ଫାୟାର୍ ଷ୍ଟେସନ୍‌ରୁ ଡେଲ୍‌ଟା, ଛକ ହଟୁନି ଦୁର୍ଘଟଣାପ୍ରବଣ କଟ୍‌ ବଢ଼ୁଛି ଅସନ୍ତୋଷ

ଖଣ୍ଡଗିରି: ଫାୟାର୍ ଷ୍ଟେସନ ଛକରୁ ଡେଲ୍‌ଟା ଛକ ପର୍ଯ୍ୟନ୍ତ ମୁଖ୍ୟ ରାସ୍ତା ମଝିରେ ଥିବା ଏକ କଟ୍‌ ମରଣଯନ୍ତା ପାଲଟିଛି। ପ୍ରତିଦିନ ଏଠାରେ ଛୋଟମୋଟ ଦୁର୍ଘଟଣାମାନ ଘଟୁଛି। ଟ୍ରାଫିକ୍ ନିୟମାନୁସାରେ, ଗୋଟିଏ ବି ସତର୍କ ଫଳକ ନଥିବାରୁ ଏଠାରେ ଦୁର୍ଘଟଣା ଘଟିବା ଏକ ନିତିଦିନିଆ ଘଟଣା ହୋଇଛି। ମାତ୍ର ସ୍ଥାନୀୟ ଲୋକଙ୍କ ଅଭିଯୋଗ ପରେ ବି ଏହି କଟ୍‌ ଉପରେ କମିସନରେଟ୍‌ ପୁଲିସ ନିରବ ରହୁଥିବାରୁ ସ୍ଥାନୀୟ ଲୋକଙ୍କ ଭିତରେ ଅସନ୍ତୋଷ ପ୍ରକାଶ ପାଇଛି। ସୂଚନାନୁସାରେ, ଡେଲ୍‌ଟା ଛକରେ ଡ୍ରେନ୍‌ କଲଭର୍ଟ ନିର୍ମାଣ ହେଉଥିବା ବେଳେ ସେଠାରେ ସୃଷ୍ଟି ହେଉଥିବା ଟ୍ର‌ାଫିକ୍ ଜାମ୍‌କୁ ଏଡ଼ାଇବା ପାଇଁ ଏହି କଟ୍‌ କରାଯାଇଥିଲା। କଲଭର୍ଟ ନିର୍ମାଣ ସରିବା ପର୍ଯ୍ୟନ୍ତ ସାମୟିକ ବ୍ୟବହାର ପାଇଁ ଡିଭାଇଡର୍‌ଟି କାଟି ଏହା କରାଯାଇଥିଲା। ତେବେ ପ୍ରଥମରୁ ସେଠାରେ କୌଣସି ପ୍ରକାର ସୂଚନା ଫଳକ ଲଗା ଯାଇନଥିଲା। ମାତ୍ର ଏ ଭିତରେ କଲଭର୍ଟ ନିର୍ମାଣ ଶେଷ ହୋଇଥିଲେ ମଧ୍ୟ ଏହି କଟ୍‌ ସେମିତି ରହିଛି। ଗଳି ଭଳି ହୋଇଥିବା ଏହି ଛୋଟ କଟ୍‌ ଏବେ ଲୋକଙ୍କ ପାଇଁ କାଳ ପାଲଟିଛି ବୋଲି ଲୋକଙ୍କ ଅଭିଯୋଗ। ବିଶେଷକରି ଏହି ଜନଗହଳିପୂର୍ଣ୍ଣ ରାସ୍ତାରେ ଅଫିସ୍‌ ସମୟ ଓ ରାତିରେ ଲୋକେ ଏହି କଟ୍‌ ପାଇଁ ବିପଦରେ ପଡ଼ୁଛନ୍ତି। ସନ୍ଧ୍ୟାରେ ଲାଇଟ୍‌ ନଥିବାରୁ ଅଧିକ ସମସ୍ୟା ହେଉଛି। ତେଣୁ ଏହାକୁ ବନ୍ଦ କରିବାକୁ ଦାବି ହେଉଛି। ପୂର୍ବରୁ ଏ ନେଇ ଲୋକେ ଟ୍ରାଫିକ୍ ପୁଲିସର ଦୃଷ୍ଟି ଆକର୍ଷଣ କରିଥିଲେ ବି କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ତେଣୁ ଯଦି କଟ୍‌ ରଖାଯିବାର ଅଛି, ତେବେ ସେଠାରେ ଦିନ ଓ ରାତି ପାଇଁ ଆବଶ୍ୟକ ସୂଚନା ଫଳକ ଲଗାଯାଉ ବୋଲି ଦାବି ହେଉଛି।

ସମ୍ବନ୍ଧିତ ଖବର