ବିଡିଏର ପ୍ରଥମ ୪ ଟାଉନ୍‌ ପ୍ଲାନିଂ ଯୋଜନା ଜମି ସମସ୍ୟା ତୁଟିଲା

ଏବେ ରାସ୍ତା ଓ ଜମି ଚିହ୍ନଟ ହେବ ଟିପି ସ୍କିମ୍‌-୧ ରିପୋର୍ଟ ଦାଖଲ ମାସ ଶେଷ ସୁଦ୍ଧା ବାକି ୩ଟି ରିପୋର୍ଟ ରିପୋର୍ଟ ଦିଆଯିବ

ଭୁବନେଶ୍ୱର: ବିଡିଏର ବହୁ ପ୍ରତୀକ୍ଷିତ ଟାଉନପ୍ଲାନିଂ ଯୋଜନା-୧,୨, ୩ ଓ ୪ ନେଇ ସମସ୍ତ ପ୍ରକାରର ଅଭିଯୋଗ ଶୁଣାଣି ଶେଷ ହୋଇଛି। ଏଣିକି ଆଉ ଜମି ଜନିତ କୌଣସି ଅଭିଯୋଗ ଗ୍ରହଣ କରାଯିବନି କି ଶୁଣାଣି ହେବନି । ଏବେ କେବଳ ଏହି ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ଆବଶ୍ୟକ ରାସ୍ତା ନିର୍ମାଣ ଏବଂ ଜମି ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହେବ। ଟାଉନ୍‌ ପ୍ଲାନିଂ ଯୋଜନା-୧ର ପ୍ରାଥମିକ ରିପୋର୍ଟକୁ ମଞ୍ଜୁର କରିବାକୁ ରାଜ୍ୟ ସରକାରଙ୍କୁ ପଠାଯାଇଛି। ଆସନ୍ତା ଦୁଇ ମାସ ମଧ୍ୟରେ ଏହାକୁ ସରକାର ମଞ୍ଜୁର କରିବେ କିମ୍ବା ବାତିଲ୍‌ କରିବେ ସେନେଇ ନିଷ୍ପତ୍ତି ନେବେ। ଟିପି ସ୍କିମ୍‌ ଦୁଇ, ତିନି ଓ ଚାରିର ରିପୋର୍ଟ ଚଳିତ ମାସ ଶେଷ ସୁଦ୍ଧା ଦାଖଲ ହେବ ବୋଲି ନିଷ୍ପତ୍ତି ହୋଇଛି।

ବିଡିଏ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଟିପି ସ୍କିମ୍‌ ପାଇଁ ବିଡିଏ ପକ୍ଷରୁ ଯେଉଁ ଯୋଜନା ପ୍ରସ୍ତୁତ ହୋଇଥିଲା ତାହାକୁ ରାଜ୍ୟ ସରକାର ମାର୍ଚ୍ଚ ୪ରେ ବିଧିବଦ୍ଧ ଅନୁମତି ଦେବା ପରେ ସମସ୍ତ ଅଭିଯୋଗର ଶୁଣାଣି କରାଯାଇଥିଲା ଏବଂ ଲୋକଙ୍କ ପ୍ରସ୍ତାବ ଅନୁଯାୟୀ ଏହି ପ୍ରକଳ୍ପର ରୂପରେଖ ପରିବର୍ତ୍ତନ ହୋଇଥିଲା। ଏହି ପ୍ରକଳ୍ପ ନେଇ ଡ୍ରାଫ୍ଟ ନୋଟିଫିକେସନ୍‌ ଓ ଗେଜେଟ୍‌ ନୋଟିଫିକେସନ୍‌ ହେବା ପରେ ଲୋକଙ୍କଠାରୁ ଅଭିଯୋଗ ଗ୍ରହଣ କରାଯାଇଥିଲା। ମୂଲ୍ୟାୟନ ଅଧିକାରୀ ଅଭିଯୋଗକାରୀଙ୍କ ଅଭିଯୋଗ ଶୁଣିବା ପରେ ଏହାକୁ ସମାଧାନ କରି ରିପୋର୍ଟ ଦେଇଥିଲେ। ଏହାପରେ ସମସ୍ତ ରିପୋର୍ଟକୁ ସମୀକ୍ଷା କରି ଅକ୍ଟୋବର ୪ ତାରିଖରେ ବିଡିଏ ପକ୍ଷରୁ ଓଡିଏ ଆକ୍ଟର ଧାରା ୭ ଅନୁଯାୟୀ, ଟିପି ସ୍କିମ୍‌-୧ର ପ୍ରିଲିମନାରି ଟାଉନ୍‌ ପ୍ଲାନିଂ ସ୍କିମ୍‌ ରାଜ୍ୟ ସରକାରଙ୍କ ନିକଟରେ ଦାଖଲ ହୋଇଛି। ଏଥିରେ ଟିପି ସ୍କିମ୍‌-୧ ସମ୍ପର୍କିତ ସମସ୍ତ ତଥ୍ୟ ଏବଂ ମ୍ୟାପ୍‌ ଦାଖଲ ହୋଇଛି। ସରକାର ଏହି ଯୋଜନାକୁ ପୂର୍ବରୁ ସହମତି ଦେଇଥିବାରୁ ଆମର ରିପୋର୍ଟ ସରକାରଙ୍କ ଦ୍ୱାରା ଅନୁମୋଦିତ ହେବ ବୋଲି ଆଶା ରଖିଛୁ। ସରକାରଙ୍କ ଅନୁମୋଦନ ପରେ ଆମେ ରାସ୍ତା ନିର୍ମାଣ କରିବୁ ଜମି ଚିହ୍ନଟ ଓ ଆବଣ୍ଟନ କରିବୁ।

ବିଡିଏର ପ୍ଲାନିଂ ମେମ୍ବର ସୁଧି ରଂଜନ ମହାନ୍ତିଙ୍କ ସୂଚନା ଅନୁଯାୟୀ, ଟିପି ସ୍କିମ୍‌-୧ରେ ୭୪୬.୭୦ ଏକର ଜମିରେ ଉନ୍ନତିକରଣ ହେବ। ଏଥିରେ ନାରଗୋଦାରେ ୧୪୮.୪୨ଏକର, ସିଜିପୁଟରେ ୧୭୬.୨୦ଏକର, ସହଜପୁରରେ ୧୦୪.୧୭ଏକର, ପାଇକରାପୁରରେ ୩୧୭.୯୩ ଏକର ଜମିରେ ଉନ୍ନତିକରଣ କାର୍ଯ୍ୟ ହେବ। ଏବେ କେତେକ ଜମିରେ ଧାନ ଚାଷ ହୋଇଥିବାରୁ ଧାନ କଟା ଶେଷ ହେବା ପରେ ରାସ୍ତା ନିର୍ମାଣ ହେବ ଏବଂ ହିତାଧିକାରୀଙ୍କ ଜମି ଚିହ୍ନଟ କରାଯିବ। ଏଥିରେ କେଉଁ ଅଞ୍ଚଳରେ ହସ୍ପିଟାଲ, ଶିକ୍ଷାନୁଷ୍ଠାନ, ପାର୍କ, ବ୍ୟବସାୟିକ ପ୍ରତିଷ୍ଠାନ ପାଇଁ ଜାଗା ଏବଂ ଅନ୍ୟାନ୍ୟ ସୁବିଧା ଉପଲବ୍ଧ ହେବ ତାହା ମଧ୍ୟ ଚିହ୍ନଟ କରାଯିବ। ଏହାପରେ ସବିଶେଷ ତଥା ଚୂଡ଼ାନ୍ତ ରିପୋର୍ଟ ରାଜ୍ୟ ସରକାରଙ୍କୁ ପଠାଯିବ। ରିପୋର୍ଟ ପଠାଯିବାର ତିନି ମାସ ମଧ୍ୟରେ ରାଜ୍ୟ ସରକାର ଏହି ପ୍ରକଳ୍ପ ଉପରେ ଚୂଡ଼ାନ୍ତ ମୋହର ଲଗାଇବେ। ୨୦୧୮ ଶେଷ ସୁଦ୍ଧା ଆମେ ଟିପି-୧କୁ ଶେଷ କରିବୁ ବୋଲି ଶ୍ରୀ ମହାନ୍ତି କହିଛନ୍ତି।

ସେହିପରି ଟିପି-୧ ଯୋଜନା ସମୟରେ ରାଜସ୍ୱ ବିଭାଗ ପକ୍ଷରୁ ୧୯୬୨ ମସିହାର ରେକର୍ଡ ପ୍ରଦାନ କରାଯାଇଥିଲା। ଏହା ଅନୁଯାୟୀ ଏଠାରେ ୧୬୫୫ଜଣ ଜମି ମାଲିକଙ୍କ ପଟ୍ଟା ଥିବାବେଳେ ବାକି ସମସ୍ତ ଜମି ମାଲିକଙ୍କୁ ଜମି ପଟ୍ଟା ଦେବାକୁ ସ୍ୱତନ୍ତ୍ର ମ୍ୟୁଟେସନ୍‌ କ୍ୟାମ୍ପ ହୋଇଥିଲା। ଏପରିକି ଏହି ଅଞ୍ଚଳରେ ଟିପି ସ୍କିମ୍‌ ହେବାକୁ ଥିବାରୁ ଏଠାରେ ଜମି କିଣାବିକା ବଢ଼ିଥିଲା। ବର୍ଷକ ମଧ୍ୟରେ ଜମି ମାଲିକଙ୍କ ସଂଖ୍ୟା ୩୩୦୬ରେ ପହଞ୍ଚିଛି।

ତମାଣ୍ଡୋ ଓ ବିଜିପୁର ମୌଜାର ୧୯୯ଏକର ଜମିକୁ ନେଇ ଟିପି ସ୍କିମ୍‌-୨ ହେଉଥିବାବେଳେ ଏଠାରେ ୬୦୪ଜଣ ଜମି ମାଲିକ ଅଛନ୍ତି। ସେହିପରି ଟିପି-୩ ପାଇକରାପୁର ଓ ନୂଆ ଗାଁ ମୌଜାର ୨୮୦ଏକର ଜମିକୁ ନେଇ ହେଉଥିବାବେଳେ ଏଠାରେ ୧୦୬୦ଜଣ ଜମି ମାଲିକ ଅଛନ୍ତି। ଆଉ ଟିପି-୪ ଶ୍ୟାମସୁନ୍ଦରପୁର ମୌଜାର ୩୭୧ଏକର ଜମିକୁ ନେଇ ହେଉଥିବାବେଳେ ଏବେ ସୁଦ୍ଧା ଏଠାରେ ୬୯୭ମାଲିକଙ୍କୁ ଚିହ୍ନଟ କରାଯାଇଛି।

ସମସ୍ତ ହିତାଧିକାରୀଙ୍କୁ ସେମାନଙ୍କଠାରୁ ଅଧିକୃତ ହୋଇଥିବା ଜମିର ୬୦% ଜମି ମିଳିବ ବୋଲି ନିଷ୍ପତ୍ତି ହୋଇଛି। ୮୫% ଲୋକଙ୍କୁ ସେମାନଙ୍କର ପୂର୍ବରୁ ଯେଉଁଠି ଜମି ଥିଲା ସେଠାରେ ଜମି ଦେବୁ। ବାକି ଲୋକଙ୍କୁ ସେମାନଙ୍କ ଜମି ନିକଟରେ ଜମି ଯୋଗାଇବୁ। ହେଲେ କେତେକ ଲୋକ ଅନ୍ୟତ୍ର ଜମି ଚାହୁଁଛନ୍ତି। ନିୟମ ଅନୁଯାୟୀ ହିତାଧିକାରୀଙ୍କୁ ପ୍ରଥମେ ଜମି ନିକଟରେ ଥିବା ଦୁଇ ରାସ୍ତା ମଝିରେ ଜମି ଦିଆଯିବ, ଯଦି ଏହା ଭିତରେ ଦିଆନଯାଇପାରିବ ତେବେ ସେମାନଙ୍କ ରାଜସ୍ୱ ଗ୍ରାମ ଭିତରେ ହିଁ ଜମି ଯୋଗାଇ ଦିଆଯିବ। ଏହା ବାହାରେ କାହାକୁ ଜମି ମିଳିବନି।

ଅପରପକ୍ଷେ ବହୁ ଜମି ମାଲିକ ସେମାନଙ୍କ ଜମିରେ ବୁଲାଇଥିବା ପାଚେରି ଏବଂ ନିର୍ମାଣ ହୋଇଥିବା ଅନ୍ୟାନ୍ୟ ଭିତ୍ତିଭୂମି ପାଇଁ ଅର୍ଥ ଦାବି କରିଛନ୍ତି। ଏହାର ମୂଲ୍ୟାୟନ ଶେଷ ହୋଇଛି। ସେମାନଙ୍କୁ ଖୁବ୍‌ ଶୀଘ୍ର କ୍ଷତିପୂରଣ ପ୍ରଦାନ କରାଯିବ। ହେଲେ ଏହା ପୂର୍ବରୁ ଟିପି ସ୍କିମ୍‌ ହେବାକୁ ଥିବା ଗ୍ରାମବାସୀଙ୍କୁ ନେଇ ଏକ ସଭା କରିବୁ। ଏନେଇ ଜିଲ୍ଲାପାଳ ସହମତି ଦେଇଛନ୍ତି। ଏଥିରେ ଗ୍ରାମବାସୀଙ୍କୁ ଚୂଡ଼ାନ୍ତ ପ୍ରକଳ୍ପ ବିଷୟରେ ଅବଗତ କରାଇବୁ ବୋଲି ବିଡିଏର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଟିପି ସ୍କିମ୍‌ -୧ ପରେ ବାକି ତିନିଟି ଯାକ ଟିପି ସ୍କିମ୍‌ର କାର୍ଯ୍ୟ ଅଗ୍ରଗତି ହେବ।
ଉକ୍ତ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଟିପି ସ୍କିମ୍‌-୧ ପାଇଁ ହୋଇଥିବା ନିଷ୍ପତ୍ତି ଅନୁଯାୟୀ, ୬୦.୦୫% ଅଞ୍ଚଳ ଆବାସିକ ଅଞ୍ଚଳ ରହିବ। ୨୭.୮୭% ଅଞ୍ଚଳ ରାସ୍ତା, ୩.୦୫% ଅଞ୍ଚଳ ବ୍ୟବସାୟିକ ଉଦ୍ଦେଶ୍ୟରେ ବିକ୍ରି ହେବ, ୨.୮୭% ଜମି ପବ୍ଲିକ ଓ ସେମିପବ୍ଲିକ, ଆବାସିକ ଗୃହ ପାଇଁ ୨.୯୧% ଜମି ବିକ୍ରି ହେବ, ମୁକ୍ତ ବ୍ୟବସାୟିକ ବ୍ୟବହାର ପାଇଁ ୦.୧୭%, ଖୋଲାସ୍ଥାନ ଓ ପାର୍କ ପାଇଁ ୧.୪୧%, ଖୋଲା ସ୍ଥାନ ୦.୩୫%, ଆର୍ଥିକ ଦୁର୍ବଳ ବର୍ଗଙ୍କୁ ଘର ଯୋଗାଇବା ପାଇଁ ୦.୮୪%, ସିଡିପିରେ ଥିବା ନାଳ ପାଇଁ ୦.୪୯% ଜମି ସଂରକ୍ଷିତ ରହିବ ବୋଲି ନିଷ୍ପତ୍ତି ହୋଇଛି। ସ୍ଥାନୀୟ ଲୋକଙ୍କ ସହ ବିଚାର ବିମର୍ଷ ପରେ ବିଡିଏ ପକ୍ଷରୁ ପୂର୍ବ ଯୋଜନାରେ ସାମାନ୍ୟ ପରିବର୍ତ୍ତନ କରି ଏହି ନିଷ୍ପତ୍ତି ନିଆଯାଇଛି। ଟିପି ସ୍କିମ୍‌ ୨, ୩ ଓ ୪ର ପ୍ରିଲିମନାରି ରିପୋର୍ଟ ପ୍ରସ୍ତୁତ ହେଉଛି ମାସ ଶେଷ ସୁଦ୍ଧା ଏହାକୁ ଦାଖଲ କରାଯିବ ବୋଲି ଉକ୍ତ ଅଧିକାରୀ ଜଣଙ୍କ କହିଛନ୍ତି।

ସମ୍ବନ୍ଧିତ ଖବର