କଟକ: ପ୍ରଫେସର ଅନନ୍ତ ଚରଣ ସାହୁ ରେଭେନ୍ସା କଲେଜର ଇତିହାସ ଅଧ୍ୟାପକ ଥିଲେ। ତାଙ୍କ ଉଚ୍ଚତା ଓ ଉଚ୍ଚକୋଟୀର ଅଧ୍ୟାପନା ସମସ୍ତଙ୍କୁ ପ୍ରଭାବିତ କରୁଥିଲା। ଛାତ୍ର ଜୀବନରୁ ତାଙ୍କ ସହିତ ସଂପର୍କ ରହିଛି ବୋଲି କହିଛନ୍ତି ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଞ୍ଜନ ପଟ୍ଟନାୟକ। ସ୍ବାଧୀନତା ସଂଗ୍ରାମୀ ସ୍ମାରକୀ ସଂସଦର ପ୍ରତିଷ୍ଠାତା-ସଭାପତି ତଥା ରେଭେନ୍ସା କଲେଜର ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ଡକ୍ଟର ଅନନ୍ତ ଚରଣ ସାହୁଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଓ ଶ୍ରଦ୍ଧାଞ୍ଜଳି ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ପଟ୍ଟନାୟକ କହିଲେ ଯେ ଏଭଳି ସଫଳ ବ୍ୟକ୍ତିଙ୍କ ସ୍ମୃତିସଭାକୁ ସତ୍ସଙ୍ଗ କୁହାଯିବା ଉଚିତ। ପ୍ରଫେସର ସାହୁ ବୃତ୍ତିଗତ ଜୀବନରେ ଇତିହାସ ଅଧ୍ୟାପନା କରୁଥିବା ବେଳେ ପରେ ସଂଗ୍ରାମୀଙ୍କ ସମ୍ମାନ ପାଇଁ କାର୍ଯ୍ୟ କରୁଥିଲେ। ସଂପ୍ରତି ଇତିହାସକୁ କଦର୍ଥ କରାଯାଉଥିବା ବେଳେ ସଂଗ୍ରାମୀଙ୍କୁ ସମ୍ମାନ ମିଳୁନାହିଁ। ଏ ଦିଗରେ କେହି ସ୍ବର ଉତ୍ତୋଳନ କରୁନାହାନ୍ତି। ଆମ ଇତିହାସକୁ ଜାଣିବା, ଆଉ ଇତିହାସକୁ ଜାଣିଲେ ହିଁ ଭବିଷ୍ୟତର ଆହ୍ବାନକୁ ସାମନା କରିପାରିବା ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।
ପ୍ରଫେସର ଅନନ୍ତ ଚରଣ ସାହୁଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ
ଖାରବେଳ ମହାନ୍ତିଙ୍କୁ ‘ପ୍ରଫେସର ଅନନ୍ତ ଚରଣ ସାହୁ ଆଦର୍ଶ ଶିକ୍ଷକ ସମ୍ମାନ’
ସ୍ବାଧୀନତା ସଂଗ୍ରାମୀ ସ୍ମାରକୀ ସଂସଦର ସଭାପତି ଡାକ୍ତର ରବିରଞ୍ଜନ ସାହୁଙ୍କ ପୌରୋହିତ୍ୟରେ ସାରଳା ଭବନରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ସ୍ତମ୍ଭକାର ପ୍ରମୋଦ କୁମାର ମହାପାତ୍ର, ଖାରବେଳ ମହାନ୍ତି, ପ୍ରଫେସର ସହଦେବ ପାତ୍ର ପ୍ରମୁଖ ଅନନ୍ତ ଚରଣ ସାହୁଙ୍କୁ ଆଦର୍ଶ ଶିକ୍ଷକ ଭାବେ ବର୍ଣ୍ଣନା କରିଥିଲେ। ଏହି ଅବସରରେ ଐତିହାସିକ ଡକ୍ଟର ଖାରବେଳ ମହାନ୍ତିଙ୍କୁ ‘ପ୍ରଫେସର ଅନନ୍ତ ଚରଣ ସାହୁ ଆଦର୍ଶ ଶିକ୍ଷକ ସମ୍ମାନ’ ପ୍ରଦାନ କରାଯାଇଥିଲା। ଇଞ୍ଜିନିୟର ଆନନ୍ଦ ସାହୁ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସଂଯୁକ୍ତା ସାହୁ ଧନ୍ୟବାଦ ଦେଇଥିଲେ। ଦେବଶ୍ରିତା ଦାସ ଶ୍ରଦ୍ଧାଞ୍ଜଳି ସଭା ସଂଯୋଜନା କରିଥିବା ବେଳେ ଅନନ୍ତ ସାହୁଙ୍କ ପୁଅ ଡକ୍ଟର ସିଦ୍ଧାର୍ଥ କୁମାର ସାହୁ ଉପସ୍ଥିତ ଥିଲେ।