେ ଫସି ରହିଥିବେ, ଜାଣିବା ସମ୍ଭବ ନଥିଲା। କେରଳରେ ବନ୍ୟା ଓ ଆନ୍ଧ୍ରରେ ବାତ୍ୟା ସମୟରେ ଓଡ଼ିଶାର ଅଗ୍ନିଶମ ସେବା ସଂସ୍ଥା ବେଶ୍‌ ଭଲ ପ୍ରଦର୍ଶନ କରିଥିବାରୁ ଆମମାନଙ୍କୁ ସେଠାରୁ ଡକରା ଆସିଥିଲା।

ସୂଚନାଯୋଗ୍ୟ, ମେଘାଳୟର ଲୁମଠାରି ଗ୍ରାମ ନିକଟରେ ଥିବା କୋଇଲା ଖଣି (ଇଷ୍ଟଜୟନ୍ତିଆ ହିଲ୍‌)ଭିତରେ ଥିବା କୋଇଲା ଖଣିରେ ବେଆଇନ ଭାବରେ କେତେକ ନାବାଳକ ପଶି କୋଇଲା ସଂଗ୍ରହ କରୁଥିଲେ। ପାଖରେ ଥିବା ନଈ ଲାଇଟିନ୍‌ରୁ ହଠାତ୍‌ ପାଣି ଖଣି ଭିତରେ ପଶି ଯାଇଥିଲା। ଫଳରେ ୧୫ ନାବାଳକ ଏହା ଭିତରେ ରହି ଯାଇଥିଲେ। ସେମାନଙ୍କୁ ଉଦ୍ଧାର କରିବାକୁ ଡିସେମ୍ବର ୨୮ ତାରିଖରେ ଓଡ଼ିଶାରୁ ୨୨ ଜଣ ଅଗ୍ନିଶମ ସେବା ସଂସ୍ଥା କର୍ମଚାରୀ ଯାଇଥିଲେ। ପରେ ଆଉ ୨୦ ଜଣ ଯାଇଥିଲେ। ଘଟଣାସ୍ଥଳରୁ ୬୦ କିଲୋମିଟର ଦୂରରେ ଏକ କ୍ୟାମ୍ପରେ ଏମାନଙ୍କୁ ୪୦ଦିନ ଧରି ରଖା ଯାଇଥିଲା।

ସମ୍ବନ୍ଧିତ ଖବର