ସରି ଆସୁଛି ପାର୍ବଣ: ଋଣ ଚିନ୍ତାରେ ବାଣ ବେପାରୀ

ଶେଷ ଭରସା ଏସ୍‌ଆର୍‌ସିଙ୍କ ରିପୋର୍ଟ

ଖଣ୍ଡଗିରି : ଦଶହରା ଗଲା। ଗଜଲକ୍ଷ୍ମୀ ପୂଜା ବି ଗଲା। କଟକଣା ପାଇଁ ବେପାର ହେଲା ନାହିଁ। ତେଣୁ ପାହୁଲାକର ଲାଭ ହେଲା ନାହିଁ। କରୋନା ପାଇଁ ପ୍ରଶାସନର କଟକଣା ସେମାନଙ୍କ ବେପାରକୁ ଧୂଳିସାତ୍ କଲା। ଲକ୍ଷଲକ୍ଷ ଟଙ୍କା ଋଣ କରି ବେପାର ପାଇଁ ମାଲ୍ କିଣି ମହଜୁଦ କରିଛନ୍ତି। ଗୋଦାମରେ ମାଲ୍‌ ଖତ ହେବାକୁ ବସିଲାଣି। ବଡ଼ ଆଶା ରହିଛି ଦୀପାବଳିକୁ ନେଇ। କିନ୍ତୁ କଟକଣା ଉଠି ନାହିଁ। ଏଣେ ଉଚ୍ଚ ନ୍ୟାୟାଳୟରେ ମାମଲା ଗଡ଼ୁଛି। ରିଲିଫ କମିସନର୍‌(ଏସ୍‌ଆର୍‌ସି)ଙ୍କ ରିପୋର୍ଟ ଉପରେ ନିର୍ଭର କରୁଛି ରାୟ। ତେଣୁ ବଡ଼ ଆଶା ଭରସା କରି ଅପେକ୍ଷା କରିଛନ୍ତି ବାଣ ବ୍ୟବସାୟୀ। ଏସ୍‌ଆର୍‌ସିଙ୍କ ରିପୋର୍ଟ ସେମାନଙ୍କ ବିରୋଧରେ ଗଲେ, ସେମାନେ ତିନି ପାଞ୍ଜିରୁ ଯିବେ। ମୂଳଧନ ତ ଯିବ ଓ ତା’ ସହିତ ଋଣଭାର ସେମାନଙ୍କ ଭେଳା ବୁଡ଼ାଇବ। ଏହା ହେଉଛି ଜଟଣୀ ଓ ଭୁବନେଶ୍ବରର ପାଇକାରୀ ବାଣ ବ୍ୟବସାୟୀଙ୍କ ଦୁଃଖ।

ସୂଚନାଯୋଗ୍ୟ, ଖୋର୍ଦ୍ଧା ଜିଲ୍ଲା ଜଟଣୀ ହେଉଛି ବାଣ ବ୍ୟବସାୟର ପେଣ୍ଠସ୍ଥଳ। ପୁରୀ, ଗଞ୍ଜାମ, ନୟାଗଡ଼, କନ୍ଧମାଳ ଆଦି ଜିଲ୍ଲାର ଲୋକେ ଏଠାରୁ ବାଣ କିଣି ଖୁଚୁରା ବେପାର କରନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ତିଆରି ହେଉଥିବା ବାଣ ସହିତ ତାମିଲନାଡ଼ୁ ଶିବକାଶୀରୁ ବିପୁଳ ବାଣ ଏଠାକୁ ଆମଦାନି ହୋଇଥାଏ। ଜଟଣୀରେ ପ୍ରାୟ ୧୦ରୁ ଅଧିକ ପାଇକାରୀ ବେପାରୀ ଏହି ବେପାର କରନ୍ତି। ବର୍ଷସାରା ବିବାହ, ବ୍ରତ ଓ ଯାନିଯାତ୍ରା ପାଇଁ ଲୋକେ ଏଠାରୁ ବାଣ କିଣନ୍ତି। ତେବେ ପାର୍ବଣ ସମୟରେ ଏହି ବେପାର ଭଲ ହୁଏ। ବ୍ୟବସାୟୀମାନେ ମଧ୍ୟ ସରକାରଙ୍କୁ ଏଥିପାଇଁ ଲକ୍ଷ ଲକ୍ଷ ଟଙ୍କାର ଟିକସ ଦିଅନ୍ତି। ମାତ୍ର ଗତବର୍ଷଠାରୁ ଜଟଣୀରେ ବାଣ ବେପାର ମାନ୍ଦା ପଡ଼ିଛି। ମହାମାରୀ କରୋନା ପାଇଁ କଟକଣା ଲାଗୁ ହେଉଥିବାରୁ ବେପାର ଠପ୍‌ ହୋଇଯାଇଛି। ଚଳିତବର୍ଷ କିଛି ବେପାର ହେବ ବୋଲି ବ୍ୟବସାୟୀମାନେ ଆଶା କରିଥିଲେ। କରୋନା ସଂକ୍ରମଣ ହ୍ରାସ ପାଇଥିବାରୁ ଓ କିଛି କିଛି କଟକଣା କୋହଳ ହୋଇଥିବାରୁ ବେପାରୀମାନେ ଭଲ ଆଶା କରିଥିଲେ। ମାତ୍ର ଦଶହରା କଟକଣା ଭିତରେ ଗଲା। ରାବଣ ପୋଡ଼ି ହେଲା ନାହିଁ। ତେଣୁ ବାଣ ବେପାର ହେଲା ନାହିଁ। ସେହିଭଳି ଗଜଲକ୍ଷ୍ମୀ ପୂଜା ବି କଟକଣାରେ ଶେଷ ହୋଇଛି। ଏବେ ଦୀପାବଳିକୁ ଅପେକ୍ଷା। ଯଦି ଦୀପାବଳି କଟକଣା ଭିତରେ ଚାଲିଯାଏ, ପାର୍ବଣ ଋତୁ ଆପାତତଃ ସରିଯିବ। ଦୀପାବଳି ପାଖେଇ ଆସିଲାଣି। କିନ୍ତୁ ବାଣ ବେପାର ଉପ‌ରେ ଲାଗୁ ହୋଇଥିବା କଟକଣା ଓ ତାହାକୁ ନେଇ ଉଚ୍ଚ ନ୍ୟାୟାଳୟରେ ଚାଲିଥିବା ମାମଲାର ଅନ୍ତ ହୋଇପାରିନାହିଁ। ଗତବର୍ଷ କଟକଣା ପାଇଁ ବ୍ୟବସାୟୀମାନେ ଆମଦାନି କରିଥିବା ବାଣ ବିକ୍ରି କରିପାରିନଥିଲେ। ଫଳରେ ବହୁ କ୍ଷତି ସହିଥିଲେ। ଏମିତିକି ଗତବର୍ଷ କିଣିଥିବା ବାଣ ପାଇଁ ଋଣ କରିଥିବା ଟଙ୍କାର ସୁଧ ୧୮ ମାସ ହେଲା ଗଣୁଛନ୍ତି। ଗତବର୍ଷର କ୍ଷତ ଶୁଖି ନଥିବା ବେଳେ ଚଳିତ ବର୍ଷର ଆଶଙ୍କା ସେମାନଙ୍କୁ ଆତଙ୍କିତ କରି ରଖିଛି।

ପାଇକାରୀ ସଂଘର ସଭାପତି ତ୍ରିଲୋଚନ ପଟ୍ଟନାୟକଙ୍କ କହିବା କଥା, ଏହି ବେପାର ଦ୍ବାରା ସେମାନଙ୍କ ସହ ଗୋଦାମରେ କାମ କରୁ୍‌ଥିବା ପ୍ରାୟ ୩ଶହ ପରିବାର ଚଳୁଥିଲେ। ସେମାନେ ଏବେ ରୋଜଗାର ହରାଇଛନ୍ତି। ସେହିଭଳି ସେମାନଙ୍କଠାରୁ ବାଣ କିଣୁଥିବା ପ୍ରାୟ ୩୦ହଜାରରୁ ଅଧିକ ଖୁଚୁରା ବ୍ୟବସାୟୀ ମଧ୍ୟ ପ୍ରଭାବିତ ହୋଇଛନ୍ତି। ଆକଳନ କଲେ ସମଗ୍ର ଓଡ଼ିଶାରେ ବ୍ୟବସାୟୀମାନେ ୧୬୦କୋଟି ଟଙ୍କାର କ୍ଷତି ସହୁଛନ୍ତି। କେବଳ ଜଟଣୀରେ ୧୨୦ ଖୁଚୁରା ବାଣ ବ୍ୟବସାୟୀ ରୋଜଗାର ହରାଇଛନ୍ତି। କେବଳ ସେତିକି ନୁହେଁ, ସରକାର ମଧ୍ୟ ଟିକସ ବାବଦରେ ଲକ୍ଷଲକ୍ଷ ଟଙ୍କା ହରାଉଛନ୍ତି। ଶ୍ରୀ ପଟ୍ଟନାୟକଙ୍କ କହିବା କଥା, ସବୁ ବ୍ୟବସାୟୀ ଏବେ ଋଣରେ ଅଛନ୍ତି। ଉଚ୍ଚ ନ୍ୟାୟାଳୟ ଏସ୍‌ଆର୍‌ସିଙ୍କୁ ରିପୋର୍ଟ ମାଗିଛନ୍ତି। ଆସନ୍ତାକାଲି ସେ ରିପୋର୍ଟ ଦାଖଲ କରିବାର ଅଛି। ତେଣୁ ଏସ୍‌ଆର୍‌ସିଙ୍କ ରିପୋର୍ଟକୁ ନେଇ ସେମାନେ ଆଶାବାଦୀ ଅଛନ୍ତି। ବ୍ୟବସାୟୀ ପ୍ରମୋଦ ସାହୁଙ୍କ କହିବା କଥା, ସେ ଋଣ କରି ୧୨ଲକ୍ଷ ଟଙ୍କାର ବାଣ ଆଣିଛନ୍ତି। ଯଦି ଏସ୍‌ଆର୍‌ସି ଅନୁକୂଳ ରିପୋର୍ଟ ନ ଦିଅନ୍ତି, ଗୋଦାମରେ ସବୁ ବାଣ ଖତ ହୋଇଯିବ। ତାଙ୍କ ଭଳି ସବୁ ବ୍ୟବସାୟୀଙ୍କ ଅବସ୍ଥା ଶୋଚନୀୟ ହୋଇପଡ଼ିବ।

ସମ୍ବନ୍ଧିତ ଖବର