ଭୁବନେଶ୍ୱର: ଓଡ଼ିଶାରେ ପ୍ରଥମଥର ପାଇଁ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ରେ ଜଣେ ଲିମ୍ଫୋମା ରୋଗୀଙ୍କ ଶରୀରରେ ସଫଳତାର ସହ ଅଟୋଲଗସ୍ ଷ୍ଟେମ୍ ସେଲ୍ ପ୍ରତ୍ୟାରୋପଣ କରାଯାଇଛି। ଜଟିଳ ବୋନ୍ମ୍ୟାରୋ ପ୍ରତ୍ୟାରୋପଣ ଦ୍ୱାରା ଓ ଅତ୍ୟାଧୁନିକ କ୍ରାଇଓପ୍ରିଜରଭେସନ୍ ପ୍ରକ୍ରିୟାରେ ଜଣେ ୩୩ ବର୍ଷୀୟ ଲିମ୍ଫୋମା (ଏକ ପ୍ରକାର ରକ୍ତ କର୍କଟ ରୋଗ)ରେ ପୀଡ଼ିତ ଥିବା ଯୁବକଙ୍କର ସଫଳ ଚିକିତ୍ସା କରାଯାଇଛି। ହସ୍ପିଟାଲ୍ର କ୍ଲିନିକାଲ ହେମାଟୋଲୋଜି ଏବଂ ହେମାଟୋ ଅଙ୍କୋଲୋଜି ବିଭାଗର ମୁଖ୍ୟ ପ୍ରଫେସର୍ (ଡାକ୍ତର) ପ୍ରିୟଙ୍କା ସାମଲ ସୋମବାର ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି।
କୋଭିଡ୍ ମହାମାରୀ ଯୋଗୁଁ ଦୀର୍ଘ ମାସ ଧରି ବିଭିନ୍ନ ସ୍ୱାସ୍ଥ୍ୟସେବା ବ୍ୟାହତ ହୋଇଥିଲା। ତଥାପି ଗତ ୧୮ ମାସ ମଧ୍ୟରେ ମାଇଲୋମା ଏବଂ ଲ୍ୟୁକୋମିଆ ଭଳି ରକ୍ତଜନିତ କ୍ୟାନ୍ସରରେ ପୀଡ଼ିତ ୨୫ଜଣ ରୋଗୀଙ୍କ ଶରୀରରେ ଏହି ଡାକ୍ତରଖାନାରେ ଷ୍ଟେମ୍ ସେଲ୍ ପ୍ରତ୍ୟାରୋପଣ କରାଯାଇଥିବା ପ୍ରଫେସର୍ ସାମଲ କହିଛନ୍ତି। ଏହି ପ୍ରକ୍ରିୟାରେ ଚିକିତ୍ସିତ ହୋଇଥିବା ସମସ୍ତ ରୋଗୀ ବର୍ତ୍ତମାନ ପର୍ଯ୍ୟନ୍ତ ସୁସ୍ଥ ଅଛନ୍ତି।
ଏହି ପ୍ରତ୍ୟାରୋପଣ ଟିମ୍ ନିରନ୍ତର ଗୁଣାବତ୍ତା ତଦାରଖ କରିବା ସହ କ୍ରାଇଓପ୍ରିଜରଭେସନ୍ ପ୍ରକ୍ରିୟାରେ ଚିକିତ୍ସା କରିଥିଲେ। କ୍ରାୟୋପ୍ରିଜରଭେସନ୍ ଏଭଳି ଏକ ପ୍ରକ୍ରିୟା, ଯେଉଁଥିରେ ଶରୀରର ସେଲ୍ ଏବଂ ଟିସ୍ୟୁଗୁଡ଼ିକ ବିଯୁକ୍ତ ୮୦ ଡିଗ୍ରି ସେଲ୍ସିୟସ୍ ଭଳି ଅତି କମ୍ ତାପମାତ୍ରାରେ ଭବିଷ୍ୟତରେ ବ୍ୟବହାର ପାଇଁ ସଂରକ୍ଷିତ କରି ରଖାଯାଇଥାଏ। ଶରୀରର କୋଷିକାଗୁଡ଼ିକ ଦୁଇ କିମ୍ବା ତିନିଦିନ ପାଇଁ ବ୍ୟବହାରଯୋଗ୍ୟ। ମାତ୍ର ଏହି ପ୍ରକ୍ରିୟାରେ ଅନେକ ମାସ ପର୍ଯ୍ୟନ୍ତ ଏହା ସଂରକ୍ଷିତ କରି ରଖାଯାଇପାରେ ବୋଲି ସେ କହିଛନ୍ତି।
ହସ୍ପିଟାଲ୍ର ମେଡିକାଲ୍ ସୁପରିନଟେଣ୍ଡେଣ୍ଟ ପ୍ରଫେସର୍ ପୁଷ୍ପରାଜ ସାମନ୍ତସିଂହାର, ଟ୍ରାନ୍ସଫ୍ୟୁସନ ମେଡିସିନ୍ ବିଭାଗର ମୁଖ୍ୟ ପ୍ରଫେସର ଗିରିଜାନନ୍ଦିନୀ କାନୁନ୍ଗୋ ଏବଂ ହେମାଟୋଲୋଜି ଆଇସିୟୁର ଇନ୍ଚାର୍ଜ ଡାକ୍ତର ସନ୍ତୋଷ କୁମାର ସିଂହ ପ୍ରମୁଖଙ୍କୁ ନେଇ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଚିକିତ୍ସା ବାବଦରେ ବିସ୍ତୃତ ସୂଚନା ଦିଆଯାଇଥିଲା। ପ୍ରଫେସର୍ ସାମଲ କହିଥିଲେ ଯେ ଷ୍ଟେମ୍ ସେଲ୍ ପ୍ରତ୍ୟାରୋପଣରେ କୌଣସି ଅସ୍ତ୍ରୋପଚାରର ଆବଶ୍ୟକତା ପଡ଼ି ନଥାଏ। ଷ୍ଟେମ୍ ସେଲ୍ଗୁଡ଼ିକ ବୋନ୍ମ୍ୟାରୋରେ ଥାଏ ଏବଂ ଶରୀରର ପୁରୁଣା ତଥା କ୍ଷୟ ପାଇଥିବା ରକ୍ତକଣିକାଗୁଡ଼ିକ ସ୍ଥାନରେ ନୂତନ ରକ୍ତକଣିକା ସୃଷ୍ଟି କରେ। ଷ୍ଟେମ୍ ସେଲ୍ ସୃଷ୍ଟି ପ୍ରକ୍ରିୟାରେ ସମସ୍ୟା ସୃଷ୍ଟି ହେଲେ ରକ୍ତ କର୍କଟ ଭଳି ରୋଗ ଦେଖା ଦେଇଥାଏ।