ଜଟଣୀ: ଆଗକୁ ଆସୁଛି ଆଲୋକର ପର୍ବ ଦୀପାବଳି। ବାତ୍ୟା ‘ଦାନା’ ପରେ ଏବେ ଜଟଣୀରେ ବାଣ ବେପାର ଜମିଲାଣି। ଏଠାରେ ହୋଲସେଲ୍ ଦରରେ ତଥା ବଜାର ଅପେକ୍ଷା କମ୍ ଦାମରେ ବାଣ ମିଳୁଥିବାରୁ ଦୋକାନୀ ଓ ଗ୍ରାହକମାନେ କିଣିବାକୁ ଏଠାକୁ ଛୁଟି ଆସିଥାନ୍ତି। ତେଣୁ ବାଣ ପାଇଁ ଜଟଣୀକୁ ହବ୍ କୁହାଯାଉଥିବା ବେଳେ ଗଣେଶ ପୂଜା ପରଠାରୁ ବାଣ ବିକ୍ରି ଆରମ୍ଭ ହୋଇଯାଇଛି। ପୁରୀ, ଗଞ୍ଜାମ, ନୟାଗଡ଼, କନ୍ଧମାଳ, ଭୁବନେଶ୍ୱର, କଟକ ଭଳି ଅନେକ ଜିଲ୍ଲାରୁ ବ୍ୟବସାୟୀ ଏଠାରୁ ବାଣ କିଣି ଖୁଚୁରା ବେପାର କରନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ତିଆରି ହେଉଥିବା ବାଣ ସହିତ ତାମିଲନାଡ଼ୁର ଶିବକାଶୀରୁ ବିପୁଳ ବାଣ ଏଠାକୁ ଆମଦାନୀ ହୋଇଥାଏ। ଅପରପକ୍ଷରେ ବର୍ଷସାରା ବିବାହ, ବ୍ରତ ଓ ଯାନିଯାତ୍ରା ପାଇଁ ଲୋକେ ଏଠାରୁ ବାଣ କିଣନ୍ତି। ତେବେ ବିଶେଷ କରି ପାର୍ବଣ ସମୟରେ ବେପାର ଭଲ ହୁଏ। ଚଳିତବର୍ଷ ବାତ୍ୟା ‘ଦାନା’ ପାଇଁ ପାଗ କୋହଲା ରହିଥିବା ବେଳେ ଆଜିଠୁ ପାଗ ବଦଳିଛି। ପୂର୍ବରୁ ପାଇକାରୀ ବ୍ୟବସାୟୀମାନେ ବେପାର ଆରମ୍ଭ କରି ଦେଇଥିବା ବେଳେ ଆଜିଠୁ ଖୁଚୁରା ବ୍ୟବସାୟୀମାନେ ବେପାର ଆରମ୍ଭ କରିଛନ୍ତି। ଏଥିସହ ଅସ୍ଥାୟୀ ବାଣ ବିକ୍ରି ପାଇଁ ପ୍ରଶାସନ ପକ୍ଷରୁ ଜଟଣୀ ଶରତ ପାଇକରାୟ ଷ୍ଟାଡିୟମ୍ରେ ଅନୁମତି ଦିଆଯାଇଛି। ସରକାରୀ ଗାଇଡଲାଇନ୍ ଅନୁସାରେ ବାଣ ବ୍ୟବସାୟ କରିବାକୁ ବ୍ୟବସାୟୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟପଟେ ଜଟଣୀରେ ଖୁଚୁରା ବାଣ ବ୍ୟବସାୟ ପାଇଁ ୮୬ଜଣ ବ୍ୟବସାୟୀଙ୍କୁ ପୁଲିସ ଲାଇସେନ୍ସ ପ୍ରଦାନ କରିଛି।
ଅନ୍ୟପଟେ ଦୀପାବଳି ପାଇଁ ଜଟଣୀରେ ଖୁଚୁରା ବ୍ୟବସାୟୀଙ୍କୁ ବେପାର କରିବାକୁ ୫ଦିନ ସମୟ ଦିଆଯାଇ ଥିବାବେଳେ ହୋଲସେଲ୍ ବ୍ୟବସାୟୀଙ୍କୁ ୧୫ଦିନ ସମୟ ଦିଆଯାଇଛି। ଏହାରି ମଧ୍ୟରେ ବ୍ୟବସାୟୀମାନେ ଯେଉଁ ସ୍ଥାନରେ ବ୍ୟବସାୟ କରିବାକୁ ଅନୁମତି ନେଇଥିବେ କେବଳ ସହି ସ୍ଥାନରେ ଦୋକାନ କରିବେ। ଚଳିତବର୍ଷ ବଜାରକୁ ନୂଆକରି ପିକଅପ୍, ମିଡ୍ ନାଇଟ, କୁଲର, ମିସାଇଲ୍, ଏନ୍ସଏଲ୍ ଅନଆର୍, ହେଲିକପ୍ଟର ଓ ଡ୍ରୋନ ବାଣ ଆସିଛି। ସେଗୁଡ଼ିକର ଦାମ୍ ୨୫୦ରୁ ୫୦୦ ଟଙ୍କା ରହିଛି। ସେହିପରି ରଙ୍ଗିନ କୁମ୍ପି (ବିଭିନ୍ନ ରଙ୍ଗ), ଡିଲକ୍ସ କ୍ରାକର, ଲାୟନ କିଙ୍ଗ, ଡ୍ରୋନ୍ ଜମ୍ପର, ରସୁଣ ବାଣ, ଆଇଟମ ଚକ୍ର (ବିଭିନ୍ନ ରଙ୍ଗ), ଫୁଲଝରି, ଆକାଶ ଛତା (ବିଭିନ୍ନ ରଙ୍ଗ), ହାବେଳି, ସ୍କାଏ ସଟ୍, ଫଟୋ ଫ୍ଲାସ୍, ଗଙ୍ଗା ଯମୁନା ବମ୍, ବନ୍ଧୁକ, ରୋଲ କ୍ୟାପ, ମ୍ୟୁଜିକାଲ୍ ରୋଲ୍, ବଟର ଫ୍ଲାଏ, ଚକଲେଟ୍ ବମ୍, ବକ୍ସ ବମ୍, ଲଙ୍କା ବମ୍, ରକେଟ୍ ଭଳି ଫ୍ୟାନ୍ସି ବାଣ ସହ ହାତ ତିଆରି ବାଣ ମଧ୍ୟ ମିଳୁଛି। ଗତବର୍ଷ ଅପେକ୍ଷା ଚଳିତବର୍ଷ ବାଣ ଦର ଟିକେ କମ ରହିଥିବା ଜଣାପଡ଼ିଛି। ଚଳିତବର୍ଷ ପାଗ ଅନୁକୂଳ ଥିବାରୁ ଆଗକୁ ଆଉ ୫ଦିନରେ ଭଲ ବେପାର ହେବା ନେଇ ବ୍ୟବସାୟୀମାନେ ଆଶା ରଖିଛନ୍ତି।
ପାଇକାରୀ ସଂଘର ସଭାପତି ତ୍ରିଲୋଚନ ପଟ୍ଟନାୟକ କହନ୍ତି, ଚଳିତବର୍ଷ ଜଟଣୀକୁ କମ୍ ବାଣ ଆସିଛି। ଶିବକାଶୀରୁ ଯେଉଁ ପରିମାଣରେ ବାଣ ଆସିବା କଥା, ଅଧା ବାଣ ହିଁ ଆସିଛି। ତେଣୁ କିଛି ବ୍ୟବସାୟୀ ରାୟପୁର ଆଦିରୁ ବାଣ ଆଣିଛନ୍ତି। ସେହିପରି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଦେଶୀ ବାଣ ବିକ୍ରି ଉପରେ କଟକଣା ଥିବା ବେଳେ ଯେଉଁ କମ୍ପାନି ଗ୍ରିନ ସାର୍ଟିଫିକେଟ୍ ପାଇଛନ୍ତି, ସେମାନଙ୍କ ବାଣ ବିକ୍ରି କରାଯିବ। ଚଳିତବର୍ଷ ପାଗ ଭଲ ଥିବାରୁ ଭଲ ବେପାର ହେବ ବୋଲି ଆଶା ରଖିଛୁ। ଜଟଣୀର ପ୍ରମୋଦ ସିଜିନ୍ ସେଣ୍ଟରର ମାଲିକ ପ୍ରମୋଦ ଦାସ, ଲଳିତ ସିଜିନ୍ ସେଣ୍ଟର ମାଲିକ ଲଲାଟେନ୍ଦୁ ବେବର୍ତ୍ତା, ମନୋଜ ସିଜିନ୍ ସେଣ୍ଟରର ମାଲିକ କହିଛନ୍ତି, ଦୀପାବଳି ପାଇଁ ଗତ ୧୦ଦିନ ହେଲାଣି ବାଣ ଦୋକାନ ଖୋଲା ହୋଇଛି। ଚଳିତବର୍ଷ ପାଗ ପାଇଁ ବେପାର ଆଶାନୁଯାୟୀ ହେଇନାହିଁ। ଆଗକୁ ଆଉ ୫ଦିନ ମଧ୍ୟରେ ଭଲ ବେପାର ଭଲ ହେବ ବୋଲି ଆଶା ରଖିଛୁ। ତେବେ ଏଥର କେବଳ ସବୁଜ ବାଣ ବିକ୍ରି କରାଯାଉଛି। ଦେଶୀବାଣକୁ ସମ୍ପୂର୍ଣ୍ଣ ବନ୍ଦ କରିଛୁ। ଶିବକାଶୀ ବାଣର ଚାହିଦା ଥିବାରୁ ବିକ୍ରି ଭଲ ହେଉଛି।
ମହାଳୟା ଶ୍ରାଦ୍ଧ ପାଇଁ ଏକାମ୍ର କ୍ଷେତ୍ରରେ ହେବ ଭିଡ଼
ପୁରୁଣା ଭୁବନେଶ୍ୱର: ପବିତ୍ର ମହାଳୟା ଶ୍ରାଦ୍ଧ ପାଇଁ ଦୀପାବଳି ତିଥିରେ ଏକାମ୍ର କ୍ଷେତ୍ରରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଜମିବ। ବିନ୍ଦୁସାଗର ଚତୁଃପାର୍ଶ୍ବ ଓ ସୂକ୍ଷ୍ମେଶ୍ୱର ମନ୍ଦିର ନିକଟରେ ଶ୍ରଦ୍ଧାଳୁମାନେ ଆସି ପିତୃପୁରୁଷ ଓ ମାମୁ ଘର ତିନି ପୁରୁଷଙ୍କୁ ପିଣ୍ଡଦାନ କରିବେ। ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଶ୍ରଦ୍ଧାଳୁମାନେ ସେଦିନ ଭୋର୍ରୁ ଆସି ଶ୍ରାଦ୍ଧ ଦେବେ। ଏହି ଭିଡ଼କୁ ଆଖିଆଗରେ ରଖି ଶ୍ରୀଲିଙ୍ଗରାଜ ଥାନା ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କରାଯିବ। ଏଥିପାଇଁ ଟ୍ରାଫିକ୍ କଟକଣା କରାଯିବ ବୋଲି ଥାନା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ପ୍ରଧାନ କହିଛନ୍ତି। ବିନ୍ଦୁସାଗର କୂଳ ୩ ପାର୍ଶ୍ବ, ଉତ୍ତରେଶ୍ବର ଘାଟ ନିକଟ ସବୁ ରାସ୍ତା ଓ ବିନ୍ଦୁସାଗର ରାସ୍ତାକଡ଼, ଭବାନୀଶଙ୍କର ମନ୍ଦିରରେ ଶ୍ରଦ୍ଧାଳୁମାନେ ପିଣ୍ଡଦାନ କରିବେ। ଏଣୁ ବିନ୍ଦୁସାଗର କୂଳରେ ଦମକଳ ବାହିନୀ ପକ୍ଷରୁ ଉପସ୍ଥିତ ରହିବେ। ସେହିପରି କେଦାରଗୌରୀ ଛକରୁ ତୀର୍ଥେଶ୍ବର ମନ୍ଦିର ପର୍ଯ୍ୟନ୍ତ ଯାନବାହନ କଟକଣା କରାଯିବ। ସେହିପରି ଶ୍ରରାମନଗରସ୍ଥିତ ସୂକ୍ଷ୍ମେଶ୍ୱର ମନ୍ଦିର ନିକଟରେ ମଧ୍ୟ ଭିଡ଼ ହେବ। ଏଣୁ ଶ୍ରୀଲିଙ୍ଗରାଜ ଥାନା ପକ୍ଷରୁ ସନ୍ଧ୍ୟା ପୂର୍ବରୁ ଗୋଟିଏ ପ୍ଲାଟୁନ୍ ପୁଲିସ ବ୍ୟବସ୍ଥା କରାଯିବ। ପ୍ରକାଶ ଥାଉକି, ଆଶ୍ୱିନ ମାସ ପ୍ରଥମ ଦିନରୁ ୧୫ ଦିନ ଧରି ଯେଉଁମାନେ ଶ୍ରାଦ୍ଧ ଦେଇ ପାରିନଥିବେ ସେମାନେ ଦୀପାବଳି ତିଥିରେ ମହାଳୟା ଶ୍ରାଦ୍ଧ ଦେବେ।
ମା’ ଦକ୍ଷିଣକାଳୀ ପୂଜା ମହୋତ୍ସବ ପ୍ରସ୍ତୁତି
ଚନ୍ଦ୍ରଶେଖରପୁର: ଗଜପତିନଗର ପ୍ରେସ୍ ଛକସ୍ଥିତ ମା’ ଦକ୍ଷିଣକାଳୀଙ୍କ ପୀଠରେ କାଳୀପୂଜା ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଚଳିତବର୍ଷ ପାଞ୍ଚ ଦିନ ଧରି ଏହି ମହୋତ୍ସବ ଅନୁଷ୍ଠିତ ହେବ। ବୁଧବାର ରାତିରେ ଅଙ୍କୁରାରୋପଣ ସହ ଗୁରୁବାର ସକାଳେ କଳସ ଯାତ୍ରା, ଘଟ ସ୍ଥାପନ, ମଣ୍ଡଳ ପୂଜା, ଉପଚାର ପୂଜା, ଚଣ୍ଡୀ ପାଠ, ସନ୍ଧିପୂଜା, ୧୦୮ ଦୀପ ଉତ୍ସର୍ଗ, କୁଷ୍ମାଣ୍ଡ ବଳିଦାନ, ଆଳତି, ପୁଷ୍ପାଞ୍ଜଳି ପରେ ଯଜ୍ଞ ଆରମ୍ଭ କରାଯିବ। ଶୁକ୍ରବାର, ଶନିବାର ଓ ରବିବାର ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ପରେ ସୋମବାର ସନ୍ଧ୍ୟାରେ ଯଜ୍ଞର ପୂର୍ଣ୍ଣାହୂତି ହେବ ବୋଲି କମିଟି ପକ୍ଷରୁ ନିଷ୍ପତ୍ତି ହୋଇଛି। ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନର ସହାୟତା ନିଆଯିବା ସହ ବାବୁ ଭାଇ ଟିମ୍ର ସଦସ୍ୟମାନେ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ପ୍ରସ୍ତୁତି ବୈଠକରେ ଟ୍ରଷ୍ଟି ଜନକର ସାହୁ, ଯୋଗେନ୍ଦ୍ର ପାତ୍ର, ବିଜୁ ରଥ, କିଶୋର ସାହୁ, ହିମାଂଶୁ ଦାସ, କେଦାର ମହାନ୍ତି, ଜେ କେ ମିଶ୍ର, ମେଘନାଦ ସେନାପତି, କାବୁ କର ଓ ପ୍ରସନ୍ନ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।