ଭୁବନେଶ୍ୱର: ଶ୍ରୀମନ୍ଦିର ଇତିହାସରେ ଯାହା କେବେ ଘଟିନଥିଲା, ତାହା ଆଜି ଦେଖିବାକୁ ମିଳିଛି। ପୁରୀ ଜିଲ୍ଲା ସାକ୍ଷୀଗୋପାଳର ଯେଉଁ ବକୁଳବନ ବଉଳ ଗଛ ପାଇଁ ପ୍ରସିଦ୍ଧ ଥିଲା ଓ ବର୍ଷ ବର୍ଷ ଧରି ଯେଉଁ ବକୁଳବନ ରଥଯାତ୍ରା ବେଳେ ସେନାପଟା ପାଇଁ ବଉଳ କାଠ ଯୋଗାଇ ଆସୁଥିଲା, ସେଠି ବଉଳ କାଠର ଅଭାବ ଦେଖା ଦେଇଛି। ବଉଳ କାଠ ଏତେ ଅଭାବ ଦେଖାଦେଇଛି ଯେ ଶେଷରେ ଶ୍ରୀମନ୍ଦିର ପ୍ରଶାସନକୁ ଏଥିପାଇଁ ବିଜ୍ଞପ୍ତି ପ୍ରକାଶ କରିବାକୁ ପଡ଼ିଛି ଓ କାଠ ପାଇଁ ରାଜଧାନୀ ଉପରେ ନିର୍ଭର କରିବାକୁ ପଡିଛି। ପ୍ରଥମ ଥର ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଠାକୁର ପ୍ରଭୁ ଶ୍ରୀବଳଭଦ୍ରଙ୍କ ସେନାପଟା ପାଇଁ ରାଜଧାନୀରୁ ଯାଇଛି ବଉଳକାଠ। ଜୟଦେବବିହାର ଅଞ୍ଚଳର ଗଣେଶ ଚନ୍ଦ୍ର ପଣ୍ଡାଙ୍କ ବାଡ଼ିରେ ଥିବା ବଉଳ ବୃକ୍ଷକୁ ଆଜି ରୀତିନୀତି ଅନୁଯାୟୀ ପୂଜାପାଠ ପରେ ଚ୍ଛେଦନ କରାଯାଇ ସାଇଜ୍ ପାଇଁ ଖପୁରିଆସ୍ଥିତ କରତକଳକୁ ପଠାଯାଇଛି।
ଶ୍ରୀମନ୍ଦିର ଇତିହାସରେ ପ୍ରଥମ: ସତ୍ୟବାଦୀ ବକୁଳବନରେ ମିଳିଲାନି ମହାପ୍ରଭୁଙ୍କ ଲାଗି ବଉଳକାଠ, ରାଜଧାନୀରୁ ଗଲା
ମହାପ୍ରଭୁଙ୍କ ପହଣ୍ଡି ବେଳେ ଶ୍ରୀଅଙ୍ଗ ସୁରକ୍ଷା ପାଇଁ ସେନାପଟା ଲାଗିହୁଏ। ଏହା ବଉଳ କାଠରୁ ପ୍ରସ୍ତୁତ ହୋଇଥାଏ। ପହଣ୍ଡି ପୂର୍ବ ରାତିରୁ ଦଇତାପତି ସେବକମାନେ ଚତୁର୍ଦ୍ଧା ବିଗ୍ରହଙ୍କୁ ସେନାପଟା ଲାଗି କରିଥାନ୍ତି। ପ୍ରତିବର୍ଷ ସାକ୍ଷୀଗୋପାଳ ବକୁଳବନରୁ ବଉଳ କାଠ ସଂଗ୍ରହ କରି କାଟିବା ପରେ ଶୋଭାଯାତ୍ରା ସହକାରେ ଶଗଡ଼ିରେ ଶ୍ରୀମନ୍ଦିର ଯାଇଥାଏ। ମାତ୍ର ଚଳିତ ବର୍ଷ ଆବଶ୍ୟକ ମୁତାବକ ବଉଳକାଠ ନଥିବାର ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଚାରିଫୁଟ ଗୋଲେଇ ଓ ଦଶଫୁଟ ଲମ୍ୱର ଶାଖାବିହୀନ ବଉଳ ବୃକ୍ଷ ଥାଏ, ତାହାକୁ ଦାନ ବା ଅର୍ଥ ବିନିମୟରେ ପ୍ରଭୁଙ୍କ ସେବା ନିମନ୍ତେ ଦେବା ପାଇଁ ଗତ ମେ ମାସ ୭ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏହି ବିଜ୍ଞାପନ ସମ୍ପର୍କରେ ଜାଣି ଭୁବନେଶ୍ୱରର ଶ୍ରୀ ପଣ୍ଡା ନିଜ ବାଡ଼ିରେ ଥିବା ୩୫ ବର୍ଷ ପୁରୁଣା ବଉଳ ବୃକ୍ଷ ସମ୍ପର୍କରେ ସ୍ୱାମୀ ଆନନ୍ଦରାଜାଙ୍କ ମାଧ୍ୟମରେ ମନ୍ଦିର ପ୍ରଶାସନଙ୍କୁ ଅବଗତ କରାଇଥିଲେ। ପ୍ରଶାସନ ପକ୍ଷରୁ ମୁଖ୍ୟ ତତ୍ତ୍ବାବଧାରକ ସୁଦର୍ଶନ ମେକାପ, ରବି ଭୋଇ ଗତ ମେ ୧୬ ତାରିଖରେ ଭୁବନେଶ୍ବର ଆସି ଗଛ ଦେଖି ପ୍ରଶାସନକୁ ରିପୋର୍ଟ ଦେବା ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅନୁମତି ସହ ଆଜ୍ଞା ମାଳ ଓ ବସ୍ତ୍ର ଅର୍ପଣ କରାଯାଇଥିଲା।
ଆଜି ବିଧି ମୁତାବକ ପୂଜାର୍ଚ୍ଚନା ସହ ହରେକୃଷ୍ଣ ମହାମନ୍ତ୍ର, ଶ୍ରୀଜଗନ୍ନାଥ ସହସ୍ରନାମ, ହୋମ ଯଜ୍ଞ ସହ ବୃକ୍ଷ ଛେଦନ ହୋଇଥିଲା। ଏଥିରେ ଗୁରୁ ବଂଶୀଧର ମହାରାଜ, ସ୍ୱାମୀ ବିଷ୍ଣୁଗିରି ମହାରାଜ, ସ୍ୱାମୀ ଅଶୋକ ଦାଶ ମହାରାଜ, ବ୍ରଜ ବାଦା, ବିଷ୍ଣୁ ଚରଣ ଦାଶ, ଶ୍ରୀରାମ ଚରଣ ଦାଶ ମହାରାଜ, ଅଜୟ ବାବା, ସ୍ୱାମୀ ଆନନ୍ଦରାଜ, ଦାଶରଥି ବାବାଙ୍କ ଭଳି ବହୁସାଧୁସନ୍ଥ ଯୋଗ ଦେଇଥିଲେ। ସୂଚନାଯୋଗ୍ୟ, ଚଳିତବର୍ଷ ରାଜ୍ୟର ତିନି ଦାତାଙ୍କୁ ବଉଳ କାଠ ଦାନରେ ଦେବାକୁ ଶ୍ରୀମନ୍ଦିର ପ୍ରଶାସନ ସ୍ୱୀକୃତି ପ୍ରଦାନ କରିଛି।