ଭୁବନେଶ୍ବର: ରାଜଧାନୀ ପୁଣି ଅଶାନ୍ତ ହୋଇଉଠିଛି। ଗାଡ଼ି ପାର୍ଟସ୍‌ ନ ମିଳିବାରୁ କିଛି ଦୁର୍ବୃତ୍ତ ଆଜି ଏକ ଗ୍ୟାରେଜ୍‌ରେ ଗୁଳି ଫୁଟାଇ ଆତଙ୍କ ସୃଷ୍ଟି କରିଛନ୍ତି। ତମାଣ୍ଡୋ ଥାନା ଅଧୀନ ହୋଣ୍ଡା ସୋ’ରୁମ୍‌ ନିକଟ ଅର୍ଜୁନ କାର୍‌ କେୟାର୍‌ ସେଣ୍ଟର୍‌ରେ ଆଜି ଏହି ଆପରାଧିକ ଘଟଣା ଘଟିଛି। ବଡ଼ କଥା ହେଉଛି, ଏହି ଘଟଣାରେ ଗ୍ୟାଙ୍ଗର ୨ ସଦସ୍ୟ ଆହତ ହୋଇଛନ୍ତି। ଜଣଙ୍କ ଆଙ୍ଗୁଠିରେ ଗୁଳି ବାଜିଥିବା ବେଳେ ଆଉ ଜଣଙ୍କ ଗୋଡ଼ରେ ଗୁଳି ବାଜିଛି। ତମାଣ୍ଡୋ ଥାନା ପୁଲିସ ଘଟଣାସ୍ଥଳରୁ ୫ ଅଭିଯୁକ୍ତଙ୍କୁ ଅଟକ ରଖିଛି। ଅଭିଯୁକ୍ତମାନେ ହେଲେ, ନୟାଗଡ଼ର ମାନସ କୁମାର ସାହୁ, ସୁଶାନ୍ତ ପ୍ରଧାନ ଓ ସର୍ବେଶ୍ୱର ସେଠ, ଖୋର୍ଦ୍ଧାର ରାଜେଶ କୁମାର ବିଲା ଓ ଆଳିର ଚିତ୍ତରଞ୍ଜନ ମଲିକ। ସେମାନଙ୍କ ନିକଟରୁ ପୁଲିସ୍‌ ୨ଟି କାର୍‌, ଗୋଟିଏ ବନ୍ଧୁକ ଓ ୩ଟି ଖୋକା ଜବତ କରିଛି। ଏନେଇ ପୁଲିସ୍‌ ଅଧିକ ତଦନ୍ତ ଚଳାଇଛି।

Advertisment

ସୂଚନାନୁଯାୟୀ, ଆଜି ଅପରାହ୍‌ଣରେ ତମାଣ୍ଡୋ ଥାନା ଅନ୍ତର୍ଗତ ହ୍ୟୁଣ୍ଡାଇ ସୋ’ରୁମ୍ ନିକଟରେ ଥିବା ଅର୍ଜୁନ କାର୍‌ କେୟାର ସେଣ୍ଟରକୁ ଏହି ୫ ଅଭିଯୁକ୍ତ ଆସିଥିଲେ। ଗାଡ଼ି ଭଲ‌ରେ ସଜଡ଼ା ଯାଇନଥିବା କହି ଗ୍ୟାରେଜ୍‌ ମାଲିକଙ୍କୁ ଖୋଜିଥିଲେ। କିନ୍ତୁ ଗ୍ୟାରେଜ୍ ମାଲିକକୁ ନ ପାଇବାରୁ ଦୁର୍ବୃତ୍ତମାନେ ବନ୍ଧୁକ ଦେଖାଇ ଉତ୍ପାତ କରିଥିଲେ। ଘଟଣାସ୍ଥଳରେ କାମ କରୁଥିବା ଗ୍ୟାରେଜ୍‌ର କିଛି କର୍ମଚାରୀ ପ୍ରଥମେ ସେମାନଙ୍କୁ ବୁଝାଇଥିଲେ। ଗାଡ଼ି ପାର୍ଟସ୍‌ ମିଳୁ ନାହିଁ, ମିଳିଲେ ଫୋନ୍‌ କରି ଡକାଯିବ ବୋଲି କହିଥିଲେ। କିନ୍ତୁ ଏଥିରେ ସେମାନେ ଶାନ୍ତ ପଡ଼ିନଥିଲେ। ମାନସ ଗାଡ଼ିରୁ ଏକ ବନ୍ଧୁକ ଆଣି ସେମାନଙ୍କୁ ଧମକଚମକ ଦେବା ସହ ଉପରକୁ ଫାଙ୍କା ଗୁଳିଚାଳନା କରିଥିଲା। ଏହା ଦେଖି କର୍ମଚାରୀମାନେ ଭୟରେ ଦୌଡ଼ିଥିଲେ। ଜଣେ କର୍ମଚାରୀ ରହିଯିବାରୁ ମାନସ ତାଙ୍କ ଆଡ଼କୁ ବନ୍ଧୁକ ଦେଖାଇ ଗୁଳି କରିବାକୁ ଉଦ୍ୟତ ହେଉଥିଲା। ଏହା ଦେଖି ମାନସର ସହଯୋଗୀ ସର୍ବେଶ୍ବର ତାକୁ ଅଟକାଇବାକୁ ଚେଷ୍ଟା କରିବା ବେଳେ ଭୁଲ୍‌ବଶତଃ ବନ୍ଧୁକର ଟ୍ରିଗର୍‌ ଚିପି ହୋଇଯାଇଥିଲା ଓ ଗୁଳି ମାନସର ବାମ ହାତରେ ବାଜିଥିଲା। ମାନସ ଏଥିରେ ରାଗି ଯାଇ ସର୍ବେଶ୍ବରଙ୍କ ଗୋଡ଼କୁ ଗୁଳି କରିଥିଲା। ଖବର ପାଇ ତମାଣ୍ଡୋ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ବୃତ୍ତମାନଙ୍କୁ କାବୁ କରିଥିଲା। ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ତଦନ୍ତ କରିଛି।

ଉଲ୍ଲେଖଯୋଗ୍ୟ, ଏହି ଗ୍ୟାଙ୍ଗ୍‌ ନାଁରେ ହତ୍ୟା ଉଦ୍ୟମ, ଗୁଳିକାଣ୍ଡ, ଅସ୍ତ୍ରଶସ୍ତ୍ର ରଖିବା, ନିଶା କାରବାର, ଡକାୟତି ଭଳି ଏକାଧିକ ମାମଲା ରହିଥିବା ଜଣାଯାଇଛି। ଅଭିଯୁକ୍ତଙ୍କୁ ଅଟକ ରଖି ପୁଲିସ୍‌ ପଚରାଉଚରା କରୁଛି।