ବାଲିଅନ୍ତା: ଆଉ ଦିନ କେଇଟା ପରେ ଦୀପାବଳି । ଏନେଇ ବାଲିଅନ୍ତା ଥାନା ଅଞ୍ଚଳରେ ବାଣ ବେପାର ଜମିଲାଣି। ଦୀପାବଳି ସମୟରେ ବାଣଦୋକାନ କରି ଅଳ୍ପ ସମୟ ମଧ୍ୟରେ ଭଲ ଦି ପିଇସା ଲାଭ ମିଳିବାର ସୁଯୋଗ ଥିବାରୁ ଏବେ ବାଣ ଦୋକାନ ଲାଇସେନ୍ସ ପାଇଁ ପ୍ରତିଯୋଗିତା ଆରମ୍ଭ ହୋଇଗଲାଣି। ପାଖାପାଖି ୪୦ ଜଣ ବେପାରୀ ଦୀପାବଳିରେ ବାଣ ଦୋକାନ କରିବା ନେଇ ଅନ୍‌ଲାଇନ୍‌ରେ ଆବେଦନ କରିଥିବା ଜଣାଯାଇଛି। ବଡ଼ କଥା ହେଉଛି ବାଣ ଦୋକାନ ଓ ବାଣ ତିଆରି ପାଇଁ ଲାଇସେନ୍ସ ମିଳି ନଥିବା ବେଳେ ଏବେଠୁ କିଛି ବ୍ୟବସାୟୀ ଟେଣ୍ଟ ଟାଣି ବିଭିନ୍ନ ପ୍ରକାର ବାଣ ମହଜୁଦ କରିସାରିଲେଣି। ଲାଇସେନ୍ସ ନଥିବା ବେଳେ ଅନେକ ବେପାରୀ ଶ୍ରମିକ ଲଗାଇ ଚୋରାରେ ବାଣ ତିଆରି ଆରମ୍ଭ କରିଦେଲେଣି।

Advertisment

ଦୋକାନ ପାଇଁ ଅନ୍‌ଲାଇନ୍‌ରେ ୪୦ ଆବେଦନ 

ବାଣଦୋକାନ କରିବା ନେଇ ଅନ୍‌ଲାଇନ୍‌ ମାଧ୍ୟମରେ କେତେକ ବେପାରୀ ପ୍ଲଟ୍‌ ନମ୍ବର ପକାଇ ଆବେଦନ କରିଥିବା ଜଣାଯାଇଛି। ନିୟମ ଅନୁସାରେ ଅସ୍ଥାୟୀ ବାଣଦୋକାନ ନେଇ ବେପାରୀମାନେ ବାଲିଅନ୍ତା ତହସିଲ ସୀମା ଅଞ୍ଚଳର କି ନାହିଁ ତାହା ରାଜସ୍ବ ନିରୀକ୍ଷକ କମିସନରେଟ୍‌ ପୁଲିସକୁ ରିପୋର୍ଟ ଦେବେ। ବାଣଦୋକାନ  ବଜାର ଓ ଜନବସତିଠାରୁ ଅନ୍ୟୁନ ୫୦୦ ମିଟର ଦୂରରେ କରାଯିବ। ନଦୀପଠା କିମ୍ବା ନିଛାଟିଆ ସ୍ଥାନ ଚୟନ କରାଯିବ। ବାଣଦେକାନ ନିକଟରେ ଜଳାଶୟ, ଅଗ୍ନି ନିର୍ବାପକ ସିଲିଣ୍ଡର, ବାଲିବସ୍ତା, ବାଲିଗଦା  ଭଳି ସାମଗ୍ରୀ ରହିଥିବା ଆବଶ୍ୟକ। ସେହିପରି ବାଣ ତିଆରି ଓ ବିକ୍ରିରେ ନାବାଳକ ନିୟୋଜନ ଦଣ୍ଡନୀୟ। ହେଲେ ବାଲିଅନ୍ତା ଥାନା ଅଞ୍ଚଳରେ ନିର୍ଦ୍ଧାରିତ ଦୂରତାଠାରୁ କମ ଦୂରରେ ବାଣ ତିଆରି ଆରମ୍ଭ ହୋଇଯାଇଛି। କିଛି ବେପାରୀ ଳକ୍ଷ ଲକ୍ଷ ଟଙ୍କାର ତାଳଫୋଟକା, ବକ୍ସ, ଲଙ୍କାବାଣ, କୁମ୍ପି, ରକେଟ୍‌, ଚକ୍ରି, ଗଡ଼ମ୍ବା ଓ ଶୂନ୍‌ଫୋଟକା ଭଳି ବିଭିନ୍ନ ପ୍ରକାର ବାଣ ମହଜୁଦ କରି ରଖିଛନ୍ତି। ସେହିପରି ବିଭିନ୍ନ ସ୍ଥାନରେ ବେଆଇନ ବାଣ ପ୍ରସ୍ତୁତି‌ ଚାଲିଛି।