ଦୟନୀୟ ଅବସ୍ଥାରେ ଫାୟାର୍‌ ଷ୍ଟେସନ-ରୁଚିକା ମାର୍କେଟ୍‌ ରାସ୍ତା

ଭୁବନେଶ୍ୱର: ୧୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ବସ୍ଥ ଫାୟାର୍‌ ଷ୍ଟେସନ ଛକରୁ ରୁଚିକା ମାର୍କେଟ୍ ପର୍ଯ୍ୟନ୍ତ ଲମ୍ବିଥିବା ରାସ୍ତା ବଡ଼ ଦୟନୀୟ ଅବସ୍ଥାରେ ପଡ଼ିରହିଛି। ଜାତୀୟ ରାଜପଥ ପ୍ରାଧିକରଣ ଅଧୀନରେ ଥିବା ଏହି ରାସ୍ତାଟି ବହୁ ବର୍ଷ ହେଲା ସେମିତି ଅବହେଳିତ ଅବସ୍ଥାରେ ପଡ଼ିଛି। ରାସ୍ତା ସାରା ଖାଲ, ଢିପ ଥିବା ବେଳେ ଆବର୍ଜନା ଗଦା ହୋଇଛି। କିଛି କିଛି ଅଂଶକୁ ବ୍ୟବସାୟିକ ପ୍ରତିଷ୍ଠାନମାନେ କଂକ୍ରିଟ୍‌ କରିଥିବା ବେ‌ଳେ ବାକି ଅଂଶ ସେମିତି ଆବୁଡ଼ାଖାବୁଡ଼ା ହୋଇରହିଛି।

ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ ଏହି ରାସ୍ତାକୁ ଜାତୀୟ ରାଜପଥ ସହ ସମାନ୍ତରାଳ ଭାବରେ କରିବାର ଯୋଜନା ଥିଲା। ମାତ୍ର ଯୋଜନା କାର୍ଯ୍ୟକାରୀ ହେଲାନାହିଁ। ରାସ୍ତା କଡ଼ରେ ଘରୋଇ ବଡ଼ବଡ଼ ସୋ’ରୁମ୍‌, ବ୍ୟାଙ୍କ୍‌, କୋଚିଂ ସେଣ୍ଟର, ରେସ୍ତୋରାଁ, ହୋଟେଲ, ସରକାରୀ ଅଫିସ, କଲ୍ୟାଣ ମଣ୍ଡପ, କ୍ଲିନିକ୍‌ ଆଦି ସଂସ୍ଥା ରହିଛି। ତେଣୁ ବିଏମ୍‌ସି ୨୪ ନମ୍ବର ଵାର୍ଡବାସୀଙ୍କ ସହ ବାହାର ଲୋକେ ଏହି ରାସ୍ତା ଉପରେ ନିର୍ଭର କରୁଛନ୍ତି। ବଡ଼ ସମସ୍ୟା ହେଉଛି ରାସ୍ତା କଡ଼ରେ ଡ୍ରେନେଜ୍‌ ବ୍ୟବସ୍ଥା ନାହିଁ। ତେଣୁ ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକର ମଇଳା ପାଣି ଫାୟାର ଷ୍ଟେସନ ଛକରେ ଥିବା ମଙ୍ଗଳା ମନ୍ଦିର ପାଖରେ ଛାଡ଼ି ଦେଉଛନ୍ତି। ଫଳରେ ବର୍ଷର ଅଧିକାଂଶ ସମୟରେ ଫାୟାର୍‌ ଷ୍ଟେସନ ଛକ ମଙ୍ଗଳା ମନ୍ଦିର ନିକଟରେ ମଇଳା ପାଣି ରାସ୍ତାରେ ଭାସୁଛି।

କୋଚିଂ ସେଣ୍ଟରକୁ ଆସୁଥିବା ପିଲାମାନେ ବି ବଡ଼ ସମସ୍ୟାରେ ପଡ଼ୁଛନ୍ତି। ରାସ୍ତାର ଅସଜଡ଼ା ରୂପରେଖ ପାଇଁ ସେମାନେ ବେଳେବେଳେ ବରମୁଣ୍ଡା ବସ୍‌ଷ୍ଟାଣ୍ଡ ପଟୁ ଅଧିକ ଦୂର ବୁଲିବୁଲି ଆସିବାକୁ ବାଧ୍ୟ ହେଉଛନ୍ତି। ସ୍ଥାନୀୟ ଲୋକଙ୍କ କହିବା କଥା ବ୍ୟବସାୟିକ ପ୍ରତିଷ୍ଠାନମାନେ ପାର୍କିଂ ପାଇଁ ପୂରା ରାସ୍ତାକୁ ବ୍ୟବହାର କରୁଛନ୍ତି। ଫଳରେ ଅନ୍ୟମାନେ ଯାତାୟାତ କରିବାକୁ ସମସ୍ୟା ହେଉଛି। ପୂର୍ବତନ କର୍ପୋରେଟର ପ୍ରତାପ କିଶୋର ସାହୁଙ୍କ କହିବା କଥା ବିଏମ୍‌ସି ଅଧୀନରେ ରାସ୍ତାଟି ନଥିବାରୁ ସମସ୍ୟା ହୋଇରହିଛି। ଏନ୍‌ଏଚ୍‌ କର୍ତ୍ତୃପକ୍ଷ ଏହି ସମସ୍ୟାକୁ ଗୁରୁତ୍ବ ଦେଉନାହାନ୍ତି। ସମାନ କଥା କହିଛନ୍ତି ବର୍ତ୍ତମାନର କର୍ପୋରେଟର ଦୀପକ ମିଶ୍ର। ତାଙ୍କ କହିବା କଥା ଏନେଇ ସେ ବିଏମ୍‌ସି କମିସନରଙ୍କୁ ଅଭିଯୋଗ କରିବା ପରେ କମିସନର ଏହି ରାସ୍ତାର ଦୁରାବସ୍ଥା ପରିଦର୍ଶନ କରିଯାଇଛନ୍ତି। ଖୁବ୍‌ ଶୀଘ୍ର କିଛି ସମାଧାନ ହେବ ବୋଲି ସେ ଆଶାବାଦୀ ଥିବା କହିଛନ୍ତି।

ସମ୍ବନ୍ଧିତ ଖବର