ରାଜଧାନୀ ଉପକଣ୍ଠରେ ଫୁଟିଲା ଗୁଳି, ଅଳ୍ପକେ ବର୍ତିଲେ ବ୍ୟବସାୟୀ

ସିକ୍ୟୁରିଟି ଗାର୍ଡଙ୍କୁ ଗୁଳିକାଣ୍ଡ, ଏଯାଏ ପୁଲିସ ଖିଅ ପାଉନି

ଭୁବନେଶ୍ବର/ ବାଲିପାଟଣା : ରବିବାର ରାତିରେ ରାଜଧାନୀ ଉପକଣ୍ଠରେ ଫୁଟିଛି ଗୁଳି। ଏଥିରେ ଜଣେ ବ୍ୟବସାୟୀ ଅଳ୍ପକେ ବର୍ତି ଯାଇଛନ୍ତି। ଘଟଣା ଘଟିଛି ବାଲିପାଟଣା ଥାନା ଅଧୀନ ବନମାଳିପୁର-ନିଆଳି ଆମଣାକୁଦ ଗ୍ରାମ ନିକଟରେ। ଏନେଇ ବ୍ୟବସାୟୀ ଦୀପ୍ତି ସାହୁ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଘଟଣାସ୍ଥଳକୁ ଯାଇ ଛାନଭିନ୍‌ କରିଛି। କିନ୍ତୁ ଏଯାଏ ଦୁର୍ବୃତ୍ତମାନଙ୍କ ପତ୍ତା ପାଇ ନାହିଁ ବାଲିପାଟଣା ପୁଲିସ। ବ୍ୟବସାୟୀଙ୍କ ଉପରକୁ ଏଭଳି ଗୁଳିମାଡ଼ ଉଦ୍ୟମକୁ ରାଜଧାନୀ ଉପକଣ୍ଠରେ ବ୍ୟବସାୟ କରୁଥିବା ବ୍ୟବସାୟୀଙ୍କ ମହଲରେ ଭୟ ଓ ଆତଙ୍କ ଖେଳି ଯାଇଛି।

ମିଳିଥିବା ସୂଚନା ମୁତାବକ, ନିଆଳି ହାଟରେ ଦୀପ୍ତି ବ୍ୟବସାୟ କରନ୍ତି। ଗତକାଲି ହାଟବାରି ଥିଲା। ସେ ବ୍ୟବସାୟ ସାରି ନିଜ ଘର ବନମାଳିପୁର ଦିୱାନ ପାଟଣା ଗାଁକୁ ଫେରୁଥିଲେ। ଏହି ସମୟରେ ଆମଣା କୁଦ ନିକଟରେ ତିନି ଜଣ ଦୁର୍ବୃତ୍ତ ଏକ ବାଇକରେ ଆସି ତାଙ୍କୁ ଅଟକାଇବାକୁ ଉଦ୍ୟମ କରିଥିଲେ। କିନ୍ତୁ ଦୀପ୍ତି ବାଇକ ନ ଅଟକାଇ ଉପସ୍ଥିତ ବୁଦ୍ଧି ଖଟାଇ ତୀବ୍ର ବେଗରେ ସେଠାରୁ ଖସି ଯାଇଥିଲେ। ଏ ନେଇ ଦୀପ୍ତି ଥାନାରେ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି। ତେବେ ଦାଦାବଟିକୁ କେନ୍ଦ୍ର କରି ଏଭଳି ଗୁଳି ଚାଳନା ହୋଇଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚା ହେଉଛି।

ସପ୍ତାହକ ମଧ୍ୟରେ ଏହା ହେଉଛି ଦ୍ବିତୀୟ ଗୁଳିକାଣ୍ଡ। ଗତ ଶନିବାର ଭୋରରୁ ସହିଦନଗର ଥାନା ଅଧୀନ ଟଙ୍କପାଣି ରୋଡ୍‌ସ୍ଥିତ ଖଟାମିଠା କଲ୍ୟାଣ ମଣ୍ଡପର ସିକ୍ୟୁରିଟି ଗାର୍ଡ ଜ୍ଞାନ ରଂଜନ ମଲ୍ଲିକଙ୍କୁ ଗୁଳିମାଡ଼ ହୋଇଥିଲା। ଏହି ମାମଲାରେ ସହିଦ ନଗର ପୁଲିସକୁ ଏଯାଏ କୌଣସି ସଫଳତା ମିଳିପାରିନାହିଁ। ଗତକାଲି ଦିନ ତମାମ ଏହାର ତନାଘନା ହୋଇଥିଲେ ମଧ୍ୟ ଅଭିଯୁକ୍ତ ପର୍ଯ୍ୟନ୍ତ ପୁଲିସ ପହଞ୍ଚି ପାରିନାହିଁ। ଅନ୍ୟପଟେ ଆହତ ଜ୍ଞାନ ମଧ୍ୟ ଗୁଳିକାଣ୍ଡର କାରଣ ନେଇ କାହାରିକୁ ସନ୍ଦେହ କରୁ ନଥିବା କହିଥିବାରୁ ପୁଲିସ ପାଇଁ ଆହୁରି ଜଟିଳ ହୋଇଛି। ଫଳରେ ଆଖପାଖର କେତେକ ସିସିଟିଭି ଯାଞ୍ଚ କରି ପୁଲିସ ଚୁପ୍‌ ବସି ଯାଇଛି। ତେବେ ଜଣକୁ ଅଟକ ରଖି ପଚରା ଉଚରା କରିଥିଲେ ମଧ୍ୟ ତାଙ୍କର ସମ୍ପୃକ୍ତି ପ୍ରମାଣିତ ହୋଇ ପାରି ନଥିବାରୁ ତାକୁ ଛାଡ଼ି ଦେଇଛି। ଅନ୍ୟ ପଟେ ପାଣି ମାଗିବା ଆଳରେ ପଛଆଡୁ ବିନା କାରଣରେ ଗୁଳି ଚଳାଇବା ପ୍ରସଙ୍ଗ ମଧ୍ୟ ସହଜରେ ହଜମ ହେଉନଥିବାରୁ ନାନା କଳ୍ପନା ଜଳ୍ପନା ପ୍ରକାଶ ପାଇଛି। ତେବେ ଦାଦାବଟିକୁ ନେଇ ମଣ୍ଡପ ମାଲିକଙ୍କ ଉପରେ ଥିବା ରାଗ ଦୁର୍ବୃତ୍ତ ଜ୍ଞାନଙ୍କ ଉପରେ ଶୁଝାଇଛି ବୋଲି ଚର୍ଚ୍ଚା ହେଉଛି। ସୂଚନାଯୋଗ୍ୟ ଯେ, ଶନିବାର ଭୋର୍‌ ସାଢ଼େ ୫ଟା ବେଳେ ଜ୍ଞାନ ଡ୍ୟୁଟି କରୁଥିଲେ। ଦୁଇଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି ଜ୍ଞାନଙ୍କୁ ପିଇବ‌ା ପାଇଁ ପାଣି ମାଗିଥିଲେ। ଏହା ପରେ ଅଚାନକ୍‌ ଗୁଳି ଚାଳନା କରିଥିଲେ। ଭୋର୍‌ରେ ପାଣି ମାଗିବା ଓ ବିନା କାରଣରେ ଗୁଳି ଚଳାଇବାକୁ ନେଇ ପୁଲିସ ଦ୍ବନ୍ଦ୍ବରେ ପଡ଼ିଛି। ଜ୍ଞାନ ସୁସ୍ଥ ହେବା ପରେ ଅଧିକ ପଚରାଉଚରା ହେବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର