ଜଙ୍ଗଲରେ ନିଆଁ, ହାତୀ ସହରମୁହାଁ

ଚନ୍ଦ୍ରଶେଖରପୁର/ ମେଣ୍ଢାଶାଳ:  ଦୁଇ ଦିନ ହେଲା ଜଳୁଛି ଚନ୍ଦକା ହସ୍ତୀ ଅଭୟାରଣ୍ୟ। ବନ ବିଭାଗ ଅଗ୍ନିଶମ ବାହିନୀ ସହଯୋଗରେ ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରୁଥିଲେ ବି ସଫଳ ହୋଇପାରିନାହିଁ। ଫଳରେ ନିଆଁ ଆଗକୁ ଆଗକୁ ବ୍ୟାପିବାରେ ଲାଗିଛି ଓ ପ୍ରକୋପ ବି ବଢ଼ିବାରେ ଲାଗିଛି। ଏଣେ ଦୁଇ ଦିନ ହେଲା ରାଜଧାନୀର ତାପମାତ୍ରା ବଢ଼ିବଢ଼ି ୪୨ ଡିଗ୍ରିକୁ ଛୁଇଁଲାଣି। ତେଣୁ ଚନ୍ଦକା ଅଭୟାରଣ୍ୟରେ ବନ୍ୟପ୍ରାଣୀମାନେ ଛଟପଟ ହେଲେଣି। ନିଆଁ ଦାଉରୁ ରକ୍ଷା ପାଇବା ପାଇଁ ହାତୀମାନେ ଜଙ୍ଗଲ ଛାଡ଼ି ନିରାପଦ ସ୍ଥାନ ଖୋଜିଖୋଜି ସହରମୁହାଁ ହେଉଥିବା ଦେଖାଗଲାଣି। ଗତକାଲିଠାରୁ ୩ଟି ହାତୀ ଜଙ୍ଗଲ ଛାଡ଼ି ଦାରୁଠେଙ୍ଗ ନିକଟ ଶ୍ୟାମସୁନ୍ଦରପୁରରେ ପହଞ୍ଚିଥିବା ଜଣାପଡ଼ିଛି। ସେମାନେ ଖୁବ୍‌ ଶୀଘ୍ର ରାଜଧାନୀର ନିକଟତ୍ତର ହେବା ଆଶଙ୍କା ସୃଷ୍ଟି ହୋଇଛି।

ଗତକାଲି ରାତି ପ୍ରାୟ ୧୧ଟା ସମୟରେ ଚନ୍ଦକା ରେଞ୍ଜ୍‌ ଅଞ୍ଚଳରୁ ୩ଟି ହାତୀ ଜନବସତି ମୁହାଁ ହୋଇଛନ୍ତି। ଏହି ୩ ଟିକିଆ ହାତୀ ପଲରେ ରହିଛି ଏକ ବିଶାଳ ଦନ୍ତା। ଆଜି ସକାଳୁ ସ୍ଥାନୀୟ ଲୋକେ ସେମାନଙ୍କୁ ଶ୍ୟାମସୁନ୍ଦରପୁରରେ ଦେଖିବା ପରେ ବନ ବିଭାଗକୁ ଜଣାଇଥିଲେ। ସେମାନେ କାଜୁ ଜଙ୍ଗଲ ଭିତରେ ଡେରା ପକାଇଥିବା ବନ ବିଭାଗର କର୍ମଚାରୀମାନେ ଦେଖିବା ପରେ ଜଗି ରହିଥିଲେ। ଶ୍ୟାମସୁନ୍ଦରପୁରରୁ ୨୦୦ ଫୁଟିଆ ରାସ୍ତା ପାର୍‌ ହେଲେ ହାତୀମାନେ ଶିଖରଚଣ୍ଡୀ ମୁଣ୍ଡିଆ‌ କଡ଼ ଦେଇ ଚନ୍ଦକା ଶିଳ୍ପାଞ୍ଚଳକୁ ପଶିବା ସମ୍ଭାବନା ରହିଛି। ତେଣୁ ବନ କର୍ମଚାରୀମାନେ ଏହି ରାସ୍ତାରେ ପହରା ଦେବା ଆରମ୍ଭ କରିଛନ୍ତି। ଆଜି ହାତୀମାନେ ଦିନତମାମ୍ କାଜୁ ଜଙ୍ଗଲରେ ରହିଥିଲେ। ସାଧାରଣତଃ ସେମାନେ ସନ୍ଧ୍ୟା ହେଲେ ଜାଗା ବଦଳାଇଥାନ୍ତି।

ସେପଟେ ଜଙ୍ଗଲ ଜଳୁଥିବାରୁ ହାତୀମାନେ ପୁଣି ଚନ୍ଦକା ଜଙ୍ଗଲ ଫେରିବା ସମ୍ଭାବନା ନାହିଁ। ବରଂ ସେମାନେ ଭରତପୁର ସଂରକ୍ଷିତ ଜଙ୍ଗଲକୁ ଆସିବା ଏକପ୍ରକାର ଥୟ। ଅର୍ଥାତ୍ ଶ୍ୟାମସୁନ୍ଦରପୁରରୁ ଭରତପୁର ସଂରକ୍ଷିତ ଜଙ୍ଗଲକୁ ଯିବା ପାଇଁ ହାତୀମ‌ାନେ ପଥରଗାଡ଼ିଆ ଦେଇ କିମ୍ବା ଚନ୍ଦକା ଶିଳ୍ପାଞ୍ଚଳ ଦେଇ ଯିବେ। ତେଣୁ ବାଟରେ ଗଣେଶଘାଟ କଲୋନି, ଟ୍ରେଞ୍ଚ୍‌ ବସ୍ତି, ଚୁନୁକୋଳି ବସ୍ତି ଓ ଇନ୍‌ଫୋସିଟି ଅଞ୍ଚଳର କିଛି ବସ୍ତି ଦେଇ ହାତୀମାନେ ଯିବାର ସମ୍ଭାବନା ରହିଛି। ଯଦି ବନ କର୍ମଚାରୀମା‌ନେ ସେମାନଙ୍କୁ ଜଙ୍ଗଲ ମୁହାଁ କରାଇବାରେ ସମର୍ଥ ନହୁଅନ୍ତି, ତେବେ ୩ଟିକିଆ ହାତୀ ପଲ ବଡ଼ଧରଣର କ୍ଷତି ଘଟାଇବା ଆଶଙ୍କାକୁ ଏଡ଼ାଇ ଦିଆଯାଇନପାରେ। ସେହିଭଳି ବଡ଼ ବିପଦ ହେଉଛି ଜଙ୍ଗଲରେ ନିଆଁ ଆୟତ୍ତ ହୋଇପାରିନଥିବା। ଏବେ ୩ଟି ହାତୀ ଜଙ୍ଗଲ ଛାଡ଼ିଛନ୍ତି।

ଯଦି ନିଆଁ ନିୟନ୍ତ୍ରଣକୁ ନଆସେ, ତେବେ ଚନ୍ଦକା ଅଭୟାରଣ୍ୟରେ ଥିବା ପ୍ରାୟ ୩୦ ହାତୀଙ୍କ ଭିତରୁ ଆଉ କିଛି ପଲ ରାଜଧାନୀ ମୁହାଁ ହୋଇପାରନ୍ତି। ଏଭଳି ହେଲେ ସ୍ଥିତି ବଡ଼ ସଂଗିନ୍‌ ହୋଇପଡ଼ିବ। କଣ୍ଟାବାଡ଼, ମେଣ୍ଢାଶାଳ, ଗୋଡ଼ିବାରୀ କୁଜିମହୁଲ ଦେଇ ହାତୀମାନେ ଜଙ୍ଗଲ ବାହାରକୁ ପଳାଇଆସିଲେ, ସେମାନଙ୍କୁ ଜଗିବା କାଠିକର ପାଠ ହୋଇପଡ଼ିବ। ଫଳରେ ରାଜଧାନୀ ଉପକଣ୍ଠରେ ଚନ୍ଦକା, ଅନ୍ଧାରୁଆ, ଭରତପୁର, ପାଇକରାପୁର, ମଳିପଡ଼ା, କଳିଙ୍ଗବିହାର ଆଦି ଅଞ୍ଚଳରେ ହାତୀମାନେ ପ୍ରଳୟକାଣ୍ଡ ଘଟାଇବା ନିଶ୍ଚିତ ହୋଇପଡ଼ିବ।

ବନ କର୍ମଚାରୀମାନଙ୍କ ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ ଏହି ୩ ହାତୀଙ୍କୁ ଘଉଡ଼ାଇବା ପାଇଁ ସବୁ ପ୍ରକାର ଉଦ୍ୟମ କରାଯାଉଛି। ସେମାନଙ୍କୁ ନିୟମିତ ପିଛା କରାଯାଉଛି ଓ ଜନବସତି ଠାରୁ ଦୂରରେ ରଖିବାକୁ ଚେଷ୍ଟା ଚାଲିଛି। ତେବେ ଏହି ହାତୀମାନେ ଜଙ୍ଗଲ ନିଆଁ କାରଣରୁ ବାହାରକୁ ଆସିଛନ୍ତି ବୋଲି କଥାକୁ ସେମାନେ ଖଣ୍ଡନ କରିଛନ୍ତି। ସେମାନଙ୍କ କହିବା କଥା, ଡେରାସ ଓ ଝୁମୁକା ନିକଟ ଅଞ୍ଚଳରେ ଜଙ୍ଗଲରେ ନିଆଁ ଲାଗିଛି। ଏହି ୩ ହାତୀ ଚନ୍ଦକା ଜଙ୍ଗଲର ଉତ୍ତର ପାର୍ଶ୍ବରୁ ଅର୍ଥାତ୍ ଚୂଡ଼ଙ୍ଗଗଡ଼ ପଟୁ ବାହାରକୁ ଆସିଛନ୍ତି। ଝୁମୁକା ଓ ଡେରାସ ଅଞ୍ଚଳରେ ନିଆଁ ଲାଗିଥିବାରୁ ହାତୀମାନେ ଜଙ୍ଗଲ ଛାଡ଼ିଲେ, ମହାନଦୀ ପାର୍ ହୋଇ ଆଠଗଡ଼ ଜଙ୍ଗଲକୁ ଚାଲିଯିବା ସମ୍ଭାବନା ଅଧିକ। ତେଣୁ ରାଜଧାନୀକୁ ଭୟ ନାହିଁ ବୋଲି କୁହାଯାଇପାରେ।

ସମ୍ବନ୍ଧିତ ଖବର