ପ୍ରଥମ ଶ୍ରାଦ୍ଧବାର୍ଷିକୀ ଓ ଶ୍ରଦ୍ଧାଞ୍ଜଳି ସଭା: ରଘୁନାଥଙ୍କ ପାଇଁ ଭାସ୍କର୍ଯ୍ୟ କଳା ବିଶ୍ବରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି: ରାଜ୍ୟପାଳ

ଭୁବନେଶ୍ୱର: ପ୍ରଭୁ ଶ୍ରୀରାମଙ୍କ ପାଦସ୍ପର୍ଶରେ ପଥରରୁ ସୁନ୍ଦର ନାରୀଟିଏ ପାଲଟି ଯାଇଥିଲେ ଅହଲ୍ୟା। ସେ ଶାପମୁକ୍ତ ହୋଇଯାଇଥିଲେ। ଶ୍ରୀରାମଙ୍କ ଅନ୍ୟନାମ ରଘୁନାଥ। କଳିଯୁଗରେ ରଘୁନାଥ ମହାପାତ୍ର ପ୍ରଭୁ ଶ୍ରୀରାମଙ୍କ ଅବତାର ନେଇ ହଜାରହଜାର ଅହଲ୍ୟ‌ା ରୂପକ ପଥରକୁ ଜୀବନ୍ୟାସ ଦେଇଛନ୍ତି। ତାଙ୍କ ହାତଛୁଆଁରେ ଆବଡ଼ା ଖାବଡ଼ା ପଥର ବି ସୁନ୍ଦର ମୂର୍ତ୍ତିଟିଏ ପାଲଟି ଯାଇଛି। ତାଙ୍କର ଜୀବନ୍ତ କଳାକୃତି ଓଡ଼ିଶାକୁ ନୂଆ ପରିଚୟ ଦେଇଛି। ସ୍ଥପତି ରଘୁନାଥ ମହାପାତ୍ରଙ୍କ ପାଇଁ ଓଡ଼ିଆ ଜାତିର କଳା ଭାସ୍କର୍ଯ୍ୟ ସାରା ପୃଥିବୀରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ଆଜି ଜୟଦେବ ଭବନରେ ବିଶିଷ୍ଟ ସ୍ଥପତି ରଘୁନାଥ ମହାପାତ୍ରଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଅବସରରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହା କହିଛନ୍ତି ରାଜ୍ୟପାଳ ପ୍ରଫେସର୍‌ ଗଣେଶୀ ଲାଲ୍‌।

ଶିଳ୍ପୀଗୁରୁ ରଘୁନାଥ ସ୍ମୃତି ସାଂସଦ ପକ୍ଷରୁ ଆୟୋଜିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ବିଧାୟକ ଶଶିଭୂଷଣ ବେହେରା, ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ବିଧାୟକ ଅନନ୍ତ ନାରାୟଣ ଜେନା, ଆଇପିଏସ୍‌ ଅରୂପ ପଟ୍ଟନାୟକ, ପୂର୍ବତନ ବିଧାୟକ ରମେଶ ଚ୍ୟାଉପଟ୍ଟନାୟକ, ପ୍ରଫେସର୍‌ ବିନାୟକ ରଥ, ଅରବିନ୍ଦ ଢାଲି, ସୁଦର୍ଶନ ସାହୁ ପ୍ରମୁଖ ଯୋଗଦେଇ ସ୍ମୃତିଚାରଣ କରି ରଘୁନାଥ ମହାପାତ୍ରଙ୍କ ଭଳି ଜଣେ ଅମାୟିକ ବ୍ୟକ୍ତିଙ୍କୁ ହରାଇବା ଓଡ଼ିଶା ପାଇଁ ବଡ଼ କ୍ଷତି ବୋଲି କହିଥିଲେ। ସ୍ଥପତି ଭାବେ ସାରା ପୃଥିବୀରେ ନିଜର ସ୍ବତନ୍ତ୍ରତା ଥାଇ ମଧ୍ୟ ଗର୍ବ, ଅହଂକାରଠାରୁ ସେ ବହୁ ଦୂରରେ ଥିଲେ। ତାଙ୍କର ଜୀବନ୍ତ କଳାକୃତି ତାଙ୍କୁ ଶହ ଶହ ବର୍ଷ ଧରି ଜନମାନସରେ ବଞ୍ଚାଇ ରଖିବ ବୋଲି ଅତିଥିମାନେ କହିଥିଲେ। ସ୍ମୃତି ସଂସଦର ଆବାହକ ବାସୁଦେବ ଭଟ୍ଟ ସ୍ୱାଗତ ଭାଷଣରେ ରଘୁନାଥ ମହାପାତ୍ରଙ୍କ ଜୀବନରେ କରିଯାଇଥିବା କଳା ସ୍ଥପତିକୁ ବର୍ଣ୍ଣନା କରିବା ସହ ସେ କିଭଳି ପୁଅ ଭଳି ସମସ୍ତଙ୍କୁ ଭଲ ପାଉଥିଲେ, ନିଜର କରୁଥିଲେ, ସେ ସଂକ୍ରାନ୍ତରେ କହିଥିଲେ।

ତାଙ୍କ ଭଳି ସୁଯୋଗ୍ୟ ସନ୍ତାନଙ୍କ ପ୍ରତିମୂର୍ତ୍ତି ରାଜଭବନ ଛକ କିମ୍ବା ମାଷ୍ଟରକ୍ୟାଣ୍ଟିନ ଛକ ନିକଟରେ ଅବସ୍ଥାପିତ କରିବା ଓ ତାଙ୍କ ଜନ୍ମଦିବସ ଏବଂ ଶ୍ରାଦ୍ଧଦିବସକୁ ସରକାରୀସ୍ତରରେ ପାଳନ କରିବାକୁ ରାଜ୍ୟପାଳଙ୍କ ନିକଟରେ ସ୍ମୃତି ସଂସଦ ପକ୍ଷରୁ ନିବେଦନ କରାଯାଇଥିଲା।

ଶ୍ରଦ୍ଧାଞ୍ଜଳି ସଭାରେ ମନୋଜ ଜେନା, ପ୍ରସନ୍ନ ବିଶୋୟୀ, ଜଗବନ୍ଧୁ ଜେନା, ମାଲା ଜେନା, ସନ୍ତୋଷ ସେନାପତି, ଗୁରୁପଦ ବଳିୟାରସିଂ, ଲଳିତ ମୋହନ ପଟ୍ଟନାୟକ, ଶରତ ଦାସ, ତାରାକାନ୍ତ ପରିଡ଼ା, ଦିଲୀପ ଓଝା, ପ୍ରସନ୍ନ ସାହୁ, ଅଶୋକ ପଣ୍ଡା ପ୍ରମୁଖ ସ୍ମୃତିଚାରଣ କରିଥିଲେ। କାର୍ଯ୍ୟକ୍ରମ ଆରମ୍ଭରେ ସଂକୀର୍ତନ ମଣ୍ଡଳୀମାନଙ୍କ ଦ୍ୱାରା ସଂକୀର୍ତନ କରାଯାଇଥିଲା। ପରେ ଉତ୍କଳ ସଂସ୍କୃତି ଅନୁଷ୍ଠାନ ପକ୍ଷରୁ ଗୋଟିପୁଅ ନୃତ୍ୟ, କୋଲକାତାର କାବେରୀ ପୁଇତାଣ୍ଡିଙ୍କ ଦ୍ୱାରା ଗୌଡ଼ୀୟ ନୃତ୍ୟ, ଦେବସ୍ମିତା ସାହୁ, ଲକ୍ଷ୍ୟ ଡ୍ୟାନ୍ସ ଏକାଡେମି, ନୃତ୍ୟଶ୍ରଦ୍ଧା ଗ୍ରୁପ୍‌ ଦ୍ବାରା ଓଡ଼ିଶୀ ନୃତ୍ୟ ପରିବେଷଣ କରାଯାଇଥିଲା। ବିଶିଷ୍ଟ କଣ୍ଠଶିଳ୍ପୀ ସଂଗୀତା ଗୋସାଇଁ, ଲିଟିଲ୍‌ ରାଉତରାୟ ଭଜନ ପରିବେଷଣ କରିଥିଲେ।

ସମ୍ବନ୍ଧିତ ଖବର