୪ଦିନରେ ୪ ପଜିଟିଭ୍‌, ରାଜଧାନୀ ଉପକଣ୍ଠ ଫିରିଫିରା ଗାଁ ସିଲ୍‌

ରାସ୍ତାଘାଟରେ ପଡ଼ୁଛି ‌ବ୍ୟବହୃତ କୋଭିଡ୍‌ କିଟ୍‌, ଓଏସ୍‌ଏସ୍‌ଇପିଡିରେ ନମୁନା ସଂଗ୍ରହ ଆରମ୍ଭ

ବାଲିଅନ୍ତା : ବାଲିଅନ୍ତା ବ୍ଲକ ଜୟଦେବ ପଞ୍ଚାୟତ ଅଧୀନ ଫିରିଫିରା ଗାଁ (ୱାର୍ଡ ନଂ- ୧) ରେ କରୋନା ସଂକ୍ରମଣ ବ୍ୟାପୁଥିବା ଜଣାପଡ଼ିଛି। ଗତ ୪ ଦିନ ମଧ୍ୟରେ ଏହି ଗାଁରୁ ୪ ଜଣ ପୁରୁଷ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ତେଣୁ ପ୍ରଶାସନ ପକ୍ଷରୁ ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ଫିରିଫିରାର ଉକ୍ତ ୱାର୍ଡକୁ ସିଲ୍‌ କରାଯାଇଛି। ଗତ ସପ୍ତାହରେ ପଞ୍ଚାୟତରେ ଅନୁଷ୍ଠିତ ହୋଇଥିବା କୋଭିଡ୍‌ ପରୀକ୍ଷା କେନ୍ଦ୍ରରେ ଗାଁର କିଛି ଲୋକ ସ୍ବାବ୍‌ ପରୀକ୍ଷା କରାଇଥିଲେ। ସେମାନଙ୍କ ମଧ୍ୟରୁ ୩ ଜଣଙ୍କର ପଜିଟିଭ୍‌ ରିପୋର୍ଟ ଆସିଥିଲା ଓ ପ୍ରଶାସନ ପକ୍ଷରୁ ସରପଞ୍ଚଙ୍କୁ ଅବଗତ କରାଯାଇଥିଲା। ପରେ ଅନ୍ୟ ଜଣକ ପଜିଟିଭ୍ ବୋଲି ତାଙ୍କ ପରିବାରକୁ ସ୍ବାସ୍ଥ୍ୟକର୍ମୀ ଫୋନ୍‌ କରି ଜଣାଇଥିଲେ। ଏମିତି ସେହି ୱାର୍ଡରୁ ୪ ଜଣ ପିଜିଟିଭ୍‌ ଚିହ୍ନଟ ହେବା ପରେ ସମସ୍ତଙ୍କୁ ଗୃହ ସଙ୍ଗରୋଧରେ ରହିବା ପାଇଁ କୁହାଯାଇଥିଲା। ପରେ ବ୍ଲକ ପ୍ରଶାସନର ପରାମର୍ଶ ନେଇ ଜୟଦେବ ସରପଞ୍ଚ ପ୍ରଜ୍ଞା ପରମିତା ଜେନାମଣି ଆଜି ଉକ୍ତ ଅଞ୍ଚଳକୁ ସିଲ୍‌ କରିଛନ୍ତି। ଆଜି ସଂଧ୍ୟା ୭ଟାଠାରୁ ୯ ତାରିଖ ସଂଧ୍ୟା ୭ଟା ପର୍ଯ୍ୟନ୍ତ ଗାଁକୁ ସିଲ୍‌ କରାଯାଇଥିବା ସୂଚନା ମିଳିଛି।

ରାସ୍ତାଘାଟରେ ପଡ଼ୁଛି ‌ବ୍ୟବହୃତ କୋଭିଡ୍‌ କିଟ୍‌
ମେଣ୍ଢାଶାଳ : ରାଜଧାନୀ ଉପକଣ୍ଠ ଛତାବର ଅଞ୍ଚଳରେ ବ୍ୟବହୃତ କୋଭିଡ୍‌ କିଟ୍‌ ରାସ୍ତାଘାଟରେ ପଡ଼ୁଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି। କୋଭିଡ୍‌ ରୋଗୀଙ୍କୁ ନେବା ଆଣିବା କରୁଥିବା ଆମ୍ବୁଲାନ୍‌ସରୁ ଏହି କିଟ୍‌ ରାସ୍ତାଘାଟରେ ଫିଙ୍ଗା ଯାଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ସୂଚନାଯୋଗ୍ୟ, ଜାମୁଝରୀ ପୋଲିସ ଏକାଡେମିରେ ସମ୍ ଓ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ କୋଭିଡ୍‌ କେୟାର ସେଣ୍ଟର ସ୍ଥାପନ କରାଯାଇଛି। ପ୍ରାୟ ସବୁଦିନ ଏଠାକୁ କୋଭିଡ୍‌ ଆମ୍ବୁଲାନ୍ସ ଯୋଗେ କରୋନା ରୋଗୀମାନଙ୍କୁ ଅଣାଯାଉଛି। ପିତାପଲ୍ଲୀ-ବାରଙ୍ଗ ରାସ୍ତା ଦେଇ ଏହି ସବୁ ଆମ୍ବୁଲାନ୍‌ସ ଯାତାୟାତ କରୁଛନ୍ତି। ଏବେ ଛତାବର ଗ୍ରାମକୁ ସଂଯୋଗ କରୁଥିବା ରାସ୍ତାରେ ବ୍ୟବହୃତ କୋଭିଡ୍‌ କିଟ୍‌ ପଡ଼ୁଥିବା ଦେଖିବାକୁ ମିଳୁଛି। ଏହା ଦ୍ବାରା କରୋନା ସଂକ୍ରମଣ ବ୍ୟାପିବା ଆଶଙ୍କା କରାଯାଉଛି। ତୁରନ୍ତ ଏହି କୋଭିଡ୍‌ କିଟ୍‌କୁ ଉଠାଇ ସୁରକ୍ଷିତ ଉପାୟରେ ନଷ୍ଟ କରାଯାଉ ବୋଲି ଛତାବର ଗ୍ରାମବାସୀମାନେ ଦାବି କରିଛନ୍ତି।

ଓଏସ୍‌ଏସ୍‌ଇପିଡିରେ ନମୁନା ସଂଗ୍ରହ ଆରମ୍ଭ
ଭୁବନେଶ୍ବର : ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଲ୍ଡିଂରେ ଗତକାଲିଠାରୁ କୋଭିଡ୍‌ ନମୁନା ସଂଗ୍ରହ ଆରମ୍ଭ ହୋଇଛି। ଏଠାରେ କେବଳ ସରକାରୀ କର୍ମଚାରୀ ଓ ଜଡ଼ିତ ଥିବା ଲୋକମାନଙ୍କ ନମୁନା ସଂଗ୍ରହ ହେବ। ପୂର୍ବରୁ କ୍ୟାପିଟାଲ ହସ୍ପିଟାଲର ନର୍ସିଂ ହୋମ୍‌ରେ କୋଭିଡ୍‌ ନମୁନା ସଂଗ୍ରହ ହେଉଥିବା ବେଳେ ସେଠାରେ ଜାଗା ଅଭାବରୁ ସାମାଜିକ ଦୂରତ୍ବ ବଜାୟ ରଖିବା ସମ୍ଭବ ହୋଇ ନ ପାରିବାରୁ ଓଏସ୍‌ଏସ୍‌ଇପିଡିରେ ଏବେ ନମୁନା ସଂଗ୍ରହ ହେବ।

ସମ୍ବନ୍ଧିତ ଖବର