ବାଣଘରେ ବିସ୍ଫୋରଣ, କାରିଗର ଗୁରୁତର

ବାଲିଅନ୍ତା: ଦୀପାବଳି ପୂର୍ବରୁ ବାଲିପାଟଣା ଥାନା ଭାକର ସାହି ବାଣ ବିସ୍ଫୋରଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟଣା ମନରୁ ଲଭି ନଥିବା ବେଳେ ଆଜି ସକାଳ ୯ଟାରେ ବାଲିଅନ୍ତା ଥାନା ବାଳକାଟି ଫାଣ୍ଡି ପୁରଣଶାସନ ମୌଜା‌ରେ ଚାଲିଥିବା ଏକ ବାଣ କାରଖାନାରେ ବିସ୍ଫୋରଣ ହେବାରୁ ଜଣେ କାରିଗର ଆହତ ହୋଇଛନ୍ତି। ଆହତ କାରିଗର ହେଲେ ବାଲିଅନ୍ତା ଥାନା ଅନ୍ତର୍ଗତ ପୁରଣଶାସନ ଭୋଇସାହିର ଲକ୍ଷ୍ମଣ ବେହେରା (୪୦)। ଲକ୍ଷ୍ମଣଙ୍କ ଦୁଇ ହାତ, ଗୋଡ଼, ବେକ ମୁଣ୍ଡ ଓ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିଛି। ତେବେ ଏହି ଦୁର୍ଘଟଣାରୁ ସେଠାରେ କାମ କରୁଥିବା ଆଉ ଦୁଇ କାରିଗର ଅଳ୍ପକେ ରକ୍ଷା ପାଇଯାଇଛନ୍ତି। ସେମାନେ ହେଲେ ବାବୁଲି ବେହେରା (୫୦) ଓ ତାଙ୍କ ପୁତୁରା। ଗ୍ରାମବାସୀମାନେ ଲକ୍ଷ୍ମଣଙ୍କୁ ଚିକିତ୍ସା ଲାଗି ପ୍ରଥମେ ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତି କରିଥିଲେ। ପରେ ଭୁନେଶ୍ବରର ରବି ଟକିଜ୍‌ ସ୍ଥିତ ଏକ ଘରୋଇ ହସ୍ପିଟାଲକୁ ନେଇଥିଲେ। ମାତ୍ର ଅବସ୍ଥା ଅଧିକ ସଂକଟାପନ୍ନ ହେବାରୁ ସେଠାରୁ ଲକ୍ଷ୍ମଣଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିବା ନେଇ ସୂଚନା ମିଳିଛି। ପ୍ରଚଣ୍ଡ ବିସ୍ଫୋରଣରେ ଆଖପାଖ ବାସିନ୍ଦାମାନେ ଆତଙ୍କିତ ହୋଇପଡ଼ିଥିଲେ। ଦୀର୍ଘ ସମୟ ଧରି ହୋଇଥିବା ଏହି ବିସ୍ଫୋରଣରେ ବାଣ ପ୍ରସ୍ତୁତ ହେଉଥିବା ଚାଳ ଘରଟି ସଂପୂର୍ଣ୍ଣ ପାଉଁଶ ହୋଇଯାଇଛି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ବିସ୍ଫୋରଣ ସଂପର୍କରେ ସ୍ଥାନୀୟ ଲୋକମାନେ ତୁରନ୍ତ ଅଗ୍ନିଶମ ସେବା ବିଭାଗକୁ ଜଣାଇଥିଲେ ମଧ୍ୟ କର୍ମଚାରୀମାନେ ପହଞ୍ଚି ନଥିଲେ। ବିସ୍ଫୋରଣ ପରେ ଉଭୟ ବାଲିଅନ୍ତା ଥାନା ଅଧିକାରୀ ପ୍ରଦୀପ ରାଉତ ଓ ବାଳକାଟି ଫାଣ୍ଡି ଅଧିକାରୀ ଦେବେନ୍ଦ୍ର ନାଥ ସାହୁ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଏହାର ତଦନ୍ତ କରିଥିଲେ।

ସୂଚନାନୁଯାୟୀ ବାବୁଲି ବାଣ ତିଆରି କରବା ସହ ବ୍ୟବସାୟ କରନ୍ତି। ଏବେ ବାହାଘର ସିଜିନ୍‌ ଚାଲିଥିବାରୁ ବାଣ ତିଆରି ଚାଲୁଥିଲା। ଲକ୍ଷ୍ମଣ, ବାବୁଲି ଓ ତାଙ୍କ ପୁତୁରା ବାଣ ଭିଡ଼ୁଥିଲେ। ଲକ୍ଷ୍ମଣ ହାତରେ ଘଡ଼ି, ସାଇଲେଟ୍‌, ଗଡ଼ମ୍ବା ଭଳି ବିପଜ୍ଜନକ ବାଣ ପ୍ରସ୍ତୁତ ପାଇଁ ବାରୁଦ ଭର୍ତି କରୁଥିଲେ। ହେଲେ ହଠାତ ବାଣଟି ଲକ୍ଷ୍ମଣଙ୍କ ହାତରେ ଫୁଟି ଯାଇଥିଲା। ସେଠାରୁ ନିଆଁ ମହଜୁଦ ଥିବା ବାରୁଦଗଦା ଓ ବାଣଗୁଡ଼ିକରେ ପଡ଼ି ଯାଇଥିଲା। ମାଲିକ ବାବୁଲି ଓ ତାଙ୍କ ପୁତୁରା ପଦାକୁ ଦୌଡ଼ି ପଳାଇ ଯାଇଥିଲେ। ହେଲେ ଲକ୍ଷ୍ମଣ ସେଠାରେ ରହିଯାଇଥିଲେ। ବହୁ ସମୟ ଧରି ବାଣଶବ୍ଦ ଶୁଣି ପ୍ରଥମେ ଲୋକମାନେ କିଛି ବୁଝି ପାରି ନଥିଲେ। କିଛି ଲୋକ ପହଞ୍ଚିଥିଲେ ହେଁ ଭୟରେ ଲକ୍ଷ୍ମଣଙ୍କୁ ଉଦ୍ଧାର କରିବାକୁ ସାହସ କରିପାରି ନଥିଲେ। ତେବେ ଉଦ୍ଧାର କରିବା ବେଳକୁ ଲକ୍ଷ୍ମଣ ଗୁରୁତର ହୋଇ ପଡ଼ିଥିଲେ। ସଂକଟାପନ୍ନ ଅବସ୍ଥାରେ ସେ ଚିକିତ୍ସାଧୀନ ଅଛନ୍ତି। ସୂଚନାଯୋଗ୍ୟ ଦୀପାବଳି ସମୟରେ ଅନୁରୂପ ଭାବେ ବାଣ ବିସ୍ଫୋରଣ ଘଟି ବାଲିପାଟଣା ଥାନା ଅନ୍ତର୍ଗତ ଭାକର ସାହିର ଜଣେ ମହିଳାଙ୍କ ମୃତ୍ୟୁ ହୋଇଯାଇଥିଲା। ଏ ସଂପର୍କରେ ଥାନା ଅଧିକାରୀ ଶ୍ରୀ ରାଉତଙ୍କ ପଚାରିବାରେ ସେ କହିଛନ୍ତି, ଏହା ଲାଇସିନ୍‌ସ ପ୍ରାପ୍ତ ବାଣ କାରଖାନା। ତେବେ ଏ ନେଇ ଅଧିକ ତଦନ୍ତ ଜାରି ରହିଛି।

୪୦ ବର୍ଷରେ ୨ ମୃତ
ଗତ ୪୦ ବର୍ଷ ମଧ୍ୟରେ ବାଣଫୁଟି ବୁଦ୍ଧିପଡ଼ା ଓ ପୂରଣଶାସନ ଅଞ୍ଚଳର ଦୁଇଜଣ ବାଣୁଆଙ୍କ ମୃତ୍ୟୁ ହୋଇଛି। ବାଣଘର ବିସ୍ଫୋରଣରେ ପୂରଣଶାସନର ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଘର ମାଲିକ ଆହତ ହୋଇଥିଲେ। ସେହିପରି ଟଙ୍କପାଣି ରୋଡ୍‌ ଜଗନ୍ନାଥ ଆଶ୍ରମରେ ଯଜ୍ଞ ସମୟରେ ସାଇଲେଟ୍‌ ବାଣମାରି ବୁଦ୍ଧିପଡ଼ାର ଜଣଙ୍କର ମୃତ୍ୟୁ ହୋଇଯାଇଥିଲା। ଏଥିସହିତ ଅଗ୍ନିକାଣ୍ଡରେ ଏକାଧିକ ଶ୍ରମିକ ଆହତ ହେବା ସହିତ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ମଧ୍ୟ ନଷ୍ଟ ହୋଇଥିବା ସୂଚନା ରହିଛି। ଏପରି ଅଘଟଣ ସତ୍ତ୍ବେ ସ୍ଥାନୀୟ ଅଞ୍ଚଳରେ ଅନେକ ବେଆଇନ୍‌ ବାଣକାରଖାନା ଚାଲିଛି। ମାତ୍ର ପ୍ରଶାସନ ସେମାନଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନଥିବା ଅଭିଯୋଗ ହେଉଛି।

ସମ୍ବନ୍ଧିତ ଖବର