ଭୁବନେଶ୍ୱର: ବିଜେଡି ଦଖଲରେ ରହିଛି ବିଏମ୍‌ସି। ମେୟର ଓ ଅର୍ଦ୍ଧାଧିକ କର୍ପୋରେଟର୍‌ ବିଜେଡିର। କିନ୍ତୁ ମାସିକ ବୈଠକକୁ ଖୋଦ୍ ବିଜେଡି କର୍ପୋରେଟର୍‌ମାନେ ବର୍ଜନ କରିଛନ୍ତି। ଏମିତି ଅଭାବନୀୟ ଘଟଣା ଆଜି ଘଟିଛି। ବିଜେଡିର ଭୁବନେଶ୍ବର ସଂଗଠନରେ ଚାଲିଥିବା ଆଭ୍ୟନ୍ତରୀଣ ବିବାଦର ଏହା ପ୍ରତିଫଳନ ବୋଲି କୁହାଯାଉଛି। ରାଜ୍ୟରେ ବିଜେପି ସରକାର ଗଠନ ହେଲା ପରେ ଯେ କୌଣସି ସମୟରେ ବିଜେଡି ଦଖଲରେ ଥିବା ପୌରସଂସ୍ଥା ପାଇଁ ଅଡ଼ୁଆ ସୃଷ୍ଟି ହେବାର ଆଶଙ୍କା ରହିଛି। ଏହି ସମୟରେ ବିଏମ୍‌ସିରେ ବିଜେଡି କର୍ପୋରେଟର୍‌ ଏକାଠି ରହିବେ କ’ଣ, ନିଜ ନିଜ ଭିତରେ ଗଣ୍ଡଗୋଳ କରି ସରକାରଙ୍କ ପାଇଁ ସୁଯୋଗ ସୃଷ୍ଟି କରୁଥିବା ରାଜନୈତିକ ମହଲରେ କୁହାଯାଉଛି। 

Advertisment

ଆଜି ପୂର୍ବାହ୍ନ ସା‌ଢ଼େ ୧୦ଟା ବେଳେ ବିଏମ୍‌ସିର ମାସିକ ସମୀକ୍ଷା ବୈଠକ ବସିବାର ଥିଲା। କିନ୍ତୁ ଏକାମ୍ର ଓ ମଧ୍ୟ ନିର୍ବାଚନମଣ୍ଡଳୀର ପ୍ରାୟ ୨୭ କର୍ପୋରେଟର ବୈଠକ ବର୍ଜନ କରିଥିଲେ। ସେମାନେ ଲକ୍ଷ୍ମୀସାଗରରେ ମେଳି କରିଥିଲେ। ଏଣେ ବିଏମ୍‌ସି ବୈଠକରେ ସଂଖ୍ୟା କମ୍‌ ଥିବାରୁ ବୈଠକ ବସିବାରେ ବିଳମ୍ବ ହେଉଥିଲା। ମେୟର ସେହିସବୁ କର୍ପୋରେଟରଙ୍କ ସହ କଥା ହୋଇ ବୈଠକକୁ ଡାକିବା ପ୍ରୟାସ କରିଥିଲେ। ହେଲେ ପାରି ନଥିଲେ। ଏଣୁ ଘଣ୍ଟାଏ ବିଳମ୍ବରେ ବିଏମ୍‌ସି ବୈଠକ ଆରମ୍ଭ ହୋଇଥିଲା। ମାତ୍ର ୩୦ ଜଣ କର୍ପୋରେଟର୍‌ ଉପସ୍ଥିତ ଥିଲେ। ବୈଠକ ସରି ଯାଇଥିଲା ସିନା ହେଲେ ଅସନ୍ତୁଷ୍ଟ କର୍ପୋରେଟରମାନେ ବୈଠକକୁ ଆସି ନଥିଲେ। ୬୭ରୁ ୨୭ କର୍ପୋରେଟରଙ୍କୁ ନେଇ ବିଏମ୍‌ସିର ମାସିକ ବୈଠକ ଶେଷ ହୋଇଥିଲା ଓ ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିଲା। 

ବିଏମ୍‌ସି ଇତିହାସରେ ପ୍ରଥମ
ଅଧାରୁ ଅଧିକ ବିଜେଡି କର୍ପୋ‌ରେଟର୍‌ ଆସିଲେନି
ଶଙ୍ଖଭବନ ନିଆଁର ପ୍ରତିଫଳନ

ବିଏମ୍‌ସି ମନଇଚ୍ଛା କାମ କରୁଥିବାରୁ କର୍ପୋରେସନ ବୈଠକ ବର୍ଜନ କରିଥିବା ବିଜେଡି କର୍ପୋରେଟରମାନେ କହୁଥିଲେ ମଧ୍ୟ ବର୍ଜନର କାରଣ ଭିନ୍ନ ରହିଛି। ବାଇଁଆ-ଲିଟୁ ପ୍ରସଙ୍ଗରେ ଶଙ୍ଖ ଭବନରୁ ଲାଗିଥିବା ନିଆଁ କୁହୁଳିବାରେ ଲାଗିଛି। ଅସନ୍ତୋଷର କାରଣ ସମ୍ପର୍କରେ ସମସ୍ତ ବରିଷ୍ଠ ନେତା ଅବଗତ ଥିଲେ ମଧ୍ୟ କେହି ହସ୍ତକ୍ଷେପ କରିବାକୁ ଚାହୁନାହାନ୍ତି। ମେୟର ମଧ୍ୟ ଆଲୋଚନା କରୁନାହାନ୍ତି। ଏଣୁ ନିଆଁ ଥମିବା ନାଁ ଧରୁନି, ବରଂ ବଢ଼ି ବଢ଼ି ଚାଲିଛି। ଆଜିର ଘଟଣା ଏହି ନିଆଁର ପ୍ରତିଫଳନ ବୋଲି କୁହାଯାଇଛି। ଲକ୍ଷ୍ମୀସାଗରରେ ବସିଥିବା ବୈଠକରେ କ’ଣ ଆଲୋଚନା ହେଲା ସେ ନେଇ କେହି ମୁହଁ ଖୋଲୁ ନାହାନ୍ତି। ଏଣେ ଘର ବୁଡ଼ି ପାଣି ଆଣ୍ଠୁଏ ସ୍ଥିତି ହେଲେ ମଧ୍ୟ ଗଣମାଧ୍ୟମରେ ମୁହଁ ଖୋଲିବା ନେଇ ଜିଲ୍ଲା ସଭାପତି ଜାରି କରିଥିବା ଆଦେଶକୁ ଯେମିତି ଅକ୍ଷରେ ଅକ୍ଷରେ ପାଳିଛନ୍ତି। 

ବିଜେଡିର ଏହି ଆଭ୍ୟନ୍ତରୀଣ ବିବାଦ ଆଗକୁ ଉଗ୍ର ରୂପ ନେବାକୁ ଯାଉଛି। ଆସନ୍ତା ୨ ତାରିଖରେ ବିଜେଡି ଆରମ୍ଭ କରିବାକୁ ଯାଉଥିବା ପଦଯାତ୍ରା ପ୍ରଭାବିତ ହେବାର ଆଶଙ୍କା ରହିଛି। ଆଜି କର୍ପୋରେସନ ବୈଠକ ବର୍ଜନ କରିଥିବା କର୍ପୋରେଟରମାନେ ପଦଯାତ୍ରାରୋ ସାମିଲ୍‌ ହେବେ ନାହିଁ ବୋଲି ଲିଖିତ ଭାବେ ଦଳ ସଭାପତିଙ୍କୁ ଅବଗତ କରାଇଥିବା ଜଣାପଡ଼ିଛି। ଶଙ୍ଖ ଭବନରେ ଲିଟୁ-ବାଇଁଆ ନିଜ ନିଜ ସମର୍ଥକଙ୍କୁ ଡାକି ଫ୍ଲାଗମାର୍ଚ୍ଚ କରିବା ସହ ପୂର୍ବତନ ମନ୍ତ୍ରୀଙ୍କ ନାମ ନେଇ ‘ଗୋ ବ୍ୟାକ୍‌’ ନାରା ଦେବା ଓ ନିୟମିତ ବିଶୃଙ୍ଖଳା କରିଚାଲିବା ସୀମାତୀତ ହୋଇଛି ବୋଲି ଏହି କର୍ପୋରେଟର୍‌ମାନେ ସଭାପତିଙ୍କୁ ଜଣାଇଛନ୍ତି। ସଂଗଠନରେ ଅସନ୍ତୋଷ ପାଇଁ ଭୁବନେଶ୍ବରରେ ଏହି ପଦଯାତ୍ରାରେ ବିଭ୍ରାଟ ହେଲେ ସମଗ୍ର ରାଜ୍ୟକୁ ପ୍ରଭାବିତ କରିବ ବୋଲି କେତେକ ନେତା ଆଶଙ୍କା ପ୍ରକାଶ କରିଛନ୍ତି।