ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କୋଭିଡ ଟିକାକରଣ ସମ୍ପର୍କିତ ପ୍ରଥମ ପରାମର୍ଶ କମିଟି ବୈଠକ: ଭବିଷ୍ୟତ ଲହରକୁ ମୁକାବିଲା ପାଇଁ ବିଶେଷଜ୍ଞଙ୍କ ମତ ଲୋଡ଼ିଲେ

ଭୁବନେଶ୍ବର : ଶୁକ୍ରବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କୋଭିଡ୍‌ ଟିକାକରଣ ସଂକ୍ରାନ୍ତ ପ୍ରଥମ ପରାମର୍ଶ କମିଟି ବୈଠକ ଭିଡିଓ କନଫରେନ୍‌ସିଂ ଜରିଆରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟମନ୍ତ୍ରୀ ଭବିଷ୍ୟତରେ ସଂକ୍ରମଣ ଲହରକୁ ମୁକାବିଲା କରିବା ପାଇଁ ସ୍ବାସ୍ଥ୍ୟ ଭିତ୍ତିଭୂମିକୁ ଆହୁରି କିପରି ସୁଦୃଢ଼ କରାଯାଇପାରିବ, ତା’ ଉପରେ ପରାମର୍ଶ ଲୋଡ଼ିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଆସିଥିବା ପ୍ରେସ୍‌ ଇସ୍ତାହାର ଅନୁଯାୟୀ, ଭୂତାଣୁକୁ ମୂଳପୋଛ କରିବା ପାଇଁ ଅନ୍ୟ ରାଷ୍ଟ୍ରମାନେ କି ଉପାୟ ଅବଲମ୍ବନ କରିଛନ୍ତି, ତା’ ଉପରେ ଗୁରୁତ୍ବ ଦିଆଯାଇଥିଲା। ମୁଖ୍ୟମନ୍ତ୍ରୀ କହିଛନ୍ତି, କୋଭିଡ୍‌ ବିଶ୍ବସ୍ତରରେ ବିଭିନ୍ନ ପରିବାର ଓ ଗୋଷ୍ଠୀକୁ ଧ୍ବଂସ କରିବା ସହିତ ଆର୍ଥିକ କ୍ଷେତ୍ରକୁ ପ୍ରଭାବିତ କରିଛି। ଗୋଟିଏ ବର୍ଷରୁ ଊର୍ଦ୍ଧ୍ବ ବିତିଗଲାଣି ତଥାପି ଏହାର ଅନ୍ତ କେବେ କେହି ଜାଣି ନାହାନ୍ତି। ଦ୍ବିତୀୟ ଲହର ଦେଶରେ ମାତ୍ରାଧିକ ସଂକଟ ସୃଷ୍ଟି କରିଛି। ଲୋକମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି। କରୋନା ପ୍ରତିହତ ପାଇଁ ଜାରି ଲକ୍‌ଡାଉନ୍‌ ଯୋଗୁଁ ବ୍ୟବସାୟ କ୍ଷତିଗ୍ରସ୍ତ ହେବା ସହ ବହୁ ପରିବାର ଆର୍ଥିକ ସଂକଟ ଭିତରକୁ ଠେଲି ହୋଇଯାଇଛନ୍ତି। ଏଭ​ଳି ସମୟରେ ଆପଣମାନଙ୍କ ପରାମର୍ଶ ଓ ସକ୍ରିୟ ସାନ୍ତ୍ବନା ଲୋକଙ୍କ ପାଇଁ ନିହାତି ଆବଶ୍ୟକ। ଏବେ ରାଜ୍ୟରେ ଦ୍ବିତୀୟ ଲହରର ପ୍ରାଦୁର୍ଭାବ ଧୀରେଧୀରେ କମିବା ଆରମ୍ଭ କରିଛି। ରାଜ୍ୟ ସରକାର ବ୍ୟାପକ ଟିକାକରଣ ଉପରେ ଜୋର ଦେଇଛନ୍ତି। ଯେତେଶୀଘ୍ର ସମ୍ଭବ ସମସ୍ତଙ୍କୁ ଟିକା ପ୍ରଦାନ କରିବା ପାଇଁ ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି, ତୃତୀୟ ଲହରରେ ପିଲାମାନେ ବେଶି ସଂଖ୍ୟାରେ ସଂକ୍ରମିତ ହେବେ ବୋଲି ରିପୋର୍ଟ ପ୍ରକାଶ ପାଉଛି। ତେଣୁ ଏବେଠାରୁ ସ୍ବାସ୍ଥ୍ୟ ଭିତ୍ତିଭୂମିକୁ ପ୍ରସ୍ତୁତ କରି ରଖିବା ଦରକାର। କମିଟିର ପରାମର୍ଶକୁ ସମର୍ଥନ କରି ଶ୍ରୀ ପଟ୍ଟନାୟକ କହିଛନ୍ତି, ପରାମର୍ଶ ଅନୁଯାୟୀ ତାଙ୍କ ସରକାର ସମ୍ପୂର୍ଣ୍ଣ କାର୍ଯ୍ୟ କରିବ।

କମିଟି ଅଧ୍ୟକ୍ଷ ଡା. କେ.ଶ୍ରୀନାଥ ରେଡ୍ଡି କହିଛନ୍ତି, ପରବର୍ତ୍ତୀ ଲହର ପାଇଁ ଆଗୁଆ ଯୋଜନାବଦ୍ଧ ଭାବେ ପ୍ରସ୍ତୁତି କରାଯିବ। ଏଥିପାଇଁ ବିଶେଷଜ୍ଞ ଡାକ୍ତରମାନେ ପରାମର୍ଶ ଦେବେ। ପ୍ରଫେସର ଡା. ଭେଙ୍କଟ ରାଓ ପ୍ରଥମ ଓ ଦ୍ବିତୀୟ ଲହରକୁ ନେଇ ଏକ ତୁଳନାତ୍ମକ ଚିତ୍ର ପ୍ରଦର୍ଶନ କରିଥିଲେ। ଓଡ଼ିଶାରେ କୋଭିଡ ହସ୍ପିଟାଲ୍‌ରେ ରୋଗୀଙ୍କ ପାଇଁ ୧୦ହଜାର ଶଯ୍ୟାର ବ୍ୟବସ୍ଥା କରାଯାଇଛି। ପର୍ଯ୍ୟାପ୍ତ ସଂଖ୍ୟାରେ ଆଇସିୟୁ ଥିବା ବେଳେ ୧୮-୪୪ବର୍ଗର ପ୍ରାୟ ୨ କୋଟି ବ୍ୟକ୍ତିଙ୍କୁ ମାଗଣା ଟିକାକରଣର ବ୍ୟବସ୍ଥା କରାଯାଇଛି। ଭାରତ ସରକାର କେବଳ ୪୫ବର୍ଷରୁ ଊର୍ଦ୍ଧ୍ବ ବ୍ୟକ୍ତିଙ୍କ ପାଇଁ ଟିକା ଯୋଗାଉଥିବା ବେଳେ ୧୮-୪୪ବର୍ଗଙ୍କ ଟିକାକରଣ ରାଜ୍ୟ ସରକାରଙ୍କ ପାଇଁ ବଡ଼ ଆହ୍ବାନ। ଡା. ଲଳିତକାନ୍ତ ଟିକାର ଫଳପ୍ରଦ ଉପରେ ଆଲୋଚନା କରିଥିଲେ। ଆମେରିକାରୁ ଆଷ୍ଟ୍ରାଜେନିକା ଟିକା ଆଣିବା ପାଇଁ ବ୍ୟବସ୍ଥା କରାଯାଇପାରିବ। ଅଗଷ୍ଟ ସୁଦ୍ଧା କୋଭାକ୍‌ସିନ୍‌ ମାସିକ ୭.୮୨ କୋଟି ଉତ୍ପାଦନ ହେବ। ସେହିପରି କୋଭିସିଲ୍‌ଡ ଉତ୍ପାଦନ ମାସିକ ୧୦ କୋଟି ଛୁଇଁବ। ଏହାସହ ୨୫୦ ମିଲିୟନ୍‌ ସ୍ପୁଟନିକ୍‌-ଭି ଆମଦାନି ହେବ। ନୋଭୋ ଭ୍ୟାକ୍‌ସ୍‌ ଓ ଜିଡସ୍‌ କାଡିଲା ଟିକା ଖୁବ୍‌ଶୀଘ୍ର ଉପଲବ୍ଧ ହେବ। କେବଳ ୧୨ବର୍ଷରୁ ଅଧିକ ବୟସର ପିଲାମାନଙ୍କ ପାଇଁ ଫାଇଜର ଟିକା ଉପଯୁକ୍ତ ବୋଲି ପ୍ରମାଣିତ ହୋଇଛି। ବାକି ଅନ୍ୟ ଉତ୍ପାଦନକାରୀ କମ୍ପାନିମାନେ ପିଲାମାନଙ୍କ ଟିକା ଉପରେ ଗବେଷଣା ଚଳାଇଛନ୍ତି।

କମିଟିର ଅନ୍ୟ ସଦସ୍ୟ ଡା. ରମାକାନ୍ତ ପଣ୍ଡା କରୋନା ମୁକାବିଲା ପାଇଁ ସ୍ବାସ୍ଥ୍ୟ ବ୍ୟବସ୍ଥାର ବିକେନ୍ଦ୍ରୀକରଣ ଉପରେ ଗୁରୁତ୍ବ ଦେଇଛନ୍ତି। ଡା. ଦେବୀ ସେଠୀ କହିଛନ୍ତି, ଲକ୍‌ଡାଉନ୍‌ ଅପେକ୍ଷା ବ୍ୟାପକ ଟିକାକରଣକୁ ରାଜ୍ୟ ସରକାର ଗୁରୁତ୍ବ ଦେଇ ବୁଦ୍ଧିମାନର କାମ କରିଛନ୍ତି। ଡା. ମୃଦୁଳା ଫାଡ଼କେ ଗର୍ଭବତୀ ଓ ସ୍ତନ୍ୟପାନ କରାଉଥିବା ମା’ମାନଙ୍କୁ ଟିକାକରଣ ନେଇ ପରାମର୍ଶ ଦେଇଥିଲେ। ଦାଦନ ଶ୍ରମିକ ଓ ଗ୍ରାମୀଣ ଅଞ୍ଚଳରେ ଟିକାକରଣକୁ ପ୍ରାଥମିକତା ଦେବାକୁ ଡା. ସୁବ୍ରତ ଆଚାର୍ଯ୍ୟ କହିଛନ୍ତି। ସମ୍ବେଦନଶୀଳ ଗୋଷ୍ଠୀଙ୍କୁ ଅଗ୍ରାଧିକାର ଭିତ୍ତିରେ ଟିକା ଦେବାକୁ ଡା.ଅଜୟ ପରିଡ଼ା ପରାମର୍ଶ ଦେଇଥିଲେ। ଏହି ଅବସରରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର କୋଭିଡ ମୁକାବିଲା ନେଇ ଏକ ରିପୋର୍ଟ ପ୍ରଦର୍ଶନ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ବୈଠକରେ କମିଟି ସଦସ୍ୟ ଡା. ଦତ୍ତେଶ୍ବର ହୋତା, ଡା. ସଂଘମିତ୍ରା ପତି, ଡା. ଏମ୍‌.ଆର୍‌ ପଟ୍ଟନାୟକ ଓ କମିଟି ଆବାହକ ତଥା ରାଜ୍ୟ ଡିଏମ୍‌ଇଟି ପ୍ରଫେସର ଡା. ସି.ବି.କେ ମହାନ୍ତି ସାମିଲ ଥିଲେ।

ସମ୍ବନ୍ଧିତ ଖବର