ଅରୁଣା ମହାନ୍ତିଙ୍କୁ ଜୀବନବ୍ୟାପୀ ସାଧନା ସମ୍ମାନ

Advertisment

ଭୁବନେଶ୍ୱର : ଶ୍ରୀଜଗନ୍ନାଥ କେବଳ ହିନ୍ଦୁଙ୍କ ନାଥ ନୁହନ୍ତି। ସେ ସମଗ୍ର ଜଗତର। ଆଧ୍ୟାତ୍ମିକ ଜାଗରଣ ସୃଷ୍ଟି କରିବା ପାଇଁ ସମଗ୍ର ବିଶ୍ୱରେ ଆଦର୍ଶ ଭିତ୍ତିକ ଶ୍ରୀଜଗନ୍ନାଥଙ୍କ ମନ୍ଦିର ନିର୍ମିତ ହେବା ଉଚିତ୍‌। ଆଧୁନିକ ରାଷ୍ଟ୍ର ଏବେ ଯେଉଁଭଳି ସମସ୍ୟା ଦେଇ ଗତି କରୁଛି ସେଥିରୁ ଉଦ୍ଧାର କରିବାରେ ଆଧ୍ୟାତ୍ମିକ ଚେତନା ହିଁ ମୁଖ୍ୟ ବାଟ ବୋଲି କହିଛନ୍ତି ମହାପ୍ରଭୁଙ୍କ ଆଦ୍ୟସେବକ ଗଜପତି ମହାରାଜ ଦିବ୍ୟସିଂହ ଦେବ। ଆମେରିକାର ଡ.ଦାଶ ଫାଉଣ୍ଡେସନ୍‌, ଜଗନ୍ନାଥ ସୋସାଇଟି ଅଫ୍‌ ଆମେରିକାଜ୍‌ ଏବଂ ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦ ପକ୍ଷରୁ ରବୀନ୍ଦ୍ର ମଣ୍ଡପରେ ଅନୁଷ୍ଠିତ ‘ପ୍ରଥମ ଅନ୍ତର୍ଜାତୀୟ ଶ୍ରୀଜଗନ୍ନାଥ ସମ୍ମିଳନୀ’ର ଉଦ୍‌ଯାପନୀ ସତ୍ରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗଜପତି ଏଭଳି ଉକ୍ତି ରଖିଛନ୍ତି।

ଏହି ସତ୍ରରେ ସ୍ୱାମୀ ଶିବଚିଦାନନ୍ଦ ସରସ୍ୱତୀ ମହାରାଜ, ସ୍ୱାମୀ ଆଦ୍ୟାନନ୍ଦ ସରସ୍ୱତୀ, କିସ୍‌ର କୁଳପତି ହରେକୃଷ୍ଣ ଶତପଥୀ, ଛତିଶା ନିଯୋଗର ଜନାର୍ଦନ ପାଟ୍ଟଯୋଶୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ନିଜର ଉକ୍ତି ଉପସ୍ଥାପନ କରି କହିଛନ୍ତି ଯେ, ଶ୍ରୀଜଗନ୍ନାଥ ଅଚିନ୍ତ୍ୟ ଓ ଅପ୍ରମେୟ। ସେ ଶାନ୍ତି, ସାଂପ୍ରଦାୟିକ ସଦ୍‌ଭାବନା ଦର୍ଶନର ଦେବତା। ସଦଗୁଣର ବିକାଶ ହେଲେ ହିଁ ଜଗନ୍ନାଥ ପ୍ରାପ୍ତି ସମ୍ଭବ ବୋଲି ଅତିଥିମାନେ କହିଛନ୍ତି। ଏହି ଅବସରରେ ଡ.ଦାଶ ଫାଉଣ୍ଡେସନ୍‌ର ପ୍ରତିଷ୍ଠାତା ଶୀତକଣ୍ଠ ଦାଶ ଆମେରିକାରେ ତାଙ୍କର ଆଧ୍ୟାତ୍ମିକ ଯାତ୍ରା ସମ୍ବନ୍ଧରେ ଆଲୋକପାତ କରିଥିବା ବେଳେ ଉପାଧ୍ୟକ୍ଷ ସୁବାସ ପାଣି ଏବଂ ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦର ସଭାପତି ଗୋପୀନାଥ ମହାନ୍ତି କାର୍ଯ୍ୟକ୍ରମ ସମ୍ବନ୍ଧରେ ସୂଚନା ଦେଇଥିଲେ।

ଉଦ୍‌ଯାପନୀ ସନ୍ଧ୍ୟାରେ କଳା ଜଗତକୁ ଜୀବନବ୍ୟାପୀ ଅବଦାନ ପାଇଁ ଗୁରୁ ଅରୁଣା ମହାନ୍ତିଙ୍କୁ ଡ.ଦାଶ ଫାଉଣ୍ଡେସନ୍‌ ପକ୍ଷରୁ ୧ଲକ୍ଷ ୫୦ ହଜାର ଟଙ୍କାର ଅର୍ଥରାଶି ସହ ଜୀବନବ୍ୟାପୀ ସାଧନା ସମ୍ମାନ ପ୍ରଦାନ କରାଯାଇଥିଲା। ଏଥିସହିତ ତାଳଧ୍ୱଜ ରଥର ବିଶ୍ୱକର୍ମା ନରସିଂହ ମହାପାତ୍ର, ନନ୍ଦିଘୋଷ ରଥର ବିଶ୍ୱକର୍ମା ବିଜୟ କୁମାର ମହାପାତ୍ର, ଦେବଦଳନ ରଥର ବିଶ୍ୱକର୍ମା କୃଷ୍ଣଚନ୍ଦ୍ର ମହାରଣା ଏବଂ ସେବକ ସୁବାସ ସିଂହାରୀଙ୍କୁ ସମ୍ବର୍ଧିତ କରାଯାଇଥିଲା। ପରେ ସୁବାସ ପାଣିଙ୍କ ସମ୍ପାଦିତ ‘ଶ୍ରୀକ୍ଷେତ୍ର, ଶ୍ରୀମନ୍ଦିର ଓ ଶ୍ରୀଜଗନ୍ନାଥ’, ଅଭିମନ୍ୟୁ ଷଡ଼ଙ୍ଗୀଙ୍କ ‘କର୍ମକାଣ୍ଡ ଶିକ୍ଷା-୧’, ଶ୍ରୀମନ୍ତ ମହାପାତ୍ରଙ୍କ ସଂକଳନରେ ପ୍ରସ୍ତୁତ ‘ଗ୍ଲୋବାଲ୍‌ ଡିରେକ୍ଟୋରି ଅଫ୍‌ ଶ୍ରୀଜଗନ୍ନାଥ ଟେମ୍ପୁଲ୍‌’, ପ୍ରଫେସର ବ୍ରଜମୋହନ ମିଶ୍ରଙ୍କ ଅନୁଦିତ ‘ଦି ଗ୍ଲୋରି ଅଫ୍‌ ଶ୍ରୀ ପୁରୁଷୋତ୍ତମ କ୍ଷେତ୍ର’, ଅଶୋକଙ୍କ ଗୁଜୁରାଟି ଭାଷାରେ ଅନୁଦିତ ‘ପ୍ରଶ୍ନୋତ୍ତରୀରେ ଶ୍ରୀଜଗନ୍ନାଥ’ ଏବଂ ନିରଂଜନ ଚନ୍ଦ୍ର ପଣ୍ଡାଙ୍କ ‘ଆଧ୍ୟାତ୍ମିକ ପ୍ରଶ୍ନୋତ୍ତରୀ’ ପୁସ୍ତକ ଉନ୍ମୋଚିତ ହୋଇଥିଲା।

ସକାଳେ ଆଇନ ଓ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା, ସ୍ୱାମୀ ଅସୀମାନନ୍ଦ ସରସ୍ୱତୀ ମହାରାଜ, ଦେବତ୍ତୋର କମିସନର ବିରାଜ ପ୍ରସାଦ ଦତ୍ତ ପ୍ରମୁଖ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିବା ସହ ସ୍କନ୍ଦ ପୁରାଣ ଆଧାରରେ ପ୍ରଦର୍ଶିତ ପଟ୍ଟଚିତ୍ରକୁ ଲୋକାର୍ପଣ କରିଥିଲେ। ପରବର୍ତୀ ଅଧିବେଶନରେ ବଳଦେବ ସିଂହାରୀ, ଡ.ଭାସ୍କର ମିଶ୍ର, ବିଶ୍ୱନାଥ ସାମନ୍ତରା, ପଦ୍ମନାଭ ମହାପାତ୍ର, ରବୀନ୍ଦ୍ରନାଥ ପ୍ରତିହାରୀ, ରାମଚନ୍ଦ୍ର ଦାସ ମହାପାତ୍ର, ରବିନ୍ଦର ନାରାୟଣ ମିଶ୍ର, ରାଜେନ୍ଦ୍ର କୁମାର ମହାନ୍ତି ପ୍ରମୁଖ ଶ୍ରୀଜଗନ୍ନାଥଙ୍କ ନିତ୍ୟ ସେବା ପୂଜା ପରମ୍ପରା, ପ୍ରମୁଖ ଯାନିଯାତ୍ରା ଏବଂ ଶ୍ରୀଜଗନ୍ନାଥ ମନ୍ଦିରର ପରିଚାଳନା ସମ୍ବନ୍ଧରେ ଆଲୋକପାତ କରିଥିଲେ। ସନ୍ଧ୍ୟାରେ ଗୁରୁ ରାମହରି ଦାସ, ଡ.ସଂଗୀତା ଗୋସାଇଁ ଏବଂ ବିଜୟ ଜେନା ଭଜନ ପରିବେଷଣ କରିଥିବା ବେଳେ ଗୁରୁ ଅରୁଣା ମହାନ୍ତିଙ୍କ ନୃତ୍ୟ ସଂଯୋଜନାରେ ଓଡ଼ିଶୀ ନୃତ୍ୟରେ ଶ୍ରୀଜଗନ୍ନାଥଙ୍କ ଲୀଳାଖେଳାର ବର୍ଣ୍ଣନା କରିଥିଲେ ଶିଳ୍ପୀବୃନ୍ଦ। ଡ.ମୃତ୍ୟୁଞ୍ଜୟ ରଥ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।