ବାଲିଅନ୍ତା: ବାଲିଅନ୍ତା ଥାନା ଅନ୍ତର୍ଗତ ଖମଙ୍ଗ ବଜାର ନିକଟରେ ଆଜି ଅପରାହ୍‌ଣରେ ଭାରସାମ୍ୟ ହରାଇ ବାଲିପାଟଣା ଦମକଳ ଗାଡ଼ି ଖମଙ୍ଗ ମାଇନର୍‌ ‌କେନାଲ ଭିତରକୁ ଖସି ପଡ଼ିଛି। ଏହି ଦୁର୍ଘଟଣାରେ ଗାଡ଼ି ଭିତରେ ବସିଥିବା ୫ଜଣ କର୍ମଚାରୀ ଅଘଟଣରୁ ଅଳ୍ପକେ ରକ୍ଷା ପାଇ ଯାଇଛନ୍ତି। ଦୁର୍ଘଟଣା ଯୋଗୁଁ ଉକ୍ତ ଗାଡ଼ିଟି ନିଆଁ ଲାଗିଥିବା ସ୍ଥାନରେ ଆଉ ପହଞ୍ଚି ପାରି ନଥିଲା। ପ୍ରାପ୍ତ ସୂଚନାନୁଯାୟୀ, ଆଜି ଅପରାହ୍‌ଣରେ ଭାକର ସାହିରେ ଲାଗିଥିବା ନିଆଁ ଲିଭାଇବା ପାଇଁ ବାଲିପାଟଣା ଅଗ୍ନିଶମ ବିଭାଗର ଦୁଇଟି ଗାଡ଼ି ଖମଙ୍ଗ ରାସ୍ତା ଦେଇ ଯାଉଥିଲେ। ହେଲେ ସେଥିମଧ୍ୟରୁ ଗୋଟିଏ ଗାଡ଼ି ଭାରସାମ୍ୟ ହରାଇ ରାସ୍ତାରୁ ଉପରୋକ୍ତ ମାଇନର୍‌ କେନାଲକୁ ଖସି ପଡ଼ିଥିଲା। ସ୍ଥାନୀୟ ଲୋକେ ବହୁ ଚେଷ୍ଟା କରିଥିଲେ ମଧ୍ୟ ଗାଡ଼ିକୁ ଉପରକୁ ଉଠାଇ ପାରି ନଥିଲେ।