ଭୁବନେଶ୍ୱର: ଗୋଟିଏ ଗୋଟିଏ ଘଟଣା ଦଶନ୍ଧି ପରେ ମଧ୍ୟ ମନରୁ ଲିଭେନା। ବିଶେଷକରି ଯେତେବେଳେ  ଅପରାଧୀଙ୍କୁ ଠିକଣା ଜବାବ ଦେଇ ଜଣେ ପୁଲିସ ଅଫିସର, ଅନ୍ୟର ଜୀବନ ବଞ୍ଚାଇଥା’ନ୍ତି, ତାହା  ସେହି ପୁଲିସ ଅଫିସରଙ୍କ ମନରେ ସବୁଦିନ ପାଇଁ ରେଖାଙ୍କିତ ହୋଇ ରହିଯାଇଥାଏ। ଏହିପରି  ପୁଲିସ ଅଧିକାରୀମାନଙ୍କ ଜୀବନରେ ଘଟିଥିବା ଲୋମହର୍ଷକ ଘଟଣାକୁ ନେଇ ‘ସମ୍ବାଦ’ର ସ୍ବତନ୍ତ୍ର ଉପସ୍ଥାପନାରେ ଏଥର ପୂର୍ବତନ ଏସ୍‌ପି ପ୍ରମୋଦ ରଥଙ୍କ ଅନୁଭୂତି ଓ ଅନୁଭବ।
 ବିଚ୍ ରାସ୍ତାରେ, ଶହ ଶହ ଲୋକଙ୍କ ଉପସ୍ଥିତିରେ ପୁଲିସ-ଅପରାଧୀ ଗୁଳି ବିନିମୟ ରାଜଧାନୀ ସମେତ ସାରା ରାଜ୍ୟରେ ସେତେବେଳେ ଚର୍ଚ୍ଚାର ବିଷୟ ହୋଇଥିଲା।

Advertisment

୨୦୦୯ ମସିହାର କଥା। ମୋର କଟକରୁ ଭୁବନେଶ୍ବର ବଦଳି ହୋଇଥାଏ। ଖାରବେଳନଗର ଥାନାର ଆଇଆଇସି ଥିବା ବେଳେ ଡିସିପି ହିମାଂଶୁ ଲାଲ ମୋତେ ଭୁବନେଶ୍ବର ସ୍ପେସାଲ୍ ସ୍କ୍ବାଡ୍ ସହିତ ଯୋଡ଼ିଲେ। ଦିନକର କଥା। କଟକରେ ଥିବା ଖବରୀଙ୍କ ସୂତ୍ରରୁ ମୁଁ ଜାଣିଲି ଯେ ଭୁବନେଶ୍ବରର ଜଣଙ୍କୁ ହତ୍ୟା କରିବା ପାଇଁ କଟକର ଗୋଟିଏ ଗୋଷ୍ଠୀ ସୁପାରି ନେଇଛନ୍ତି। କଟକର ଅପରାଧୀ ଗୋଷ୍ଠୀ ସଂଧ୍ୟାରେ ଭୁବନେଶ୍ୱର ଆସି ସଂପୃକ୍ତ ବ୍ୟକ୍ତିଙ୍କୁ ସହିଦନଗରରେ ହତ୍ୟା କରିବାର ଯୋଜନା କରିଛନ୍ତି। ଡିସିପିଙ୍କୁ ଏ କଥା କହିବା ପରେ ତାଙ୍କ ନିର୍ଦ୍ଦେଶରେ ଆମେ ସ୍ପେସାଲ ସ୍କ୍ବାଡ୍ ଫୁଲନଖରା ନିକଟରେ ଜଗି ରହି ସେହି ଅପରାଧୀ ଗୋଷ୍ଠୀଙ୍କୁ କାବୁ କରିବାର ଯୋଜନା କଲୁ। ସେପଟେ ମୋର ଖବରୀକୁ ସେହି ଗୋଷ୍ଠୀ ପଛରେ ଲଗାଇ ଆମକୁ ସେମାନଙ୍କ ଗତିବିଧି ସଂପର୍କରେ ଲଗାତାର ସୂଚନା ଦେବାକୁ କହିଲି। ଆମ ଖବରୀ ବି ସେମାନଙ୍କ ବାଇକ୍‌ ନମ୍ବର ଓ ଅନ୍ୟ ସୂଚନା ଆମକୁ ଦେଲା। ଆମେ ଫୁଲନଖରା ନିକଟରେ ଜଗି ରହିଥିବା ବେଳେ ସେ କିନ୍ତୁ ହଠାତ୍‌ ଖବର ଦେଲା ଯେ ୬ଜଣ ଦୁର୍ବୃତ୍ତ ୩ଟି ବାଇକ୍‌ରେ ସିଧା ଜାତୀୟ ରାଜପଥରେ ନଆସି ବାଲିକୁଦା ଛକରୁ ନନ୍ଦନକାନନ ରାସ୍ତାରେ ଭୁବନେଶ୍ୱର ଆଡକୁ ଚାଲିଗଲେ। ଆମେ ତୁରନ୍ତ ସେମାନଙ୍କ ପିଛା କରିବା ଆରମ୍ଭ କଲୁ। କିନ୍ତୁ ବାଲିକୁଦା ଟପିବା ବେଳେ ରେଳଫାଟକ ପଡ଼ିଯିବାରୁ ଆମେ ସେଠାରେ ଅଟକିବାକୁ ବାଧ୍ୟହେଲୁ। ଫାଟକ ଉଠିବା ପରେ ଆମେ ପୁଣି ତାଙ୍କ ପିଛା କଲୁ।  ଆମକୁ ଖବର ମିଳିଲା ଯେ ସେମାନେ ରଘୁନାଥପୁର ନିକଟରେ ଏକ ପାନ ଦୋକାନରେ ଅଟକି ପାନ, ସିଗାରେଟ୍ ଖାଉଛନ୍ତି। ଆମେ ସେଠାରେ ପହଞ୍ଚି ସେମାନଙ୍କୁ କାବୁ କରିବା ଯୋଜନା କଲା ବେଳକୁ ଖବର ମିଳିଲା ଯେ ସେମାନେ ସେଠାରୁ ଚାଲିଗଲେଣି। ଏଭଳି ସ୍ଥିତିରେ ଆମେ ଡିସିପିଙ୍କୁ ଖବର ଦେଲୁ ଏବଂ ବିପରୀତ ଦିଗରୁ ପୁଲିସ ଟିମ୍ ପଠାଇବାକୁ ଅନୁରୋଧ କଲୁ। ପୁଲିସର ଗୋଟିଏ ଟିମ୍ ବିପରୀତ ପାର୍ଶ୍ୱରୁ ଆସି କିଟ୍ ଛକର ଟିକିଏ ଆଗରେ ରାସ୍ତା ବନ୍ଦ କଲେ। ୬ ଜଣ ଯାକ ଦୁର୍ବୃତ୍ତ ଆଗ ଓ ପଛରେ ପୁଲିସକୁ ଦେଖି ହଡବଡେଇ ଗଲେ। ସେମାନଙ୍କ ମଧ୍ୟରୁ ଭୟରେ ଜଣେ ଗୁଳି ଫୁଟାଇବାକୁ ଚେଷ୍ଟା କଲା। କିନ୍ତୁ ସେ ଏତେ ଭୟଭୀତ ଥିଲା ଯେ ଥରି ଥରି ବନ୍ଧୁକ ଫୁଟାଇବାରୁ ସେହି ଗୁଳିଟି ରାସ୍ତାରେ ବାଜିଲା ଏବଂ ବାଉନ୍ସ ହୋଇ ଆମର ଜଣେ କନଷ୍ଟେବଳଙ୍କ ଗୋଡରେ ବାଜିଲା। ଦୁର୍ବୃତ୍ତ ଆଉ ଥରେ ଫାୟାରିଂ କରିବାକୁ ଉଦ୍ୟମ କଲା ବେଳେ ମୁଁ ବାଧ୍ୟ ହୋଇ ତାର ଗୋଡକୁ ଫାୟାରିଂ କଲି। ତାର ଗୋଡରେ ଗୁଳି ବାଜିବାରୁ ସେ ସେଠାରେ ଆଣ୍ଠେଇ ପଡ଼ିଲା। ଏଭଳି ସ୍ଥିତିରେ ଆମେ ଚାରିପଟୁ ଘେରି ଯାଇ ସବୁ ଦୁର୍ବୃତ୍ତଙ୍କୁ କାବୁ କରି ନେଲୁ। ସେତେବେଳେ ରାସ୍ତାରେ ଶହ ଶହ ଲୋକ ଅଟକି ଏ ଦୃଶ୍ୟ ଦେଖୁଥାନ୍ତି। ଆମେ ସତର୍କତାର ସହିତ ଦୁର୍ବୃତ୍ତଙ୍କୁ କାବୁ କରି ସେମାନଙ୍କ ନିକଟରୁ ୩ଟି ମାଉଜର, ଗୁଳି ଓ ହାତବୋମା ଜବତ କଲୁ। ରାସ୍ତାରେ ଏଭଳି ଏନକାଉଣ୍ଟର ପ୍ରଥମ ଥିଲା। ସୌଭାଗ୍ୟର ବିଷୟ, ହାତରେ ମାଉଜର ଥିବା ସତ୍ତ୍ବ ଅନ୍ୟ ଅପରାଧୀମାନେ ଆମ ଉପରକୁ ଗୁଳି ଚଳାଇ ନଥିଲେ। ନଚେତ କିଛି ବି ବଡ଼ ଅଘଟଣ ଘଟିଥାନ୍ତା। ଏମିତି ଆମେ ସେମାନଙ୍କ ଯୋଜନାକୁ ପଣ୍ଡ କରି ଜଣଙ୍କର ଜୀବନ ବି ବଞ୍ଚାଇଥିଲୁ। ଦ ଏକ ଘଟଣା ଆମକୁ ବେଶ୍ ଆତ୍ମସନ୍ତୋଷ ଦେଇଥିଲା।