ଭୁବନେଶ୍ବର: ସୋମବାର ବିଳମ୍ବିତ ରାତିରେ ବମିଖାଲ ଦୁର୍ଗାମଣ୍ଡପ ସମ୍ମୁଖରେ ସ୍ଥାନୀୟ ଯୁବକ ମାନସ ମଲ୍ଲିକ ଓ ଦୋକାନୀ ସଞ୍ଜୟ ଯାଦବଙ୍କ ଉପରକୁ ଗୁଳିମାଡ଼ ଘଟଣାକୁ ନେଇ ବିଭିନ୍ନ ଆଲୋଚନା ହେଉଛି। କେହି କେହି ପୂର୍ବ ଶତ୍ରୁତା ଯୋଗୁ ଏପରି ଘଟିଥିବା କହୁଥିବା ବେଳେ କେହି ଏହା ପଛରେ ଡ୍ୟାନ୍ସବାର ବିବାଦ ମୁଖ୍ୟ କାରଣ ବୋଲି ଆଲୋଚନା କରୁଛନ୍ତି। ମାନସ ପୂର୍ବରୁ କଟକ ରୋଡ୍ରେ ଥିବା ଏକ ଡ୍ୟାନ୍ସବାର କଥା ବୁଝାବୁଝି କରୁଥିଲେ। ଅନେକ ସମୟରେ ଗ୍ରାହକଙ୍କ ସହ ତାଙ୍କର ବଚସା ହୋଇଥାଏ। ଏହଛଡ଼ା ବ୍ୟବସାୟକୁ ନେଇ ବିଭିନ୍ନ ସମୟରେ ବାର୍ ମାଲିକଙ୍କ ମଧ୍ୟରେ ଶତ୍ରୁତା ଲାଗି ରହିଥିବାର ଉଦାହରଣ ମଧ୍ୟ ରହିଛି। କଥା ମାରପିଟ୍ ଓ ହଣାକଟା ପର୍ଯ୍ୟନ୍ତ ଯାଇଛି। ତେଣୁ ପୂର୍ବ ଶତ୍ରୁତାରୁ କେହି ଏପରି ଗୁଳି ଚଳାଇଥିବା ଅନୁମାନ କରାଯାଉଛି। ଅନ୍ୟପକ୍ଷରେ ଏଭଳି ଘଟଣାକୁ ମାନସ ଅସ୍ବୀକାର କରିଛନ୍ତି। କହିଛନ୍ତି ଯାହା ସହିତ ଗଣ୍ଡଗୋଳ କିମ୍ବା ହଣାକଟା ଘଟିଲା ସେମାନଙ୍କୁ ସେ ଆଦୌ ଚିହ୍ନି ନାହାନ୍ତି। ସୋମବାର ବିଳମ୍ବିତ ରାତିରେ ଗାଡ଼ି ସାଇଡ୍ ମରାକୁ ନେଇ ବଚସା ହୋଇଥିଲା। ପରେ ଗୁଳିକାଣ୍ଡଠାରୁ ଆରମ୍ଭ କରି ଛୁରାମାଡ଼ ଯାଏ କଥା ଯାଇଥିଲା। ସେହିପରି ଲକ୍ଷ୍ମୀସାଗର ଥାନା ଇନ୍ସପେକ୍ଟର ଦୟାନିଧି ନାୟକ ମଧ୍ୟ ସାଇଡମରାକୁ ନେଇ ଏଭଳି ଅଘଟଣ ଘଟିଥିବା କହିଛନ୍ତି। ତେବେ ପୁଲିସ ଓ ମାନସଙ୍କ କଥାକୁ ସ୍ଥାନୀୟ ଲୋକ ସହଜରେ ଗ୍ରହଣ କରି ପାରୁନାହାନ୍ତି। ସେମାନେ କହିଛନ୍ତି ପୂର୍ବ ଶତ୍ରୁତାରୁ ଏଭଳି ଗଣ୍ଡଗୋଳ ଘଟିଛି।
ସୂଚନା ମୁତାବକ, ସୋମବାର ବିଳମ୍ବିତ ରାତିରେ ମାନସ କଟକରୋଡ୍ରୁ ବମିଖାଲ୍ କେନାଲ୍ରୋଡ୍ ସ୍ଥିତ ଘରକୁ ଫେରୁଥିଲେ। ତେବେ ଦୁର୍ଗାମଣ୍ଡପ ନିକଟରେ କାର୍ ବୁଲାଉଥିବା ବେଳେ ୪ ଦୁର୍ବୃତ୍ତ ହଠାତ୍ ମାନସଙ୍କ କାର୍ ସମ୍ମୁଖରେ ବାଇକ୍ ରଖି ଅଟକାଇଥିଲେ। ମାନସ କାର୍ରୁ ବାହାରି ଆସି ଦୁର୍ବୃତ୍ତଙ୍କ ସହ ଯୁକ୍ତିତର୍କ କରିଥିଲେ। ପାଟିଶୁଣି ପାଖ ଦୋକାନୀ ସଞ୍ଜୟ ଘଟଣାସ୍ଥଳକୁ ଧାଇଁ ଆସିଥିଲେ। ଏହାପରେ ଦୁର୍ବୃତ୍ତମାନେ ସେଠାରୁ ଫେରାର୍ ହେବାକୁ ଉଦ୍ୟମ କରିଥିଲେ। ଦୁଇଜଣ ବାଇକ୍ରେ ପଳାଇଥିବା ବେଳେ ଦୁଇ ଜଣ ମଣ୍ଡପ ପଛ ଆଡ଼କୁ ଧାଇଁ ଥିଲେ। ହେଲେ ମାନସ ଓ ସଞ୍ଜୟ ଜଣଙ୍କୁ ଧରି ପକାଇଥିଲେ। କିଛି ସମୟ ପରେ ଅନ୍ୟ ୩ ଦୁର୍ବୃତ୍ତ ବାଇକ୍ରେ ଆସି ମାନସ ଓ ସଞ୍ଜୟଙ୍କ ଉପରକୁ ଗୁଳିମାଡ଼ କରିଥିଲେ। ତେବେ ଗୁଳି ଉଭୟଙ୍କ ଦେହରେ ନ ବାଜି କାର୍ରେ ବାଜି ଥିଲା। ଜୀବନ ବିକଳରେ ଉଭୟ ଦୌଡ଼ିବା ବେଳେ ତଳେ ପଡ଼ି ଯାଇଥିଲେ। ଦୁର୍ବୃତ୍ତମାନେ ମାନସଙ୍କ ପିଠି, ବାମ ହାତ ଓ ଡାହାଣ ଜଙ୍ଘକୁ ଛୁରାମାଡ଼ କରିଥିଲେ। ସେହିପରି ସଞ୍ଜୟଙ୍କ ପିଠିକୁ ମଧ୍ୟ ଛୁରାମାଡ଼ କରିଥିଲେ। ଉଭୟ ରକ୍ତାକ୍ତ ଅବସ୍ଥାରେ ପଡ଼ି ରହିଥିଲେ। ଖବରପାଇ ଲକ୍ଷ୍ମୀସାଗର ଥାନା ପୁଲିସ ଉଭୟଙ୍କୁ ନିକଟସ୍ଥ ଘରୋଇ ହସ୍ପିଟାଲ୍କୁ ପଠାଇଥିଲା। ତେବେ ଦୁର୍ବୃତ୍ତମାନେ ମୁହଁରେ କପଡ଼ା ବାନ୍ଧିଥିବାରୁ ସେମାନଙ୍କୁ ମାନସ କି ସଞ୍ଜୟ ଚିହ୍ନିପାରି ନଥିଲେ। ଏନେଇ ମାନସ ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ଡିସିପି ଅନୁପ ସାହୁ ଘଟଣାର ପର୍ଦାଫାସ କରିବାକୁ ଇନ୍ସେପେକ୍ଟରଙ୍କୁ ନିର୍ଦେଶ ଦେଇଛନ୍ତି। ପୁଲିସ ମଧ୍ୟ ଆକ୍ରମଣକାରୀ ଯୁବକମାନଙ୍କୁ ଗିରଫ କରିବାକୁ ସିସିଟିଭି ଫୁଟେଜ ଯାଞ୍ଚ କରିବା ସହିତ ବିଭିନ୍ନ ସ୍ଥାନରେ ଚଢ଼ଉ ଆରମ୍ଭ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/01/Untitled-18-15.jpg)