ରେଳ ଷ୍ଟେସନ୍‌ରେ ଅଗ୍ନିଶମ ବାହିନୀର ମକ୍‌ ଡ୍ରିଲ୍‌: ମିଛିମିଛିକା ନିଆଁ, ସତସତିକା ଭୟ

ଭୁବନେଶ୍ବର: ମିଛିମିଛିକା ନିଆଁ ଲାଗିଥିଲା। ଅଗ୍ନିଶମ ବାହିନୀର କର୍ମଚାରୀମାନେ ବି ଅଭିନୟ କରି ନିଆଁକୁ ଆୟତ୍ତ କରୁଥିଲେ। କିନ୍ତୁ ଲୋକଙ୍କ ଭିତରେ ଖେଳି ଯାଇଥିଲା ସତସତିକା ଭୟ। ପ୍ରବଳ ଧୂଆଁ ଓ ସାଇରନ୍‌ ଶବ୍ଦ ଶୁଣି ଲୋକେ ଛାନିଆରେ ଧାଁ ଧଉଡ଼ କରିଥିଲେ। ଯିଏ ଦୌଡ଼ି ପାରୁନଥିଲା, ସେ ବିକଳରେ କାନ୍ଦୁଥିଲା। ବଞ୍ଚାଅ ବଞ୍ଚାଅ ବୋଲି ପାଖ ଲୋକଙ୍କୁ ଡାକ ପକାଉଥିଲା। କିନ୍ତୁ କିଏ କାହାକୁ ନ ଚାହିଁ ପ୍ରାଣ ବଞ୍ଚାଇବାକୁ ଧାଉଁଥିଲେ। ନିକଟସ୍ଥ କିଛି ଲୋକେ ମଧ୍ୟ ଅଘଟଣ ଦେଖିବା ପାଇଁ ଘଟଣାସ୍ଥଳକୁ ଧାଇଁଥିଲେ। ମାତ୍ର ପରେ ଯେତେବେଳେ ଜଣାପଡ଼ିଲା ଯେ ଏହା ସବୁ ମିଛ ଓ ମକ୍ ଡ୍ରିଲ୍‌ ହେଉଛି, ସମସ୍ତେ ଆଶ୍ବସ୍ତ ହୋଇଥିଲେ। ଆଜି ଭୁବନେଶ୍ବର ରେଳ ଷ୍ଟେସନର ୬ ନମ୍ବର ପ୍ଲାଟଫର୍ମରେ ଏମିତି ନାଟକ ବେଶ୍ କିଛି ସମୟ ପାଇଁ ଭିନ୍ନ ଏକ ଅନୁଭୂତି ଆଣି ଦେଇଥିଲା।

ପୂର୍ବାହ୍ନ ପ୍ରାୟ ୧୧ଟା ୧୫। ହଠାତ୍ ଭୁବନେଶ୍ବର ରେଳ ଷ୍ଟେସନ୍‌ର ୬ ନମ୍ବର ପ୍ଲାଟଫର୍ମର ଏକ କୋଠରିରୁ ବହୁ ଜୋର୍‌ରେ ଧୂଆଁ ବାହାରିଲା। ରେଳଷ୍ଟେସନ୍‌ରେ ଅଗ୍ନିକାଣ୍ଡ ହୋଇଛି ବୋଲି ପ୍ରଚାର ହୋଇଗଲା। ତେଣୁ ପ୍ଲାଟ୍‌ଫର୍ମରୁ ଲୋକେ ଭୟରେ ଧାଁ ଦଉଡ଼ କରି ବାହାରି ଆସିଲେ। ନିକଟ ଅତୀତରେ ଘଟିଥିବା ରାଜଭବନ ପେଟ୍ରୋଲ୍ ପମ୍ପ୍‌ର ଛାତିଥରା ବିସ୍ଫୋରଣ କଥା ମନେ ପଡ଼ି ଯାଇଥିଲା। କେହି କିଛି ବୁଝିବା ଆଗରୁ ଅଗ୍ନିକାଣ୍ଡକୁ ଆୟତ୍ତ କରିବା ପାଇଁ ଅଗ୍ନିଶମ ବିଭାଗ ଓ ପୁଲିସ୍ ରେଳଷ୍ଟେସନ୍‌କୁ ଘେରାଉ କରି ସାରିଥିଲା। ପାଣି ସ୍ପ୍ରେ’ଠାରୁ ଆରମ୍ଭ କରି ସବୁପ୍ରକାରର କୌଶଳ ଆପଣାଇ ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲା। କିଛି ଆହତ ଲୋକଙ୍କୁ ଟେକି ଟେକି ଅଗ୍ନିଶମ ବାହିନୀ କର୍ମଚାରୀମାନେ ଆମ୍ବୁଲାନ୍‌ସକୁ ନେଉଥିଲେ। ଏହିଭଳି ପ୍ରାୟ ଦେଢ଼ ଘଣ୍ଟା କସରତ୍ କରିବା ପରେ ଅଗ୍ନିଶମ ବିଭାଗ ନିଆଁକୁ ଆୟତ୍ତ କରିଥିଲା‌।

ତେବେ ଏହା ପରେ ଅସଲ କଥା ଜଣାପଡ଼ିଥିଲା। ମିଛ ନିଆଁ ଲାଗିଥିଲା ବୋଲି କଥା ପ୍ରଘଟ ହୋଇଥିଲା। ଅଗ୍ନିଶମ ବାହିନୀ ପକ୍ଷରୁ ମକ୍‌ ଡ୍ରିଲ୍‌ ଚାଲିଥିଲା ବୋଲି ଲୋକେ ବୁଝିପାରିଥିଲେ। ଅଘଟଣ ଘଟିବା ସମୟରେ ବିଚଳିତ ନ ହୋଇ କିଭଳି ସୁରକ୍ଷିତ ଭାବେ ବାହାରକୁ ଆସିବାକୁ ହେବ, ତା’ର ଜୀବନ୍ତ ଦୃଶ୍ୟ ଲୋକଙ୍କୁ ଦେଖାଇଥିଲା ଅଗ୍ନିଶମ ବିଭାଗ। ଅଗ୍ନିଶମ ବିଭାଗର ପ୍ରାୟ ୨ ୟୁନିଟ୍ କର୍ମଚାରୀ, ଜିଆର୍‌ପି ଓ ସିଆର୍‌ପିଏଫ୍, ପାସେଞ୍ଜର, ସ୍ବେଚ୍ଛାସେବୀଙ୍କ ସମେତ କମିସନରେଟ୍ ପୁଲିସ୍‌ର ଫୋର୍ସ ଏହି ମକ୍‌ ଡ୍ରିଲ୍‌ରେ ସାମିଲ ହୋଇଥିଲେ। ପ୍ରଥମେ ରେଳଷ୍ଟେସନର ଛାତ ଉପରେ, ପରେ ୬ନଂ ପ୍ଲାଟ୍‌ଫର୍ମରେ ଥିବା ଫୁଡ୍ ପ୍ଲାଜାରେ ନିଆଁ ଲଗାଇ ଏହି ଡ୍ରିଲ୍‌ କରାଯାଇଥିଲା। ପ୍ରଥମେ ଲୋକେ ଆତଙ୍କିତ ହୋଇପଡ଼ିଥିଲେ ବି ପରେ ଲୋକେ ଅଗ୍ନିଶମ କର୍ମଚାରୀ ଓ ପୁଲିସ୍ ବାହିନୀକୁ ପ୍ରଂଶସା କରିଥିଲେ।

ସମ୍ବନ୍ଧିତ ଖବର