ଭୁବନେଶ୍ବରରେ ଫାଙ୍କା ଗୁଳି ଫୁଟାଇଲେ ଦୁର୍ବୃତ୍ତ, ପଥଚାରୀ ଭୟଭୀତ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବର ଦିନକୁ ଦିନ ଅସୁରକ୍ଷିତ ହୋଇପଡୁଛି। ଘରୁ ବାହାରିବା ମାତ୍ରେ ପ୍ରଥମେ ସୁରକ୍ଷା ଚିନ୍ତା କରିବାକୁ ପଡୁଛି। ରାସ୍ତାରେ କେତେବେଳେ କ’ଣ ଘଟିବ, ତାହା କେହି କହିପାରିବେ ନାହିଁ। ଭୁବନେଶ୍ବର ମହାନଗର ଉପରେ ସିସିଟିଭି ନଜର ରଖିଛି। ପ୍ରତି ଛକରେ ପୁଲିସ ମୁତୟନ ଅଛନ୍ତି। କିନ୍ତୁ ଏହି ସୁରକ୍ଷା ବ୍ୟବସ୍ଥାକୁ ଦୁର୍ବୃତ୍ତମାନେ ଆଦୌ ଖାତିର କରୁନାହାନ୍ତି। ପୁଲିସର ଦୁର୍ବଳତାର ସୁଯୋଗ ନେଇ ଦୁର୍ବୃତ୍ତମାନେ ଅନେକ ସମୟରେ ଅଘଟଣ ଘଟାଉଛନ୍ତି। ଆଜି ସନ୍ଧ୍ୟାରେ ଦୁର୍ବୃତ୍ତମାନେ ସିଆରପି ଛକ ନିକଟରେ ଫାଙ୍କା ଗୁଳି ଚଳାଇ ଘଟଣାସ୍ଥଳରୁ ଫେରାର ‌ହୋଇଯାଇଛନ୍ତି।

ସୂଚନା ଅନୁସାରେ ଆଜି ସନ୍ଧ୍ୟା ପ୍ରାୟ ସାଢ଼େ ୬ଟାରେ ଦୁର୍ବୃତ୍ତମାନେ ଭାଇଗିରି ପାଇଁ ଫାଙ୍କା ଗୁଳି ଚାଳନା କରିଥିବା ସୂଚନା ମିଳିଛି। ସିଆରପିରୁ ୟୁନିଟ-୮ ଯିବା ରାସ୍ତାରେ ଏହି ଫାଙ୍କା ଗୁଳି ଚାଳନା ହୋଇଛି । ତେବେ ଖୁସିର କଥା ହେଲା ଯେ, ବନ୍ଧୁକରୁ ବାହାରିଥିବା ଗୁଳି କୌଣସି ଲୋକଙ୍କର ଶରୀରରେ ବାଜି ନାହିଁ। ଫାଙ୍କା ଗୁଳି ଚଳାଇବା ପରେ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ତେବେ ଗୁଳି ଚାଳନା ସମୟରେ ଏହି ରାସ୍ତାରେ ସିଆରପି ଓ ୟୁନିଟ-୮ ଆଡ଼କୁ ଯିବା-ଆସିବା କରୁଥିବା ଲୋକେ ଭୟଭୀତ ହୋଇଯାଇଛନ୍ତି। ସ୍ଥାନୀୟ ଲୋକଙ୍କର ଠାରୁ ସୂଚନା ପାଇଁ ଘଟଣାସ୍ଥଳରେ ନାୟପଲ୍ଲୀ ଥାନା ପୁଲିସ ପହଞ୍ଚି ତଦନ୍ତ କରୁଛି। ପୁଲିସ ଆଖ ପାଖର ସିସିଟିଭି ଫୁଟେଜ ଯାଞ୍ଚ କରୁଛି।

ସମ୍ବନ୍ଧିତ ଖବର