ପ୍ରଥମ ଲୋକକଳା ଦିବସ

ଭୁବନେଶ୍ବର : ସହରରେ ରଜ ଦୋଳିର ମଜା ନେବା ସହ ଓଡ଼ିଆ ପରମ୍ପରାର ମହନୀୟତାକୁ ପାଖରୁ ଉପଲବ୍ଧି କରିବାକୁ ସୁଯୋଗ ଆଣିଥିଲା ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ। ବିଭାଗ ପକ୍ଷରୁ ଆୟୋଜିତ ପ୍ରଥମ ଲୋକକଳା ଦିବସ ଅବସରରେ ଏଭଳି ଏକ ଅବକାଶ ଜୁଟିଥିଲା।

ଏହି ଅବସରରେ ସମ୍ବଲପୁରୀର ସମ୍ବଲପୁରୀ ନୃତ୍ୟ, କଳାହାଣ୍ଡିର ସିଙ୍ଘାରି ନୃତ୍ୟ, ଗଞ୍ଜାମର ଭାରତଲୀଳା ଓ କଟକର ଚଇତି ଘୋଡ଼ା ଉପଭୋଗ କରିଥିଲେ ଦର୍ଶକ। ଏଥିସହ ଏହି ପରିସରରେ ରଜ ଦୋଳି ସହ ପିଠା, ହୁଳହୁଳି ପ୍ରତିଯୋଗିତା କରାଯାଇଥିଲା। ନୃତ୍ୟ ପୂର୍ବରୁ ପାରମ୍ପରିକ କଳାକାରଙ୍କୁ ନେଇ ଏକ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା। ଆୟୋଜିତ ସଭାରେ ପର୍ଯ୍ୟଟନ ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ବିଭାଗୀୟ ପ୍ରମୁଖ ସଚିବ ମନୋରଂଜନ ପାଣିଗ୍ରାହୀ, ନିର୍ଦେଶକ ବିଜୟ ନାୟକ, ଯୁଗ୍ମ ଶାସନ ସଚିବ ସଂଘମିତ୍ରା ଶତପଥୀ, କଳାକାର ସଂଘ ରାଜ୍ୟ ପ୍ରକଳ୍ପ ସଂଯୋଜକ ବାସୁଦେବ ମାଲବିଷୋଇ ଅତିଥି ଭାବେ ଯୋଗଦେଇ ଅଭିଭାଷଣ ରଖିଥିଲେ। ୪୭୧ଟି ଲୋକକଳା ଚିହ୍ନଟ ହୋଇଥିବା ବେଳେ ୭୮୪୩ଟି ଲୋକକଳା ସଂଘ ପଂଜୀକୃତ ହୋଇଛନ୍ତି। ନଗର କଳା ସଂସ୍କୃତି ସଂଘ ୯ରୁ ୧୫କୁ ବୃଦ୍ଧି ପାଇଛି ବୋଲି ଅତିଥିମାନେ ମତ ରଖିଥିଲେ। ଅବନୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ଧଉଳି ପାନ୍ଥିକାରେ ରଜ ମଉଜ

ଧଉଳି : ପର୍ଯ୍ୟଟନ ବିଭାଗ ଓ ଓଡ଼ିଶା ଟୁରିଷ୍ଟ ଗାଇଡ୍‌ ଆସୋସିଏନ୍‌ ମିଳିତ ସହଯୋଗରେ ଧଉଳି ଶାନ୍ତିସ୍ତୂପ ସମ୍ମୁଖ ପାନ୍ଥିକା ପରିସରରେ ୩ଦିନ ଧରି ପାଳନ ହେବାକୁ ଥିବା ରଜ ମଉଜ କାର୍ଯ୍ୟକ୍ରମ ଆଜି ଉଦ୍‌ଘାଟିତ ହୋଇଯାଇଛି। ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଏହାକୁ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ୩ଟି ସୁସଜ୍ଜିତ ଦୋଳି ବନ୍ଧା ଯାଇଥିଲା। ରଜପାନ ସାଙ୍ଗକୁ ପୋଡ଼ପିଠା, କାକରା, ମଣ୍ଡା, ଆରିଶା ଆଦି ବିଭିନ୍ନ ପିଠା ଓ ମିଠାର ପସରା ଖୋଲିଥିଲା। ସମବେତ ଦର୍ଶକ ତଥା ପର୍ଯ୍ୟଟକମାନଙ୍କ ପାଇଁ ଓଡ଼ିଶା ସଂସ୍କୃତି ବିଭାଗ ତରଫରୁ ଲୋକନୃତ୍ୟ ଚଇତାଳି ଘୋଡ଼ାନାଚ ପରିବେଷଣ ହୋଇଥିଲା। ଏହି ଅବସରରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ଅଧିକାରୀମାନେ ପର୍ଯ୍ୟଟନସ୍ଥଳୀରେ ପରିମଳ ବ୍ୟବସ୍ଥାର ସଚେତନତା ଓ ପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର ସଂପର୍କରେ ସୂଚନା ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ବର ପର୍ଯ୍ୟଟନ ଅଧିକାରୀ ଅଜୟ କୁମାର ରାଉତ, ସୂଚନା ଅଧିକାରିଣୀ ଭାରତ ପର୍ଯ୍ୟଟନ ରଶ୍ମି ସୋନିଆ ତିର୍କୀ, ଅତିରିକ୍ତ ନିର୍ଦ୍ଦେଶକ ପର୍ଯ୍ୟଟନ, ଓଡ଼ିଶା ଡ. ରତିକାନ୍ତ ପଟ୍ଟନାୟକ ଓ ଏଲଏସ ସିଟି ୱିଙ୍ଗ୍‌ର ଅଧ୍ୟକ୍ଷା ସାଗରିକା ସାହୁ, ପ୍ରକଳ୍ପ ସଂଯୋଜିକା ସୁଜାତା ପଟ୍ଟନାୟକଙ୍କ ସମେତ ଧଉଳି ସରପଞ୍ଚ ପୂର୍ଣ୍ଣିମା ସାହୁ ଓ ସମାଜସେବୀ ହରେକୃଷ୍ଣ ସାହୁ ପ୍ରମୁଖ ଏଥିରେ ସାମିଲ ଥିଲେ। ଆୟୋଜକ ସଂସ୍ଥାର ସଭାପତି ସୁବ୍ରତ ପଟ୍ଟନାୟକ, ସଂପାଦକ ଭିକାରୀ ଚରଣ ତ୍ରିପାଠୀ ଓ କୋଷାଧ୍ୟକ୍ଷ ବିବେକାନନ୍ଦ ପଣ୍ଡା ଓ ଅନ୍ୟାନ୍ୟ କର୍ମକର୍ତା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର