ଖୋର୍ଦ୍ଧା: ଭାରତୀୟ ଜନତା ପାର୍ଟି ଗଠନ ପରଠାରୁ ଖୋର୍ଦ୍ଧା ଇତିହାସରେ ଯାହା କେବେ ହୋଇ ନଥିଲା, ଚଳିତ ନିର୍ବାଚନରେ ତାହା ହୋଇଛି। ପ୍ରଥମ ଥର ପାଇଁ ଖୋର୍ଦ୍ଧାର ରାଜନୀତିରେ ବିଜେପି ପ୍ରଥମ ଥର ପାଇଁ ଆଜି ବିଜୟ ତିଳକ ପିନ୍ଧିଛି। ବିଜେଡିର ହାଟ୍ରିକ୍‌ ବିଧାୟକ ରାଜେନ୍ଦ୍ର ସାହୁଙ୍କୁ ହରାଇ ବିଜେପିର ଏ ପ୍ରଥମ ବିଜୟ ସ୍ବାଦ ପୂରା ଖୋର୍ଦ୍ଧା ନିର୍ବାଚନମଣ୍ଡଳୀରେ ଚର୍ଚ୍ଚିତ ବିଷୟ ହୋଇଛି। ୪୪ବର୍ଷର ଇତିହାସ ଫର୍ଦ୍ଦକୁ ଲେଉଟାଇଲେ, ଅଶୀ ଦଶକରୁ ୨୦୧୯ ମସିହା ସାଧାରଣ ନିର୍ବାଚନ ଯାଏ, ଏ ଜାତୀୟ ଦଳ ଖୋର୍ଦ୍ଧାରେ କେବେ ଏକୁଟିଆ ତ, କେବେ ମେଣ୍ଟରେ ନିର୍ବାଚନ ମଇଦାନକୁ ଓହ୍ଲାଇଥିଲା। କିନ୍ତୁ ବିଜୟ ତାଲିକାରେ ବିଜେପିର କେବେ ନାଁ ଲେଖା ହୋଇ ନଥିଲା।

Advertisment

୧୯୮୫, ୧୯୯୦ ଏବଂ ୧୯୯୫ ମସିହା ନିର୍ବାଚନରେ ବିଜେପି ନିଜର ପ୍ରାର୍ଥୀ ଦେଇ ହାରିଥିଲା। ୨୦୦୦ମସିହାରେ ଯଦିଓ ବିଜେପି ସହିତ ବିଜେଡିର ମେଣ୍ଟ ହେଲା, କିନ୍ତୁ ଖୋର୍ଦ୍ଧା ବିଧାନସଭା କ୍ଷେତ୍ରଟି ବିଜେପି ଭାଗରେ ପଡ଼ିଲା ନାହିଁ। ୨୦୦୯ ମସିହାରେ ବିଜେଡି-ବିଜେପି ମେଣ୍ଟ ଭାଙ୍ଗିବା ପରେ ପୁଣି ଅଣ୍ଟା ସଳଖିଥିଲା ବିଜେପି। ସେ ସମୟରେ କଂଗ୍ରେସରୁ ପୂର୍ବତନ ବିଧାୟକ ଦିଲୀପ ଶ୍ରୀଚନ୍ଦନଙ୍କୁ ଦଳ ଆଣି ପ୍ରାର୍ଥୀ କଲା, କିନ୍ତୁ ଦଳ ବିଜୟୀ ହୋଇପାରିଲା ନାହିଁ। ଶ୍ରୀ ଶ୍ରୀଚନ୍ଦନ ମୋଟ୍ ୨୭ହଜାର ୧୯୭ଖଣ୍ଡ ଭୋଟ୍‌ ପାଇଥିବା ବେଳେ ତତ୍କାଳୀନ ସ୍ବାଧୀନ ପ୍ରାର୍ଥୀ ରାଜେନ୍ଦ୍ର ସାହୁ ୯ହଜାର ୨୧୦ଟି ଅଧିକ ଭୋଟ୍ ପାଇ ବିଜୟୀ ହୋଇଥିଲେ। ୨୦୧୪ ମସିହାରେ ତତ୍କାଳୀନ ସ୍ବାଧୀନ ପ୍ରାର୍ଥୀ ତଥା ବର୍ତ୍ତମାନର ଖୋର୍ଦ୍ଧା ବିଜେଡି ବିଧାୟକ ଜ୍ୟୋତିରୀନ୍ଦ୍ରନାଥ ମିତ୍ରଙ୍କୁ ବିଜେପି ପୁଣି ଆମଦାନି କଲା। ସେ ସମୟରେ ବିଜେପି ୬୫ହଜାର ୭୦୨ଖଣ୍ଡ ଭୋଟ୍ ପାଇଲା, କିନ୍ତୁ ଜିତି ପାରିଲା ନାହିଁ। ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର ସାହୁ ୭୨ହଜାର ୨୯୯ଟି ଭୋଟ୍‌ ପାଇ ବିଜେପିକୁ ପୁଣି ହରାଇଲେ।

ବିଭିନ୍ନ ସମୟରେ ଅନ୍ୟ ଦଳରୁ ଆମଦାନି କରି ପରାଜିତ ହୋଇଥିବା ବିଜେପି ଏଥର କିନ୍ତୁ ବିଜେଡିର ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଖୋର୍ଦ୍ଧାର ବିଜେପି ପ୍ରାର୍ଥୀ କରି ବିଜୟ ତାଲିକାରେ ନାଁ ଲେଖାଇଛି। ୨୦୧୯ ମସିହାରେ ବିଜେପିକୁ ଖୋର୍ଦ୍ଧାରେ ୧୦ହଜାର ୪୩ଖଣ୍ଡ ଭୋଟ୍‌ରେ ବିଜେଡି ହରାଇଥିଲା। ଏଥର କିନ୍ତୁ, ରିପୋର୍ଟ ଲେଖାଯିବା ସୁଦ୍ଧା ୮ହଜାର ୪୩୬ଖଣ୍ଡ ଭୋଟ୍‌ରେ ବିଜେପିର ପ୍ରଶାନ୍ତ ଜଗଦ୍ଦେବ ବିଜେଡିର ହାଟ୍ରିକ୍‌ ବିଧାୟକ ରାଜେନ୍ଦ୍ର ସାହୁଙ୍କୁ ପରାଜିତ କରିଛନ୍ତି। ଚଳିତ ନିର୍ବାଚନରେ ବିଜେପିରୁ ବାହାରି ଆସି ସ୍ବାଧୀନ ଭାବେ ପ୍ରତିଦ୍ବନ୍ଦ୍ବିତା କରୁଥିବା କାଳୁଚରଣ ଖଣ୍ଡେଇତରାୟଙ୍କ ବିଦ୍ରୋହ ବିଜେପିକୁ ଅଡ଼ୁଆ କରିପାରେ ବୋଲି ଆଶଙ୍କା କରାଯାଉଥିଲା। କିନ୍ତୁ, ନିର୍ବାଚନୀ ଫଳାଫଳ ସବୁ ଅନୁମାନକୁ ଭୁଲ୍ ପ୍ରମାଣିତ କରିଛି। କାଳୁଙ୍କ ବିଦ୍ରୋହ ବିଜେପିର ବିଜୟ ବାଟରେ କୌଣସି ବାଧା ସୃଷ୍ଟି କରିପାରିନାହିଁ।

କାଳୁଙ୍କୁ ଏଥର ୧୯ହଜାର ୨୮୪ଖଣ୍ଡ ଭୋଟ୍‌ ମିଳିଥିବା ବେଳେ ନୋଟାରେ ୧୨୩୩ଖଣ୍ଡ ଭୋଟ୍‌ ପଡ଼ିଛି। ସେହିପରି କଂଗ୍ରେସ ପ୍ରାର୍ଥୀ ସୋନାଲି ସାହୁଙ୍କୁ ୩,୪୩୫ଖଣ୍ଡ ଭୋଟ୍ ମିଳିଥିବା ବେଳେ କମ୍ୟୁନିଷ୍ଟ ପାର୍ଟି ଅଫ୍‌ ଇଣ୍ଡିଆର ଗିରୀଶ ଚନ୍ଦ୍ର ମହାରଣାଙ୍କୁ ୨୧୦୮ଖଣ୍ଡ, ବିଏସ୍‌ପିର ରାଜକିଶୋର ନାୟକଙ୍କୁ ୭୩୫ଖଣ୍ଡ, ମାନସ ଲୋକଶକ୍ତି ଦଳର ବିଶ୍ବଜିତ୍‌ ବେହେରାଙ୍କୁ ୯୬୮, ସୁପ୍ରିମ୍‌ ଜିରୋ ପାର୍ଟି ଅଫ୍‌ ଭାରତର ବ୍ରହ୍ମଚାରୀ ନାୟକଙ୍କୁ ୪୯୮, ସ୍ବାଧୀନ ପ୍ରାର୍ଥୀ ରଞ୍ଜିତ୍‌ ମହାପାତ୍ରଙ୍କୁ ୪୩୬, ସ୍ବାଧୀନ ପ୍ରାର୍ଥୀ ରୂପେଶ ବେହେରାଙ୍କୁ ୬୨୩ଖଣ୍ଡ ଭୋଟ୍‌ ମିଳିଛି।