ପ୍ରଥମ ଦୃଷ୍ଟିହୀନ ସମ୍ବାଦ ପାଠିକା ସୁଶ୍ରୀ ସଙ୍ଗୀତା

ଆଖିରେ ନଥିଲା ଦୁନିଆକୁ ଦେଖିବାର ଶକ୍ତି। ସାମ୍‌ନାରେ ନ ଥିଲା ଟେଲିପ୍ରମ୍ପଟର୍‌। ପାଖରେ ଅଭିଜ୍ଞତା ନଥିଲା କି ନଥିଲା ପୂର୍ବ ପ୍ରସ୍ତୁତି। ତଥାପି ସେ ଖବର ପଢ଼ିଥିଲେ। ତାହା ପୁଣି କ୍ୟାମେରା ସାମ୍ନାରେ। ଦେଖୁଥିଲେ ହଜାର ହଜାର ଦର୍ଶକ। ପ୍ରଥମ କରି କ୍ୟାମେରାକୁ ସାମ୍ନା କରୁଥିଲେ ମଧ୍ୟ ସେ ନିର୍ଦ୍ୱନ୍ଦ୍ୱରେ ପଢ଼ିଥିଲେ ଖବର। ନିଜ ଆଖିରେ ଦୁନିଆ ଦେଖିପାରୁ ନଥିଲେ ମଧ୍ୟ ରାଜ୍ୟବାସୀଙ୍କ ସମ୍ମୁଖରେ ସମ୍ବାଦ ପରିବେଷଣ କରିଥିଲେ ଓଡ଼ିଶାର ପ୍ରଥମ ଦୃଷ୍ଟିହୀନ ସମ୍ବାଦ ଉପସ୍ଥାପିକା ସୁଶ୍ରୀ ସଙ୍ଗୀତା ମହାପାତ୍ର। ଗଭୀର ଇଚ୍ଛାଶକ୍ତି ଓ କଠିନ ପରିଶ୍ରମ ଆଗରେ ଯେ ସମସ୍ତ ଅକ୍ଷମତା ଓ ଦୁର୍ବଳତା ହାର୍‌ ମାନେ, ତାହା ଶିଖାଇ ଦେଇଛନ୍ତି ସେ ସମାଜକୁ।

ସୁଶ୍ରୀ ସଙ୍ଗୀତାଙ୍କ ବୟସ ୨୭। ୨୦୧୩ରେ ଅର୍ଥନୀତିରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଟପର୍‌ ହୋଇ କୃତିତ୍ୱର ସହ ଉତ୍ତୀର୍ଣ୍ଣ ହୋଇଥିଲେ। ସେ ପୁଣି ପ୍ରଥମ ଦୃଷ୍ଟିହୀନ ଯେ କି, ଅର୍ଥନୀତିରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ବର୍ତ୍ତମାନ ସେ ୟୁନିଟ୍‌-୯ସ୍ଥିତ କାନାରା ବ୍ୟାଙ୍କ୍‌ରେ ମ୍ୟାନେଜର୍‌ ଭାବେ କାର୍ଯ୍ୟରତ। ସୁଶ୍ରୀ କୁହନ୍ତି, ସେ ଟିଭିରେ କେବେ ଖବର ପଢ଼ିବେ କିମ୍ବା ଟିଭିରେ ଦେଖାଯିବେ ବୋଲି ସ୍ୱପ୍ନରେ ସୁଦ୍ଧା ଭାବି ନଥିଲେ। କିନ୍ତୁ ‘ଆନ୍ତର୍ଜାତିକ ବ୍ରେଲି ଦିବସ’ ଅବସରରେ ନ୍ୟୁଜ୍‌ ଓ୍ଵାର୍ଲଡ ଓଡ଼ିଶା ଚ୍ୟାନେଲ୍‌ ତାଙ୍କ ପାଇଁ ଏହି ସୁଯୋଗ ନେଇ ଆସିଥିଲା। ନିଜେ ବ୍ରେଲି ଅକ୍ଷରରେ ଖବର ଲେଖି କ୍ୟାମେରା ସାମ୍‌ନାରେ ସେ ଉପସ୍ଥାପନ କରିଥିଲେ। ଏଥିପାଇଁ ଓଏଏସ୍‌ ଅଧିକାରୀ ସନ୍ନ୍ୟାସୀ ବେହେରାଙ୍କ ପ୍ରେରଣା ସହ ଚ୍ୟାନେଲ୍‌ର କର୍ମଚାରୀଙ୍କ ସହଯୋଗରେ ଏହା ସମ୍ଭବ ହୋଇପାରିଛି ବୋଲି ସେ କୁହନ୍ତି। ସେ ଦୃଷ୍ଟିହୀନ ସଙ୍ଗୀତ ନିର୍ଦ୍ଦେଶକ ରବୀନ୍ଦ୍ର ଜୈନ ଓ ଆନ୍ତର୍ଜାତିକ ବ୍ରେଲି ଦିବସ ପାଇଁ ପ୍ରସ୍ତୁତ ସ୍ୱତନ୍ତ୍ର ଖବର ଉପରେ ସମ୍ବାଦ ଉପସ୍ଥାପନ କରିଥିଲେ।

ସୁଶ୍ରୀ ସଂଗୀତା କୁହନ୍ତି, ସମସ୍ତଙ୍କ ନିକଟରେ କିଛି ନା କିଛି ଅନ୍ତର୍ନିହିତ ଶକ୍ତି ରହିଛି। ଏହି ଶକ୍ତିର ବ୍ୟବହାର କରିବା ସହ ଆଗ୍ରହ ଥିବା କାର୍ଯ୍ୟରେ ନିଜର ଶତପ୍ରତିଶତ ଶକ୍ତି ବ୍ୟୟ କଲେ ସଫଳତା ନିଶ୍ଚିତ ମିଳିବ। ଭଗବାନ ସମସ୍ତଙ୍କୁ ସମାନ କରି ଗଢ଼ିଥା’ନ୍ତି। ଯଦି ଜଣେ ଦିବ୍ୟାଙ୍ଗ, ତେବେ ତା’ ପାଖରେ ନିଶ୍ଚିତ ଅନ୍ୟ କିଛି ଶକ୍ତି ରହିଛି। ତେଣୁ ନିଜକୁ ଦିବ୍ୟାଙ୍ଗ ବୋଲି ହେୟ ଜ୍ଞାନ ନ କରି ସେହି ଶକ୍ତିକୁ ଚିହ୍ନି କର୍ତ୍ତବ୍ୟ ପଥରେ ଆଗେଇବା ଉଚିତ ବୋଲି ସୁଶ୍ରୀ କହିଛନ୍ତି।

ସମ୍ବନ୍ଧିତ ଖବର